Unknown

 

 

 

 

 

 

 

 

 

 

 

ରାଜକନ୍ୟା ଓ କୃଷ୍ଣ ସର୍ପକଥା

ବିଭୂତି ପଟ୍ଟନାୟକ

 

ଉପକ୍ରମଣିକା

 

ଶେଷହେଲା ରାଜକନ୍ୟାର ସ୍ଵୟମ୍ଵର । ଆସିଲା ବହୁବାଞ୍ଚିତ ବାସର ରାତ୍ରି । ଅବନ୍ତୀ ନଗରୀର ରାଜକନ୍ୟା ବାସକ ସଜ୍ଜିକା ବେଶରେ ପ୍ରବେଶ କଲେ ବାସର ଗୃହରେ ।

 

ତା’ପରେ….

 

ସକାଳୁ ଯେତେବେଳେ ରାଜକନ୍ୟା ନିଜର ଶ୍ଳଥ ବସନକୁ ସଂଯତ କରି ଉଠି ବସିଲେ, ଦେଖିଲେ ରାଜକୁମାର ମୃତ । କାଳସର୍ପର ଦଂଶନ ଜ୍ଵାଳାରେ ପ୍ରାଣପକ୍ଷୀ ତାଙ୍କର ଆଦୃଶ୍ୟ ଆକାଶକୁ ଉଡ଼ି ଯାଇଛି ।

 

ଭୀତତ୍ରସ୍ତ ରାଜକୁମାରୀ ବନ୍ଦ ଦରଜାକୁ ଉନ୍ମୁକ୍ତ କରି ବାହାରକୁ ପଳାଇ ଆସିଲେ । ବାହାରେ ଜାଗିଲା ତୁମୁଳ ବିସ୍ମୟ, କୋଳାହଳ ! ରୁଦ୍ଧ ବାସର ଗୃହର କେଉଁ ରନ୍ଧ୍ର ଦେଇ ପ୍ରବେଶ କଲା ଏଇ ବିଷଧର କୃଷ୍ଣସର୍ପ !

 

ଅବନ୍ତୀର ରାଜକନ୍ୟା ଅନନ୍ତ ଯୌବନା…

 

ଜଣେ ରାଜକୁମାରର ମୃତ୍ୟୁ ପରେ ପୁଣି ଚାଲିଲା ବିବାହର ଆୟୌଜନ । ପୁଣି ମଧୁଚନ୍ଦ୍ରିକା । ପୁଣି ଉତ୍ତେଜନା । କୋଳାହଳ ।

 

ଏଥର ମଧ୍ୟ ସେଇ ଦୁର୍ଘଟଣା ।

 

ଦ୍ଵିତୀୟ ରାଜକୁମାର ମଧ୍ୟ ପ୍ରାଣ ହରାଇଲେ ସର୍ପ ଦଂଶନରେ ।

 

ଜଣେ ନୁହେଁ, ସାତଜଣ ରାଜକୁମାରଙ୍କୁ ସାତଥର ବିବାହ କରି ଅବନ୍ତୀର ରାଜକନ୍ୟା କାହାରିକୁ ଦ୍ଵିତୀୟ ରାତ୍ରିର ଶଯ୍ୟାସାଥୀ ସୁଦ୍ଧା କରି ପାରିଲେ ନାହିଁ । ବିଷଧର କୃଷ୍ଣସର୍ପର ଦଂଶନ ଆଘାତରେ ସବୁ ରାଜପୁତ୍ର ପ୍ରାଣ ହରାଇଲେ । ଅବନ୍ତୀ ନିକଟସ୍ଥ ସମସ୍ତ ରାଜ୍ୟର ରାଜକୁମାର ନିଃଶେଷ ହୋଇଗଲେ ।

 

କିନ୍ତୁ ଅନନ୍ତ ଯୌବନା ରାଜକନ୍ୟା କଅଣ ଏତେ ରୁପ, ଏତେ ଯୌବନ ନେଇ ଏକାକିନୀ ରହିବେ… !

 

ଶେଷରେ କଟୁଆଳ ପୁତ୍ର ସହ…

 

ଆଈ ମାଆଠାରୁ ଗଳ୍ପ ଶୁଣୁଥିବାବେଳେ ଚନ୍ଦ୍ରିକାର କୋମଳ ମନର ପାତଳ ପରଦାଗୁଡ଼ିକ ଥରି ଥରି ଉଠୁଥିଲା । କାହାଣୀ ଶେଷରେ ସେ ପ୍ରଶ୍ନ କରି ବସିଲା, ବାସରଗୃହର କବାଟ, ଝରକା, ସବୁ ତ’ ବନ୍ଦ ଥିଲା ଆଈ ! କେଉଁ ବାଟ ଦେଇ ପ୍ରତିଥର ସେ କଳାସାପ ରାଜକୁମାରମାନଙ୍କୁ ଦଂଶନ କରିବା ପାଇଁ କକ୍ଷ ମଧ୍ୟରେ ପ୍ରବେଶ କରୁଥିଲା ?

 

ଆଈ ମାଆଙ୍କୁ ସେତେବେଳେ ନିଦ ମାଡୁଥିଲା । ଆଖିପତା ମାଡ଼ି ମାଡ଼ି ହୋଇ ପଡ଼ୁଥିଲା । ସେ ଚିଡ଼ିଉଠି କହିଲେ; ଧେତ୍‍, ମୁଁ କଅଣ ରାଜାଘରର ଜଗୁଆଳୀ ଥିଲି ଯେ, ଦେଖିଥାଆନ୍ତି, କେଉଁ ବାଟ ଦେଇ କଳା ସପ ଘର ଭିତରେ ପଶୁଥିଲା !

 

ଆଈଙ୍କ କଥା ଶୁଣି ଚୁପ୍‍ ହୋଇ ଯାଇଥିଲା ଚନ୍ଦ୍ରିକା !

 

କିନ୍ତୁ କୃଷ୍ଣସର୍ପ ଓ ରାଜକୁମାରମାନଙ୍କ ମୃତ୍ୟୁ କଥା ସ୍ମରଣ କରି ନଅବର୍ଷର କିଶୋରୀ ମନ ତା’ର ସେଦିନ ଅଜ୍ଞାତ ଭୟରେ ଶିହରି ଉଠୁଥିଲା ।

 

॥ ଏକ ॥

 

ଷୋଳବର୍ଷ ତଳର ସେ କୃଷ୍ଣସର୍ପ ଆଉ ରାଜକନ୍ୟା କଥା ଆଜି ହଠାତ୍‍ ଚନ୍ଦ୍ରିକାର ସ୍ମରଣ ହୋଇଗଲା କାହିଁକି ?

 

ମୋଭି ମାଗାଜିନ୍‍ର ପୃଷ୍ଠା ଓଳଟାଉ ଓଲଟାଉ ଅବନ୍ତୀ ନଗରୀର ସେହି ସୁକୁମାରୀ ରାଜନନ୍ଦିନୀଙ୍କ କଥା…ସାତଜଣ ରାଜକୁମାରଙ୍କ ସହ ବାସରରାତ୍ରି ଉଦ୍‍ଯାପନ କରି ମଧ୍ୟ ଯେ କୁମାରୀ ଥିଲେ କଟୁଆଳ ପୁଅକୁ ବିବାହ କରିବା ପାଇଁ ଏବଂ ସାତ ସ୍ଵାମୀଙ୍କ ମୃତ୍ୟୁ ପରେ ଯାହାଙ୍କୁ ଥରେ ହେଲେ ବି ବିଧବା ହେବାକୁ ପଡ଼ି ନ ଥିଲା…ହଠାତ୍‍ ତାଙ୍କର କଥା ଚନ୍ଦ୍ରିକାର କାହିଁକି ବାରମ୍ଵାର ମନେ ପଡ଼ୁଥିଲା ?

 

ଉପକଥାର ରୂପବତୀ ସେଇ ଅନନ୍ତଯୌବନା ରାଜକନ୍ୟା ଚନ୍ଦ୍ରିକା ମନର ରୁଦ୍ଧ କୋଠରୀରେ ପ୍ରବେଶ କରି କୋଳାହଳ ସୃଷ୍ଟି କରିଦେଲେ ।

 

ସେ ଭାବିବାକୁ ଲାଗିଲା । ସାତ ସ୍ଵାମୀଙ୍କ ମୃତ୍ୟୁପରେ ବି ରାଜକନ୍ୟା ଥିଲେ କୁମାରୀ । ଆଉ ଜଣେ ମାତ୍ର ଜଣେ ପ୍ରେମିକକୁ ପ୍ରତ୍ୟାଖ୍ୟାନ କରି ଆସିଛି ବୋଲି ସେ କୁମାରୀ ହୋଇପାରେନା ! କାହିଁକି ?

 

ମହିଳା କଲେଜର ଅର୍ଥନୀତି ଅଧ୍ୟାପିକା ଚନ୍ଦ୍ରିକା ଉତ୍ତେଜନାରେ ଅସ୍ଥିର ହୋଇ କକ୍ଷରେ ପଦଚାରଣ କରିବାକୁ ଆରମ୍ଭ କରିଦେଲେ । ତାଙ୍କ ନିର୍ଜ୍ଜନ ମୁହଁର ଅଧର ପଲ୍ଲବରେ ଏକ ତିର୍ଯ୍ୟକ ହସର ବିଦ୍ୟୁତ୍‍ ରେଖା ସଞ୍ଚାରିତ ହୋଇ ହଠାତ୍‍ ନିଶ୍ଚିହ୍ନ ହୋଇଗଲା ।

 

ପ୍ରେମ କରିବା ପାଇଁ ଯେଉଁ ନାରୀ ମନରେ ଦିନେ ଅସରନ୍ତି ଭାବପ୍ରବଣତା ଥିଲା, ପ୍ରତ୍ୟାଖ୍ୟାନ କରିବା ପାଇଁ ତା’ ମନରେ ଯେ ତାଠୁଁ ବେଶି ନିଷ୍ଠୁରତା ଥାଇପାରେ, ଏକଥା କାହିଁକି କଳ୍ପନା କରିପାରି ନ ଥିଲା ଅନ୍ତରୀକ୍ଷ !

 

ଅନ୍ତରୀକ୍ଷ ହୁଏ ତ ନିର୍ବୋଧ; ନ ହେଲେ ସ୍ଵାର୍ଥପର ।

 

ହୁଏ ତ’ ସେ ଜାଣି ନ ଥିଲା ଗୋଲାପର କେବଳ କୋମଳ ପାଖୁଡ଼ା, ମଧୁର ସୁରଭି ନ ଥାଏ, ଥାଏ ମଧ୍ୟ ତୀକ୍ଷ୍ଣ, ନିର୍ମମ କଣ୍ଟା । ସେହି ଅଜ୍ଞତା ପାଇଁ ଗୋଲାପର ସ୍ନିଗ୍ଧ ସ୍ପର୍ଶ ବଦଳରେ କଣ୍ଟାର ଆଘାତରେ ଯଦି ଅନ୍ତରୀକ୍ଷ ରକ୍ତାକ୍ତ ହୋଇଥାଏ ଏବଂ ତାରି ସେଇ ଶୋଣିତ ସ୍ପର୍ଶରେ ଯଦି ହୋଇଥାଏ ତା’ ପାଦର ଅଳତା ଏତେ ଗାଢ଼, ପ୍ରଗାଢ଼, ସେଥିପାଇଁ ଅନୁଶୋଚନା କରିବ କାହିଁକି ଚନ୍ଦ୍ରିକା ?

 

ପୁରୁଣା ଶାଢ଼ୀ ବଦଳି ନୂଆ ଶାଢ଼ୀ ପିନ୍ଧିଲା ଭଳି ନିଜ ଅତୀତର ସ୍ମୃତି, ଅନୁଭୂତି ପାଶୋରି ଦେଇ ସେ ଆଜି ପୁର୍ନଜନ୍ମ ଲାଭକରିଛି ।

 

ଅନ୍ତରୀକ୍ଷ ତା’ପାଇଁ ଆଜି ଅତୀତର ଏକ ବିସ୍ମୃତ-ପ୍ରାୟ ଦୁଃସ୍ଵପ୍ନ । ଏଇ ନିରୋଳା ମୁହୂର୍ତ୍ତରେ ବେଳେବେଳେ ସେ ଦୁଃସ୍ଵପ୍ନ ତା’ର ସ୍ମରଣ ହୁଏ । ସ୍ନାୟୁ ସବୁ ଉତ୍ତେଜିତ ହୁଅନ୍ତି । ତା’ ଜୀବନକୁ ନଷ୍ଟ କରି ଦେଇଥିବାର ଅଭିଯୋଗରେ ଅନ୍ତରୀକ୍ଷକୁ ସେ ଅଭିଶାପ ଦିଏ । ତା’ପରେ ମନକୁ ଦୃଢ଼କରି ଜବରଦସ୍ତ ମୁହଁରେ ହସ ଫୁଟାଇ ସେ ସ୍ଵାଭାବିକ ହେବାକୁ ଚେଷ୍ଟା କରେ ।

 

॥ ଦୁଇ ॥

 

ମନକୁ ଯେତେ ବୁଝାଇଲା ପରେ ବି ଜୋଚ୍ଛନାର ମନ ବୁଝୁ ନ ଥିଲା । ଏଥର ସୋମବାର ଦିନ ଅମ୍ଵରଙ୍କ ପାଖରୁ ଆସିଲାବେଳେ ସବୁଥର ଭଳି ମୁହଁରେ ଈଷତ୍‍ ହସର ହିଲ୍ଲୋଳ ଉଠାଇ ତାକୁ ବିଦାୟ ଦେଇ ନ ଥିଲେ । କିପରି ଏକ ଅପ୍ରକାଶ୍ୟ ରୁଦ୍ଧ ବେଦନାରେ ତାଙ୍କ ମୁହଁ ମେଘାନ୍ତ୍ରାନ୍ତ ହୋଇ ଉଠିଥିଲା ।

 

ପୂର୍ବଦିନ ରାତିରେ ଅମ୍ଵର କହୁଥିଲେ, ସତରେ କ’ଣ ତୁମେ ଚାଲିଯିବ ରାଣୀ ! ମୁଁ ମୋଟେ ବିଶ୍ଵାସ କରି ପାରୁନି ଯେ… !

 

ଅମ୍ଵର ସବୁଦିନେ ଅବୁଝା ।

 

ତାଙ୍କୁ ସେ କେମିତି ବୁଝାଇଥାଆନ୍ତା ଯେ ଯିବା ରହିବା କଥା ତା’ର ନିଜ ଇଚ୍ଛା ଅନିଚ୍ଛା ଉପରେ ଆଦୌ ନିର୍ଭର କରୁ ନାହିଁ !

 

କଲେଜରେ ପରୀକ୍ଷା ଚାଲିଛି ।

 

ଏତେବେଳେ ବିନା କାରଣରେ ଅଟକି ରହିବା ଆଦୌ ଶୋଭନୀୟ ନୁହେଁ ।

 

ଅମ୍ଵର ଏସବୁ କିଛି ହେଲେ ବୁଝିବାକୁ ରାଜି ନୁହନ୍ତି ।

 

ଛୋଟ ପିଲାଙ୍କ ପରି ଅଳି କରନ୍ତି, ତମେ ଚାଲିଗଲେ ମୁଁ ଗୋଟିଏ ହେଲେ ଧାଡ଼ି କିଛି ଲେଖି ପାରୁନି । ଅକାରଣରେ ମନ ଉଦାସ ଉଦାସ ହୋଇଉଠୁଛି–

ଜୋଚ୍ଛନା ଲଘୁ କଣ୍ଠରେ ପରିହାସ କରେ, ମୋ ସମ୍ପର୍କରେ ଆସିବା ଆଗରୁ ତ’ ତମେ ପ୍ରଖ୍ୟାତ ସାହିତ୍ୟିକ ହୋଇ ସାରିଥିଲ । ସେତେବେଳେ କଅଣ ମୋ ଭଳି ତମର କେହି ଜଣେ ଥିଲେ ପ୍ରେରଣା ଦେବାପାଇଁ ?

ଅମ୍ଵରଙ୍କ ପ୍ରଶାନ୍ତ ମୁହଁରେ ତୀକ୍ଷ୍ଣ ବୁଦ୍ଧିର ଔଜ୍ଜ୍ଵଲ୍ୟ ଝଲମଲ କରି ଉଠେ ।

ସେ କହନ୍ତି, ହୁଏ ତ’ ଥିଲେ–କିନ୍ତୁ ସେମାନେ ସବୁ ଉଡ଼ା ଚଢ଼େଇ । ସେମାନଙ୍କ ପକ୍ଷର ଛାୟା ମୋ ମନର ଆକାଶରେ କେତେବେଳେ ପଡ଼ି କେତେବେଳେ ଉଭେଇ ଯାଇଛି, ମୁଁ ସ୍ମରଣ ରଖିପାରି ନାହିଁ । କିନ୍ତୁ ତମେ ତ ମୋ ମନ ଆକାଶର ଶୁଭ୍ର ଜ୍ୟୋତ୍ସ୍ନା ! ତମେ ଦୂରେଇ ଗଲେ ମୋ ମନରେ ଅନ୍ଧକାର–ଅମାବାସ୍ୟା !

ଅମ୍ଵରଙ୍କ କଥା ଶୁଣି ମୁହଁରେ କୃତ୍ରିମ କ୍ରୋଧ ପ୍ରକାଶ କରେ ଜୋଚ୍ଛନା; କିନ୍ତୁ ମନେ ମନେ ଖୁସି ହୁଏ । ଆଉ ଯାହା କୁହନ୍ତୁ, ତା’ ପାଖରେ କେବେହେଲେ ସେ ମିଛ କହନ୍ତି ନାଇଁ । ଅତୀତ ଜୀବନର ସେ ଉଡ଼ା ଚଡ଼େଇଙ୍କ କଥା ସେ କେବେ ତା’ଠାରୁ ଗୋପନ କରି ରଖି ନାହାନ୍ତି; ବରଂ ନିଜର ପୌରୁଷ ଦେଖାଇବାକୁ ଅନେକ ସମୟରେ ନିଜ ଚରିତ୍ର ବିରୁଦ୍ଧରେ ନିଜେ ଅତିରଞ୍ଜିତ କରି କହିଛନ୍ତି ।

ଅମ୍ଵରକୁ ସେ ବୁଝାଏ, ସୁନାଟା ପରା ! ମୋ ପାଇଁ ଏମିତି ଅଧୀର ହୁଅନାଇଁ । ପିଲାଙ୍କ ପରୀକ୍ଷାବେଳ । ଏତେବେଳେ କଲେଜ ନ ଗଲେ ଅନ୍ୟାୟ ହେବ । ପରୀକ୍ଷା ପରେ ଲମ୍ଵା ଗ୍ରୀଷଛୁଟି–ଆଲୋକ ପାଖରେ ଛାୟା ଭଳି ମୁଁ ତମ ପାଖରେ ରହିବି–ବାକୀ ଲେଖାତକ ତମେ ସେତିକିବେଳେ ଶେଷ କରିଦେବ ।

ଅମ୍ଵର ଗମ୍ଭୀର ହୋଇଥିଲେ ।

କଲେଜ ଆସିବାକୁ ତାକୁ ସେ ବାଧା ଦେଇ ନ ଥିଲେ, କେବେ ବାଧା ଦେଇ ନାହାନ୍ତି । କିନ୍ତୁ ମୁହଁଟା ତାଙ୍କର ପ୍ରଚ୍ଛନ୍ନ ଅଭିମାନରେ ମ୍ଳାନ ହୋଇ ଉଠିଥିଲା ।

ହଷ୍ଟେଲରେ ସେଇ ନିର୍ଜ୍ଜନ କୋଠରୀରେ ବସି ସ୍ଵାମୀଙ୍କ ଭାରାକ୍ରାନ୍ତ ମୁହଁଟି କଥା ଚିନ୍ତା କରୁଥିଲା ଜୋଚ୍ଛନା ।

ଖାଇବା ପିଇବା ବିଷୟରେ ସେ ସବୁବେଳେ ଅମାନିଆ । ତା’ ହାତ ରୋଷେଇ ନ ହେଲେ ରୁଚିବ ନାଇଁ, ସେଥିପାଇଁ ଶନିବାର ରବିବାର ବାଦ୍‍, ଗୋଟିଏ ଛୁଟିଦିନ ପାଇଲେ ବି ସେ ତାଙ୍କ ପାଖକୁ ଛୁଟିଯାଏ । କେବଳ ରୋଷେଇ କରିଦେଲେ ଚଳିବ ନାଇଁ, ପାଖରେ ବସି ବଳେଇ ବଳେଇ ନ ଖୁଆଇଲେ ଖିଆ ଅଧା ରହିବ ।

ଏମିତି ଅବାଧ୍ୟ ଲୋକଙ୍କୁ ନେଇ ସେ କେମିତି ଘର ସଂସାର କରିବ !

ସବୁଥର ଆସିଲାବେଳେ ଅଣ୍ତା ଖାଇବା ପାଇଁ ସେ ତାଗିଦ୍‍ କରି ଦେଇ ଆସେ । କେବେ କଥା ରଖନ୍ତି ନାହିଁ । ଗଲାଥର ନିଜେ ସେ ଅଣ୍ତା କିଣି ରଖିଦେଇ ଆସିଥିଲା । ଏଥର ଯାଇ ଶୁଣିଲା ସେ ଅଣ୍ତା ରହି ରହି ପଚିଗଲା ।

 

ରାଗରେ କୈଫିୟତ୍ ମାଗିବାରୁ ଉତ୍ତର ମିଳିଲା, ସତ କହୁଛି ତମ ହାତରେ ଅଣ୍ତା ପୋଚ ଯେମିତି ଚମତ୍କାର ଲାଗେ, ପୁଝାରୀଟା ହାତରେ ସେମିତି ନୁହେଁ । କେବଳ ଆଇଁଷିଣିଆ…

 

ଏଭଳି ଅବୋଧ ଦୋସରକୁ କଅଣ କହି ସେ ବୁଝାଇବ ?

 

ସେ କଅଣ ତାଙ୍କୁ କେବଳ ଖୁଆଇ ଦେବ ବୋଲି ଚାକିରୀ ଛାଡ଼ି ପାଖରେ ରହିବ ?

 

ଜୋଚ୍ଛନା ନିଜର ଦୁରନ୍ତ ସାହିତ୍ୟିକ ସ୍ଵାମୀଙ୍କ କଥା ଯେତିକି ଭାବୁଥିଲା, ସେତିକି ଅଛିଣ୍ତା ସମସ୍ୟାର ଜାଲରେ ସେ ଛନ୍ଦି ହୋଇ ପଡ଼ୁଥିଲା ।

 

ଦିନକୁ ଦିନ ଦେହ ତାଙ୍କର ଦୁର୍ବଳ ହୋଇପଡ଼ୁଛି ।

 

କେମିତି…କେମିତି ଟିକିଏ ଶାନ୍ତିରେ ଏଠି ରହିପାରିବ ?

 

ଅପରାହ୍ନ ଅତୀତ ହୋଇଯିବାକୁ ବସିଲାଣି ।

 

ପ୍ରାୟାନ୍ଧକାର ମଧ୍ୟରେ ସୁଇଚ୍‍ ନ ଟିପି ସେମିତି ବସି ଭାବୁଚି ଜୋଚ୍ଛନା । ଚନ୍ଦ୍ରିକା କଲେଜରୁ ଫେରି କୁଆଡ଼େ ଯାଇଛି, ତା’ ଶଯ୍ୟା ମଧ୍ୟ ଶୂନ୍ୟ ।

 

ବିପୁଳ ଏକ ଶୂନ୍ୟତାରେ ଜୋଚ୍ଛନାର ମନ ମଧ୍ୟ ଭରି ଉଠିଲା ।

 

॥ ତିନି ॥

 

ଗୋଟିଏ କଲେଜରେ ଦୁଇ ଅଧ୍ୟାପିକା ଚନ୍ଦ୍ରିକା ଆଉ ଜୋଚ୍ଛନା । ହଷ୍ଟେଲର ଗୋଟିଏ କୋଠରୀରେ ଦୁଇ ଜଣଙ୍କର ଦୁଇଟି ଶଯ୍ୟା । ସେମାନେ ଗୋଟିଏ ଘରେ ରହନ୍ତି, ଗୋଟିଏ କଲେଜରେ ପାଠ ପଢ଼ାନ୍ତି । ତଥାପି ଦୁଇ ଜଣଙ୍କର ଚିନ୍ତାଧାରା, ବଞ୍ଚିବାର ବିନ୍ୟାସରେ ଅନେକ…ଅନେକ ତଫାତ୍‍ ।

 

ଯେଉଁ ବର୍ଷ ଅନ୍ତରୀକ୍ଷକୁ ବିବାହ କରିବ ନାଇଁ ବୋଲି ଚନ୍ଦ୍ରିକା ପ୍ରତ୍ୟାଖ୍ୟାନ କରି ଆସିଲା, ସେଇ ବର୍ଷ ଅମ୍ଵରକୁ ବିବାହ କଲା ଜୋଚ୍ଛନା । ଯେଉଁ ଭ୍ରମକୁ, ପ୍ରଲୋଭନକୁ ବହୁ ଅପମାନ ସହି ଚନ୍ଦ୍ରିକା ଏଡ଼ାଇ ଆସିଲା, ସେଇ ଭୁଲ୍‍, ପ୍ରଲୋଭନକୁ ବାପାଙ୍କର ବହୁ ଅର୍ଥ ବ୍ୟୟରେ ବିବାହ ନାମରେ ନିଜେ କିଣି ଆଣିଲା ଜୋଚ୍ଛନା ।

 

ବୁଦ୍ଧିମତୀ ଚନ୍ଦ୍ରିକା ଜାଣିଥିଲା, ବିବାହର ବର୍ଷ କେତୋଟି ପରେ ଜୋଚ୍ଛନାର ସ୍ଵପ୍ନଭଙ୍ଗ ହେବ । ଜୀବନ ହେବ ତିକ୍ତ, ଯନ୍ତ୍ରଣା ଜଟିଳ । ଜୋଚ୍ଛନା ଭଳି ରୂପବତୀ, ସର୍ବଗୁଣ ସମ୍ପନ୍ନା ଶିକ୍ଷିତା ନାରୀ ଯେ ଅମ୍ଵର ଭଳି ଉପାର୍ଜ୍ଜନ-ଅକ୍ଷମ ଭାବପ୍ରବଣ ଲୋକକୁ ନେଇ ମାସକରୁ ବେଶି ସୁଖୀ ହୋଇ ପାରିବ ନାହିଁ, ଏଥିରେ ଚନ୍ଦ୍ରିକାର ଅଣୁମାତ୍ର ସନ୍ଦେହ ନ ଥିଲା । ବରଂ ଜୋଚ୍ଛନା କେବେ ଛାଡ଼ପତ୍ର ଦଲିଲ ବିଚାରାଳୟରେ ପେଶ୍‍ କରିବ, ସେଇ ସୁଦିନର ପ୍ରତୀକ୍ଷାରେ ସେ ଦିନ, ମାସ ଗଣନା କରୁଥିଲା ।

 

କିନ୍ତୁ ବିବାହ ବୋଧହୁଏ ଅଫିମର ନିଶାଭଳି । ଥରେ ନାରୀ ବିବାହ କଲେ ସେ ବନ୍ଧନର ଡୋର ଦିନକୁ ଦିନ ଟାଣ ହୁଏ। ବିବାହ କରିବା ପୂର୍ବରୁ ଜୋଚ୍ଛନା ଓ ଅମ୍ଵରର ସମ୍ପର୍କ ମଧ୍ୟ ଏକ ଭାଙ୍ଗିଯିବା ଭାଙ୍ଗିଯିବା ଅବସ୍ଥାରେ ଥିଲା । ବାପା, ବୋଉଙ୍କୁ ସନ୍ତୁଷ୍ଟ କରିବା ପାଇଁ କେବଳ ଅମ୍ଵର ଭଳି ବେକାର ସାହିତ୍ୟିକକୁ ବିବାହ କରିଥିଲା ଜୋଚ୍ଛନା ଚନ୍ଦ୍ରିକା ଆଶା କରିଥିଲା; ସେ ନିଜ ପ୍ରେମିକ ସମ୍ପର୍କରେ ବିବାହ ପୂର୍ବରୁ ଯେଉଁ ଦୃଢ଼ ନିଷ୍ପତ୍ତି ନେଇ ପାରିଲା ବିବାହ ପରେ ସେହି ନିଷ୍ପତ୍ତିହିଁ କରିବସିବ ଜୋଚ୍ଛନା । ଅମ୍ଵର ଭଳି ସ୍ଵାଧୀନଚେତା ଲୋକକୁ ନେଇ ସେ କେବେହେଲେ ସୁଖୀ ହେବ ନାହିଁ ।

 

କିନ୍ତୁ ଚନ୍ଦ୍ରିକାର ସବୁ ହିସାବ, ଗଣନା ଭୁଲ୍‍ ହେବାରେ ଲାଗିଛି । ଯେଉଁ ଲୋକ ବିରୁଦ୍ଧରେ ଦିନେ ଅନେକ କଥା ଜୋଚ୍ଛନା ତା’ ଆଗରେ କହିଥିଲା, ସେ ଝିଅ ଆଜି ଅମ୍ଵର ବିରୁଦ୍ଧରେ ସାମାନ୍ୟ କଟୁକଥା ମଧ୍ୟ ସହିବାକୁ ରାଜି ନୁହେଁ !

 

ଆଜି ବି ଆଶା ସମ୍ପୂର୍ଣ୍ଣ ଛାଡ଼ିନାହିଁ ଚନ୍ଦ୍ରିକା ।

 

ଜୋଚ୍ଛନା ଭଳି ପରମ ରୂପବତୀ ଶିକ୍ଷିତା ଝିଅ ଗୋଟିଏ ଲୋକକୁ ନେଇ ସାରାଜୀବନ ଘର କରିବ, ତାହାର ମଙ୍ଗଳକାମନା କରି ଓଷା ବ୍ରତ ପାଳିବ, ଦାସତ୍ଵ ପ୍ରତୀକ ସିନ୍ଦୁର ଟୋପା ସୀମନ୍ତରେ ପିନ୍ଧବ–ଏ କଥା ଚିନ୍ତା କରିବା ମାନ୍ତ୍ରେଇ ଘୃଣାରେ ଚନ୍ଦ୍ରିକାର ଦେହ ଶିରିଶିରେଇ ଉଠେ-

 

ଅଧଃପତନର ଏ ଅତଳ ଗହ୍ଵରରେ ନିଜର ପରମାତ୍ମୀୟା ବାନ୍ଧବୀକୁ ବେଶି ଦିନ ରହିବାକୁ ସେ ଦେବ ନାହିଁ ।

ନିଜର କର୍ତ୍ତବ୍ୟବୋଧ ସମ୍ପର୍କରେ ସଚେତନ ହୋଇ ଡ୍ରେସିଂ ଟେବୁଲ ଆଗରେ ଠିଆହେଲା ଚନ୍ଦ୍ରିକା ।

 

ଆଜି ଇଞ୍ଜିନିୟର ସୁବ୍ରତ ମହାପାତ୍ରଙ୍କ ଗାର୍ଡ଼ନ ପାର୍ଟିରେ ତା’ର ନିମନ୍ତ୍ରଣ । ସାଙ୍ଗରେ ଜୋଚ୍ଛନାକୁ ମଧ୍ୟ ସେ ନେବାକୁ ବଦ୍ଧପରିକର । ସୁବ୍ରତ ମହାପାତ୍ର ଭଳି ଉପାର୍ଜ୍ଜନକ୍ଷମ ଉଚ୍ଚପଦସ୍ଥ ଇଞ୍ଜିନିୟରକୁ ବିବାହ କରି ତା’ର ସହପାଠିନୀ ଶୈଳ କିପରି ସୁଖରେ ଅଛି, ଏବଂ ଅମ୍ଵରକୁ ବିବାହ କରି ତା’ ଜୀବନ କିପରି ଘର ସମ୍ଭାଳିବାର କୁତ୍ସିତ ସାଧନାରେ ନଷ୍ଟ ହୋଇଯାଇଛି–ତା’ର ଏକ ତୁଳନାତ୍ମକ ଚିତ୍ର ସେ ଜୋଚ୍ଛନା ଆଗରେ ତୋଳି ଧରିବାକୁ ଚାହେଁ ।

 

ତରତର ହୋଇ ସେ ଶୟନକକ୍ଷରେ ପ୍ରବେଶ କଲା ।

 

ନିଜ ଶଯ୍ୟାରେ ଅଧାଶୁଆ ଅବସ୍ଥାରେ ରହି ଗୋଟିଏ ରୁମାଲରେ ଫୁଲ ପକାଉଥିଲା ଜୋଚ୍ଛନା ।

 

ବିରକ୍ତିରେ ଚନ୍ଦ୍ରିକା ପାଟିକରି ଉଠିଲା, ରାତିରେ ବିଜୁଳି ଆଲୁଅରେ କାହାପାଇଁ ରୁମାଲରେ ଫୁଲ ପକାଉଛୁ ?

 

ମୁହଁରେ ଈଷତ୍‍ ହାସ୍ୟର ଲାସ୍ୟଲୀଳା ଖେଳାଇ ଜୋଚ୍ଛନା କହିଲା, ତାଙ୍କର ସବୁ ରୁମାଲତକ ହଜିଗଲାଣି । ଆଉ ତୁତ ଜାଣୁ ମୋ ହାତ ରୂମାଲ ଛଡ଼ା ଅନ୍ୟ ରୁମାଲ ସେ ବ୍ୟବହାର କରନ୍ତି ନାହିଁ !

 

ବିରକ୍ତିରେ ଚନ୍ଦ୍ରିକାର ମୁଣ୍ତ ଗରମ ହୋଇ ଉଠୁଥିଲା । ତଥାପି ସେ ନିଜକୁ ସଂଯତ କରି ନେଇ କହିଲା, ଆଜି ମିଃ: ମହାପାତ୍ରଙ୍କ ଗାର୍ଡ଼ନ ପାର୍ଟି । ତୁ’ କଅଣ ଯିବୁ ନାଇଁ । ଶୈଳ କଅଣ ଭାବିବ-?

 

ଜୋଚ୍ଛନା ମୁହଁରେ କୌଣସି ଭାବାନ୍ତର ସୃଷ୍ଟି ହେଲା ନାହିଁ । ସେ କହିଲା, ଯିବି ନାଇଁ ବୋଲି ତ’ ତତେ ଅନେକ ଆଗରୁ କହିଚି ! ଏ ପାର୍ଟି, ସମ୍ମିଳନୀରେ ମତେ କେବେ ଦେଖିଛୁ ?

 

ଏଥର ଚନ୍ଦ୍ରିକା ନିଜ ବିରକ୍ତି କର ମନୋଭାବ ଗୋପନ କରିପାରିଲା ନାହିଁ । ଉତ୍ତ୍ୟକ୍ତ କଣ୍ଠରେ ସେ କହିଲା, ତୁ’ କ’ଣ ଭାବୁଛୁ ତୁ ଏବେ ସୁଦ୍ଧା ହଷ୍ଟେଲର ସେଇ କଲେଜ ଛାତ୍ରୀ, ଅଭିଭାବକଙ୍କ ବିନା ଅନୁମତିରେ ବାହାରକୁ ଯାଇପାରିବୁ ନାହିଁ ?

 

ଜୋଚ୍ଛନା ମୁହଁର ସେଇ ଅମଳିନ ହସ ଆହୁରି ଉଜ୍ଜ୍ଵଳ ହୋଇ ଉଠିଲା । ସେ କହିଲା, ତୁ’ ଜାଣୁ ଏ ଯାବତୀୟ ପାର୍ଟି, କନ୍‍ଫରେନ୍ସରେ ମୁଁ ଯୋଗ ଦେବା ସେ ଚାହାନ୍ତି ନାହିଁ । ସେ ଆଜି ପାଖରେ ନାହାନ୍ତି ବୋଲି ମୁଁ ତାଙ୍କ ବିରୁଦ୍ଧରେ ଯିବା କ’ଣ ଉଚିତ ହେବ ?

 

ମିଃ: ମହାପାତ୍ରଙ୍କ ଗାର୍ଡ଼ନ ପାର୍ଟିକୁ ନ ଯିବାର ଅସଲ କଟାଣଟା ଜାଣି ଚନ୍ଦ୍ରିକା ଚକିତ ହେଲା । ଅମ୍ଵରର ଉପଦେଶ ତା’ ଅନୁପସ୍ଥିତିରେ ବି ଅମାନ୍ୟ କରିବାକୁ ରାଜି ନୁହେଁ ଜୋଚ୍ଛନା ! ଅଥଚ ତା’ର ଲୁଚାଚୋରା ପ୍ରଣୟଦିନ ଗୁଡ଼ିକରେ ଥରେ ଗୋଟିଏ ନାରୀ ସମ୍ମିଳନୀରେ ଯୋଗ ଦେବାକୁ ଅମ୍ଵର ତାକୁ ବାରଣ କରିଥିଲା ବୋଲି କି ସୁତୀବ୍ର କ୍ରୋଧରେ ତା’ର ରକ୍ଷଣଶୀଳତା ସଂପର୍କରେ ତାକୁ ବକ୍ତୃତା ଶୁଣାଇ ନ ଥିଲା ଏଇ ଜୋଚ୍ଛନା !

 

ବିବାହ ପରେ ସେଇ ଝିଅ ସ୍ଵାମୀର ରକ୍ଷଣଶୀଳତାକୁ ଆଦର୍ଶ ବୋଲି ଧରି ନେଇ ତା’ ଅକ୍ଷରେ ଅକ୍ଷରେ ପାଳନ କରୁଛି । ବିବାହ କରି ନିଜର ସ୍ଵାଧୀନତାକୁ କଅଣ ସଂପୂର୍ଣ୍ଣ ଭୁଲିଯାଇଛି ଜୋଚ୍ଛନା !

 

ଚନ୍ଦ୍ରିକା ବିଚଳିତ ହେଲା, କିନ୍ତୁ ଅଧୈର୍ଯ୍ୟ ହେଲା ନାହିଁ । ଜୋଚ୍ଛନାକୁ ନିଜ ବାଟକୁ ତାକୁ ଆଣିବାକୁ ହିଁ ହେବ ।

 

ସେ ତାକୁ ପ୍ରଲୁବ୍ଧ କରିବାକୁ ଯାଇ କହିଲା; ତୁ ନ ଗଲେ ମୁଁ ଯାଇ ମିଃ: ମହାପାତ୍ରଙ୍କୁ ଆଉ ମୁହଁ ଦେଖାଇପାରିବି ନାଇଁ। ତତେ ସେ କେତେ ସ୍ନେହ କରନ୍ତି, ତୁ ଜାଣୁନାଇଁ । ତୋ ଆଖିରେ କୁଆଡ଼େ ଅସୁମାରୀ ରାତିର ମାୟା…ତୋ ହସର ଭଙ୍ଗୀ କୁଆଡ଼େ ଅତି ଆର୍ଟିଷ୍ଟିକ୍‍ । ମିଃ: ମହାପାତ୍ର ମୋ ସହିତ ଏକମତ ଯେ, ଅମ୍ଵର ଭଳି ସାହିତ୍ୟିକକୁ ବିବାହ କରି ତୋ’ ଜୀବନଟା ନଷ୍ଟ ହୋଇଗଲା….

 

ଚନ୍ଦ୍ରିକାକୁ କଥା ଶେଷ କରିବାକୁ ଦେଲା ନାହିଁ ଜୋଚ୍ଛନା । ହସ ବଦଳରେ ତା’ ମୁହଁରେ ଏଥର ଝଲସିଉଠିଲା କ୍ରୋଧର ବହ୍ନି ।

 

ସେ କ୍ଷୀଣ କଣ୍ଠରେ ଚିତ୍କାର କରି ଉଠିଲା, ଚନ୍ଦ୍ରିକା ! ମୋର ପ୍ରଶସ୍ତି ମୁଁ ଆଉ କୌଣସି ପୁରୁଷ ମୁହଁରୁ ଶୁଣିବାକୁ ଚାହେଁ ନାହିଁ । ସେ ଯାହା କିଛି ହୁଅନ୍ତୁ…ସେ ମୋର ସ୍ଵାମୀ । ମୋର ହସ…ଆଖିର ଭଙ୍ଗୀ କେବଳ ତାଙ୍କରି ପାଇଁ ।

 

ଚନ୍ଦ୍ରିକା ଆହତ ହେଲା । ଅପମାନିତ ବୋଧକଲା । ଆଉ ପାଟି ନ ଫିଟାଇ ଫେରିଗଲା ନିଜ ଶଯ୍ୟା ପାଖକୁ ।

 

॥ ଚାରି ॥

 

ଜୋଚ୍ଛନା ବିବାହ କରି ସୁଖୀ ହେଲା ।

କାହିଁକି ସେ କଥା ପାରିଲା ନାହିଁ ଚନ୍ଦ୍ରିକା ? ନିଜ ଦୋଷରୁ ? ତା’ ମନରେ କଅଣ ସ୍ଵାମୀ ସଂସାର ନେଇ ଘର କରିବାର ସ୍ଵପ୍ନ ନ ଥିଲା ? ସେ କଅଣ ଉତ୍ସର୍ଗୀକୃତ ପୂଜାଫୁଲ ଭଳି ନିଜକୁ ଅନ୍ତରୀକ୍ଷ ପାଖରେ ତୋଳି ଧରି ନ ଥିଲା ? ଦେହ ମନ-ସର୍ବସ୍ଵ ଦେଇ ତାକୁ ଭଲ ପାଇ ନ ଥିଲା ?

କାହିଁକି ସେ ଶେଷରେ ତାକୁ ପ୍ରତ୍ୟାଖ୍ୟାନ କରି ଏ ଚିତ୍ତବିନୋଦିନୀ ଏକାକିନୀ ନାୟିକାର ବିୟୋଗାନ୍ତକ ଭୂମିକା ଗ୍ରହଣ କଲା ?

ଚନ୍ଦ୍ରିକା ନିଜ ଶଯ୍ୟାରେ ମୁହଁ ମାଡ଼ି ଶୋଇ ହଜିଗଲା ଅତୀତର ଭୁଲିଗଲା କଥାଗୁଡ଼ାକ ମନେ ମନେ ଅଣ୍ତାଳି ହେଲା ।

ଅନ୍ତରୀକ୍ଷ ବାହାରେ ଯେତେ ପ୍ରଚାର କରୁ ଯେ, ତା’ର ଦାରିଦ୍ର୍ୟକୁ ଘୃଣା କରି ସେ ତାକୁ ପ୍ରତ୍ୟାଖ୍ୟାନ କରିଛି–ସେ ଜାଣେ ଏ ସବୁ ମିଛ । ସେ ତାକୁ ପ୍ରତ୍ୟାଖ୍ୟାନ କଲାଭଳି ନିଷ୍ଠୁର ନିଷ୍ପତ୍ତି ଗ୍ରହଣ କଲା କାରଣ ତା’ର ଦାରିଦ୍ର୍ୟଯୋଗୁଁ ନୁହେଁ–ଦାରିଦ୍ର୍ୟକୁ ଦୂର କରି ଉପରକୁ ଉଠିବାର ଆନ୍ତରିକତାର ଅଭାବ ଯୋଗୁଁ ।

ତା’ର ଚରିତ୍ରକୁ ଅଯଥାରେ ସନ୍ଦେହ କରୁଥିଲା ବୋଲି ଅନ୍ତରୀକ୍ଷକୁ ଜୋର କରି ସେ ଦୂରକୁ ଠେଲିଦେଇ ନାହିଁ–ସେ ତାକୁ ଜାଣି ଜାଣି ଦୂରେଇ ଦେଇଛି; କାରଣ ସବୁ ଝିଅଙ୍କ ପ୍ରତି ତା’ ମନରେ ଭରି ରହିଥିଲା ଅନ୍ତହୀନ ଶୁଭକାମନା । ନିଜର ଦେହ, ମନ, ସେବା, ଶୁଭେଚ୍ଛା–ସବୁ ଦେଇ ଅନ୍ତରୀକ୍ଷର ଧୁସର ଜୀବନକୁ ସେ ଆରକ୍ତିମ କରି ତୋଳିଥିଲା । ତା’ ବଦଳରେ ସେ ଆଶା କରିଥିଲା ଅନ୍ତରୀକ୍ଷର ସମସ୍ତ ସ୍ନେହ, ପ୍ରେମ, ଶୁଭକାମନା । ସେ ଯେଉଁ ଝିଅମାନଙ୍କୁ ସନ୍ଦେହ କରେ, ସେଇ ଝିଅମାନଙ୍କ ପ୍ରତି ନିଜ ମନରେ ସ୍ନେହ, ଶୁଭକାମନାକୁ ବାଣ୍ଟିକୁଣ୍ଟି ଦାନ କରୁଥିଲା କାହିଁକି ଅନ୍ତରୀକ୍ଷ ? କେଉଁ ଦାବୀ, କେଉଁ ଅଧିକାରରେ ?

ନାରୀ ସବୁ ସହିପାରେ–ନିଜ ପ୍ରିୟତମର ସ୍ନେହ ଶୁଭକାମନାର ଭାଗ ବଣ୍ଟନ ସେ କେବେହେଲେ ସହିପାରେ ନାହିଁ । ଏତେ ଆଦର୍ଶବାଦୀ, ସୁପୁରୁଷ ହୋଇ ନାରୀ ଚରିତ୍ରର ମୌଳିକ ଦିଗଟା ବୁଝିପାରି ନ ଥିଲା କାହିଁକି ଅନ୍ତରୀକ୍ଷ ?

 

ଅନ୍ତରୀଷ ପ୍ରତାରକ, ହୃଦୟହୀନ, ସ୍ଵାର୍ଥପର, ନିର୍ବୋଧ ।

 

ତା’ ଭଳି ଲୋକକୁ ବିବାହ କରିବା ତ’ ଦୂରର କଥା, ତା’ ପ୍ରତି କୌଣସି ଶୁଭେଚ୍ଛା ମଧ୍ୟ ରହିବା ଉଚିତ ନୁହେଁ ।

 

ଅନ୍ତରୀଷ ଉପରେ ଚରମ ପ୍ରତିଶୋଧ ନ ନେଇ ସେ ଛାଡ଼ିବ ନାହିଁ । ତା’ର ଯେଉଁ ଦେହ, ମନକୁ ଅନ୍ତରୀଷ ଏତେ ଭଲ ପାଉଥିଲା, ନିଜର ସେଇ ଦେହ ମନକୁ ଅନ୍ୟ ଏକ ପୁରୁଷକୁ ସେ ଦାନ କରିଦେବ । ଅନ୍ତରୀକ୍ଷର ଦୁଇ ତିନୋଟି ସନ୍ତାନର ଜନନୀ ହେବ ବୋଲି ଦିନେ ଯଦି ସେ ପ୍ରତିଶ୍ରୁତି ଦେଇଥିଲା, ତେବେ ଅନ୍ୟ ଏକ ପୁରୁଷକୁ ବିବାହ କରି ତା’ର ସାତ ସନ୍ତାନର ଜନନୀ ହେବ ଚନ୍ଦ୍ରିକା । ଯଦି କେବେ ଅନ୍ତରୀକ୍ଷର ଶୁଭକାମନା କରି ସେ ପାଞ୍ଚ, ସାତଥର ଓଷା, ବ୍ରତ ପାଳିଥିଲା, ତେବେ ପ୍ରତିଶୋଧ ନେବାପାଇଁ ସେ ଅନ୍ୟ ଯେଉଁ ପୁରୁଷକୁ ବିବାହ କରିବ, ତା’ର ମଙ୍ଗଳ କାମନା କରି ପ୍ରତିଦିନ ଓଷା, କାମନା ବ୍ରତ ସେ ପାଳନ କରିବ ।

 

ପ୍ରେମିକ ଉପରେ ପ୍ରତିଶୋଧ ନେବାପାଇଁ ଏହାଠୁଁ ବଳି ନିର୍ମମ, ମର୍ମଭେଦୀ ଆୟୁଧ ତା’ ପାଖରେ ଆଉ କିଛି ନାହିଁ । ସେଇ ମର୍ମ ଭେଦୀ ଅମୋଘ ଆୟୁଧକୁ ଅନ୍ତରୀଷ ବିରୁଦ୍ଧରେ ପ୍ରୟୋଗ କରିବ ବୋଲି ସ୍ଥିର କରିନେଲା ପରେ ଅଧୀର ଆନନ୍ଦରେ ତା’ର ଆଖିପତା ଦୁଇଟା ଓଦା ହୋଇ ଉଠିଥିବା ଭଳି ଅନୁଭବ କଲା ଚନ୍ଦ୍ରିକା ।

 

ତା’ର ଆଖିର ସଜଳତାକୁ କାଳେ ଅନ୍ୟ ଅର୍ଥରେ ଜୋଚ୍ଛନା ଭୁଲ୍‍ ବୁଝିବ, ସେଥିପାଇଁ ତାହା ଗୋପନ କରିବାକୁ ସେ ଉଠି କକ୍ଷର ସୁଇଚ୍‍ ଟିପି ଘରକୁ ଅନ୍ଧାରରେ ନିମଗ୍ନ କରି ଦେଲା ।

 

॥ ପାଞ୍ଚ ॥

 

ଏଥର ମଧ୍ୟ ଘରୁ ଫେରିଲାବେଳେ ଜୋଚ୍ଛନାର ମନ ଭଲ ନଥିଲା । ଏକ ଅବରୁଦ୍ଧ ଆବେଗ, ଅସନ୍ତୋଷରେ ତା’ର ଛାତି ଭିତର ଯନ୍ତ୍ରଣା ଜର୍ଜ୍ଜରିତ ହୋଇ ପଡ଼ୁଥିଲା । ଯେତେ ବୁଝାଇଲେ ବି କିଛି ବୁଝିବାକୁ ରାଜି ନୁହନ୍ତି ଅମ୍ଵର । ବରଂ ତା’ର ବୁଝାଇବା ଚେଷ୍ଟାକୁ ଭୁଲ୍‍ ବୁଝି ସେ ମନ୍ତବ୍ୟ କଲେ, ଆଗଭଳି ତମେ ଆଉ ମତେ ଭଲପାଅନା ରାଣୀ ! ବିବାହ ପରେ ମୋଠାରୁ ସବୁବେଳେ ଦୂରରେ ରହିବାକୁ ଚାହୁଁଛ ।

 

ଅମ୍ଵରଙ୍କଠାରୁ ସେ ଦୂରରେ ରହିବାକୁ ଚେଷ୍ଟା କରୁଛି ? ଆଜିକାଲି ସେ ତାଙ୍କୁ ଭଲପାଉନି ! ଏକଥା କହି ପାରିଲେ ଅମ୍ଵର ! ତାକୁ ଏଭଳି ନିର୍ମମ ଆଘାତ ଦେଇ ପାରିଲେ !

 

ଅସହ୍ୟ ବେଦନାରେ ଜୋଚ୍ଛନା ଭାଙ୍ଗି ପଡ଼ୁଥିଲା ।

 

କେମିତି ଆଉ ସେ ତାଙ୍କୁ ବୁଝାଇବ ଯେ, ତାଙ୍କ ଛଡ଼ା ତା’ର ଅନ୍ୟ କିଛି ଭାବନା ନାହିଁ, ଚିନ୍ତା ନାହିଁ ! ତାଙ୍କର ଅବାଧ୍ୟ ହୋଇ ଆଜି ବି ଯଦି ସେ ଚାକିରୀ କରୁଛି, କେବଳ ତାଙ୍କରି ପାଇଁ, ତାଙ୍କରି ପରିବାରର ଆର୍ଥିକ ଅବସ୍ଥାକୁ ନିମ୍ନଗାମୀ ହେବାକୁ ନ ଦେବାପାଇଁ । ସେ ପୁରୁଷ । ସବୁ ଥାଇ କିଛି ନ ଥିବା ଭିତରେ ବଞ୍ଚି ରହିବାର ଚେଷ୍ଟାରେ ତାଙ୍କର ଆର୍ଦଶ ଫୁଟି ପାରେ । କିନ୍ତୁ ସେ ଯେ ନାରୀ ! ସମ୍ଵଳ ବିନା ସେ ଅସମ୍ଭାଳ ।

 

ଜୋଚ୍ଛନା ଜାଣେ, ଅମ୍ଵରଙ୍କ ଲେଖନୀ ଯେମିତି ମଧୁକ୍ଷରା, ତାଙ୍କର ମୁହଁର କଥା ସେମିତି ରକ୍ତଝରା ! ସତ୍ୟ, ପୁଣି ଅପ୍ରିୟ ସତ୍ୟ କହିବାରେ ସେ ଦ୍ଵିଧାହୀନ । ତାଙ୍କ କଥା କାହାକୁ କେତେ ଆହତ କରିବ, ସେ କଥା ଭାବିବାର ଇଚ୍ଛା ମଧ୍ୟ ତାଙ୍କର ନ ଥାଏ । ସବୁ ଗୁଣ ଭିତରେ ତାଙ୍କର ଏଇ ଅବିଗୁଣଟି ପାଇଁ ଜୋଚ୍ଛନା ଅନେକ ସମୟରେ ନିପୀଡ଼ିତ ହୋଇଛି । ହେଲେ ନିପୀଡ଼ନର ବେଦନା ସେ କେବେ ତାଙ୍କୁ ଜାଣିବାକୁ ଦେଇ ନାହିଁ ।

 

କିନ୍ତୁ ଗୋପନରେ, ନିର୍ଜ୍ଜନରେ ଆଖି ତା’ର ମନର ବାଧା ମାନି ନାହିଁ । ଅଶ୍ରୁର ଧାରା-ଶ୍ରାବଣରେ ସିକ୍ତ ହୋଇଛି ତା’ର ବସ୍ତ୍ରାଞ୍ଚଳ ।

 

ଜୋଚ୍ଛନାର ମନକଥା ଚନ୍ଦ୍ରିକାକୁ ଅଛପା ରହିଲା ନାହିଁ । ସେ ଧରିନେଲା, ଏଇ ହେଉଛି ସୁଯୋଗ । ଏଇ ସୁଯୋଗରେ ଜୋଚ୍ଛନାକୁ ସେ ଅମ୍ଵର ଠାରୁ ଛଡ଼ାଇ ଆଣିବ । ଦୁର୍ବଳତାର ରନ୍ଧ୍ରପଥ ଦେଇ ସେ ପ୍ରବେଶ କରିବ ଜୋଚ୍ଛନାର ଅନ୍ତଃସ୍ଥଳରେ । ନିଜର ପରମାତ୍ମୀୟା ପ୍ରିୟ ସଖୀକୁ ପୁରୁଷର ଦାସତ୍ଵ ବନ୍ଧନରୁ ମୁକ୍ତ କରି ସ୍ଵାଧୀନ ଭର୍ତ୍ତୃକା ନ କଲାଯାଏ ତା’ ମନରେ ଟିକିଏ ହେଲେ ଶାନ୍ତି ନାହିଁ ।

 

ଜୋଚ୍ଛନାକୁ ସେ ଆନ୍ତରିକତା ଭରା କଅଁଳ କଣ୍ଠରେ ପ୍ରଶ୍ନ କଲା, ଅମ୍ଵରକୁ ବିବାହ କରି ସତରେ କଅଣ ତୁ ସୁଖୀ ହୋଇଛୁ ? ସତରେ କଅଣ ଭାବୁଛୁ ଭାବପ୍ରବଣ ସାହିତ୍ୟିକ ଅମ୍ଵରର ଗୋଟାଏ ରାଜ୍ୟ ଅଛି, ଆଉ ତୁ ସେ ରାଜ୍ୟର ରାଣୀ ?

 

ଅନ୍ୟ ଦିନ ହୋଇଥିଲେ ଚନ୍ଦିକାକୁ ଏସବୁ କଥା କହିବାକୁ ବାଧା ଦେଇଥାଆନ୍ତା ଜୋଚ୍ଛନା । କିନ୍ତୁ ନିଜ ମନର ବିଷଣ୍ଣତା ଯୋଗୁ ସେ କେବଳ ମୂକ ହୋଇ ଚାହିଁରହିଲା ।

 

ଉତ୍ସାହିତ ହୋଇ ଚନ୍ଦ୍ରିକା କହିଲା, ଅମ୍ଵରର ଗୋଟାଏ ରାଜ୍ୟ ଅଛି, ଆଉ ତୁ ସେ ରାଜ୍ୟର ରାଣୀ, ଏସବୁ ମୂଲ୍ୟହୀନ କଳ୍ପନା । କଳ୍ପନାକୁ ନେଇ କବିତା ଲେଖି ହୁଏ, ସୁଖରେ ଘର ସଂସାର କରି ହୁଏନା । ଭାବପ୍ରବଣ ଅମ୍ଵରର ରାଣୀ ହେବା ଅପେକ୍ଷା କୌଣସି ଡାକ୍ତର, ଇଞ୍ଜିନିୟର କିମ୍ଵା ଅଧ୍ୟାପକର ଦାସୀ ହେବା ଶହେଗୁଣ ସୁଖକର…

 

ଆଉ ନୀରବ ରହିପାରିଲାନି ଜୋଚ୍ଛନା ।

 

ସେ ପ୍ରତିବାଦ କଲା, ଜଣେ ସାହିତ୍ୟିକର ପତ୍ନୀ ବୋଲି ତୁ ମତେ ଉପହାସ କରୁଛୁ ?

 

ଜିଭ କାମୁଡ଼ି ପକାଇ ଚନ୍ଦ୍ରିକା କହିଲା–ନା ନା, ମତେ ଭୁଲ୍‍ ବୁଝନା ଜ୍ୟୋତ୍ସ୍ନା–ମୁଁ ତୋ’ ଭଲପାଇଁ କହୁଛି–ପିଲାପିଲି ହେବା ଆଗରୁ ଅମ୍ଵରକୁ ତୁ’ ଛାଡ଼ପତ୍ର ଦେଇଦେଏ-

 

ବିସ୍ମୟରେ ବିସ୍ଫାରିତ ହୋଇଗଲା ଜ୍ୟୋତ୍ସ୍ନାର ଆଖି ଡୋଳା । ଏକଥା ନାରୀ ହୋଇ କହିପାରୁଛି ଚନ୍ଦ୍ରିକା !

 

ଅବାକ୍‍ କଣ୍ଠରେ ଜ୍ୟୋତ୍ସ୍ନା ପ୍ରଶ୍ନ କଲା–ଛାଡ଼ପତ୍ର !

 

–ଶୁଣି ଚମକି ପଡ଼ୁଛୁ ଯେ ! ହିନ୍ଦୁକୋଡ଼୍‍ ବିଲ୍‍ ପାଶ୍‍ କରାଇବା ପାଇଁ ଏ ଦେଶର ଦୂରଦର୍ଶୀ ନେତାମାନଙ୍କୁ କମ୍‍ ବାଧା, ପ୍ରତିବନ୍ଧକ ଅତିକ୍ରମ କରିବାକୁ ହୋଇଛି ! କାହାପାଇଁ ସେମାନେ ଏ ଆଇନ୍ କରିଥିଲେ ? ନାରୀ ପାଇଁ ସୁଖ ଆଉ ସ୍ଵାଧୀନତାର ଗଙ୍ଗାରୂପୀ ଏଇ ଛାଡପତ୍ର ଆଇନକୁ କାହାପାଇଁ ସେମାନେ ପ୍ରତିବନ୍ଧକର ହିମାଳୟ ଅତିକ୍ରମ କରି ଏ ଦେଶରେ ପ୍ରବାହିତ କରାଇଛନ୍ତି ? ତୋ’ ଭଳି ଅର୍ଥନୈତିକ ସ୍ଵାଧୀନତା ଥିବା ଉଚ୍ଚଶିକ୍ଷିତା, ରୂପବତୀ ଝିଅ, ଯଦି ଅମ୍ଵର ଭଳି ଭାବପ୍ରବଣ ଉପାର୍ଜ୍ଜନ–ଅକ୍ଷମ ସ୍ଵାମୀକୁ ଛାଡ଼ପତ୍ର ଦେବାକୁ ଭୟ କରେ, ଆଉ କ’ଣ ଆଇ. ଏ. ଏସ୍‍. ଡାକ୍ତର, ଇଞ୍ଜିନିୟରଙ୍କ ସ୍ତ୍ରୀ’ମାନେ ସ୍ଵର୍ଗସୁଖ ଛାଡ଼ି ଛାଡ଼ପତ୍ର ଦେବେ ? ମଫସଲର ଅଶିକ୍ଷିତା, ସ୍ଵାମୀସର୍ବସ୍ଵ ହତଭାଗିନୀ ସ୍ତ୍ରୀ’ଲୋକଙ୍କ ପାଇଁ କଅଣ ଛାଡ଼ପତ୍ର ଆଇନ ପାର୍ଲାମେଣ୍ଟରେ ପାଶ୍‍ ହୋଇଛି ? ଚନ୍ଦ୍ରିକାର କଣ୍ଠରେ ଉତ୍ତେଜନାର ସ୍ପର୍ଶ ।

 

ତା’ର ଯୁକ୍ତି ପାଖରେ ଜ୍ୟୋତ୍ସ୍ନାର ପ୍ରତିବାଦର ସ୍ଵର କ୍ଷୀଣ ହୋଇ ଆସିଲା । ନିର୍ବୋଧ ବାଳିକାଟି ଭଳି ସେ କେବଳ କହିଉଠିଲା, କିନ୍ତୁ ବାପା, ବୋଉ କଅଣ ଭାବିବେ ?

 

ବାପା, ବୋଉ !

 

ଏଇ ବାପା, ବୋଉ କଅଣ ଭାବିବେ ବୋଲି ଭାବି ଭାବି ଚନ୍ଦ୍ରିକା ବି ଅନ୍ତରୀକ୍ଷକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଚାରିମାସ କାଳ ଅସ୍ଥିର ହୋଇଥିଲା । କିନ୍ତୁ ପ୍ରତ୍ୟାଖ୍ୟାନ ନିଷ୍ପତ୍ତି ନେଇ ସାରିବା ପରେ ସେ ଦେଖିଲା ବାପା, ବୋଉ ବିଶେଷ କିଛି ଭାବି ନାହାନ୍ତି । ଭାବିଥିଲେ ବି ତା’ ଜିଦ୍‍ ଆଗରେ ସେ ଭାବନା ପ୍ରକାଶ କରିନାହାନ୍ତି । ବାପା ବୋଉଙ୍କ ପାଖରେ ସେ ସବୁଦିନେ ପିଲା । ସବୁବେଳେ ଝିଅର ଭୁଲ୍‍ କ୍ଷମା କରିବା ସେମାନଙ୍କର ପରମ ପବିତ୍ର କର୍ତ୍ତବ୍ୟ ।

 

ଏହା ବ୍ୟତୀତ ବାପା, ବୋଉ…! ହୁଁ !

 

ଜ୍ୟୋତ୍ସ୍ନାକୁ ବୁଝାଇବାକୁ ଯାଇ ସେ କହିଲା, ବାପା, ବୋଉ ସେ କାଳର ଲୋକ । ସେତେବେଳେ ଟ୍ରାଂଜିଷ୍ଟର ରେଡ଼ିଓରେ ସିଲୋନର ହିନ୍ଦିଗୀତ ଏତେ ସୁନ୍ଦର ଶୁଭୁ ନ ଥିଲା–‘ସଙ୍ଗମ’ ଛବି ରୂପେଲୀ ପରଦାରେ ଝଲମଲ୍‍ ହେଉ ନଥିଲା । ସତୀତ୍ଵ, ପତ୍ନୀତ୍ଵର ଅର୍ଥ ସେତେବେଳେ ଥିଲା ଭିନ୍ନ । ତେଣୁ ସେ ପୁରୁଣାକାଳିଆ ଲୋକଙ୍କ ଆଦର୍ଶକୁ ଧରି ସାରା ଜୀବନ ତୁ ଜଣିଏ ପୁରୁଷର ସ୍ତ୍ରୀ ହୋଇ ରହିବୁ ? ଏଇ ଦେଖୁଛୁ ତ’ ଆମ କଲେଜର ପ୍ରୌଢ଼ ଅଧ୍ୟାପକ ମିଷ୍ଟର ରୂପନାରାୟଣ, ମିସେସ୍‍ ଛୋଟରାୟ…

 

ଜ୍ୟୋତ୍ସ୍ନା ଜାଣେ, ମାସ କେତୋଟି ତଳେ ନିଜର ଜଣେ ଛାତ୍ରୀକୁ ବିବାହ କରି ନିଜର କଲେଜ ପଢ଼ୁଆ ପୁଅ ଓ ଛଅଟି ସନ୍ତାନର ଜନନୀ ପ୍ରିୟତମା ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି ଅଧ୍ୟାପକ ରୂପନାରାୟଣ । ଆଉ ଅଧ୍ୟାପିକା ମିସେସ୍‍ ଛୋଟରାୟ ନିଜ ସବଡେପୁଟି ସ୍ଵାମୀଙ୍କୁ ଛାଡ଼ପତ୍ର ଦେଇ ସୁଖରେ ସ୍ଵାଧୀନ ଭାବରେ କାଳ କଟାଉଛନ୍ତି ।

 

ଚନ୍ଦ୍ରିକା ବୁଝାଇଲା, ନିଜର ପୁତ୍ରର ସହପାଠିନୀ ଛାତ୍ରୀକୁ ଯେଉଁ ପ୍ରୌଢ଼ ଅଧ୍ୟାପକ ବିବାହ କରିଛନ୍ତି, ସେ ହୁଏ ତ ପୁରୁଷ ନୁହନ୍ତି ପଶୁ । କିନ୍ତୁ ତାଙ୍କର କନ୍ୟା ଭଳି ସେଇ ଛାତ୍ରୀ, ଯେ ସର୍ତ୍ତ ରଖିଲା ଯେ ନିଜର ବଡ଼ପୁଅ ଝିଅ ଓ ପୌଢ଼ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଲେ ସେ ତାଙ୍କୁ ବିବାହ କରି ସବୁଦିନେ ସୁଖ ଦେବ ନାହିଁ; ତାକୁ କଅଣ ସମାଜ ଏକଘରକିଆ କରି ଦେଲା ? ସମାଜର ବଡ଼ପଣ୍ତାମାନେ କଅଣ ତା’ ବିବାହ ଉତ୍ସବରେ ପ୍ରଚୁର ଉପହାର ଦେଇ ତା’ର କାର୍ଯ୍ୟକୁ ଉତ୍ସାହିତ କଲେ ନାହିଁ ? ଆଉ ଅଧ୍ୟାପିକା ମିସେସ୍‍ ଛୋଟରାୟ ! ସ୍ଵାମୀଙ୍କୁ ପ୍ରତ୍ୟାଖ୍ୟାନ କରି ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କୁ ନେଇ ସୁଖରେ ରହିଲେ ବୋଲି ତାଙ୍କ ଚାକିରୀର କଅଣ ଉନ୍ନତି ବନ୍ଦ ହୋଇଯାଇଛି-?

 

ଜୋଚ୍ଛନା ଏସବୁ କଥାର ଗଭୀର ତତ୍ତ୍ଵ କେବେ ବିଚାର କରି ଦେଖି ନଥିଲା । ଚନ୍ଦ୍ରିକା ଠାରୁ ତା’ର ବିଶ୍ଳେଷଣ ଶୁଣି ସେ ବିସ୍ମୟରେ କେବଳ ବିମୂଢ଼ ହୋଇଗଲା ।

 

ଚନ୍ଦ୍ରିକା କହିଲା, ଅଧ୍ୟାପକ ରୂପନାରାୟଣ, ଅଧ୍ୟାପିକା ମିସେସ୍‍ ଛୋଟରାୟ ଓ ତାଙ୍କ ଭଳି ବହୁ ସୁଖଲୋଭୀ ଅଧ୍ୟାପକ, ଅଧ୍ୟାପିକା ପ୍ରଚୀନ ପରମ୍ପରା, ଆଦର୍ଶର ମୂଳଚ୍ଛେଦ କରି ଏ ଯୁଗରେ ରୂପବତୀ, ଶିକ୍ଷିତା, ଉପାର୍ଜ୍ଜନକ୍ଷମା ନାରୀମାନଙ୍କ ପାଇଁ ଏକ ନୂଆରାସ୍ତା ତିଆରି କରି ଯାଇଛନ୍ତି । ଚଞ୍ଚଳ ଚଞ୍ଚଳ ମୁଁ, ତୁ ଓ ଅନ୍ୟ ଝିଅମାନେ ସେମାନଙ୍କ ଆଦର୍ଶ ଧରି ସେ ନୂଆ ରାସ୍ତାରେ ଯିବା ଆସିବା ନ କଲେ ସେ ରାସ୍ତାରେ ଘାସ, ଗିଲଗଛ ଉଠି ପୁଣି ଜଙ୍ଗଲ ହୋଇଯିବ । ସେ ରାସ୍ତାର ଜଙ୍ଗଲରେ ରହିବେ ଆସି ପ୍ରାଚୀନ ଆଦର୍ଶର ବାଘ, ସାପ । ଅନ୍ୟ କେହି ସେ ରାସ୍ତାରେ ଯିବାକୁ ସାହସ କରିବେ ନାହିଁ । ଆଉ ଆମେ ଯଦି ଅଧ୍ୟାପକ ରୂପନାରାୟଣ, ଅଧ୍ୟାପିକା ଛୋଟରାୟଙ୍କ ଆଦର୍ଶନିଜ ଜୀବନରେ ଗ୍ରହଣ ନ କରୁ, କଅଣ ପାଇଁ ବାପ, ମାଆ ଏତେ ଟଙ୍କା ଖର୍ଚ୍ଚ କରି ଆମକୁ କଲେଜକୁ ପଠାଇଥିଲେ ?

 

ଜୋଚ୍ଛନା ଚନ୍ଦ୍ରିକା କଥାର ପ୍ରତିବାଦ କରିପାରିଲା ନାହିଁ । ତା’ ଯୁକ୍ତି ଗ୍ରହଣ କରିବାକୁ ମଧ୍ୟ ତା’ର ସାହସ କୁଳେଇଲା ନାହିଁ । ଅସ୍ପଷ୍ଟ କଣ୍ଠରେ ସେ କହିଲା, ତୁ ବିବାହ କରିନୁ ଚନ୍ଦ୍ରିକା ! ଥରେ ବିବାହ କଲେ ସେ ବନ୍ଧନ ଛିନ୍ନ କରିବା ଏତେ ସହଜ ନୁହେଁ ।

 

ହିଷ୍ଟ୍ରିୟା ରୋଗିଣୀଟି ଭଳି ହୋ’ ହୋ ହୋଇ ହସିଲା ଚନ୍ଦ୍ରିକା ।

 

କହିଲା, ଅନ୍ତରୀକ୍ଷ ସହିତ ଦୁଇବର୍ଷ କାଳ ମୁଁ ସ୍ତ୍ରୀ ଭଳି ଚଳିଛି । ତା’ର ମନର ବନ୍ଧନ ତୁଟାଇବାକୁ ମତେ କମ୍‍ କଷ୍ଟ ସହିବାକୁ ହୋଇନି । ପୁରୁଷର ବନ୍ଧନ ଶୀତଦିନ ପୋଖରୀର ପାଣି ଭଳି । ପୋଖରୀରେ ପଶି ଗାଧୋଇବାକୁ ଭାରୀ ଭୟ । କିନ୍ତୁ ଥରେ ପାଣିରେ ପଶି ଗାଧୋଇ ପଡ଼ିଲେ ଶୀତ ଯେପରି ଆପେ ଆପେ ଛାଡ଼ିଯାଏ, ପ୍ରିୟ ପୁରୁଷର ବନ୍ଧନ ଥରେ ମନଟାଣ କରି ଛିଡ଼ାଇ ଦେଲେ ସବୁ କଷ୍ଟ, ଆଶଙ୍କା ଦୂର ହୋଇଯାଏ । ନାରୀ ସହଜରେ ଯେପରି ଜଣେ ପୁରୁଷକୁ ପ୍ରେମ କରିପାରେ, ସେହିପରି ହଠାତ୍‍ ମଧ୍ୟ ତାକୁ ଘୃଣା କରିପାରେ । ଏ ସତ୍ୟ ମୋ ଜୀବନରେ ମୁଁ ପରୀକ୍ଷା କରି ଦେଖିଛି ତୁ ମଧ୍ୟ ଅନୁଭବ କରି ଦେଖିବା ଉଚିତ ।

 

ଏଥର ମ୍ଳାନ ହସି ଜୋଚ୍ଛନା କହିଲା, କିନ୍ତୁ ଛାଡ଼ପତ୍ର ପାଇଁ କୋର୍ଟରେ ଉପଯୁକ୍ତ କାରଣ ଦର୍ଶାଇବା ଦରକାର ଯେ–

 

–ସେ ଦାୟିତ୍ଵ ମୋର । ଯେଉଁ ଲୋକ ନାରୀର ପ୍ରେମ ପ୍ରଣୟ ନେଇ ସାହିତ୍ୟ ଲେଖେ, ସେ ଯେ ଚରିତ୍ରହୀନ ହେବା ସମ୍ଭବ, ସେ କଥା କୋର୍ଟକୁ ବୁଝାଇବା କିଛି କଷ୍ଟକର କଥା ହେବନାଇଁ-। ଅମ୍ଵର ତା’ର କୌଣସି ପାଠିକା କିମ୍ଵା ଲେଖିକା ବନ୍ଧୁ ପାଖକୁ ଯଦି କିଛି ଚିଠି ଲେଖିଥାଏ, ତୁ ସେ ଚିଠି ଖଣ୍ତେ ଦୁଇଖଣ୍ତ ଯୋଗାଡ଼ କର । ମୁଁ ସେ ଚିଠିର ଅର୍ଥକୁ ଅନର୍ଥ କରି କୋର୍ଟକୁ ବୁଝାଇ ଦେବି ଯେ–

 

ମିଛ-ମିଛ କହିବି ? ପିଲାଦିନେ କକବାୟା ନାଁ ପୁଣି ଚମକି ଉଠିଲା ଭଳି ମିଛକଥା ଶୁଣି ଶିହରି ଉଠିଲା ଜୋଚ୍ଛନା ।

 

ଚନ୍ଦ୍ରିକା ବିରକ୍ତିରେ ବିବ୍ରତ ହୋଇ ପଡ଼ିଲା ।

 

କହିଲା, ନାରୀ ହୋଇ ତୁ ମିଛ କହିବାକୁ ଡରୁଛୁ ? ଅନ୍ତରୀକ୍ଷ ନାମରେ ଲଗାଇ ଯେଉଁ ଝିଅର କାହାଣୀ ମୁଁ ପ୍ରଚାର କଲି, ତାହା କଅଣ ସତ ବୋଲି ତୁ’ ଭାବୁଛୁ ? ମୁଁ କଅଣ ସେ ସବୁ ଆଖିରେ ଦେଖିଥିଲି ? ମୋର ବାନ୍ଧବୀମାନଙ୍କ ବର୍ଣ୍ଣନା ଆଉ ନିଜର ବିଚାର ବୁଦ୍ଧି ଉପରେ ନିର୍ଭର କରି ଅନ୍ତରୀକ୍ଷର ନଷ୍ଟ ଚରିତ୍ର କଥା ମତେ ବିଶ୍ଵାସ କରିବାକୁ ହେଲା । ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳେ । ଆଉ ନାରୀକୁ ସୁଖୀ ହେବାକୁ ହେଲେ ତାକୁ ପ୍ରଥମେ ଛାଡ଼ିବାକୁ ହୁଏ ଲଜ୍ଜା, ତା’ପରେ ସତ୍ୟବାଦିତା ଏବଂ ଆତ୍ମସମ୍ମାନ…

 

ଚନ୍ଦ୍ରିକାର କଥା ଶୁଣି ଜୋଚ୍ଛନା ଏଥର ଆଉ ଧୈର୍ଯ୍ୟଧରି ପାରିଲା ନାହିଁ । ନିଜ ସ୍ଵାମୀ ବିରୁଦ୍ଧରେ ମିଥ୍ୟା କହି, ତାଙ୍କ ଚରିତ୍ରକୁ କଳଙ୍କିତ କରି ସେ ସୁଖୀ ହେବ; ଏକଥା ସେ ସହ୍ୟ କରିବ କିପରି ?

 

ଆଖିର ଲୁହରେ ମୁହଁକୁ ଓଦାକରି ସେ ପ୍ରତିବାଦ କରି ଉଠିଲା, ମୁଁ ପାରିବି ନାହିଁ–ମୁଁ ପାରିବି ନାହିଁ ଚନ୍ଦ୍ରିକା ! ନାରୀର ଲଜ୍ଜା, ସହିଷ୍ଣୁତା, ସ୍ଵାର୍ଥତ୍ୟାଗ–ଏସବୁ ମୁଁ ଛାଡ଼ିପାରିବି ନାଇଁ…ମୋ ମୁଣ୍ତ ବିନ୍ଧିଲାଣି । ମତେ ଟିକିଏ ଅମୃତାଞ୍ଜନ ଦେ । ମୁଁ ପଛେ ଚିରଦୁଃଖିନୀ ହୁଏ, ସେ ସୁଖରେ ରୁହନ୍ତୁ…

 

ଚନ୍ଦ୍ରିକା ହତାଶ ହେଲା ।

 

ଜୋଚ୍ଛନାକୁ ବିବାହ ବନ୍ଧନର ବ୍ୟୂହ ମଧ୍ୟରୁ ଉଦ୍ଧାର କରିବା ଯେ ତା’ର ସାଧ୍ୟାତୀତ ବ୍ୟାପାର, ସେ କଥା ବୁଝିବାରେ ତା’ର ବିଳମ୍ଵ ହେଲା ନାହିଁ । ଦୁଇ ସଖୀ ଗୋଟିଏ କୋଠରୀର ଦୁଇଟି ଶଯ୍ୟାରେ ଶୋଇ ନୀରବରେ ଚିନ୍ତା କରିବାକୁ ଲାଗିଲେ ।

 

॥ ଛଅ ॥

 

ଜୋଚ୍ଛନା ଭାବୁଥିଲା–ଅମ୍ଵରକୁ ଛାଡ଼ି ସେ କଅଣ ଗୋଟିଏ ହେଲେ ମୁହୂର୍ତ୍ତ ସୁଖୀ ହୋଇ ପାରିବ ? ମୁହଁର ଭାଷା ତାଙ୍କର ଯେତେ କର୍କଶ ହେଉ, ମନଟି ତାଙ୍କର ଅତି ନିର୍ଜ୍ଜନ, ଏକଥା ତାଠୁଁ ବେଶି କିଏ ଜାଣେ ? ହୁଏ ତ ଜୀବନରେ ସେ ଯାହା ଚାହିଁଥିଲା, ତାହା ପାଇଲା ନାହିଁ । କିନ୍ତୁ ଅମ୍ଵର ଯାହା ଚାହିଁଥିଲେ, ସେ ତାହା ଦେଇପାରିଛି, ଏଇ କଅଣ ତା’ ପାଇଁ ଯଥେଷ୍ଟ ସନ୍ତୋଷର କାରଣ ନୁହେଁ ?

 

ଚନ୍ଦ୍ରିକାର ଯୁକ୍ତି ଆଉ ଅମ୍ଵରଙ୍କ ମୁହଁଟି କଥା ଭାବିଲାବେଳକୁ ତା’ର କୋମଳ ମନର ସମସ୍ତ ତନ୍ତ୍ରୀ ଏକ ବେସୁରା ରାଗିଣୀରେ ଅନୁରଣିତ ହୋଇ ଉଠୁଥିଲା ।

 

ମୁହଁରେ ତାକୁ ଯେତେ ସେ ଆଘାତ ଦିଅନ୍ତୁ, ଜୀବନ ଯୁଦ୍ଧରେ କ୍ଳାନ୍ତ ହୋଇ ଫେରିଲେ ତା’ ପଣତ ତଳେ ମୁହ ଲୁଚାଇ ସବୁ ଦୁଃଖ ସେ ଭୁଲି ଯାଆନ୍ତି । ସେଥିପାଇଁ ପାଖରୁ ଟିକିଏ ସେ ଅନ୍ତର ହେଲେ ତାଙ୍କୁ ସବୁ କିଛି ଅନ୍ଧକାର ଦିଶେ । ବୟସ ଯେତେ ବେଶି ହେଉଛି ତା’ ଉପରେ ନିର୍ଭର କରିବା ତାଙ୍କର ସେତେ ବେଶି ବେଶି ବଢ଼ି ଚାଲିଛି । ତାଙ୍କୁ ଏକୁଟିଆ ଛାଡ଼ି କେଉଁ ନିଆଁ ଚୁଲି ସୁଖର ସନ୍ଧାନରେ ସେ ଅନ୍ୟ ବାଟରେ ଯିବ ?

 

ଆଉ ଚନ୍ଦ୍ରିକା… !

 

ଚନ୍ଦ୍ରିକା କଥା ଭାବିଲାକ୍ଷଣି ତା’ ମନ ବି ଭୟରେ ପ୍ରକମ୍ପିତ ହୋଇ ଉଠୁଥିଲା । ସେ କିଛି ଭାବିପାରୁ ନଥିଲା । ଚିନ୍ତା କରିପାରୁ ନ ଥିଲା ।

 

॥ ସାତ ॥

 

ଜ୍ୟୋତ୍ସ୍ନାର କଥା ବି ଭୁଲିପାରୁ ନ ଥିଲା ଚନ୍ଦ୍ରିକା ।

 

ସ୍ଵାର୍ଥତ୍ୟାଗ, ସହିଷ୍ଣୁତା, ଲଜ୍ଜା–ଏସବୁ ନାରୀର ସହଜାତ ଗୁଣ ? ଶିକ୍ଷିତା ନାରୀ ହୋଇ ଆଜି ବି ଏକଥା । ଭାବୁଛି ଜ୍ୟୋତ୍ସ୍ନା ? ଛି…ଛି…କି ଅପମାନର କଥା !

 

ଅମ୍ଵରର ସାହିତ୍ୟାପଢ଼ି ଏସବୁ ବାଜେ କଥା ଭୁଲିପାରୁ ନାହିଁ ଜ୍ୟୋତ୍ସ୍ନା । ଲଜ୍ଜା, ସ୍ଵାର୍ଥତ୍ୟାଗ, ସହିଷ୍ଣୁତା, ସ୍ନେହ, ମମତା–ଏସବୁ ନାରୀର ସଂସ୍କାରଗତ ଗୁଣ ହୋଇପାରେ–ସହଜାତ କେବେହେଲେ ନୁହେଁ । ପୁରୁଷ ନିଜର ଶୋଷଣ ପାଇଁ ସାମାଜିକ ସଂସ୍କାର ନାମରେ ଏସବୁ ନାରୀ ଉପରେ ଲଦି ଦେଇଛି । ଆଉ ନିର୍ବୋଧ ନାରୀ ତାକୁ ଏପର୍ଯ୍ୟନ୍ତ ବି ବିଶ୍ଵାସ କରୁଛି ।

 

ଚନ୍ଦ୍ରିକା ଭାବିଲା, ଜ୍ୟୋତ୍ସ୍ନାର ଆଉ କିଛି ଉନ୍ନତି ହେବ ନାହିଁ । ଚିର ଦୁଃଖରେ ରହିବା ତା’ର କପାଳ-ଲିପି । ଯେତେ ପାଠ ପଢ଼ିଲେ ବି ତା’ର ଜ୍ଞାନ ହେଲା ନାହିଁ ।

 

ଚନ୍ଦ୍ରିକା କର ନେଉଟାଇ ଶୋଇଲା ।

 

ଜ୍ୟୋତ୍ସ୍ନା ମରୁ, ଜୀଉଁ, ସେକଥା ଆଉ ସେ ଭାବିବ ନାହିଁ । ତା’ର ଭାବନା ତା’ କଲେଜର ଛାତ୍ରୀମାନଙ୍କ ପାଇଁ । ଜ୍ୟୋତ୍ସ୍ନାର ସଂକୀର୍ଣ୍ଣ ଆତ୍ମଘାତୀ ଆଦର୍ଶରେ ସେମାନେ ଯେପରି ଅନୁପ୍ରାଣିତ ନ ହୁଅନ୍ତି । ତାହାହେଲେ ଶିକ୍ଷା ସେମାନଙ୍କର ବ୍ୟର୍ଥ ହୋଇଯିବ । ଗୋଟିଏ ଗୋଟିଏ ପୁରୁଷ ପାଇଁ ସେମାନଙ୍କର ଲାସ୍ୟମୟୀ ଛନ୍ଦଚପଳ ଜୀବନ ସବୁ ନଷ୍ଟ ହୋଇଯିବ ।

 

ଅଧ୍ୟାପକ ରୂପନାରାୟଣ, ଅଧ୍ୟାପିକା ଛୋଟରାୟ ଯେଉଁ ନୂତନ ଆଦର୍ଶର ପ୍ରଦୀପ ଜାଳି ଦେଇ ଯାଇଛନ୍ତି, ଝଡ଼ି, ବଢ଼ି, ବତାସ ପବନରୁ ନିବର୍ତ୍ତାଇ ସେ ପ୍ରଦୀପକୁ ଜଳାଇ ରଖିବ ଚନ୍ଦ୍ରିକା !

 

॥ ଆଠ ॥

 

ଚନ୍ଦ୍ରିକା ଚିଠି ପଢ଼ୁଥିଲା ।

 

ବାପା ଲେଖିଛନ୍ତି–ଜଣେ ଆମେରିକା ଫେରନ୍ତା ଅଧ୍ୟାପକଙ୍କ ସହ ତୋର ବିବାହ ପ୍ରସ୍ତାବ ପଡ଼ିଛି ମାଆ ! ତୁ ହଁ ଭରିଲେ ତିଥି ସ୍ଥିର ହେବ ।

 

ହଁ ଭରିବ କି ଚନ୍ଦ୍ରିକା ?

 

ସେ ମନେ ମନେ କଥାଟା ଚିନ୍ତାକରି ସଂଯତ ଭାବରେ ହସିଲା । ଅନ୍ତରୀକ୍ଷ ସହ ଦୁଇ ବର୍ଷର ନିବିଡ଼ ସମ୍ପର୍କ ପରେ ପ୍ରଥମେ ପ୍ରତ୍ୟାଖ୍ୟାନ କରି ଆସିଲା ଦିନ ଆତଙ୍କରେ ଭରି ଉଠିଥିଲା ତା’ର ମନ । ଅଥଳ ସାଗରର ଅତଳ ଜଳରେ ସେ ଭାବୁଛି ବୋଲି ମନେ ମନେ ଭୟ କରୁଥିଲା । କାରଣ ଅନ୍ତରୀକ୍ଷ ସହ ତା’ର ସମ୍ପର୍କରେ ସବୁ ନୀତିବୋଧ, ସାମାଜିକତାର ସୀମା ଅତିକ୍ରମ କରିଥିଲା, ଏକଥା ନିଜେ ବାହାରେ ଗୋପନ କରି ରଖି ନ ଥିଲା । ତା’ପରେ କୌଣସି ସୁପୁରୁଷ ତାକୁ ବିବାହ କରିବାକୁ ଆଗେଇ ଆସିବ, ଏକଥା କଳ୍ପନା କରିବାକୁ ନିଜକୁ ମଧ୍ୟ ଭଲ ଲାଗି ନ ଥିଲା ।

 

ଗୋଟିଏ ଝିଅ ସହ ଅନ୍ତରୀକ୍ଷର କାଳ୍ପନିକ ସନ୍ଦେହାତ୍ମକ ସମ୍ପର୍କକୁ ଆଳକରି ସେ ଯଦି ତାକୁ ପ୍ରତ୍ୟାଖ୍ୟାନ କରି ଆସିଲା, ଅନ୍ତରୀଷ ସହ ତା’ର ଦେଢ଼ବର୍ଷର ଦୈହିକ, ମାନସିକ ନିବିଡ଼ ସମ୍ପର୍କ ପରେ କୌଣସି ପୁରୁଷ ତାକୁ ବିବାହ କରିବାକୁ ଆଗେଇ ଆସିବେ, ସେକଥା ସେ ଭାବନ୍ତା କାହିଁକି ?

 

କିନ୍ତୁ ଦିନ ଗଡ଼ିଲା ପରେ ପୁରୁଷ ଚରିତ୍ର ସମ୍ପର୍କରେ ତା’ର ଧାରଣା ବଦଳିଲା ।

 

ସୁଖ ଦେଇ ନ ପାରିବାରୁ ଅନ୍ତରୀକ୍ଷକୁ ସେ ପ୍ରତ୍ୟାଖ୍ୟାନ କରିଛି ଜାଣି ଏକ ନୁହେଁ ଅନେକ ସୁପୁରୂଷ ତାକୁ ସୁଖ ଦେବା ପାଇଁ ଆଗେଇ ଆସିଲେ…

 

ଡାକ୍ତର… !

 

ଇଞ୍ଜିନିୟର !

 

ଆଇ. ଏ. ଏସ୍‍. !

 

ଶେଷରେ ପୁଣି ଜଣେ ବିଦେଶ ଫେରନ୍ତା ଅଧ୍ୟାପକ !

 

ହସିଲା ।

 

ମନ ଭରି ହସିଲା ଚନ୍ଦ୍ରିକା । ପୁରୁଷ ଚରିତ୍ରର ଉଦାରତା, ମହାନୁଭବତା ଭାବି ଭାବି ସେ ଉଲ୍ଲସିତ ହେଲା । କାହିଁକି ତାହାହେଲେ ଏତିକି ଉଦାରତା ଦେଖାଇ ପାରିଲା ନାହିଁ ଅନ୍ତରୀକ୍ଷ ? କାରଣ ସେ ପୁରୁଷ ନୁହେଁ, କାପୁରୁଷ !

 

ସବୁଠାରୁ ବିସ୍ମିତ ହେଲା ଚନ୍ଦ୍ରିକା ନିଜର ଶୁଭାକାଂକ୍ଷୀ ଓ ଆତ୍ମୀୟ ସ୍ଵଜନଙ୍କ ଦୂରଦୃଷ୍ଟି ଓ କ୍ଷମାଶୀଳତା କଥା ଚିନ୍ତା କରି ।

 

ଯେଉଁମାନେ ଅନ୍ତରୀକ୍ଷର ଉଡ଼ା ଚରିତ୍ର ସଂପର୍କରେ କଥା ଶୁଣି ସନ୍ଦେହ କରି ତାକୁ ପ୍ରତ୍ୟାଖ୍ୟାନ କରିବାକୁ ନାନା ଉପାୟରେ ବୁଝାଇଥିଲେ, ତା’ ନିଜ ଚରିତ୍ର ସମ୍ପର୍କରେ ସବୁକଥା ଜାଣି ସୁଦ୍ଧା ସେମାନେ ଆଉ ଜଣେ ପୁରୁଷକୁ ବିବାହ କରିବା ପାଇଁ ତାକୁ ପ୍ରବର୍ତ୍ତାଇବା ଲାଗି ଦିନ ଗୋଟିଏ ସୁଦ୍ଧା ସେମାନଙ୍କୁ ତର ସହିଲା ନାହିଁ ?

 

ସେ ସୁଖୀ ହେଉ, ଅନନ୍ତ ଦୁଃଖର ଅନ୍ଧକାରରେ ନିମଜ୍ଜିତ ହେଉ ଅନ୍ତରୀକ୍ଷ, ଏହାହିଁ ଭଗବାନଙ୍କ ଇଚ୍ଛା । ତାଙ୍କ ଇଚ୍ଛାରେ ବାଧା ଦେବ କାହିଁକି ଚନ୍ଦ୍ରିକା ?

 

॥ ନଅ ॥

 

ତା’ ଆରଦିନ ସକାଳୁ ଜ୍ୟୋତ୍ସ୍ନାକୁ ଆଶ୍ଚର୍ଯ୍ୟ କରି ଦେଇ ଚନ୍ଦ୍ରିକା କହିଲା, କାଲି ସକାଳୁ ଆମେ କୋଣାର୍କ ଯିବା ଜ୍ୟୋତ୍ସ୍ନା । ସବୁ ଛାତ୍ରୀ ଯାଉଛନ୍ତି । ତୁ ପ୍ରସ୍ତୁତ ହୋଇଯାଆ ।

 

ଜ୍ୟୋତ୍ସ୍ନା ଚକିତ ହେଲା ।

 

କହିଲା, କାଲି ପୂର୍ଣ୍ଣମୀ । ମୋ ଜନ୍ମଦିନ । ସେ ଅପେକ୍ଷା କରି ବସିଥିବେ । ମୋ ଜନ୍ମଦିନରେ ତାଙ୍କ ପାଖକୁ ନ ଯାଇ କୋଣାର୍କ ଯିବି ! ତୋ ମୁଣ୍ତ କ’ଣ ଖରାପ ହୋଇଗଲାଣି ?

 

ସତକୁ ସତ ଜ୍ୟୋତ୍ସ୍ନାର କଥା ଶୁଣି ଚନ୍ଦ୍ରିକାର ମୁଣ୍ତ ଖରାପ ହୋଇଗଲା ।

 

ଜ୍ୟୋତ୍ସ୍ନାକୁ କଅଣ ସେ ଅଧୋପତନର ଗିରି ଗହ୍ଵରରୁ ଆଉ ସତରେ ଉଦ୍ଧାର କରାଯାଇ ପାରିବ ନାହିଁ ? ଅମ୍ଵର ଭଳି ଏକ ଦୁଃସ୍ଥ ସ୍ଵାମୀ ତା’ର ଜନ୍ମଦିବସ ପାଳନ କରିବ, ଏଇ ପ୍ରଲୋଭନରେ ନିଜର ପ୍ରିୟ ଛାତ୍ରୀ, ସହକର୍ମୀଙ୍କ ସହ କୋଣାର୍କ ନଯାଇ ସେ ବସାକୁ ଯିବ !

 

ଜ୍ୟୋତ୍ସ୍ନା କିନ୍ତୁ ନିଜ ନିଷ୍ପତ୍ତିରେ ଅଟଳ, ଅଚଳ ।

 

ଚନ୍ଦ୍ରିକାର ମନ ବିରକ୍ତିରେ ବିବର୍ଣ୍ଣ ହୋଇଗଲା ।

 

॥ ଦଶ ॥

 

ନିଜର ଜନ୍ମଦିବସ ପାଳନ କରି ସେଦିନ ସନ୍ଧ୍ୟାରେ ଫେରିଲା ଜ୍ୟୋତ୍ସ୍ନା । ନିଜର ସ୍ତ୍ରୀ’କୁ ଅମ୍ଵର ଜନ୍ମଦିବସ ଉପଲକ୍ଷେ କି ଉପହାର ଦେଇଛି, ତାହା ଦେଖିବାକୁ ଚପଳ ହୋଇ ଉଠିଲା ଚନ୍ଦ୍ରିକା ।

 

ନୂଆ ଶାଢ଼ୀ !

 

ଗହଣା !

 

କ୍ୟାମେରା !

 

ନା–କିଛି ନାହିଁ । ଜ୍ୟୋତ୍ସ୍ନା ହସିଲା । ସେ ଯାହା ଦେଇଛନ୍ତି ତା’ ମୁଁ ମୋ ଶୋଣିତ ଗ୍ରନ୍ଥିର କୋଷେ କୋଷେ ପିନ୍ଧିଛି । ତତେ ଦେଖାଇବି କେମିତି ?

 

ମାନେ ? –ଚନ୍ଦ୍ରିକା ଚକିତ ହେଲା ।

 

ତା’ପରେ ସେ ଲକ୍ଷ୍ୟକରି ଦେଖିଲା, ଜ୍ୟୋତ୍ସ୍ନା ବେକରେ ତା’ର ସବୁଦିନ ପିନ୍ଧା ସୁନାର ହାରଟା ନାହିଁ ।

 

ତୋ’ ହାରଟା ଗଲା କୁଆଡ଼େ ?

 

ତାଙ୍କ ଦେହ ଦୁର୍ବଳ ହୋଇପଡ଼ିଛି । ଡାକ୍ତର ଅନେକ ଔଷଧର ତାଲିକା ଦେଇଥିଲେ । ସୁନାହାରଟା ବିକି…

 

ଜ୍ୟୋତ୍ସ୍ନା !

 

ଚନ୍ଦ୍ରିକା ଚିତ୍କାର କରି ଉଠିଲା ।

 

ଜନ୍ମଦିବସ ଉପଲକ୍ଷେ ଉପହାର ବଦଳରେ ବାପଘରୁ ଆଣିଥିବା ମୂଲ୍ୟବାନ ସୁନାହାରଟା ନିଜ ସ୍ତ୍ରୀ ବେକରୁ ଦସ୍ୟୁଭଳି ଛଡ଼େଇ ନେଇଛି ଅମ୍ଵର ।

 

କ୍ରୋଧ ଓ ଘୃଣାରେ ଚନ୍ଦ୍ରିକାର ନାକପୁଡ଼ା ଫୁଲି ଫୁଲି ଉଠୁଥିଲା ।

 

ତା’ ପ୍ରତି କୌଣସି ଦୃଷ୍ଟି ନ ଦେଇ ନିଜ ପରିଧେୟ ପରିବର୍ତ୍ତନ କରିବାପାଇଁ ବ୍ଳାଉଜ୍‍ଟା ଖୋଲି ବସିଲା ଜ୍ୟୋତ୍ସ୍ନା ।

 

ଚନ୍ଦ୍ରିକା ତା’ର ଅନାବୃତ ଦେହକୁ ଲକ୍ଷ୍ୟକରି ଦେଖିଲା ଜ୍ୟୋତ୍ସ୍ନାର କଣ୍ଠହାର ଲକେଟଟା ତା’ ଛାତିର ଯେଉଁ ଅଂଶରେ ପଡ଼େ, ସେଇଠି ଗୋଟିଏ ନାଲି ଦାଗ ।

 

ସେ ଦାଗଟା ଛାତିରେ କଅଣ କି ? –ଚନ୍ଦ୍ରିକା ପ୍ରଶ୍ନକଲା ।

 

ତାଙ୍କ ଉପହାରର ସ୍ମୃତିଚିହ୍ନ ! ମୃଦୁହସି ଉତ୍ତର ଦେଲା ଜ୍ୟୋତ୍ସ୍ନା ।

 

ଭୂମିକା ନକରି ସତ୍ୟଟା କଅଣ କହ । ଉତ୍ତର ଦାବୀକଲା ଚନ୍ଦ୍ରିକା ।

 

ଶାଢ଼ୀକାନି ବେକରେ ଗୁଡ଼େଇ ନେଉ ନେଉ ଜ୍ୟୋତ୍ସ୍ନା । କହିଲା, ସେ କଥା ତୁ ଆଜି ବୁଝି ପାରିବୁ ନାହିଁ । ବିବାହ କରି ସାର, ଆପେ ବୁଝିବୁ ।

 

ଏକ ରହସ୍ୟମୟ ସିଗ୍ଧ ହସରେ ଜ୍ୟୋତ୍ସ୍ନାର ମୁହଁ ସାରା ମସୃଣ ହୋଇ ଉଠିଲା ।

 

ଅଳ୍ପ ବୁଝିଲା, ବେଶି କିଛି ନ ବୁଝିଲା ପରି ଚନ୍ଦ୍ରିକା ମୁଖଭଙ୍ଗୀ କରି ନୀରବ ରହିଲା ।

 

॥ ଏଗାର ॥

 

ରାତିରେ ଆଉ ସହଜରେ ସୁନିଦ୍ରା ହେଲା ନାହିଁ ଚନ୍ଦ୍ରିକାର । ଏକ ଅସ୍ଥିର ଉତ୍ତେଜନାରେ ପ୍ରକମ୍ପିତ ହେଲା ତା’ର ମନ । ଏତେ ଦୁଃଖ ଏତେ ଯନ୍ତ୍ରଣା ଭିତରେ ଅମ୍ଵର ଠାରୁ କି ଆନନ୍ଦ ପାଉଛି ଜୋଚ୍ଛନା ! କେଉଁ ଗୋପନ ସୁଖର ସ୍ପର୍ଶରେ ଆଦର୍ଶବାଦୀ ସାହିତ୍ୟିକ ସ୍ଵାମୀର ଅତ୍ୟାଚାର ଯେ ନୀରବରେ ହସି ହସି ସହୁଛି !

 

ଅନ୍ତରୀକ୍ଷକୁ ବାହା କରିଥିଲେ ସେ କଅଣ ଏହିପରି ସୁଖୀ ହୋଇ ପାରିଥାଆନ୍ତା ?

 

ଚନ୍ଦ୍ରିକା ଉଠି ଠିଆ ହେଲା ।

 

ଶୁଣିଲା, ଜୋଚ୍ଛନାର ନିଶ୍ଵାସ ପ୍ରଶ୍ଵାସର ଶଦ୍ଦ ସ୍ପଷ୍ଟ ଶୁଣାଯାଉଛି । ନିଶ୍ଚିତ ନିଦରେ ଶୋଇଯାଇଛି ଜୋତ୍ସ୍ନା । ଅଥଚ ସେ ନିଜେ…!

 

ସୁଇଚ୍‍ ନ ଟିପି ଟର୍ଚ୍ଚଟା ବାହାର କଲା ଚନ୍ଦ୍ରିକା ।

 

ଜୋଚ୍ଛନାର ନିଷିଦ୍ଧ ସୁଖର ସ୍ଵରୂପ ସେ ଆଜି ଆବିଷ୍କାର କରିବାକୁ ଚାହେଁ । ଉଜ୍ଜ୍ଵଳ ବିଜୁଳି ଆଲୋକରେ ନୁହେଁ, ଚୋରେଇ ଲୁଚେଇ ସେ ସୁଖର ସ୍ଵରୂପ ସେ ଅବିଷ୍କାର କରିବ ।

 

ଟର୍ଚ୍ଚ ଜାଳିଲା ଚନ୍ଦ୍ରିକା ।

 

ଶ୍ଳଥ ବସନା ଜୋଚ୍ଛନା ଚିତ୍‍ ହୋଇ ଶୋଇଛି । ହାତ ପାପୁଲି ତା’ର ପଡ଼ିଛି ଠିକ୍‍ ଛାତିର ସେଇ ସ୍ଥାନରେ, ଯେଉଁଠି ତା’ର ହାରର ଲକେଟ୍‍ ସବୁଦିନେ ଝୁଲୁଥାଏ !

 

ଧୀରେ ଖୁବ୍‍ ଧୀରେ ସେ ପାପୁଲିକୁ ତା’ର ସ୍ଥାନାନ୍ତରିତ କରି ନେଲା ଚନ୍ଦ୍ରିକା ।

 

ଟର୍ଚ୍ଚଜାଳି ଦେଖିଲା, ଜ୍ୟୋତ୍ସ୍ନାର ବନ୍ଧୁର ବୁକୁର ସେଇ ସ୍ଥାନରେ ଅମ୍ଵରର ଅଧର ଦଂଶନର ଚିହ୍ନ ! ସୁନାର ଲକେଟଠାରୁ ଆହୁରି ଉଜ୍ଜ୍ଵଳ, ଆଉରି ସ୍ପଷ୍ଟ ତା’ର ନିଷିଦ୍ଧ ସୁଖର ସ୍ମୃତି ଚିହ୍ନ-

 

ଚନ୍ଦ୍ରିକା ଦୃଷ୍ଟିର ପରିଧିରେ ଆବର୍ତ୍ତିତ ହେବାକୁ ଲାଗିଲା ଏକ ଅନାବିଷ୍କୃତ ସୁଖ ସାମ୍ରାଜ୍ୟର ଛବି…ଯେଉଁ ମହାଦେଶରେ ତା’ର ପ୍ରବେଶ ନିଷିଦ୍ଧ ।

 

(ଉପସଂହାର)

 

ନିଜ ଦୁର୍ବଳ ପାଦ ଦୁଇଟିକୁ ଟାଣି ଟାଣି ଚନ୍ଦ୍ରିକା ନିଜର ଶଯ୍ୟାରେ କିପରି ଲୋଟି ପଡ଼ିଥିଲା ତା’ର ମନେ ନାହିଁ । ସ୍ଵପ୍ନର ରାଜକନ୍ୟା କେତେବେଳେ ତା’ ଆଖିରେ ସ୍ପର୍ଶର କାଉଁରି କାଠି ଛୁଇଁଦେଇ ଗଲା, ତାହା ମଧ୍ୟ ତା’ର ଖିଆଲ ନାହିଁ ।

 

ସ୍ଵପ୍ନ ଦେଖିଲା ଚନ୍ଦ୍ରିକା ।

 

ବିବାହ ତା’ର ହେଇଯାଇଛି । ମୁଣ୍ତରେ ଟିପିଟିପି ଚନ୍ଦନ ପିନ୍ଧି, ଅଭିସାରିକା ନବବଧୁ ବେଶରେ ସେ ପ୍ରବେଶ କରିଛି ନିର୍ଜ୍ଜନ ବାସର କକ୍ଷରେ । ନିଜର ବେପଥୁମଦିର କ୍ଳାନ୍ତ ଆଖିପତା ତୋଳି, ସେ ଚାହିଁ ଦେଖିଲା, ଯାହାକୁ ସେ ବିବାହ କରିଛି, ସେ ଅନ୍ତରୀକ୍ଷ !

 

ତା’ପରେ ସେ ଶୋଇଯାଇଥିଲା ।

 

ହଠାତ୍‍ କଅଣ ଗୋଟାଏ ଶଦ୍ଦ ଶୁଣିତାର ନିଦ୍ରାଭଙ୍ଗ ହେଲା । ସେ ଦେଖିଲା ଏକ ବିଷଧର କୃଷ୍ଣସର୍ପ ଗୁଡ଼େଇ ହୋଇଯାଇଛି ଅନ୍ତରୀକ୍ଷ ବେକ ଚାରିପଟେ ଆଉ ତା’ର ଦଂଶନ ଆଘାତରେ ନିସ୍ପନ୍ଦ ହୋଇପଡ଼ିଛି ତା’ର ଦେହ !

 

ଭୟରେ ଚିତ୍କାର କରି ଉଠିଲା ଚନ୍ଦ୍ରିକା ।

 

ନିଦ ଭାଙ୍ଗିଗଲା । ସ୍ଵପ୍ନ ତୁଟିଗଲା । ଗଳଦ୍‍ଘର୍ମ ହୋଇ ଉଠି ବସିଲା ଚନ୍ଦ୍ରିକା ।

 

ସାପଟା ଗଲା କୁଆଡ଼େ ?

 

କାନ ପାରି ଶୁଣିଲା, ତା’ ଅବଚେତନ ମନରେ ଶୁଭୁଛି ସେଇ କାଳସର୍ପର ସୁ’ ସୁ’ ଗର୍ଜ୍ଜନ-

 

ବୁଦ୍ଧିମତୀ ଚନ୍ଦ୍ରିକା ଭାବିଲା, ସ୍ଵପ୍ନର ରହସ୍ୟ ଭେଦ କରିବାକୁ ଚେଷ୍ଟାକଲା । ହସିଲା ମନେ ମନେ ।

 

ବିଷଧର କୃଷ୍ଣସର୍ପ ତାହାହେଲେ ତା’ ଅବଚେତନ ମନର ପେଡ଼ିରେ ଆତ୍ମଗୋପନ କରି ରହିଛି । ବାହାରେ ଖୋଜିଲେ ସେ ପାଇବ କୁଆଡ଼ୁ ?

 

ସୁଖ କାମନା ଆଉ ସନ୍ଦେହର ସେ ସରୀସୃପକୁ ନିଜ ହୃଦୟରେ ସମର୍ଥନର ଦୁଗ୍ଧ ପାନ କରାଇ ସେ ନିଜେହିଁ ପୋଷିଛି । ତା’ର ସନ୍ଦେହ ସର୍ପର ଦଂଶନ ଆଘାତରେ ଅନ୍ତରୀକ୍ଷ ଆଜି ନିଷ୍ପ୍ରାଣ, ମୃତ !

 

ନଅବର୍ଷ ବୟସରେ ଅବନ୍ତୀ ନଗର ରାଜକନ୍ୟାଙ୍କ ରୁଦ୍ଧ କୋଠରୀରେ ସାପ କେଉଁ ପଥ ଦେଇ ପ୍ରବେଶ କଲା ବୋଲି ସେ ଜାଣିବାକୁ ଚାହିଁଥିଲା । କୌଣସି ଉତ୍ତର ଦେଇ ପାରି ନଥିଲା ଆଈ । ଆଜି ପଚିଶବର୍ଷ ବୟସରେ ଚନ୍ଦ୍ରିକା ବୁଝୁଛି, ସେ ବିଷଧର ସର୍ପହିଁ ଥିଲା ରାଜକନ୍ୟାଙ୍କ ମନର ଅଭ୍ୟନ୍ତରରେ । କଟୁଆଳ ପୁତ୍ରକୁ ବିବାହ ନ କରିବା ପର୍ଯ୍ୟନ୍ତ ସାତ ରାଜପୁତ୍ରଙ୍କୁ ଦଂଶନ କରି ତାଙ୍କ ମନର ସେ ବିଷଧର ତୃପ୍ତ ହୋଇ ନଥିଲା !

 

ସନ୍ଧି ବିଚ୍ଛେଦ

।। ଏକ ।।

 

ଉଦ୍ୟାନର ଫୁଟନ୍ତ ଫୁଲ ଭଳି ବିଦ୍ୟାଳୟର ଏଇ କିଶୋର କିଶୋରୀଗୁଡ଼ିଙ୍କୁ ଚାହିଁଲେ ମନରେ ମାୟା ଜାଗେ । ନର୍ମଦାର ଆଖିର ଅରଣ୍ୟରେ ଲାଗେ ଅନେକ ବସନ୍ତର ସ୍ପର୍ଶ ।

 

ଝରକାର ପରଦା ସମ୍ପୂର୍ଣ୍ଣ ଅପସାଇତ କରି ସେ ଅପଲକ ଆଖିରେ ଚାହିଁରହେ ।

 

ବିଦ୍ୟାଳୟର ସହକର୍ମୀ ଶିକ୍ଷୟିତ୍ରୀମାନେ କହନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ନର୍ମଦା ଅପା ଭାରି ପିଲାରଙ୍କୁଣୀ । ପାଠପଢ଼ା ଉପରେ ଯେତେ ଧ୍ୟାନ ନ ଥାଏ, ବେଶୀ ଲକ୍ଷ୍ୟ ଥାଏ ପିଲାମାନଙ୍କର ଖେଳ ଉପରେ । ପିଲାମାନେ ଖେଳନ୍ତୁ, ଡିଅଁନ୍ତୁ, ନାଚନ୍ତୁ–ଏହାହିଁ ଯେପରି ତାଙ୍କର ମନର କଥା !

 

ନର୍ମଦା ବି ଅନେକ ଥର ଭାବୁଛି, ସ୍କୁଲରୁ ଖେଳ ପିରିୟଡ଼ ସେ କମାଇ ଦେବ । ବହିରେ ମନୋନିବେଶ କରିବାକୁ ପିଲାଙ୍କୁ ତାଗିଦ କରିବ ।

 

କିନ୍ତୁ ସେ ତା’ ପାରେନା ।

 

କାରଣ ଶ୍ରେଣୀଗୃହରେ ଗମ୍ଭୀର ମୁହଁରେ ବସି ପାଠ ପଢ଼ୁଥିବା ପିଲାମାନଙ୍କ ଅପେକ୍ଷା, ହସ ହସ ମୁହଁରେ ପଡ଼ିଆରେ ଖେଲୁଥିବା ପିଲାମାନଙ୍କୁ ଦେଖିବାକୁ ତାକୁ ଭଲଲାଗେ ।

 

କାହିଁକି ?

 

ପାଠପଢ଼ା ପିରିୟଡ଼ରେ ଏ ପ୍ରାନ୍ତରଟା ଶୂନ୍ୟ ପଡ଼ିଥାଏ; ଠିକ୍‍ ଏକ ସ୍ଵାମୀ ପରିତ୍ୟକ୍ତା ଅସହାୟା ନାରୀ ପରି । ପଡ଼ିଆର ଏଇ ଶ୍ମଶାନ-ଶୂନ୍ୟତା, ବିଦଗ୍ଧ କାରୁଣ୍ୟ ମୋଟେ ସହି ପାରେନାହିଁ ନର୍ମଦା, ଅଥଚ ତା’ ଅଫିସ ରୁମ୍‍ଟା ଠିକ୍‍ ଏଇ ପ୍ରାନ୍ତରର ଅଙ୍ଗ ସ୍ପର୍ଶ କରି…ଝରକାବାଟେ ଚାହିଁଲେହିଁ ଦିଶେ ଏଇ ପ୍ରାନ୍ତର…ଧୂ’ ଧୂ ନିର୍ଜ୍ଜନ ପ୍ରାନ୍ତର… !

 

ବିଦ୍ୟାଳୟର ଏ ପ୍ରାନ୍ତରଟା ମନେହୁଏ ନର୍ମଦାର ଠିକ୍‍ ତା’ର ନିଜର ଜୀବନ ଭଳି ତା’ ଜୀବନ ପ୍ରାନ୍ତରର ଶୂନ୍ୟ କୋଣରେ ଶିଶୁର କଳରୋଳ ନାହିଁ…କୋଳାହଳ ନାହିଁ !

 

କିନ୍ତୁ ପିଲାଙ୍କ ପରୀକ୍ଷା ଆସନ୍ନ ।

 

ପାଠ୍ୟକ୍ରମ ଶେଷ ହୋଇନାହିଁ ।

 

ସେମାନଙ୍କୁ ଯେ ପଢ଼ି ପରୀକ୍ଷା ଦେବାକୁ ହେବ !

 

ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ ଊର୍ମିଅପା ସ୍ମରଣ କରାଇ ଦେଇଥିଲେ ପିଲାଙ୍କୁ ଖେଳେଇ ଖେଳେଇ ଆପଣ ନଷ୍ଟ କରିଦେଲେଣି । ସେମାନେ ସ୍କୁଲରେ ପଢ଼ୁ ନାହାନ୍ତି; ଏମିତି ଖେଳୁଆଡ଼ ମନ ନେଇ ଘରେ ମଧ୍ୟ ପଢ଼ି ପାରୁନଥିବେ !

 

ନର୍ମଦା ସଚେତନ ହେଇଥିଲା ।

 

ସତେ ତ ! ଏମିତି ହସି ହସି ଖେଳି ଖେଳି କେହି ମଣିଷ ହୁଅନ୍ତି ନାହିଁ । ମୁହଁକୁ ଅଥାର ଭଳି ନଦି, ଘୋଷି ଘୋଷି ବହି ପଢ଼ି ମଣିଷ ହେବାକୁ ହୁଏ ।

 

ଏ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା । ମଣିଷ ତିଆରି କରିବା ପାଇଁ ସରକାର ଛାଞ୍ଚ ମଧ୍ୟ ତିଆରି କରି ଦେଇଛନ୍ତି । ସେଇ ଛାଞ୍ଚରେ ପକାଇ ଦେଲେ ପିଲାଏ ଭଲ ପାଠ ପଢ଼ନ୍ତି । ପରୀକ୍ଷାରେ କୃତିତ୍ଵ ଅର୍ଜ୍ଜନ କରନ୍ତି ।

 

ସେମାନଙ୍କୁ ସେ ଛାଞ୍ଚ ବାହାରକୁ ଆଣିବାକୁ ନର୍ମଦା କିଏ ?

 

ନର୍ମଦା ଭାବିଲା ।

 

ପିଅନକୁ ଡାକିଲା ।

 

କହିଲା, ଘଣ୍ଟା ବଜାଅ । ଖେଳ ପିରିୟଡ଼ ଶେଷ ହେଲା । ସେମାନେ ଏଥର ପାଠ ପଢ଼ନ୍ତୁ ।

 

॥ ଦୁଇ ॥

 

ବିଦ୍ୟାଳୟ ଛୁଟି ।

 

ସମସ୍ତେ ଚାଲିଗଲେଣି । ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ । ଏକା ଯାଇନାହିଁ ନର୍ମଦା । ଯିବାକୁ ସାହସ କରିନାହିଁ । ଘରକୁ ଯିବାକୁ ଭୟ । ବୋଉ କହିଥିଲେ, ଆଜି ବେଳାବେଳି ଆସିବୁ । ସେମାନେ ଦେଖିବାକୁ ଆସିବେ । ମୁଣ୍ତଟା ବାନ୍ଧିଦେବି । ଇସ୍‍, ତୋ ଚେହେରା ଏ କଅଣ ହେଲାଣି !

 

ନର୍ମଦା ମନେ ମନେ ହସିଲା ।

 

ଆଖି ଆଗରେ ଦର୍ପଣ ନ ଥିଲେ ବି ନିଜ ମୁହଁର ଚେହେରାଟା ସେ ଦେଖି ପାରୁଥିଲା । ତା’ର ଗୋରା ତକ ତକ ଘସା ମଜା ଚକ୍‍ ଚକ୍‍ ମୁହଁର ଲାବଣ୍ୟ ମଉଳିଛି । ଆଖି ତଳେ କଳା ଗାର-। ଓଠର ରକ୍ତିମା କଇଁଥା ପଡ଼ିଛି, ଠିକ୍‍ ସିଝା ବାଇଗଣର ରଙ୍ଗ ଭଳି ।

 

ଏଇ ଚେହେରା ଭଳି ।

 

ପ୍ରଧାନ ଶିକ୍ଷୟିତ୍ରୀର ଚେହେରା ।

 

ବୟସ ବେଶି ବେଶି ମନେ ନ ହେଲେ ସହକର୍ମୀଙ୍କ ମନରେ ସମ୍ମାନ ଆସିବ ନାହିଁ, ଛାତ୍ର ଛାତ୍ରୀଙ୍କ ମନରେ ଭକ୍ତି ଓ ଭୟ ଜାଗିବ ନାହିଁ ।

 

(ଭକ୍ତି ଓ ଭୟ ଦୁଇଟିଯାକ ପରସ୍ପର ସଂଶ୍ଳିଷ୍ଟ । ଭୟ ଥିଲେ ଭକ୍ତି ଆସି ପାରେ; କିନ୍ତୁ ଭକ୍ତି ନ ଥିଲେ ଭୟ ଆସିପାରେ ନା !)

 

ସେମାନେ ତାକୁ ଦେଖିବାକୁ ଆସିବେ ।

 

ସେମାନେ କିଏ ?

 

ତା’ର ଭାବୀ ସ୍ଵାମୀର ଜନକ, କିମ୍ଵା କେହି ଆତ୍ମୀୟ ସ୍ଵଜନ । ସେମାନେ ଆସିବେ । କିନ୍ତୁ କଅଣ ଦେଖିବେ ? ତା’ର ବାହାରର ରୂପ, ବାହାରର କଥା, କଣ୍ଠସ୍ଵର । ବୋଉ ସେଥିପାଇଁ ମୁଣ୍ତ ବାନ୍ଧିବାକୁ କହୁଥିଲେ । ଦେହକୁ ସଜାଇବାକୁ କହୁଥିଲେ ।

 

କିନ୍ତୁ ସେମାନେ ଯଦି ତା’ର ମନ ଭିତରକୁ ଦେଖିବାକୁ ଚାହାନ୍ତେ !

 

ନର୍ମଦା ଅପ୍ରତିଭ ହେଲା ।

 

ଭଗବାନ ମଣିଷ ମନଟାକୁ ଦ୍ଵିଧା ବିଭକ୍ତ କରି ଦେଇଛନ୍ତି ବୋଲି ଅନ୍ୟ ଆଗରେ ତାକୁ ଦେଖି ହୋଇଯିବାର ବିପଦ ରଖିନାହାନ୍ତି । ଏଇ ଏକମାତ୍ର ସୁବିଧା । କିନ୍ତୁ ଭଗବାନଙ୍କ ସେଇ କୁପା, ଅନୁକମ୍ପାକୁ ଅଯଥାରେ ସେ ଅପବ୍ୟୟ କରିବ କାହିଁକି ?

 

ନର୍ମଦା ହସିଲା ।

 

ମନ, ହୃଦୟ ସବୁ ଅର୍ଥହୀନ ଭାବ ପ୍ରବଣତା । ସେ ସବୁତାର ଛାତ୍ର ଛାତ୍ରୀଙ୍କଠାରେ ଶୋଭାପାଏ । ତା’ ଭଳି ଅଭିଜ୍ଞା ପ୍ରଧାନ ଶିକ୍ଷୟିତ୍ରୀଠାରେ ନୁହେଁ ।

 

ଅବାଧ୍ୟ, ଦୁର୍ଦ୍ଦାନ୍ତ ପିଲାଙ୍କୁ ଶାସନ କରି ଶାନ୍ତଶିଷ୍ଟ କଲା ଭଳି ନିଜ ଅସଂଯତ ମନକୁ ଧମକ ଦେଇ ଶାସନ କରିବାକୁ ଚେଷ୍ଟାକଲା ନର୍ମଦା ।

 

ଆଉ ରୁଦ୍ର ବୈଶାଖର ଅଚାନକ ମଳୟ ଭଳି ତା’ ରୁଦ୍ଧ ମନର ସମସ୍ତ ଶୃଙ୍ଖଳକୁ ବିଶୃଙ୍ଖଳ କରି ହଠାତ୍‍ ପଶି ଆସିଲା ମୃଣ୍ମୟ ।

 

ପେପର-ୱେଟଟାକୁ ହାତ ପାପୁଲିରେ ଚାପିଧରି ନର୍ମଦା ନୟନ ମୁଦ୍ରିତ କଲା ।

 

(ରାଣୀ ! ଏତେ ଅବାଧ୍ୟ, ଦୁଷ୍ଟ ପିଲାଙ୍କୁ ଶାସନ କରିବାର ମାନସିକ ଦୃଢ଼ତା ନେଇ ତମେ ଯେବେ ଶିକ୍ଷୟିତ୍ରୀ ହୋଇପାରିଲ, ମୋ ଭଳି ଏକ ନଷ୍ଟ ବ୍ୟକ୍ତିତ୍ଵକୁ ସ୍ପଷ୍ଟ, ଉଜ୍ଜ୍ଵଳ କରିବା ପାଇଁ ତମେ ମାନସିକ ସ୍ଥିରତା ଆଣି ମୋ ଜୀବନର କର୍ତ୍ତ୍ରୀ ହୋଇପାରିବ ନାହିଁ କାହିଁକି ?)

 

ଅପା-ଛଅ ବାଜିଲାଣି । ଯିବେ ନାହିଁ ? –ପିଅନ ସୁରେଶ୍ଵର ପ୍ରଶ୍ନ କରୁଛି ।

 

ଉଦ୍ୟାନର ବୃକ୍ଷ ଶାଖାରେ ସନ୍ଧ୍ୟାର ମ୍ଳାନ ଛାୟା ।

 

ନର୍ମଦା ଉଠି ଠିଆହେଲା ।

 

॥ ତିନି ॥

 

ବୋଉ ତିନିଥର ଡାକି ଗଲେଣି । ଖାଇବାକୁ । ଶଯ୍ୟା ଛାଡ଼ି ଉଠି ନାହିଁ ନର୍ମଦା ।

 

ସେମାନେ ଆସିଥିଲେ । ତା’ର ଭାବୀ ସ୍ଵାମୀର ଜନକ, ଜନନୀ ଅଥବା କେହି ଆତ୍ମୀୟ ସ୍ଵଜନ । ସେକଥା ସେ ଭଲକରି ବୁଝି ନାହିଁ । ଆବଶ୍ୟକ ହୋଇନାହିଁ ।

 

ତପସ୍ଵିନୀର ବେଶ ଛାଡ଼ି ଲାବଣ୍ୟମୟୀ ରାଜକନ୍ୟାର ବେଶ ସାଜିଥିଲା ନର୍ମଦା । ପାନ ଥାଳିଆ ହାତରେ ଧରି ସେମାନଙ୍କ ଆଗକୁ ପ୍ରଣତି ଜଣାଇବାକୁ ଯାଇଥିଲା ।

 

ସେମାନେ ତା’ର ରୁପର ପ୍ରଶଂସା କରିଥିଲେ, ବାପାଙ୍କଠାରୁ ଗୁଣର ପ୍ରଶଂସା ଶୁଣିଥିଲେ-। ବାହାଘର ନିର୍ବନ୍ଧ ପାଇଁ ଦିନ ସ୍ଥିର କରିଥିଲେ ।

 

କେବଳ ସେ ଠିକ୍‍ ଫେରିବା ଆଗରୁ ଜଣେ କିଏ ପଚାରିଥିଲେ, ମୃଣ୍ମୟ ବିଷୟରେ ଯାହା ସବୁ ଲୋକେ କହୁଛନ୍ତି ସେସବୁ ମିଛ ତ ମାଆ !

 

ବାତ୍ୟା-ବିକ୍ଷୋଭିତା ବନବଲ୍ଲରୀ ଭଳି ଥରିଉଠିଥିଲା ନର୍ମଦା । ମୁହଁ ଟେକି ପ୍ରଶ୍ନକର୍ତ୍ତାଙ୍କୁ ମଧ୍ୟ ସେ ଚାହିଁ ପାରି ନଥିଲା ।

 

ସେମାନେ ନିଜ ପ୍ରଶ୍ନର ଉତ୍ତର ନିଜେ ଦେଇଥିଲେ ।

 

ଆମେ ଜାଣୁ–ସେସବୁ ମିଛକଥା । ଦୁନିଆରେ ଏମିତି ଅନେକ ଅନେକ କଥା ଭଲ ଝିଅଙ୍କ ନାମରେ ଶୁଣାଯାଏ, ଅପାରଗ ଲୋକ ଅପପ୍ରଚାର କରନ୍ତି–ଅଙ୍ଗୁର କୋଳି ଖଟା । ଅମ୍ଵର ଆମର ଏ ସବୁ କଥାକୁ ଖାତିର କରେ ନାହିଁ ।

 

ଉତ୍ତର ନୁହେଁ, ଛୋଟକାଟର ଏକ ବକ୍ତୃତା ।

 

ଫେରାଇ ଆଣୁଥିବା ପାଦକୁ ସ୍ଥିର କରି ଠିଆହୋଇ ସବୁ ଶୁଣିଥିଲା ନର୍ମଦା ।

 

ଅମ୍ଵର ବୋଧହୁଏ ତା’ର ଭାବୀ ସ୍ଵାମୀଙ୍କର ନାମ ।

 

ଅପପ୍ରଚାରରେ ସେ କାନ ଦିଅନ୍ତି ନାହିଁ । (ପୁରୁଷ ହୋଇ ସୁଦ୍ଧା-ନର୍ମଦା ମନେ ମନେ ଭାବିଥିଲା ।)

 

ସେମାନେ ରାଜି ହୋଇଛନ୍ତି ।

 

ନିର୍ବନ୍ଧପାଇଁ ଦିନ ସ୍ଥିର ସରିଛି । ଖବର ପଠାଇଛନ୍ତି, ବିବାହରେ ଆଉ ବିଳମ୍ଵ କରିବା ଅନୁଚିତ । କନ୍ୟାର ରୂପ ଗୁଣରେ ଅମ୍ଵର ମୁଗ୍ଧ ।

 

ଶୋଇ ଶୋଇ ଭାବୁଥିଲା ନର୍ମଦା ।

 

ଅମ୍ଵର ଉଦାର–ଠିକ୍‍ ଏଇ ଦିଗହୀନ ସୁନୀଳ ଅମ୍ଵର ଭଳି ! ମୃଣ୍ମୟ କଥା ଶୁଣି ସେ କୁଆଡ଼େ ହସିଥିଲେ ।

 

ଠିକ୍‍ ଏମିତି…ଏମିତି ଏକ ସ୍ଵାମୀ କାମନା କରିଥିଲା ନର୍ମଦା । ଯାହାଙ୍କ ହୃଦୟ ଏପରି ବିଶାଳ ହୋଇଥିବ, ହୃଦୟରେ ଭରି ରହିଥିବ ଅସରନ୍ତି କ୍ଷମାଶୀଳତା; ଯେ ଅପପ୍ରଚାରକୁ ସନ୍ଦେହ ନ କରି ଅପପ୍ରଚାରକୁ ଅପାରଗର ଅଙ୍ଗୁର ଉପାଖ୍ୟାନ ସହିତ ତୁଳନା କରିବେ, ଠିକ୍‍ ସେମିତି ଜଣେ ସ୍ଵାମୀ… !

 

ଆଖିର ଲୁହରେ ବାମପାଖ ତକିଆଟା ଓଦା ହୋଇଗଲାଣି ।

 

ନର୍ମଦା ଭାବୁଛି ।

 

ମୃଣ୍ମୟ ଅମ୍ଵର ଭଳି ଏମିତି ଉଦାର, ବିଶାଳ, କ୍ଷମାଶୀଳ ନ ହେଲା କାହିଁକି ? ଯାହା ପାଖରେ ନିଜ କୁମାରୀ ଜୀବନର ସମସ୍ତ ସ୍ନେହ ପ୍ରେମ ସେ ଉତ୍ସର୍ଗ କରି ଦେଇଥିଲା, ସେ କାହିଁକି ହେଲା ମଦ୍ୟପ, ସନ୍ଦେହୀ, ସଂକୀର୍ଣ୍ଣମନା !

 

ଏଥର ଦୁଇ ଆଖିର ପତାକୁ ବିପନ୍ନ କରି ଲୁହ ଛୁଟୁଛି ।

 

ସେ ବିବାହ କରିବ ।

 

ତା’ର ଅତୀତକୁ କ୍ଷମା କରିଛନ୍ତି ଅମ୍ଵର ।

 

ନିଜ ରୂପ, ଗୁଣ, ଶିକ୍ଷା, ସେବାକୁ ନିଜର ଉଦାର ସ୍ଵାମୀଙ୍କୁ ଲାଞ୍ଚ ଦେଇ ସେ ଗଢ଼ିତୋଳିବ ଏକ ସୁନାର ସଂସାର । ସେ ମୃଣ୍ମୟକୁ ଭୁଲିଯିବ…ମଦ୍ୟପ, ଚରିତ୍ରହୀନ ମୃଣ୍ମୟ !

 

ଦରଜା କବାଟରେ ଟିପା ଶଦ୍ଦ ।

 

ବୋଉ ଡାକୁଛନ୍ତି ।

 

ଭଲକରି ଆଖିରୁ ଶାଢ଼ୀ କାନିରେ ଲୁହ ପୋଛି କବାଟ ଖୋଲିଲା ନର୍ମଦା ।

 

ବୋଉ ଆସି ପାଖରେ ଠିଆ ହେଲେ । ତା’ ମୁଣ୍ତରେ ହାତ ବୁଲାଇ ଗେହ୍ଲା କଲେ । ପଚାରିଲେ, ସେମାନେ ନିର୍ବନ୍ଧ ପାଇଁ ଜୋର୍‍ କରୁଛନ୍ତି । ଗୋଟାଏ ନିର୍ବନ୍ଧ ତ’ ହୋଇ ସାରିଥିଲା । ବାହାଘର ଭାଙ୍ଗିଲା । ଏଥର ଭଲକରି ବୁଝିଶୁଝି କହ ।

 

ନର୍ମଦା ବ୍ୟାକୁଳ ଭାବରେ ଥରେ ବୋଉଙ୍କ ମୁହଁକୁ ଚାହିଁ ଆଉ ଥରେ ପାଦତଳର ମାଟିକୁ ଚାହିଁଲା ।

 

ନିଜର ରୁଦ୍ଧ ଆବେଗକୁ ସମ୍ଭାଳି ନେଇ କହିଲା, ପିଲାଙ୍କ ପରୀକ୍ଷାବେଳ । ପରୀକ୍ଷା ପୂର୍ବରୁ ବାହାଘର ହେବ ନାଇଁ । ମୁଁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । ସେମାନଙ୍କ ପରୀକ୍ଷାବେଳେ ଏତେଟା ସ୍ଵାର୍ଥପର ହୋଇପାରିବି ନାହିଁ ।

 

॥ ଚାରି ॥

 

ଅଫିସ ଗୃହରେ ତୁମୁଳ ଉତ୍ତେଜନା ।

 

ନର୍ମଦାର ଗୋରା ମୁହଁଟା ସେ ଉତ୍ତେଜନାର ସ୍ପର୍ଶରେ ଲାଲ୍‍ ହୋଇ ଯାଇଛି ।

 

ଦଶମ ଶ୍ରେଣୀର ନୀଳାମ୍ଵର ଚୋରୀ କରିଛି ।

 

ଶ୍ରେଣୀର କୃତୀଛାତ୍ର; ଖେଳର କ୍ୟାପ୍ଟେନ୍‍ ନୀଳାମ୍ଵର ଚୋର ।

 

ଛି…ଛି…ପିଲାଦିନୁ ପିଲାଟାର କି ଶୋଚନୀୟ ଅଧଃପତନ ! ଅଥଚ ଏଇ ପିଲାଟାକୁ କେତେ ଭଲ ପାଉ ନ ଥିଲା ନର୍ମଦା ! ଚୋରୀ ପ୍ରମାଣ ମିଳି ନ ଥିଲେ ସେ ଏ କଥା ଆଦୌ ବିଶ୍ଵାସ ସୁଦ୍ଧା କରି ନ ଥାନ୍ତା ।

 

ଶ୍ରେଣୀର ଗୋଟିଏ ସାଙ୍ଗ ପିଲାର ଜ୍ୟାମିତି ବହି ଚୋରି କରିଛି ନୀଳାମ୍ଵର । ଶ୍ରେଣୀର ଅନ୍ୟାନ୍ୟ ଛୋଟବଡ଼ ଚୋରିପାଇଁ ମଧ୍ୟ ଦାୟୀ କରାଯାଉଛି ତାକୁ ।

 

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନର୍ମଦା ।

 

ଶୃଙ୍ଖଳା ରକ୍ଷା କରିବା ତା’ର କର୍ତ୍ତବ୍ୟ । ଯେଉଁ ଛାତ୍ର ଚୋରି କରୁଛି, ତାକୁ ଶାସନ ନ କଲେ ତା’ର ଖରାପ ପ୍ରଭାବ ସଂକ୍ରାମକ ବ୍ୟାଧି ଭଳି ଅନ୍ୟ ପିଲାଙ୍କ ମନକୁ ସଂକ୍ରମିତ ହୋଇଯିବ ।

 

ହାତରେ ଗୋଟାଏ ବେତ ଧରି ନୀଳାମ୍ଵର ପାଖକୁ ଆଗେଇଗଲା ନର୍ମଦା । ନୀଳାମ୍ଵରକୁ ସେ ଭଲପାଏ–ପାଠପଢ଼ା, ଖେଳରେ ତା’ର କୃତିତ୍ଵ ଯୋଗୁ । ସେଥିପାଇଁ ତା’ର ସାମାନ୍ୟ ଅପରାଧ ସେ ଆଜି ସହ୍ୟ କରି ପାରୁନାହିଁ ।

 

ଏକ ପଥର ମୂର୍ତ୍ତି ଭଳି ଠିଆ ହୋଇଛି ନୀଳାମ୍ଵର । ଲାଞ୍ଛିତ, ଅପମାନିତ ହୋଇଥିଲେ ବି ମୁହଁରେ ଅନୁଶୋଚନାର ଛାୟା ନାହିଁ ।

 

ତୁ ଜ୍ୟାମିତି ବହି ଚୋରୀ କରିଥିଲୁ ? –ନର୍ମଦାର ନିର୍ମମ ପ୍ରଶ୍ନ ।

 

ଚୋରୀ ନୁହେଁ–ଲୁଚେଇ ନେଇଥିଲି । –ନୀଳାମ୍ଵର ଗମ୍ଭୀର ଭାବରେ ଉତ୍ତର ଦେଲା ।

 

କାହିଁକି ? କାହିଁକି ? –କଥା କହୁ କହୁ ନିର୍ମଦାର ବେତଟା ନୃତ୍ୟ କରିଉଠିଲା ନୀଳାମ୍ଵରର ପିଠିସାରା ।

 

ମୋର ବହି ନାଇଁ, ବାପାଙ୍କର ପଇସା ନାଇଁ, ମୁଁ ପଢ଼ିଥାଆନ୍ତି କେମିତି ? ନିର୍ବିକାର ଭାବରେ ନର୍ମଦାର ପ୍ରହାର ସହ୍ୟକରି ଉତ୍ତର ଦେଲା ନୀଳାମ୍ଵର ।

 

ସହକାରୀ ଶିକ୍ଷୟିତ୍ରୀ ଅରୁଣିମା ନୀଳାମ୍ଵରକୁ ନର୍ମଦାଠାରୁ ଛଡ଼ାଇ ନେଲେ । ମାଡ଼ର ଉପଦ୍ରବ ସେ ହୁଏ ତ ସହିପାରିଲେ ନାହିଁ ।

 

କିଛି ସମୟ ପରେ ସ୍କୁଲ ଛୁଟିହେଲା ।

 

ଅରୁଣିମା ସାଙ୍ଗରେ ଧରି ନେଇ ଯାଉଥିଲା ନୀଳାମ୍ଵରକୁ । ନର୍ମଦା ପଛରୁ ଅରୁଣିମାକୁ ଡାକିଲା ।

 

ସ୍କୁଲ ଶୂନ୍ୟ । ଅଫିସ ରୁମରେ ମୁହାଁମୁହିଁ ହୋଇ ବସିରହିଲେ ନର୍ମଦା ଆଉ ଅରୁଣିମା ।

 

ନର୍ମଦା ରୁକ୍ଷ କଣ୍ଠରେ କହିଲା, ନୀଳାମ୍ଵରକୁ ମୁଁ ସ୍କୁଲରୁ ଜବରଦସ୍ତି ସାଟିଫିକେଟ ଦେଇ ବିଦାୟ କରିବାକୁ ଚାହେଁ ଅରୁଣିମା ! ତମେ ତା’ର ଶ୍ରେଣୀ ଶିକ୍ଷୟିତ୍ରୀ । ତମ ମତାମତଟା ମୁଁ ଜାଣିବାକୁ ଚାହେଁ !

 

ଅରୁଣିମାର ମୁହଁ ବିବର୍ଣ୍ଣ ହୋଇଗଲା ।

 

ସେ କହିଲା, ଜଣେ ଗରିବ ଲୋକର ଏକମାତ୍ର ପୁଅ ସେ । ତା’ ଉପରେ ତା’ ପରିବାରର ଅନେକ ଭରସା । ଶ୍ରେଣୀରେ ମଧ୍ୟ ଖୁବ୍‍ ଭଲ ପଢ଼େ । ଆପଣ ତାକୁ ଏହିଥର କ୍ଷମା କରନ୍ତୁ ।

 

ନର୍ମଦାର ନାସାରନ୍ଧ୍ର ଫୁଲି ଫୁଲି ଉଠିଲା ରାଗରେ ।

 

ସେ କହିଲା, ଚୋରକୁ ମୁଁ କ୍ଷମା କରିପାରେ–କିନ୍ତୁ ଚୋରୀକୁ ଯେ ଠିକ୍‍ ବୋଲି ଯୁକ୍ତିକରେ, ମୁଁ ତାକୁ ସହ୍ୟ କରିପାରିବି ନାହିଁ । ମୁଁ ଦରିଦ୍ର ପିଲାକୁ ସହ୍ୟ କରିପାରେ–କିନ୍ତୁ ଚରିତ୍ରହୀନ ପିଲାକୁ…!

 

ବାକ୍ୟଟା ସଂପୂର୍ଣ୍ଣ କରିପାରିଲା ନାହିଁ ନର୍ମଦା । ଚରିତ୍ରହୀନତା ପ୍ରତି ଆକଣ୍ଠ ଘୃଣାରେ ତା’ର କଣ୍ଠ ଅବରୁଦ୍ଧ ହୋଇ ଆସୁଥିଲା ।

 

ଅରୁଣିମା ବିନୀତ କଣ୍ଠରେ କହିଲା, ବହି ଚୋରୀଟାକୁ ଆପଣ ଏପରି ଭୟଙ୍କର ଅପରାଧ ବୋଲି ଭାବିବା ଉଚିତ ନୁହେଁ । ମତେ ଦାୟିତ୍ଵ ଦିଅନ୍ତୁ ମୁଁ ତା’ ଚରିତ୍ରର ଗତି ବଦଳାଇ ଦେବି ।

 

ନର୍ମଦା ଏଥର କ୍ରୋଧରେ ନୁହେଁ, ଭୟରେ ଉତ୍‍କ୍ଷିପ୍ତ ହୋଇ ଉଠିଲା । ପୁରୁଷ ଚରିତ୍ରର ସଂସ୍କାର ! ନା–ନା–ଏସବୁ କଥା ବିଶ୍ଵାସ କରେନାହିଁ ନର୍ମଦା । ପୋଡ଼ା ତରକାରୀରେ ସ୍ଵାଦ ଫେରେ ନାହିଁ–ତୁଣୀରରୁ ନିକ୍ଷିପ୍ତ ତୀର ଫେରି ଆସେନାହିଁ ।

 

ମଣିଷ ଚରିତ୍ରର ସଂସ୍କାର କ’ଣ ସମ୍ଭବ ?

 

ଶାସନ କରି କଅଣ ମଣିଷକୁ ବଦଳାଇ ଦିଆଯାଇପାରେ !

 

ମୃଣ୍ମୟର କଥା ମନେ ପଡ଼ୁଥିଲା ନର୍ମଦାର ।

 

(ରାଣୀ ! ଏତେ ଅବାଧ୍ୟ, ଦୁଷ୍ଟ ପିଲାଙ୍କୁ ଶାସନ କରିବାର ମାନସିକ ଦୃଢ଼ତା ନେଇ ତମେ ଯେବେ ଶିକ୍ଷୟିତ୍ରୀ ହୋଇପାରିଲ, ମୋ ଭଳି ଏକ ନଷ୍ଟ ବ୍ୟକ୍ତିତ୍ଵକୁ ସ୍ପଷ୍ଟ, ଉଜ୍ଜ୍ଵଳ କରିବାପାଇଁ ମାନସିକ ସ୍ଥିରତା ଆଣି ତମେ ମୋ ଜୀବନର କର୍ତ୍ତ୍ରୀ ହୋଇ ପାରିବ ନାହିଁ କାହିଁକି ?)

 

ଅରୁଣିମାକୁ କିଛି କହି ପାରିଲା ନାହିଁ; କିଛି ଭାବି ପାରିଲା ନାହିଁ ନର୍ମଦା ।

 

ସ୍କୁଲ ଛୁଟିବେଳର ଉଦାସ ଅପରାହ୍ନରେ ସଂଧ୍ୟାର କାଳିମା ଆସି ଲାଗିଲା ।

 

॥ ପାଞ୍ଚ ॥

 

ସ୍କୁଲ ଡାକରୁ ମୃଣ୍ମୟର ହସ୍ତାକ୍ଷର ସମ୍ଵଳିତ ଲଫାଫାଟା ଦେଖି କ୍ରୋଧରେ ନର୍ମଦାର ମୁହଁ ପାଟଳ ହୋଇଉଠିଲା ।

 

ବାରମ୍ଵାର ଚିଠିଲେଖି ତାକୁ ବିରକ୍ତ କରିବା ମୃଣ୍ମୟର ଗୋଟିଏ ରୋଗ ହୋଇଗଲାଣି ।

 

ସବୁଥର ପରି ଏଥର ମଧ୍ୟ ଚିଠିଟାକୁ ଟିକି ଟିକି କରି ଚିରି ଝରକା ବାହାରକୁ ଫୋପାଡ଼ିଦେଲା ନର୍ମଦା ।

 

ତା’ପରେ ଏକ ଆହତ ଦୀର୍ଘଶ୍ଵାସ ତ୍ୟାଗ କରି ସେ କିଛି ସମୟ ଚୁପହୋଇ ବସି ରହିଲା-

 

ଏତେ ଗାଳି, ଏତେ ଅପମାନ ପାଇଲାପରେ ବି ମୃଣ୍ମୟ ତାକୁ ପୁଣି ଭୁଲାଇବାକୁ ଚେଷ୍ଟାକରୁଛି । ଚିଠି ଲେଖୁଛି । କଲେଜ ଛାତ୍ରୀ ଜୀବନରେ ବହୁ ଅସଭ୍ୟ ଛାତ୍ରଙ୍କଠାରୁ ସେ ଏମିତି ଚିଠି ପାଇଲେ କିଛି ପରିମାଣରେ ଗର୍ବ ଅନୁଭବ କରୁଥିଲା । ନିଜର ରୂପ, ଗୁଣ, ଆକର୍ଷଣୀ ଶକ୍ତି ପାଇଁ ସେ ନିର୍ବୋଧ ପତ୍ରପ୍ରେରକମାନଙ୍କ ପ୍ରତି ଅନୁକମ୍ପା ଅନୁଭବ କରୁଥିଲା । କିନ୍ତୁ ମୃଣ୍ମୟର ଚିଠି ପାଇଲେ ଆଳଣ୍ଠ ଘୃଣାରେ ତା’ର ଶ୍ଵାସରୁଦ୍ଧ ହେଉଛି । ଏକଦା ନିଜ କୁମାରୀ ଜୀବନରେ ସେ ଯେ ମୃଣ୍ମୟ ଭଳି ଏକ ଅପଦାର୍ଥକୁ ଭଲପାଇ ଭୁଲ କରିଥିଲା, ତା’ର ସେ ଅପ୍ରତ୍ୟାଶିତ ଚିଠିଗୁଡ଼ାକ ସେଇକଥା ତାକୁ ସ୍ମରଣ କରାଇଦିଏ ।

 

ନର୍ମଦା ପାଇଁ ଆଜି ଏକ ଅଶୁଭ ଦିନ ।

 

ଦିନଯାକ କାମ କରିବାପାଇଁ ସେ ମାନସିକ ସ୍ଥିରତା ପାଇବ ନାହିଁ । ମୃଣ୍ମୟର ଛଳନାର ବୁଢ଼ୀଆଣୀ ଜାଲରେ ପଡ଼ି ମୁମୂର୍ଷୁ ମାଛିଟି ଭଳି ସେ ଛଟପଟ ହେବ ।

 

ସକାଳୁ ଉଠି କାହାର ମୁହଁ ସେ ଚାହିଁଥିଲା ?

 

ନର୍ମଦା ସ୍କୁଲ ଡାକ ଖୋଲି କେତେଟା ଚିଠିର ଉତ୍ତର ଦେବାକୁ ଚେଷ୍ଟାକଲା ।

 

ନା–ହେଉନାଇଁ । କାମ କରିବାର ସମସ୍ତ ପ୍ରବୃତ୍ତି ତା’ର ଶିଥିଳ ହୋଇ ଆସିଛି ।

 

ନର୍ମଦା ଭାବିଲା, ମୃଣ୍ମୟ ଏଥର ଚିଠିରେ କଅଣ ଲେଖିଥିଲା ?

 

ସେ ମଦ୍ୟପ–ଏ ପ୍ରଚାର ମିଥ୍ୟା । ଏବେସୁଦ୍ଧା ନର୍ମଦା ପ୍ରତି ସେ ଅନୁରକ୍ତ । ତା’ର ସମସ୍ତ ସତ୍ତାକୁ ସେ ଗ୍ରାସ କରିଛି । ତାକୁ ବାଦଦେଲେ ତା’ ଜୀବନର ଆଉ କିଛି ଅବଶିଷ୍ଟ ନାହିଁ ।

 

ମନେ ମନେ ହସିଲା ନର୍ମଦା ।

 

ମୃଣ୍ମୟ ଏକ ନିର୍ବୋଧ । ଖୁସାମତ କରି ଯେ ନାରୀର ହୃଦୟକୁ ଜୟ କରାଯାଇ ପାରେ ନାହିଁ; ଏହି ସାଧାରଣ ତତ୍ତ୍ଵ ମଧ୍ୟ ତା’ର ଅଜ୍ଞାତ ।

 

କିନ୍ତୁ ଯାହାହେଉ, ମୃଣ୍ମୟର ଚିଠିର ଭାଷା ଭାରି ଚମତ୍କାର । ଭାଷାର ଇନ୍ଦ୍ର ଜାଲରେ ଭୁଲାଇବାର ଉପାୟ ତାକୁ ବେଶ ଭଲଭାବରେ ଜଣା ।

 

ନର୍ମଦା ଭାବିଲା, ହୁଏ ତ ଚିଠି ଲେଖିଲାବେଳେ କେତେବିନ୍ଦୁ ଲୁହରେ ମୃଣ୍ମୟର ଅକ୍ଷର ଭିଜି ଯାଇଥିବ । ଆଗେ ତା’ର ଏଭଳି ଲୁହଭିଜା ଚିଠି ଦେଖିଲେ ନର୍ମଦାର ଛାତି ଭିତରଟା ବିଦୀର୍ଣ୍ଣ ହୋଇ ଯାଉଥିଲା । କାରଣ ସେ ଥିଲା ନିର୍ବୋଧ ପ୍ରେମିକା ।

 

ଆଜି କିନ୍ତୁ ଅଭିଜ୍ଞତାର ମୂଲ୍ୟ ଦେଇ ସେ ବୁଝଛି; ମୃଣ୍ମୟର ଆଖିର ଲୁହ, ଓଠର ହସ ମଧ୍ୟରେ କିଛିହେଲେ ତଫାତ୍‍ ନାହିଁ । ମୃଣ୍ମୟ ଛଳନାର ଯାଦୁକର । ସେ ଛଳନାରୁ ଆଜି ନର୍ମଦା ମୁକ୍ତି ଚାହେଁ, ଶାନ୍ତି ଚାହେଁ ।

 

ଦିନେ ତାକୁ ମୃଣ୍ମୟ ବୁଝେଇଥିଲା, ମଣିଷ ମଦ ଖାଏ ନାହିଁ; ମଦ ମଣିଷକୁ ଖାଏ । ଯେଉଁମାନେ ମଦ୍ୟପ, ସେମାନେ ମଣିଷ ନୁହଁନ୍ତି, ପଶୁ !

 

ଅଥଚ ମୃଣ୍ମୟ ନିଜେ ଦିନେ ମଦ ଖାଇଲା… !

 

କଥାଟା ଭାବିବା ମାତ୍ରେ ଘୃଣାର ଶୀତ୍କାରରେ ନର୍ମଦାର ସର୍ବାଙ୍ଗ ଶିହରି ଉଠିଲା ।

 

ଯେଉଁ ନାରୀଜଣକ ମୃଣ୍ମୟ ମଦ୍ୟପ ବୋଲି ତାକୁ କାଗଜପତ୍ରର ପ୍ରମାଣ ଦେଖାଇ ଅବାଟରୁ ବାଟକୁ ଆଣିଥିଲେ, ସେହି ମହୀୟସୀ ପରମ ପୂଜନୀୟା ମହିଳାଙ୍କ ପ୍ରତି ମନେ ମନେ ଭକ୍ତି ଜଣାଇଲା ନର୍ମଦା ।

 

ଶୁଷ୍କ ମୁହଁ, ବିନୀତ କଣ୍ଠରେ ମୃଣ୍ମୟ ତାକୁ ବୁଝେଇବାକୁ ଚେଷ୍ଟା କରିଥିଲା । ମୁଁ ମଦ ଖାଏ, ଏକଥା ତମେ ବିଶ୍ଵାସ କରିପାରିଲ ? କେବେ ଦେଖିଛ…

 

କଥା ଶେଷ ହେବାକୁ ଦେଇ ନଥିଲା ନର୍ମଦା ।

 

ଚିତ୍କାର କରି ଉଠିଥିଲା । କୈଫିୟତ ଦେବା ବନ୍ଦକର ମୃଣ୍ମୟ । ବିଶ୍ଵାସ କରିବାପାଇଁ ସବୁକଥା ଆଖିରେ ଦେଖିବା ଆବଶ୍ୟକ ହୁଏନାଇଁ । ନିଜ ବୁଦ୍ଧିର ବିଚକ୍ଷଣତା ବଳରେ ତାହା ବୁଝି ନେଇହୁଏ…ତମକୁ ବିବାହ କଲେ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ମୁଁ ସୁଖୀ ହୋଇପାରିବି ନାହିଁ…

 

ମଦ୍ୟପଙ୍କ ଭଳି ଢଳି ମୁଣ୍ତ ତଳକୁ କରି ଫେରି ଯାଇଥିଲା ସେଦିନ ମୃଣ୍ମୟ ।

 

ସେଦିନ ନର୍ମଦା ବୁଝିପାରିଥିଲା, ମୃଣୟ ହୃଦୟ ଦେଇ କେବେ ତାକୁ ଭଲପାଇ ନାହିଁ । ତା’ ହୋଇଥିଲେ ସେ କେବେ ମଦ୍ୟପ ହୋଇ ନ ଥାନ୍ତା । ମୃଣ୍ମୟ ଚାହିଁଥିଲା ତା’ ଯୌବନର ଅମୃତ ପାନ କରିବ ବୋଲି । ତା’ ଆଖିରେ ଥିଲା କାମନା, ଲାଳସାର ରକ୍ତ ପଲାଶର ନିଶା !

 

॥ ଛଅ ॥

 

ତା’ ଆରଦିନ ନର୍ମଦା ଶୁଣିଲା, ନୀଳାମ୍ଵର ଶ୍ରେଣୀର ଗୋଟାଏ ପିଲାର ମୁଣ୍ତ ଫଟାଇ ଦେଇଛି ।

 

ଏଥର ତା’ର ସହ୍ୟଶକ୍ତିର ସୀମା ଅତିକ୍ରମ କରିଗଲା । ନୀଳାମ୍ଵରକୁ ନ ଡକାଇ ସେ ରୁମ୍‍କୁ ଡକାଇଲା ଅରୁଣିମାକୁ ।

 

ବେନ୍ତ୍ରଭୀତା ଛାତ୍ରୀଟି ଭଳି ଶିକ୍ଷୟିତ୍ରୀ ଅରୁଣିମା ପ୍ରବେଶ କଲା କକ୍ଷରେ ।

 

କୌଣସି ଭୂମିକା ନ କରି ନର୍ମଦା କହିଲା, ଏଥର ମୁଁ ନୀଳମ୍ଵରକୁ ନୁହେଁ, ତମକୁ ଦୋଷୀ କରୁଛି ଅରୁଣିମା ! ନୀଳାମ୍ଵରକୁ ସ୍କୁଲରୁ ବହିଷ୍କାର କରିଦେବା ପଥରେ ତମେ ହିଁ ସେଦିନ ବାଟ ଓଗାଳି ଠିଆ ହୋଇଥିଲା । ଫଳରେ ସେ ଚୋର ପିଲାଟା ଡକାଏତ ହୋଇଗଲା ।

 

ଅରୁଣିମା ଶାନ୍ତି କଣ୍ଠରେ ଉତ୍ତର ଦେଲା, କିନ୍ତୁ ଆଜିର ଏ ମାଡ଼ପାଇଁ ନୀଳାମ୍ଵର ଦାୟୀ ନୁହେଁ । ଦାୟୀ ସେ ମାଡ଼ ଖାଇଥିବା ପିଲା, ଯେ ନୀଳାମ୍ଵରର ଦାରିଦ୍ର୍ୟକୁ ତାଚ୍ଛଲ୍ୟ କରି ତାକୁ ପରିହାସ କରିଥିଲା । ନୀଳାମ୍ଵର ସବୁ ସହିପାରେ; କିନ୍ତୁ ନିଜ ଆର୍ଥିକ ଅବସ୍ଥା ପ୍ରତି ତାଚ୍ଛଲ୍ୟ…

 

ଆହତ ବାଘୁଣୀ ଭଳି ଗର୍ଜନକରି ନର୍ମଦା କହିଲା, ତା’ ବୋଲି ଆଇନକୁ ନିଜ ହାତକୁ ନେବ ! ତାକୁ ଯଦି କେହି ପରିହାସ କଲା, ସେକଥା ମତେ କହି ପାରିଥାଆନ୍ତା !

 

ମୁହଁ ତଳକୁ ପୋତି ଅରୁଣିମା କହିଲା, ସେ ଛୋଟ ପିଲା, ଆଇନ୍‍ ବେଆଇନ୍‍ କଥା ତାକୁ ଜଣାନାହିଁ । ଆପଣ ମତେ ସୁଯୋଗ ଦିଅନ୍ତୁ ମୁଁ ସୁଧାରି ନେବି ।

 

କିନ୍ତୁ କାହିଁକି ? କଅଣ ପାଇଁ ତମେ ତାକୁ ଘଣ୍ଟ ଘୋଡ଼ାଇ ରଖିବାକୁ ଚାହଁ ? –ଉତ୍ତର ଦାବୀ କଲା ନର୍ମଦା ।

 

କାରଣ ସେ ସ୍କୁଲର ପ୍ରତିଭାଶାଳୀ ଛାତ୍ର, ଗରିବ ଘରର ସନ୍ତାନ । ସ୍ନେହ, ଶ୍ରଦ୍ଧା ଦେଇ ତା’ର ଚରିତ୍ର ସଂଶୋଧନ କରାଯାଇପାରେ । ଘୃଣା ବିରକ୍ତି ଫଳରେ ପ୍ରତିଭା ତା’ର ହୁଏ ତ’ ମାରାତ୍ମକ ଦିଗରେ ଗତି କରିବ । ସ୍କୁଲରେ ସାଙ୍ଗପିଲା, ଶିକ୍ଷୟିତ୍ରୀମାନଙ୍କଠାରୁ, ଘରେ ବାପ ମାଆଙ୍କ ପାଖରୁ ଘୃଣା, ନିନ୍ଦା ସହି ସହି ସେ ଉତ୍‍କ୍ଷିପ୍ତ ହୋଇଉଠିଛି । ତାକୁ ଟିକିଏ ସ୍ନେହ, ଶ୍ରଦ୍ଧା ଦେଇ ବାଟକୁ ଆଣିବାକୁ ଆପଣ ମତେ ସୁଯୋଗ ଦିଅନ୍ତୁ । ସେ ବୁଝୁ ପୃଥିବୀରେ ଜଣେହେଲେ କେହି ଅଛି, ଯେ ତାକୁ ଭୁଲ୍‍ ବୁଝୁ ନାହିଁ, ସହାନୁଭୂତି ଦେଖାଉଛି । -ଅରୁଣିମା ଉତ୍ତର ଦେବାବେଳେ ଆଖି ଦୁଇଟା ତା’ର ଛଳ ଛଳ ହୋଇ ଉଠୁଥିଲା ।

 

ଠିକ୍‍ ଏମିତି ମୃଣାଳ ଚାହୁଁଥିଲା ସ୍ନେହ, ପ୍ରେମ, ସହାନୁଭୂତି । ପ୍ରଚାର, ଅପପ୍ରଚାର ଫଳରେ ଘରେ ବାହାରେ ସର୍ବତ୍ର ସେ ଯେତେବେଳେ ଲାଂଛିତ ହେଉଥିଲା, ସେ ଅଞ୍ଜଳି ପାତି ତା’ଠୁ ଭିକ୍ଷା କରିଥିଲା ବିନ୍ଦୁଏ ସ୍ନେହ, ଟୋପାଏ ସହାନୁଭୂତି । ଚରିତ୍ରହୀନ ଲୋକଙ୍କ ପ୍ରତି ତା’ର କେବେ ଆସ୍ଥା ନ ଥିଲା ସେଥିପାଇଁ ସେ ତାକୁ ଆଘାତ ଉପରେ ଆଘାତ ଦେଇ ରିକ୍ତ ହସ୍ତରେ ଫେରାଇ ଦେଉଥିଲା । ଆଜି ସେ ନୀଳାମ୍ଵର ପ୍ରତି ସହାନୁଭୂତି ଦେଖାଇବ କାହିଁକି ?

 

ମୁଖରେ ତାଚ୍ଛଲ୍ୟର ହସ ହସି ନର୍ମଦା କହିଲା, ହୁଁ–ପ୍ରତିଭା ! ତମେ ଜାଣ ନାହିଁ ଅରୁଣିମା ! ଏଇ ପ୍ରତିଭାଶାଳୀ ଲୋକେ ହିଁ ବେଶି ମାରାତ୍ମକ ହୁଅନ୍ତି । ତମେ ଚରିତ୍ର ସସ୍କାର ପାଇଁ ଉଦ୍ୟମ କରିପାର କିନ୍ତୁ ସେଥିରେ ମୋର କୌଣସି ଆସ୍ଥା ନାହିଁ ।

 

ଅରୁଣିମାକୁ ବିଦାୟ ଦେଇ ଅଫିସ କାମରେ ମନୋନିବେଶ କରିବାକୁ ଚେଷ୍ଟାକଲା ନର୍ମଦା । ଆଜି ସ୍କୁଲ ପରିଚାଳନା ସମିତିର ବୈଠକ ଅଛି । ତା’ ଉପରେ ସବୁ ଦାୟିତ୍ଵ ।

 

କିନ୍ତୁ ଠିକ୍‍ ସେହି ସମୟରେ ଅଫିସ ଗୃହରେ ପ୍ରବେଶ କଲେ ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ ଊର୍ମି ଅପା ! ମୁହଁଟା ତାଙ୍କର ଶୁଖି ଶେତା ପଡ଼ିଯାଇଥିଲା ।

 

କଅଣ ହେଲା ଆପଣଙ୍କର ଊର୍ମି ଅପା ! –ନର୍ମଦା ପ୍ରଶ୍ନ କଲା ।

 

ନିଜ ବାମ କାନରେ ହାତ ମାରି ଊର୍ମି ଅପା କ୍ଷୁଣ୍ଣ କଣ୍ଠରେ ଉତ୍ତର ଦେଲେ, ଏଇ କାନରୁ ଇଅରିଂଟା କେଉଁଠି ପଡ଼ିଗଲା । ଅଥଚ ଘଣ୍ଟାଏ ଆଗରୁ ମୁଁ ହାତମାରି ଦେଖିଥିଲି–ଜିନିଷଟା ଠିକ୍‍ ଥିଲା । ଖେଳ ପଡ଼ିଆରେ କିମ୍ଵା ବଗିଚାରେ କେଉଁଠି…

 

ସୁନା ହଜିବା ଶୁଭ ଲକ୍ଷଣ ନୁହେଁ ।

 

ନର୍ମଦାର ମୁହଁଟା ମଧ୍ୟ ଫିକା ପଡ଼ିଗଲା ।

 

॥ ସାତ ॥

 

ପ୍ରଥମଥର ପାଇଁ ରବିବାର ହେଲେ ବି ସ୍କୁଲକୁ ଆସିଛି ନର୍ମଦା । ପିଅନକୁ ବି ଡାକି ନାହିଁ । ନିଜେ ଝାଡୁ ଧରି ଅଫିସ ଘର ସଫା କରିଛି । ଝରକା କବାଟ ଖୋଲି ନୀରବରେ ବସି ରହିଛି ଚେୟାରରେ ।

 

କାଲି ତା’ର ନିର୍ବନ୍ଧ ।

 

ଅମ୍ଵରବାବୁଙ୍କୁ ବିବାହ ପାଇଁ ଅବଶେଷରେ ସେ ସମ୍ମତି ଜଣାଇଲା । କଥାଟା ଭାବିଲେ ନିଜେ ବି ସେ ବିଶ୍ଵାସ କରିପାରେ ନାହିଁ ।

 

ସମ୍ଵାଦଟା ମୃଣ୍ମୟ ହୁଏ ତ ପାଇସାରିବଣି ।

 

ସେ’ ଯେ ଚରିନ୍ତ୍ରହୀନା, ଚିତ୍ତବିନୋଦିନୀ ଏକ ଭୋଗବିଳାସିନୀ ନାରୀ ସେକଥା ହୁଏ ତ’ ବନ୍ଧୁ ମହଲରେ ପ୍ରଚାର କରି ସାରିଥିବ । ଚରିତ୍ରହୀନତାର ଅପବାଦ ପାଇଁ ଆଜି ତା’ର ଆଉ ଭୟ ନାହିଁ । ଅମ୍ଵର ତାକୁ କ୍ଷମାଶୀଳ ଦୃଷ୍ଟିରେ ଗ୍ରହଣ କରିଛନ୍ତି–ଆଉ କିଏ କଅଣ କହିବ ନ କହିବ ସେଥିପାଇଁ ତା’ର ଶୋଚନା ନାହିଁ । ଆଉ ନିନ୍ଦା, ଅପମାନ ତ ତା’ ଚଲାପଥର ଫୁଲ ଚନ୍ଦନ ! ସେଥିପାଇଁ ସେ ଆଜି ଭାବିବ କାହିଁକି ?

 

ନର୍ମଦା ଏ ନିଃଶଦ୍ଦ କକ୍ଷରେ ଏକାକିନୀ ବସି ସ୍ଵସ୍ତିର ନିଶ୍ଵାସ ମାରିଲା ।

 

ଆଜି ତାକୁ ଯିଏ ଯାହା କହୁ, ସେ ନିଜେ ଜାଣେ, ବିବାହ କରିବା ଭିନ୍ନ ତା’ର ଅନ୍ୟ ବାଟ ନ ଥିଲା । ଆଗ ପଛ କିଛି ବିଚାର ନ କରି ସେ ଦିନେ ମୃଣ୍ମୟକୁ ଭଲ ପାଇଥିଲା । ସେ ଭଲ ପାଇବାରେ ନ ଥିଲା ତା’ର ତିଳେ ହେଲେ ଛଳନା, ମାୟା । ତା’ର ସେ ଭଲ ପାଇବାର ଅମର୍ଯ୍ୟାଦା କଲା ମୃଣ୍ମୟ ।

 

ତା’ର ସେଇ ବନ୍ଧନରୁ ମୁକ୍ତି କାମନା କରୁଥିଲା ନର୍ମଦା । ଦିନେ ସେ ସ୍ଥିର କରିଥିଲା, ଆଜୀବନ କୁମାରୀ ରହି ନିଜ କୁମାରୀ ଜୀବନର ଭୁଲ୍‍ ପାଇଁ ପ୍ରାୟଶ୍ଚିତ୍ତ କରିବ । କିନ୍ତୁ ହଠାତ୍‍ ତା’ର ଧାରଣା ହେଲା, ଅବିବାହିତା ରହିଲେ ମୃଣ୍ମୟର ପ୍ରଭାବରୁ ସେ ନିଜକୁ କେବେହେଲେ ମୁକ୍ତ କରିପାରିବ ନାହିଁ । ଅବିବାହିତା ରହିବା ଯେ ସାମାଜିକତା ନୁହେଁ, ତାହା ବୁଝିବାକୁ ତାର ବିଳମ୍ଵ ହୋଇ ନ ଥିଲା । ସେ ବୁଝିଥିଲା, ସେ ଜିତେନ୍ଦ୍ରିୟ ନୁହେଁ, ଆଉ ସେ ଯେଉଁ ପରିବେଶ ମଧ୍ୟରେ ରହିଛି, ଅନେକ ପ୍ରଲୁବ୍ଧ ଦୃଷ୍ଟି ତା’ର ଦେହ ଓ ଯୌବନକୁ ପରିକ୍ରମା କରୁଛି ।

 

ଏ ଜ୍ଵାଳା, ଏ ଯନ୍ତ୍ରଣାରୁ ମୁକ୍ତି ପାଇବାର ଏକମାତ୍ର ବାଟ ବିବାହ । ଆଉ ଅମ୍ଵର ଯେତେବେଳେ ସବୁ ଜାଣିଶୁଣି ତା’ ଆଡ଼କୁ ନିର୍ଭୟର ହାତ ବଢ଼ାଇ ଦେଲେ… !

 

ତଥାପି…

 

ତଥାପି ଅକାରଣରେ ତା’ ମନଟା ଆଜି ଏକ ଛନ୍ଦହୀନ ରାଗିଣୀରେ ରହି ରହି ଅନୁରଣିତ ହୋଇ ଉଠୁଛି । ଏକ ଅବରୁଦ୍ଧ ଆବେଗରେ ସ୍ପନ୍ଦିତ ହୋଇ ଉଠୁଛି ତା’ ମନର ପ୍ରତିଟି କୋଣ ଅନୁକୋଣ ।

 

କାହିଁକି ?

 

ନର୍ମଦା ବାହାରକୁ ଚାହିଁଲା

 

ଛାତ୍ର ଛାତ୍ରୀ କେହି ନାହାନ୍ତି । ଶିକ୍ଷୟିତ୍ରୀ, ପିଅନ, କିରାନି କାହାରି ପାଟିତୁଣ୍ତ ଶୁଭୁ ନାହିଁ-। ବୈଧବ୍ୟର ଯନ୍ତ୍ରଣାରେ ନିଃସଙ୍ଗ ପ୍ରାନ୍ତରଟା ଶୋଇ ରହିଛି ।

 

ଏହି ନିଃସଙ୍ଗତାକୁ ଭୁଲିବାକୁ ଚାହେଁ ନର୍ମଦା ।

 

ସେଥିପାଇଁ ସେ ବିବାହ ପାଇଁ ରାଜି ହୋଇଛି ।

 

ମୃଣ୍ମୟ ତାକୁ ଭୁଲ୍‍ ବୁଝିବ, ଛୋଟ ବୋଲି ଭାବିବ । ଭାବୁ ! ସେଥିପାଇଁ ସେ ବିଚଳିତ ହେବ କାହିଁକି ?

 

ସେ ତରତର ହୋଇ ଅଫିସର କେତେଟା କାମ ସାରିଦେବା ପାଇଁ ଉଦ୍ୟମ କଲା । ଏହାପରେ ହୁଏ ତ ତାକୁ ଏ ବିଦ୍ୟାଳୟରୁ ବିଦାୟ ନେବାକୁ ହେବ । ଜୀବନର ସଙ୍କଟମୟ ମୁହୂର୍ତ୍ତରେ ଏ କେତେଦିନ ପାଇଁ ବିଦ୍ୟାଳୟ ହୋଇଥିଲା ତା’ର ପ୍ରିୟତମ ପାନ୍ଥଶାଳା । ଏହା ସହିତ ଜଡ଼ିତ ହୋଇ ରହିଲା ତା’ର କେତୋଟି ଦିନର ଅବିସ୍ମରଣୀୟ ସ୍ମୃତି ।

 

ଜୀବନର ଅନ୍ୟ ଏକ ନୂତନ ପାନ୍ଥଶାଳା ଉଦ୍ଦେଶ୍ୟରେ ସେ ଏଥର ଆରମ୍ଭ କରିବ ତା’ର ତୀର୍ଥଯାତ୍ରା ।

 

ଭଗବାନ କରନ୍ତୁ; ତା’ର ସେ ନୂତନ ଜୀବନପଥ ପୁଷ୍ପିତ ହେଉ ।

 

ମନେ ମନେ ନିଜର ଶୁଭକାମନା କଲା ନର୍ମଦା ।

 

॥ ଆଠ ॥

 

ସ୍କୁଲରେ ଆଜି ତା’ର ଶେଷ ଦିନ ।

 

ଆଜି ତା’ର ନିର୍ବନ୍ଧ ।

 

ସମସ୍ତଙ୍କୁ ହସି ହସି ବିଦାୟ ଦେଉଛି ନର୍ମଦା । କାହା ମନରେ ଯଦି ନିଜ ଅଜାଣତରେ ଆଘାତ କରିଥାଏ, ତେବେ ତାକୁ କ୍ଷମା କରିବା ପାଇଁ ଅଳି କରୁଛି ।

 

ସ୍କୁଲରେ ଆଜି ପାଠପଢ଼ାଟା ସେମିତି ସେମିତି । ସମସ୍ତଙ୍କ ମନରେ ଏକ ବିଦାୟ ରାଗିଣୀର ସ୍ଵରଲିପି ଲାଗି ରହିଛି ।

 

ଅଫିସ ରୁମରେ ଚେୟାରରେ ବସି ରହିଥିଲା ନର୍ମଦା ।

 

ହସି ହସି ଆସିଲେ ତେଣୁ ଊର୍ମି ଅପା ଆଉ ଅରୁଣିମା ।

 

ନର୍ମଦା ପଚାରିଲା, ହସୁଛନ୍ତି ଯେ ! ମୋର ଆଜି ବିଦାୟ ଦିନ–ମନ ଟିକିଏ ଦୁଃଖ ହେଉ ନାହିଁ ?

 

ଊର୍ମି ଅପା କହିଲେ, ହସୁଛି–କାରଣ ହଜିଯାଇଥିବା ସୁନାଜିନିସଟା ମିଳିଗଲା ।

 

ଆଗ୍ରହରେ ନର୍ମଦା ପଚାରିଲା, ସତେ ! କେଉଁଠୁ ପାଇଲେ ?

 

ଅରୁଣିମା ଉତ୍ତର ଦେଲା, ଊର୍ମି ଅପା ନୁହନ୍ତି–ନୀଳାମ୍ଵର ପାଇକରି ଦେଲା । ଖେଳପଡ଼ିଆ ଶିଜୁଗଛମୂଳେ ପଡ଼ି ଯାଇଥିଲା ।

 

ଯେଉଁ ପିଲାଟା ବହି ଚୋରୀ କରିଥିଲା, ସେ ସୁନା ଜିନିସ ପାଇ ଫେରାଇ ଦେଲା !

 

ଆଶ୍ଚର୍ଯ୍ୟ ହେଲା ନର୍ମଦା ।

 

ଅରୁଣିମା କହିଲା ଦେଖିଲେ–ନୀଳାମ୍ଵର କେମିତି ବଦଳିଯାଇଛି ! ମୁଁ ଜାଣେ ସେ ଚୋର ନୁହେଁ, ଡକାଏତ ନୁହେଁ…ଟିକିଏ ସ୍ନେହ, ଟିକିଏ ମମତାର କାଙ୍ଗାଳ ସେମାନେ ।

 

ଅରୁଣିମାର ଚେଷ୍ଟାରେ ତାହାହେଲେ ବଦଳି ଯାଇଛି ନୀଳାମ୍ଵର !

 

ନର୍ମଦାର ମୁହଁଟା ପାଉଁଶିଆ ପଡ଼ିଆସିଲା ।

 

ସ୍ନେହ, ସହାନୁଭୂତି ବଦଳରେ ମଣିଷର ଚରିତ୍ର ବଦଳିଯାଏ, ଏକଥା ପ୍ରମାଣ କରିଦେଲା ଅରୁଣିମା । ଅଥଚ ମୃଣ୍ମୟ…ମୃଣ୍ମୟ !

 

ମୃଣ୍ମୟର ସେଇ ସ୍ନେହକଙ୍ଗାଳ, ମମତାପାଗଳ ଭାରାକ୍ରାନ୍ତ ମୁହଁଟିର ଛବି ଭାସି ଉଠୁଥିଲା ତା’ର ଆଖି ଆଗରେ । ସେ ଯଦି ପାଷାଣୀ ହୋଇ ନ ଥାନ୍ତା, ଅବୁଝା ଅଭିମାନରେ ମୃଣ୍ମୟକୁ ଘୃଣା କରି ନ ଥାନ୍ତା, ଟିକିଏ ସ୍ନେହ, ଟିକିଏ ସହାନୁଭୂତି ଦେଇପାରି ଥାଆନ୍ତା, ତେବେ… !

 

ହଠାତ୍‍ ଅନ୍ୟମନସ୍କ ହୋଇଗଲା ନର୍ମଦା ।

 

(ରାଣୀ ! ଏତେ ଅବାଧ୍ୟ, ଦୁଷ୍ଟ ପିଲାଙ୍କୁ ଶାସନ କରିବାର ମାନସିକ ଦୃଢ଼ତା ନେଇ ତମେ ଯେବେ ଶିକ୍ଷୟିତ୍ରୀ ହୋଇ ପାରିଲ, ମୋ ଭଳି ଏକ ନଷ୍ଟ ବ୍ୟକ୍ତିତ୍ଵକୁ ସ୍ପଷ୍ଟ, ଉଜ୍ଜ୍ଵଳ କରିବା ପାଇଁ ମାନସିକ ସ୍ଥିରତା ଆଣି ତମେ ମୋ ଜୀବନର କର୍ତ୍ତ୍ରୀ ହୋଇପାରିବ ନାହିଁ କାହିଁକି ?)

 

କାହାର…କାହାର…ଏ କଣ୍ଠସ୍ଵର ! କାହାର ଏ ପ୍ରଶ୍ନ ?

 

ନା–ନା–ସେକଥା ଆଜି ସେ ଭାବିବ ନାହିଁ । ତା’ର ଆଜି ନିର୍ବନ୍ଧ । ସେ ମୃଣ୍ମୟର କେହି ନହେଁ !

 

ଊର୍ମି ଅପା କହିଲେ, ତମେ ନୂଆ ଜୀବନରେ ପାଦ ଦେଉଛ ନର୍ମଦା ! ହେଲେ ବୟସରେ ମୋଠୁଁ ଛୋଟ । ମୋର ଗୋଟିଏ କଥା ରଖିବ…କାହାରିକୁ ଘୃଣା କରିବ ନାହିଁ । ସେ ଛୋଟ ହେଉ ବା ବଡ଼ ହେଉ ।

 

ଲୁହ ଛଳଛଳ ଆଖି, କୋହଉଚ୍ଛଳ କଣ୍ଠରେ ଊର୍ମି ଅପାଙ୍କ ମୁହଁକୁ ଥରେ ଚାହିଁ ନଇଁପଡ଼ି ତାଙ୍କର ପାଦଧୂଳି ନେଲା ନର୍ମଦା । ଏଇ, ଏଇ ଉପଦେଶଟା ଯଦି ସେ ଆଉ କିଛିଦିନ ଆଗରୁ ଶୁଣିଥାଆନ୍ତା !

 

॥ ନଅ ॥

 

ନିର୍ବନ୍ଧ ଶେଷ ହୋଇଛି ।

 

ବାପା ଫେରି ଆସିଛନ୍ତି ।

 

ଫୁଲ ସିନ୍ଦୂର ଥୁଆ ହୋଇଛି ।

 

ସୀମନ୍ତରେ ଏଇ ସିନ୍ଦୂର ପିନ୍ଧି ସୀମନ୍ତିନୀ ହେବ ନର୍ମଦା । ଆଜିଠାରୁ ସେ ବାଗ୍‌ଦତ୍ତା !

 

ଫୁଲ ସିନ୍ଦୂରର ଡାଲା ପାଖରେ ପାଷାଣ ପ୍ରତିମା ଭଳି ଅନେକ ସମୟ ଠିଆ ହୋଇ ରହିଲା ନର୍ମଦା । ତା’ର ସମସ୍ତ ଚେତନା, ସମସ୍ତ ବୋଧଶକ୍ତି ଆଜି ଯେପରି ଶିଥିଳ ହୋଇପଡ଼ିଛି ।

 

ବୋଉ ଆସି ଡାକିଲେ, “ଏଠାରେ ଠିଆ ହୋଇ ରହିଲୁ ଯେ ମାଆ ! କ’ଣ ଭାବୁଛୁ ?”

 

ସକରୁଣ ଆଖିରେ ଥରେ ବୋଉଙ୍କ ମୁହଁକୁ ଚାହିଁ ଦୃଷ୍ଟି ଫେରାଇ ନେଲା ନର୍ମଦା ।

 

ବୋଉ ତା’ର ମୁଣ୍ତ ଆଉଁସି ଦେଲେ । ପିଠିରେ ହାତ ପକାଇ ପଚାରିଲେ, “ମୃଣ୍ମୟ କଥା ଭାବୁଛୁ କି ମାଆ ।”

 

ଆକାଶରୁ ପଡ଼ିଲା ଭଳି ଚମକିଉଠିଲା ନର୍ମଦା । କହିଲା, “ଏକଥା ତୁ ପଚାରି ପାରିଲୁ ବୋଉ ?”

 

ବୋଉ ତାକୁ କୋଳକୁ ଆଉଜେଇ ନେଲେ । କହିଲେ, “କାଲି ରାତିରେ ନିଦ ବାଉଳାରେ ତୋର ପ୍ରଳାପ ଶୁଣି ନ ଥିଲେ ମୁଁ ତା’ କଥା ଆଜି ଭଳି ଶୁଭଦିନରେ ପଚାରି ନ ଥାନ୍ତି-।”

 

ନର୍ମଦାର ଚକ୍ଷୁ ତାରକା ଦୁଇଟି ବିନ୍ଦୁ ବିନ୍ଦୁ ଲୁହରେ ଚକ୍‍ ଚକ୍‍ କରି ଉଠିଲା ।

 

ବୋଉ କହିଲେ, “କାଲି ରାତିରେ ଶୋଇ ତୁ ମୃଣ୍ମୟ ମୃଣ୍ମୟ ବୋଲି ବିଳିବିଳଉଥିଲୁ । ଆମ ଘର ବୋଲି ଚଳିଗଲା । କାଲି ଶାଶୁଘରକୁ ଯିବୁ…ସେଠାରେ ଯଦି ସେମିତି ନିଦରେ… !”

 

ବୋଉଙ୍କ ବାହୁବନ୍ଧନରୁ ନିଜକୁ ଛଡ଼ାଇ ନେଇ ଗୋଡ଼ କଚାଡ଼ି କଚାଡ଼ି ଦୁରକୁ ଘୁଞ୍ଚିଗଲା ନର୍ମଦା ।

 

ଅଥୟ କାନ୍ଦଣାରେ ଭାଙ୍ଗି ପଡ଼ି ସେ ଚିତ୍କାର କରି ଉଠିଲା, “ତୁ ମୋ ନାମରେ ଏତେ ମିଛ କହିପାରିଲୁ ! ମୃଣ୍ମୟ ମୋର କିଏ ? ସେ ଏକ ଚରିତ୍ରହୀନ, ମଦ୍ୟପ, ଅଯୋଗ୍ୟ, ଅପଦାର୍ଥ, ଅମଣିଷ । ତା’ପାଇଁ ମୁଁ ଭାବିବି କାହିଁକି ? ସେ ମୋର କିଏ ? ସେ ମୋର କେହି ନୁହେଁ…କିଛି ନୁହେଁ…”

 

ବନ୍ଧଭଙ୍ଗା ବନ୍ୟାର ଗତିଠାରୁ ଆହୁରି ପ୍ରବଳ ବେଗରେ ନର୍ମଦା ଆଖିର ଲୁହ ଛୁଟିଛି । ମୁହଁ ସାରା ଭିଜି ଗଲାଣି । କ୍ରୋଧ, ରାଗ, ଅଭିମାନରେ ଦୂରନ୍ତ ଝଡ଼ ଭଳି ପ୍ରକମ୍ପିତ ହେଉଛି ତା’ର ଦେହ–ବଲ୍ଲରୀ ।

 

ବୋଉ ଅବାକ ହେଲେ ।

 

ଯେତେବେଳେ ସେ ଭୂମିଷ୍ଠ ହୋଇଥିଲା, ତା’ର କାନ୍ଦଣା ସେ ଶୁଣିଥିଲେ । ଅନେକ ସହସ୍ର ଥର ତା’ର କାନ୍ଦଣା ସେ ଦେଖିଛନ୍ତି । କିନ୍ତୁ ଏଭଳି ବ୍ୟାକୁଳ କାନ୍ଦଣା ନର୍ମଦାର ସେ କେବେ ଦେଖି ନ ଥିଲେ । କେଉଁ ଯନ୍ତ୍ରଣାରେ ସେ ଆଜି ଏଡ଼େ ଅସ୍ଥିର ! ଏ କଅଣ ତା’ର ଏକ ନୂତନ ଜନ୍ମଯନ୍ତ୍ରଣାର କାତର କଣ୍ଠସ୍ଵର !

 

ଜଣେ ସ୍ଵର୍ଗଚ୍ୟୁତ ସମ୍ରାଟର ଦୁଃଖ

॥ ଏକ ॥

 

ନାରୀର ମାତୃତ୍ଵ ଭଳି ପୁରୁଷର କୃତିତ୍ଵ ହିଁ ସର୍ବଶ୍ରେଷ୍ଠ ସମ୍ପଦ । ମାଆ ହେଲାପରେ ନାରୀ ପାରିବାରିକ ଜୀବନରେ ବହୁ ସମ୍ମାନର ଅଧିକାରିଣୀ ହୁଏ; କିନ୍ତୁ ବାହାରେ ତାହାର ଆକର୍ଷଣ ଶକ୍ତି ହ୍ରାସ ପାଏ । ପୁରୁଷ ପାଇଁ ଠିକ୍‍ ଓଲଟା କଥା । କୃତୀ ପୁରୁଷର ଆକର୍ଷଣ ବାହାରେ ଯେତେ ବେଶି, ପରିବାରରେ ସେତେ ଅଧିକ ନୁହେଁ; ବରଂ ବାହାର ଲୋକଙ୍କ ଅଧିକ ଆକର୍ଷଣ ପାଇଁ ଅନେକ ସମୟରେ କୃତୀ ପୁରୁଷର ପାରିବାରିକ ଜୀବନ ବିପନ୍ନ ହୁଏ ।

 

ବିଶ୍ଵଜିତ୍‍ର ଜୀବନରେ ଏକଦା ଆସିଥିଲା କୃତିତ୍ଵର ଗୌରବ । ଦିବସ ପଛରେ ରାତ୍ରି ଆସିଲା ପରି ପାରିବାରିକ ବିପନ୍ନତା ମଧ୍ୟ ଆସିଲା ସେଇ ଗୌରବର ପୁଚ୍ଛଧରି ।

 

ବିଶ୍ଵଜିତ୍‍ ବିସ୍ମୟରେ ବିମୂଢ଼ ହେଲା । ଶୋକରେ ମୁହ୍ୟମାନ ହେଲା । ବିପନ୍ନତାର ବିଷରେ ସେ ହେଲା ଜର୍ଜ୍ଜରିତ । କିନ୍ତୁ ସେ ଗରଳ ଗ୍ରାସରୁ ଅନେକ ଚେଷ୍ଟାକରି ମଧ୍ୟ ସେ ନିଜକୁ ରକ୍ଷା କରି ପାରିଲା ନାହିଁ ।

 

ବିଶ୍ଵଜିତ୍‍ ପରାସ୍ତ ହୋଇଗଲା ।

 

ଚ୍ଛିନ୍ନପୁଷ୍ପର ସ୍ତବକ ଭଳି ଜୀବନଟା ତା’ର ଛାରଖାର ହୋଇଗଲା । ନଷ୍ଟ ହୋଇଗଲା । ଏକଦା ଗୌରବର ଆଲୋକରେ ସମୁଜ୍ଜ୍ଵଳ ବୋଲି ଯେଉଁ ଜୀବନ ତା’ର ଅତି ପ୍ରିୟ ମନେ ହୋଇଥିଲା; ଅପପ୍ରଚାରର କୁତ୍ସିତ ଗ୍ଳାନିରେ ସେ ଜୀବନ ପରେ ମନେ ହେଲା ହେୟ, ଅନାବଶ୍ୟକ ଭଳି ।

 

ତା’ର ଗୌରବମୁଖର ଜୀବନରେ ଏକଦା ଯେଉଁମାନେ ତାକୁ ଦେବତା ଭଳି ପୂଜା କରୁଥିଲେ, ତା’ର ଲାଞ୍ଛତ ଅପମାନିତ ପୌରୁଷ ପ୍ରତି ସେହିମାନେ ହିଁ ବେଶି ତାଚ୍ଛଲ୍ୟ ପ୍ରକାଶ କଲେ-

 

ଅଥଚ ଯାହାଯୋଗୁ ବିଶ୍ଵଜିତ୍‍ ସ୍ଵର୍ଗଚ୍ୟୁତ ହୋଇ ଭୂପତିତ ହେଲା, ସେ ତା’ର ପ୍ରିୟତମା ପ୍ରେମିକା ।

 

ମଧ୍ୟବିତ୍ତ ପରିବାରର ସନ୍ତାନ ବିଶ୍ଵଜିତ୍‍ ।

 

ଜନପ୍ରିୟତାର ଗୌରବ ସେ ଲାଭ କରିଥିଲା, ନିଜର ଆଦର୍ଶବାଦ, ତ୍ୟାଗ, ବ୍ୟକ୍ତିତ୍ଵ ଓ ଲାଳସାବିହୀନ ସତ୍‍ଚରିତ୍ର ପାଇଁ । ମାଇଲ ମାଇଲ ବ୍ୟାପୀ ଧୋଇଆ ଅଞ୍ଚଳ-ନଦୀର ବନ୍ୟ ବନ୍ୟା ଯାହାର ସୁଖ ସୌଭାଗ୍ୟ ଉପରେ ପ୍ରତିବର୍ଷ ସର୍ବଗ୍ରାସୀ ଜିହ୍ଵା ବିସ୍ତାର କରେ–ସେଇ ଅଞ୍ଚଳର ଶିକ୍ଷିତ ତରୁଣ ବିଶ୍ଵଜିତ ।

 

ଉଚ୍ଚଶିକ୍ଷା ସମାପ୍ତ କରି ସେ ଯେଉଁଦିନ ନିଜର କର୍ତ୍ତବ୍ୟ କଥା ଚିନ୍ତା କରିଥିଲା; ସେ ଦିନ ତା’ ଆଖି ଆଗରେ ନାଚି ଉଠିଥିଲା ନିଃସ୍ଵ ଦୁର୍ଦ୍ଦଶା ପ୍ରପୀଡ଼ିତ ଅଞ୍ଚଳର ନର-ନାରୀଙ୍କ ମୁହଁ ।

 

ଇଚ୍ଛା କରିଥିଲେ ଉଚ୍ଚ ସରକାରୀ କର୍ମ କିମ୍ଵା ସ୍ଵଚ୍ଛନ୍ଦ ଆର୍ଥିକ ସମ୍ଵଳର ସନ୍ଧାନରେ ସେ ଏହି ବନ୍ୟା ପ୍ରପୀଡ଼ିତ ଗ୍ରାମାଞ୍ଚଳ ଛାଡ଼ି ସହରକୁ ଚାଲିଯାଇ ପାରିଥାନ୍ତା । କିନ୍ତୁ ନିଜର ସୁଖ ସ୍ଵାଚ୍ଛନ୍ଦ୍ୟ ଅପେକ୍ଷା ବେଶି ବଡ଼ ମନେ ହୋଇଥିଲା ତା’ର ସେଦିନ ନିଜର ଆଦର୍ଶ, ନିଜର ମାନବିକତା ।

 

ନିଜର ସୁଖ ଅପେକ୍ଷା ବେଶି ପ୍ରିୟ ମନେ ହୋଇଥିଲେ, ତା’ର ଚିର ଦୈନ୍ୟପ୍ରପୀଡ଼ିତ ବନ୍ୟା ଅଞ୍ଚଳର ନର-ନାରୀ । ତା’ର ସେଇ ଶ୍ୟାମଳ, ଶାଦବଳ ଗ୍ରାମଭୂମିର ମାୟା ସେ ତୁଟାଇ ପାରି ନ ଥିଲା । ନିଜ ଅଞ୍ଚଳ ଲୋକଙ୍କ ଭାଗ୍ୟ ସହିତ ନିଜକୁ ଜଡ଼ିତ କରି ସେ ମାଟି କାମୁଡ଼ି ପଡ଼ିରହିଥିଲା ସେଇ ଅପନ୍ତରା ଧୋଇଆ ଅଞ୍ଚଳରେ ।

 

ମହାନଦୀର ଯେଉଁ ଖରସ୍ରୋତା ଶାଖାନଦୀ ତା’ ଅଞ୍ଚଳର ଦେଢ଼ଶହ ଗ୍ରାମର ସୁଖ, ସୌଭାଗ୍ୟ ସହ ଅଦଉତି କରି ଦାଉ ସାଧେ; ସେଇ ଶାଖା ନଦୀରେ ଏକ ବନ୍ଧ କରି ଲୋକଙ୍କୁ ବଞ୍ଚାଇବା ପାଇଁ ସଂଗ୍ରାମ ଆରମ୍ଭ କରିଥିଲା ବିଶ୍ଵଜିତ୍‍ ।

 

କିନ୍ତୁ ସରକାର ତା’ର ଏ ଉଦ୍ୟମରେ ପ୍ରତିବନ୍ଧକ ହେଲେ ।

 

ଶାଖାନଦୀରେ ବନ୍ଧ ହେଲେ ତା’ ଅଞ୍ଚଳର ଦେଢ଼ଶହ ଗ୍ରାମର ଚିର ଦୁର୍ଦ୍ଦଶା-ପ୍ରପୀଡ଼ିତ ଲୋକେ ଉପକୃତ ହେବେ ସତ; କିନ୍ତୁ ସେ ବନ୍ଧ ଫଳରେ ନଦୀର ପାଣି କେନାଲ ଆରପଟ ଆଉ କେତେକ ଅଞ୍ଚଳକୁ ଗ୍ରାସ କରିବ, ଯେଉଁ ଅଞ୍ଚଳରେ ସରକାରୀ ଦଳରେ ଥିବା ଜଣେ ବଡ଼ କର୍ମକର୍ତ୍ତାଙ୍କ କଳକାରଖାନା ପ୍ରତିଷ୍ଠିତ ।

 

ଗୋଟିଏ ପଟେ ଦେଢ଼ଶହ ଗ୍ରାମର–ସହସ୍ର ସହସ୍ର ନରନାରୀ, ସୁନାର ଫସଲ, ଅପରପଟେ ସରକାରୀ ରାଜନୈତିକ ଦଳର ବଡ଼ପଣ୍ତାଙ୍କ କଳକାରଖାନା, ଲକ୍ଷ ଲକ୍ଷ ଟଙ୍କାର ମୁନାଫା ।

 

ଗୋଟିଏ ପଟେ ସରକାରୀ ରାଜନୈତିକ ଦଳର ଅପରାଜେୟ ସରକାରୀ ଶକ୍ତି, ଅନ୍ୟପଟେ ଉଚ୍ଚ ଶିକ୍ଷିତ ବିଶ୍ଵଜିତ୍‍ର ଆଦର୍ଶବାଦ, ସହସ୍ର ସହସ୍ର ପ୍ରପୀଡ଼ିତ ନିଃସ୍ଵ ଜନତା !

 

କେନାଲ ଆରପଟ ବାଲିପଡ଼ିଆର ସେଇ କାରଖାନା ଚିମିଣିର କଳାଧୂଆଁ ଦେଖି ଆଜ୍ଞାତ ଏକ ଅଦମିତ କ୍ରୋଧରେ ବିଶ୍ଵଜିତ୍‍ ଛାତିର ମାଂସପେଶି ଫୁଲିଫୁଲି ଉଠେ । ତା’ର ମନେହୁଏ, ଏଇ କଳ-କାରଖାନାର ଚିମିନି ଧୂଆଁରେହିଁ ତା’ ଅଞ୍ଚଳର ଦେଢ଼ଶହ ଗ୍ରାମର ଲୋକଙ୍କ ଭାଗ୍ୟରେ ପ୍ରତିବର୍ଷ କଳାକନା ବୁଲୁଚି-ଖରସ୍ରୋତା ଶାଖାନଦୀର ଡାଆଣୀ ବନ୍ୟା ଜଳରେ ନୁହେଁ ।

 

ନଦୀରେ ବନ୍ଧ ପକାଇବାକୁ ଲୋକଙ୍କୁ ମତାଇ କାରଖାନା ମାଲିକଙ୍କ ବିରୁଦ୍ଧରେ ବିଶ୍ଵଜିତ୍‍ କିପରି ଏକ ବ୍ୟାପକ ଗଣଆନ୍ଦୋଳନ ଗଢ଼ି ତୋଳିଲା, ସେ ଇତିହାସ ଅତି ରୋମାଞ୍ଚକର-

 

ଦୁଃଖ ସହିବାରେ ଚିର ଅଭ୍ୟସ୍ତ, ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିବାରେ ସଦା ଅନଭ୍ୟସ୍ତ ନିରୀହ ନିଃସ୍ଵ ଜନତା ପ୍ରାଣରେ ବିପ୍ଳବର ବହ୍ନି-ପ୍ରଜ୍ଵଳିତ କରି ଅସାଧ୍ୟ ସାଧନ କରିଥିଲା ବିଶ୍ଵଜିତ୍‍ । ସରକାରୀ ଶାସନର ବିବରଣୀରେ ବାମପନ୍ଥୀ, ଉଗ୍ର ବିପ୍ଳବୀ ବୋଲି ନିନ୍ଦିତ ହୋଇଥିଲେ ସୁଦ୍ଧା, ନିଃସ୍ଵାର୍ଥପର ଜନନେତା ଭାବରେ ବିପୁଳ ଗୌରବ ସେ ଲାଭ କରିଥିଲା । କେବଳ ନିଜ ଅଞ୍ଚଳରେ ନୁହେଁ; ଓଡ଼ିଶାର ଲକ୍ଷ ଲକ୍ଷ ମେହନତି ଜନତାର ମନରେ ଆଦର୍ଶବାଦୀ ବିପ୍ଳବୀ ଭାବରେ ସେ ସମ୍ମାନ ଲାଭ କରିଥିଲା ।

ବିଶ୍ଵଜିତ୍‍ କୌଣସି ପାର୍ଟିରେ ଯୋଗ ଦେଇ ନ ଥିଲା; କୌଣସି ଦଳର ପତାକା ଧରି ନ ଥିଲା । ଶୋଷଣ ଅତ୍ୟାଚାର ବିରୁଦ୍ଧରେ କେବଳ ସେ ଉତ୍ତୋଳିତ କରିଥିଲା ନିଜର ଉଦ୍ଦାତ୍ତ କଣ୍ଠସ୍ଵର । ତା’ର ସେହି ସ୍ଵର ଝଙ୍କାରରେ ସହସ୍ର ସହସ୍ର ଗ୍ରାମିଣ ନରନାରୀ ସରକାରୀ ଅତ୍ୟାଚାର ଅନାଚାର ପ୍ରତିରୋଧ ପାଇଁ ମରଣ ମୁହଁକୁ ଲମ୍ଫ ଦେଇଥିଲେ । ତା’ର ଇଙ୍ଗିତମାତ୍ରେ ଖରସ୍ରୋତା ଶାଖା ନଦୀର ବନ୍ୟାଜଳ ଭଳି ଉଦବେଳିତ ହୋଇ ସେମାନେ ପୋଲିସର ଲାଠି, ଗୁଳି, କଳମାଲିକଙ୍କ ଭଡ଼ାଟିଆ ଗୁଣ୍ତାଙ୍କ ଲାଠି ମୁହଁକୁ ଡେଇଁ ପଡ଼ୁଥିଲେ ।

ସରକାରୀ ଶାସନ ଦିନେ ସ୍ତବ୍ଧ ହୋଇ ଯାଇଥିଲା ।

ନିସ୍ତବ୍ଧ ହୋଇ ପଡ଼ୁଥିଲା ଦିନେ ଦିନେ ସରକାରୀ ରାଜନୈତିକଦଳର ବଡ଼ପଣ୍ତା ପ୍ରତାପକେଶରୀ ସାମନ୍ତସିଂହାରଙ୍କ କଳ, କାରଖାନା ।

ବିଶ୍ଵଜିତର ଗୌରବ, ସୁନାମ ଖରସ୍ରୋତା ଶାଖା ନଦୀର ବ୍ୟୂହ ମଧ୍ୟରେ ଥିବା ଧୋଇଆ ଗ୍ରାମର ସୀମା ଅତିକ୍ରମ କରି ଓଡ଼ିଶାର ଗ୍ରାମ, ନଗର ମଧ୍ୟରେ ପରିବ୍ୟାପ୍ତ ହୋଇ ଯାଇଥିଲା ।

ପ୍ରତାପକେଶରୀ ସାମନ୍ତସିଂହାର ସହସ୍ର କଣ୍ଠରେ ମଧ୍ୟବିତ୍ତ ବିଶ୍ଵଜିତ୍‍ର ଜୟଧ୍ଵନି ଶୁଣି ଚକିତ ହୋଇଉଠୁଥିଲେ । ଆଖି ଆଗରେ ତାଙ୍କର ନାଚି ଉଠିଥିଲା ବର୍ଷ କେତୋଟି ତଳର ଦୃଶ୍ୟ । ନିଜ କନ୍ୟା ମଞ୍ଜୁଳିକା ସହ ନିଜ ଘରେ ସେ ଦେଖିଥିଲେ ବିଶ୍ଵଜିତକୁ ବର୍ଷ କେତୋଟି ତଳେ । ବିଶ୍ଵଜିତ୍‍ ସେତେବେଳେ ନୂଆ ନୂଆ କଲେଜ ଛାତ୍ର । ଲୋକମୁଖରୁ ସେ ଶୁଣିବାକୁ ପାଇଲେ ମଞ୍ଜୁଳିକାସହ ବିଶ୍ଵଜିତ୍‍ର ପ୍ରେମ, ପ୍ରଣୟ ବୋଲି କୌଣସି ଏକ ଅସମ୍ଭବ ସଂପର୍କ ଗଢ଼ି ଉଠୁଛି ।

ମଞ୍ଜୁଳିକାକୁ ସାବଧାନ କରି ଦେଇ ବିଶ୍ଵଜିତ୍‍କୁ ଅପମାନିତ କରି ସେ ଫେରାଇ ଦେଇଥିଲେ । ନିଜର ପୁଞ୍ଜିବାଦୀ ଆଭିଜାତ୍ୟର ଇସ୍ପାତରେ କଳଙ୍କି ଲାଗିବାର ଆଶଙ୍କାରେ ବିଶ୍ଵଜିତ୍‍କୁ ଚରମ ଭାବରେ ଅପମାନିତ କରିବାଲାଗି ତାଙ୍କର କୁଣ୍ଠା ହୋଇ ନ ଥିଲା ।

ସେହି ଅପମାନର ପ୍ରତିଶୋଧ ନେବାପାଇଁ ହୁଏତ ବିଶ୍ଵଜିତ୍‍ ବିପ୍ଳବୀର ଭେକ ଧରିଛି ବୋଲି ତାଙ୍କର ପ୍ରଥମେ ମନେହେଲା । ପୁରୁଷସିଂହ ପ୍ରତାପକେଶରୀ ଜାଣିଥିଲେ, ତାଙ୍କର ଭଡ଼ାଟିଆ ଗୁଣ୍ତା ଆଉ ସରକାରୀ ପୋଲିସର ଗୁଳି ଆଗରେ ବିଶ୍ଵଜିତ୍‍ର ବିପ୍ଳବ ଫୁଲଝୁରି ବାଣର ଅଲୋକ ଭଳି କ୍ଷଣେମାତ୍ର ଜଳିଉଠି ଚିରଦିନପାଇଁ ନିର୍ବାପିତ ହୋଇଯିବ ।

କିନ୍ତୁ…

କିନ୍ତୁ ତାଙ୍କର ସେ ଗଣନା ଭୁଲ ବୋଲି ପ୍ରମାଣିତ ହେଲା । ଦିନକୁ ଦିନ ବିଶ୍ଵଜିତର ନେତୃତ୍ଵରେ ଅରଣ୍ୟର ଅଗ୍ନି ଭଳି ମାତିଉଠିଲା ଗଣବିପ୍ଳବ । ପ୍ରତାପକେଶରୀ ଆଶଙ୍କା କଲେ, ହୁଏ ତ’ ଜନମତର ଚାପରେ ଖରସ୍ରୋତା ଶାଖାନଦୀରେ ପ୍ରକୃତରେ ଇଟା ସିମେଣ୍ଟର ସୁଦୃଢ଼ ବନ୍ଧ ବନ୍ଧା ହେବ…ତାଙ୍କର କାରଖାନା ଅଞ୍ଚଳ ବନ୍ୟାଜଳରେ ହେବ ନିମଗ୍ନ, ବିଧ୍ଵସ୍ତ !

ନିଜ କାରଖାନାର ଲବ୍ଧ ପୁଂଜିରୁ ସେ ଅଜସ୍ର ଅର୍ଥ ଚାନ୍ଦା ଦିଅନ୍ତି ସରକାରୀ ରାଜନୈତିକ ଦଳକୁ…ଏ ଅଞ୍ଚଳରେ ସରକାରୀ ରାଜନୈତିକ ଦଳକୁ ଜୟଯୁକ୍ତ କରାଇବା ନିର୍ଭର କରେ ତାଙ୍କର ସାହାଯ୍ୟ ସମର୍ଥନ ଉପରେ ।

ଯଦି ପ୍ରକୃତରେ ଖରସ୍ରୋତା ଶାଖା ନଦୀରେ ବନ୍ଧ ହୁଏ !

ପ୍ରତାପକେଶରୀ ହୋ’ ହୋ’ ହୋଇ ହସିଉଠନ୍ତି । ଭାବନ୍ତି, ତାହାହେଲେ କେବଳ ତାଙ୍କର କାରଖାନା ଅଞ୍ଚଳ ନୁହେଁ; ସରକାରୀ ଦଳର ନିର୍ବାଚନ ବିଜୟସ୍ତମ୍ଭ ମଧ୍ୟ ଖରସ୍ରୋତା ଶାଖାନଦୀରେ ଜଳମଗ୍ନ ହେବ…

ଏ ଦୁର୍ଘଟଣା କେବେହେଲେ ସେ ଘଟିବାକୁ ଦେବେ ନାହିଁ । ଏ ଦେଶର ରାଜନୀତିର ଅଭିଧାନରେ ଅନ୍ୟାୟ ବୋଲି କୌଣସି ଶଦ୍ଦ ନାହିଁ । ବିଶ୍ଵଜିତ୍‍ ଯେତେ ବଡ଼ପାଟି କଲେ ମଧ୍ୟ ସେ କଥା ସେ କାନକୁ ନେବେ ନାହିଁ; ସରକାରଙ୍କ କାନରେ ସେ ଏ ଧ୍ଵନିର ପ୍ରତିଧ୍ଵନି ପ୍ରବେଶ କରିବାକୁ ଦେବେ ନାହିଁ ।

ପ୍ରତାପକେଶରୀଙ୍କ ଦୃଷ୍ଟିର ଘୂର୍ଣ୍ଣି ମଧ୍ୟରେ ଅନେକ ଅନ୍ୟାୟ ପରି କଳ୍ପନାର ଚିତ୍ର ଆବର୍ତ୍ତିତ ହେବାକୁ ଲାଗିଲା ।

ଆଉ ବିଶ୍ଵଜିତ୍‍…!

ଆଦର୍ଶବାଦୀ ବିପ୍ଳବୀ ବିଶ୍ଵଜିତ୍‍ର ଜୀବନରେ ହଠାତ୍‍ ଦିନେ ଲାଗିଲା ବସନ୍ତର ସ୍ପର୍ଶ । ନଦୀବନ୍ଧ ନିର୍ମାଣ ଆନ୍ଦୋଳନ ଯେତେବେଳେ ସଫଳତାର ଶେଷ ସୋପାନ ଆରୋହଣ କରିବା ଅବସ୍ଥାକୁ ଆସିଯାଇଛି; ସେଦିନ ନିଜର ବିପ୍ଳବ-ବନ୍ଧୁର ନିଛାଟିଆ ଜୀବନଯାତ୍ରା ପଥରେ ସେ ଭେଟିଲା ଏକ ପ୍ରାଣୟଭୀରୁ ସୁକୁମାରୀ ତରୁଣୀ କନ୍ୟା ।

 

ତା’ ଆନ୍ଦୋଳନର ସଫଳତା କାମନା କରି ପ୍ରଥମେ ଖଣ୍ତେ ଚିଠି ଲେଖିଥିଲା ବିଶ୍ଵବିଦ୍ୟାଳୟର ଏମ୍‍. ଏ. ଡିଗ୍ରୀଧାରିଣୀ ଅପରିଚିତା ପ୍ରଣତି । ପରେ ତା’ ବ୍ୟକ୍ତିତ୍ଵରେ ମୁଗ୍ଧ ହୋଇ ସେଇ ପ୍ରଣତି ହେଲା ତା’ର ପ୍ରଣୟିନୀ ।

 

କେବଳ ତା’ର ଆଦର୍ଶର ଶୁଭାକାଂକ୍ଷିଣୀ ଭାବରେ ନୁହେଁ, ପ୍ରଣତି ଯେଉଁଦିନ ନିଜ ତରଫରୁ ଚାହିଁଲା ବିଶ୍ଵଜିତ୍‍ର ବନ୍ଧୁର ଜୀବନଯାତ୍ରାପଥର ସହଯାତ୍ରିଣୀ ହେବାକୁ, ସେଦିନ ଅନେକ ସଂଶୟ, ଅସୁମାରୀ ଆବେଗରେ ହୃଦୟ ତା’ର ସ୍ପନ୍ଦିତ ହୋଇ ଉଠିଥିଲା ।

 

ବିଶ୍ଵବିଦ୍ୟାଳୟର ଉଚ୍ଚ ଡିଗ୍ରୀଧାରୀ, ଆଦର୍ଶବାଦୀ ବିଶ୍ଵଜିତ୍‍ ନାରୀମାନଙ୍କ ସଂପର୍କରେ ଏକାନ୍ତ ଭାବରେ ସ୍ପର୍ଶକାତର । ତା’ର ମନେଅଛି, ଖୁବ୍‍ ପିଲାଦିନୁ ଈଶ୍ଵର ଆଉ ପୁଞ୍ଜିପତିଙ୍କ ଉପରେ ତା’ର କେମିତି ଏକ ଘୃଣା ବ୍ୟଞ୍ଜକ ଅନାସ୍ଥାଭାବ ଆସି ଯାଇଥିଲା । କିଶୋର ଜୀବନରେ ମଞ୍ଜୁଳିକା ବ୍ୟାପାର ନେଇ ଏଇ ଈଶ୍ଵର, ପୁଞ୍ଜିପତିମାନଙ୍କ ସହିତ ନାରୀମାନଙ୍କୁ ମଧ୍ୟ ସେ ଶତ୍ରୁ ଦୃଷ୍ଟିରେ ଦେଖିବାକୁ ଲାଗିଲା । ସେମାନଙ୍କଠାରୁ ଦୂରରେ ଦୂରରେ ରହିବାକୁ ଚେଷ୍ଟା କରିଥିଲା ।

 

ଅନ୍ୟର ଧନ ଅନ୍ୟାୟଭାବରେ ଶୋଷଣ କରି ଯେଉଁମାନେ ପୁଂଜିପତି ବା ବଡ଼ଲୋକ ହୋଇଥାଆନ୍ତି, ସେମାନଙ୍କ ପ୍ରତି ଘୃଣା ବିଶ୍ଵଜିତର ଆବାଲ୍ୟରୁ । ତା’ର କାରଣ ହୁଏ ତ ତା’ର ନିଜର ମଧ୍ୟବିତ୍ତ ଆର୍ଥିକ ଅବସ୍ଥା ।

 

ଛାତ୍ର ଅବସ୍ଥାରେ ଧୂଳିଧୂସରିତ ରାସ୍ତାରେ ଠିଆ ହୋଇ ଶ୍ରମ ନ କରି ଶୋଷଣ ଦ୍ଵାରା ବଡ଼ ହୋଇଥିବା ଏଇ ବଡ଼ଲୋକଙ୍କ କୋଠାମାନଙ୍କୁ ସେ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁରହେ । ଅନେକ କୁଡ଼ିଆ ଘର ଭଙ୍ଗା ହୋଇ ଏଇ ଗୋଟିଏ ଗୋଟିଏ କୋଠା ଘର ତୋଳା ହୋଇଛି ଜାଣିବା ପରେ ତୀବ୍ର ଘୃଣାରେ ସ୍ଫୁରିତ ହୁଏ ନାସାରନ୍ଧ୍ର ।

 

ଈଶ୍ଵରଙ୍କ ଉପରେ ମଧ୍ୟ ତା’ର ଘୃଣା ଠିକ୍‍ ଏଇ ଦୃଷ୍ଟରୁ, କାରଣ ଅନେକ ଫୁଲ ଗଛକୁ ନାଣ୍ତିଆଁ କରି ଗୋଟିଏ ମନ୍ଦିରର ଈଶ୍ଵର ବିଗ୍ରହ ଗଳାରେ ଶୋଭାପାଏ ଅଜସ୍ର ଫୁଲର ମାଳ !

 

ଫୁଲ ବଗିଚାକୁ ନାରଖାର କରି ନିଜ ବେକକୁ ଫୁଲହାରରେ ଭାରାକ୍ରାନ୍ତ କରୁଥିବା ଈଶ୍ଵର ଆଉ ଅନେକ ନିରୀହ ଚାଳିଘରକୁ ଛିନ୍‍ଛତ୍ର କରି ଗୋଟିଏ କୋଠାଘରେ ପୁଞ୍ଜି ଠୁଳ କରୁଥିବା ବଡ଼ଲୋକଙ୍କ ସହିତ ନାରୀମାନଙ୍କୁ ମଧ୍ୟ ଘୃଣା କରିବାକୁ ଆରମ୍ଭ କଲା ବିଶ୍ଵଜିତ୍‍, ମଞ୍ଜୁଳିକାର ସାନ୍ନିଧ୍ୟରେ ଆସିବା ପରେ । କାରଣ ଅନେକ ପୁରୁଷଙ୍କୁ ହତାଶାର ହାହାକାର ଭିତରକୁ ଠେଲି ଦେଇ ଜଣିଏ ଜଣିଏ ନାରୀ ସୁଖୀ ହୁଅନ୍ତି !

 

ଦୂରନ୍ତ ଝଡ଼ର ଝଙ୍କାର ଭଳି ଏଇ ନାରୀ ନାମକ ଅଜବ ପ୍ରାଣୀଗୁଡ଼ିକ ହଠାତ୍‍ କେମିତି ପୁରୁଷ ଜୀବନରେ ପ୍ରବେଶ କରନ୍ତି, ସେ କଥା ବୁଝି ପାରେନାହିଁ ବିଶ୍ଵଜିତ୍‍ । କିନ୍ତୁ ତା’ ଜୀବନରେ ମଞ୍ଜୁଳିକାର ପ୍ରବେଶ ଠିକ୍‍ ଏମିତି ଅନାହୂତ ଭାବରେ ଘଟିଥିଲା ।

 

କିଛି ମିଠା ମିଠା ସ୍ଵପ୍ନ ଆଉ ଅର୍ଦ୍ଧ ମୁକୁଳିତ କଳ୍ପନାକୁ ମନରେ ଭରି ବିଶ୍ଵଜିତ୍‍ ଯେଉଁଦିନ ଅପୋଗଣ୍ତ କିଶୋର ଜୀବନରେ ବାଟଭାଙ୍ଗି ଚାଲି ଯାଉଥିଲା, ହଠାତ୍‍ ମଞ୍ଜୁଳିକା ସହ ହୁଏ ତା’ର ପରିଚୟ ।

 

ତା’ପରେ ଯେଉଁଦିନ ପ୍ରତାପକେଶରୀଙ୍କ ଦ୍ୱାରା ଅପମାନିତ ହୋଇ ସେ ଫେରିଲା, ଦାନ୍ତ ଦେଖାଇ ଦେଖାଇ ହସି ହସି ମଞ୍ଜୁଳିକା ବିଦ୍ରୁପ କରି କହିଥିଲା, ‘ତମେ ବଡ଼ଲୋକ ହେଲନାହିଁ କାହିଁକି ? ବଡ଼ଲୋକ ଛଡ଼ା ମୁଁ କାହାକୁ ଭଲପାଇବି ନାହିଁ ବୋଲି ତ’ ବାପା ମତେ ମନା କରିଛନ୍ତି-!’

 

ମଞ୍ଜୁଳିକାକୁ ସେ ଭଲ ପାଇଥିଲା ? ସେ କଥା ଭାବିଲେ ଆଜି ବିଶ୍ଵଜିତ୍‍ ବି ହସେ । ମଞ୍ଜୁଳିକା ତା’ର ନିର୍ବୋଧ କୈଶୋରର ସ୍ମୃତି । ଦେହ, ମନ–ଏସବୁ କଥା ବୁଝିବାର ଅଭିଜ୍ଞତା ତା’ର ଆସି ନ ଥିଲା ସେଦିନ । ଭଲ ପାଇବାର କାରଣ ମଧ୍ୟ ସେ ଜାଣି ନ ଥିଲା । ସେଥିପାଇଁ ଅଯଥାରେ ସେ ଅପମାନିତ ହେଲା । ଆହତ ହେଲା । ଜୀବନରେ ଗୋଟିଏ ଶିକ୍ଷା ଲାଭ କଲା ଯେ ଈଶ୍ଵର, ବଡ଼ଲୋକ ଆଉ ନାରୀ–ଏମାନଙ୍କ ଉପରେ ଅଯଥାରେ ବିଶ୍ଵାସ ସ୍ଥାପନ କଲେ ବିପଦରେ ପଡ଼ିବାକୁ ହୁଏ ।

 

ମଞ୍ଜୁଳିକା ବିଶ୍ଵଜିତ୍‍ର ସୁକୁମାର କିଶୋର ମନକୁ କୀଟ ଦଂଷ୍ଟ କରି ଦେଇଥିଲା । ଆଉ ମିନି ଅପାର ସଂସ୍ପର୍ଶରେ ଆସି ନଥିଲେ ସେ କେବେ ହୁଏ ତ ଜୀବନରେ ନାରୀ ନାମକ ଏ ଅଜବ ପ୍ରାଣୀମାନଙ୍କୁ ବିଶ୍ଵାସ କରି ନ ଥାନ୍ତା ।

 

ମିନି ଅପାର କଥା ଏତେ ମନେ ପଡ଼ୁଛି କାହିଁକି ?

 

ଗାଆଁର ବରଜୁ ବଡ଼ବାପାଙ୍କ ଝିଅ ମିନି ଅପା । ରୁପ ଗୁଣରେ ଯେତିକି ସେ ଶୁଭ୍ର, ସତେଜ–ଆର୍ଥିକ ଦୁରବସ୍ଥା ଦୃଷ୍ଟିରୁ ପରିବାର ତା’ର ସେତିକି ନିଃସହାୟ ।

 

ବରଜୁ ବଡ଼ବାପା ମିନି ଅପା ପାଇଁ ଯୌତୁକ ଯୋଗାଡ଼ କରି ପାରିନଥିଲେ ବୋଲି ବାହାଘର ତା’ର ଅନେକ ବର୍ଷ ପଛେଇ ଯାଇଥିଲା । ଗାଆଁରେ ସମସ୍ତେ ଧରି ନେଇଥିଲେ, ମିନି ଅପା ବାଛନ୍ଦ ପଡ଼ିଗଲା, ଆଉ ବାହା ହୋଇପାରିବ ନାହିଁ ।

 

କିନ୍ତୁ ଦିନେ ହଠାତ୍‍ ଗୋଟିଏ ଅଘଟଣ ଘଟିଲା ।

 

ମିନି ଅପା ଯାତ୍ରା ଦେଖି ଯାଇଥିଲା ମକର ମେଳାକୁ । ସେଠାରେ କଟକରୁ ଆସିଥିବା ଜଣେ ମଟରଚଢ଼ା ବାବୁ ମିନି ଅପାର ଚେହେରା ଦେଖି ଲୋଭରେ ପଡ଼ିଗଲେ । ବିନା ଯୌତୁକରେ ମିନି ଅପା ପାଇଁ ବାହାଘର ପ୍ରସ୍ତାବ ଆସିଲା ।

 

ବିଶ୍ଵଜିତର ଗାଆଁକୁ ବର ସବୁ ଆସନ୍ତି ପାଲିଙ୍କିରେ । ମିନି ଅପା ବର କିନ୍ତୁ ଖରାଦିନର ଶୁଖିଲା ନଈ ଭିତରେ ବାଲି ଠେଲି ଠେଲି ଜିପରେ ଆସିଲେ ।

 

ବିଶ୍ଵଜିତ ବୟସ ସେତେବେଳେ ୧୫ କିମ୍ଵା ୧୬ । ମିନି ଅପା ବିଦାହୋଇ ଗଲାବେଳେ ତାକୁ ଧରି ବହେ ବାହୁନି ବାହୁନି କାନ୍ଦିଥିଲା । ବିଶ୍ଵଜିତ୍‍ ବି ବିଶେଷ କିଛି କାରଣ ନ ବୁଝି ମିନି ଅପା ସାଙ୍ଗରେ ଅସରାଏ କାନ୍ଦିଥିଲା । ମିନି ଅପା ଆଖିର ଲୁହ ତା’ ପାଟିରେ ପଶି ଯେତେବେଳେ ଲୁଣିଆ ଲୁଣିଆ ଲାଗିଲା, ସେତେବେଳେ ତା’ର ହଠାତ୍‍ ଧାରଣା ହେଲା ଯେ, ମିନି ଅପା କାନ୍ଦି କାନ୍ଦି ନୟାନ୍ତ ହେଲାଣି । ଏ କାନ୍ଦଣା ଲୋକଦେଖା ଧରାବନ୍ଧା କନ୍ୟାକାନ୍ଦଣା ନୁହେଁ ।

 

ତା’ର କିଛି ବର୍ଷ ପରେ ବିଶ୍ଵଜିତ୍‍ ଶୁଣିଲା, ମିନିଅପା ବଡ଼ ଘରର ବର ପାଇ ସୁଖୀ ହୋଇନି, ଠକି ଯାଇଛି । ବର ତା’ର ମଦ ଖାଆନ୍ତି, ଜୁଆ ଖେଳନ୍ତି, ଖରାପ ସ୍ତ୍ରୀ’ଲୋକଙ୍କ ସାଙ୍ଗରେ ସଂପର୍କ ରଖନ୍ତି । କଟକରେ ଯେଉଁଦିନ ମିନି ଅପା ସାଙ୍ଗରେ ଦେଖାହେଲା, ସେତେବେଳକୁ ବିଶ୍ଵଜିତ୍‍ ବଡ଼ ହୋଇଛି । ନେତା ବୋଲି କିଛି ସମ୍ମାନର ଅଧିକାରୀ ମଧ୍ୟ ହୋଇପାରିଛି ।

 

ମିନି ଅପାର ବର ମଦ ଖାଏ, ଜୂଆଖେଳେ ବୋଲି ସେ ଜାଣିଥିଲା । କିନ୍ତୁ ବିସ୍ମିତ ହୋଇ ନ ଥିଲା । କାରଣ ସେ କଣ୍ଟ୍ରାକ୍ଟର–ନିଜେ ପରିଶ୍ରମ ନ କରି ମୁଲିଆ, ମିସ୍ତ୍ରୀଙ୍କ ପରିଶ୍ରମକୁ ଠିକା ନେଇ ଟଙ୍କା ରୋଜଗାର କରନ୍ତି । ପଇସା ରୋଜଗାର ପାଇଁ ପରିଶ୍ରମ ପଡ଼ୁ ନ ଥିବାରୁ ପଇସା କେମିତି ବରବାଦ ହେଉଛି, ସେଥିପାଇଁ ଚିନ୍ତା ନାହିଁ । ବରଂ ପଇସାକୁ ମଦ, ଜୂଆ ଖେଳରେ ଉଡ଼ାଇବାରେ ହିଁ ତାଙ୍କୁ କିଛି ପରିଶ୍ରମ କରିବାକୁ ହୁଏ !

 

କିନ୍ତୁ ମଦ ଖାଇ, ଜୁଆଖେଳି ରାତି ଅଧରେ ଫେରି ମିନି ଅପାକୁ ଅଯଥାରେ ମାଡ଼ ଦିଅନ୍ତି ବୋଲି ସେ ଯେତେବେଳେ ଶୁଣିଲା, ରକ୍ତ ତା’ର ଟକମକ ହୋଇ ଫୁଟିଉଠିଲା ।

 

ସେ ପାଟିକରି ଉଠିଲା, ‘ମୋର ଯଦି ସେ ଦେଖା ପଡ଼ନ୍ତେ ତେବେ ସତ କହୁଛି ମିନି ଅପା ! ତାଙ୍କ ନିଶା ଛଡ଼େଇ ଦିଅନ୍ତି ସେ ମଣିଷ ନୁହେଁ ପଶୁ ।’

 

ନିଜ ଜୀବନର ବ୍ୟଥାର କାହାଣୀ ମିନି ଅପା ତାକୁ କାନ୍ଦି କାନ୍ଦି କହୁଥିଲା । ତା’ କଥା ଶୁଣି ତା’ ଆଖି ଲୁହ ବଦଳରେ ବିଚିତ୍ର ଏକ ତେଜ ଝଲମଲ କରିଉଠିଲା ।

 

ନିଜ କାନରେ ହାତ ଦେଇ ସେ ଚିକ୍ତାର କରିଉଠିଲା, ‘ଚୁପ ! ମୋ ବରକୁ ଶାସନ କରିବାକୁ ତୁ କିଏ ?’

 

ବିଶ୍ଵଜିତ୍‍ ବିସ୍ମୟରେ ବିମୂଢ଼ ହୋଇଗଲା ।

 

କିଛି ସମୟ ପରେ ମିନିଅପା ଆଖି କୋଣରେ ସ୍ନେହ ସରାଗର ବିଜୁଳି ଖେଳାଇ କହିଲା, ‘ଯେତେ ଖରାପ ଥିଲେ ବି ସେ ନିଜର ସ୍ଵାମୀ, ଈଶ୍ଵର । ତାଙ୍କୁ ଏମିତି କଥା କହନ୍ତି !’

 

ମିନିଅପା ଠାରୁ ଅଭିଜ୍ଞତା, ଶିକ୍ଷାରେ ବଡ଼ ବୋଲି ବିଶ୍ଵଜିତ୍‍ର ଯେଉଁ ଅହଙ୍କାର ଥିଲା, ସେ ଅହଙ୍କାର ଭାଙ୍ଗି ଟିକି ଟିକି ଗୁଣା ହୋଇଗଲା । ଅପରାଧୀଟି ଭଳି ମୁଣ୍ତ ତଳକୁ ପୋତି ସେ କହିଲା, ‘ବିବାହ କରି ତୁ କଅଣ ସୁଖୀ ହେଇଛୁ ମିନିଅପା ! ବର ନ ମିଳି ବାଡ଼ୁଅ ରହିଥିଲେ କଅଣ ତୁ ଦୁଃଖରେ ଥାଆନ୍ତୁ ?’

 

ବିଶ୍ଵଜିତ୍‍ର ଅଲରା ମୁଣ୍ତବାଳ କେତୋଟିକୁ ସାଉଁଳି ଦେଉଁ ଦେଉଁ ମିନିଅପା ସ୍ନେହଭରା କଣ୍ଠରେ କହିଥିଲେ, ‘ନାରୀ କେବଳ ନିଜକୁ ସୁଖୀ କରିବାକୁ ବିବାହ କରେନି । ଅନ୍ୟକୁ ସୁଖୀ କିରିବାରେ ତା’ର ଗୌରବ, ଆନନ୍ଦ । ତାଙ୍କର ପତନ ପାଇଁ ମନରେ ଦୁଃଖ ହୁଏ; କିନ୍ତୁ ରାଗ ହୁଏନାହିଁ । ବାହା ହୋଇନୁ–ଏ ସବୁ କଥା ତୁ ଆଜି ବୁଝିପାରିବୁ ନାହିଁ ।

 

ତା’ପରେ ନଇଁ ପଡ଼ିଥିବା ମୁହଁକୁ ଉପରକୁ ଉଠାଇ ବିଶ୍ଵଜିତ୍‍ ମିନି ଅପାକୁ ଚାହିଁଥିଲା । ମିନିଅପାର ଯନ୍ତ୍ରଣା ଜର୍ଜ୍ଜରିତ ମୁହଁରେ ସେ ଯେଉଁ ବିଲୋଳ ହସର ଲାସ୍ୟଲୀଳା ଦେଖିଥିଲା, ସେ ହସ ଠିକ୍‍ ତା’ ବୋଉ ମୁହଁର ହସଭଳି ତା’ର ମନେ ହୋଇଥିଲା ।

 

ମିନିଅପା ପାଖରୁ ସେଦିନ ଫେରିବା ପରେ ଆଶ୍ଚର୍ଯ୍ୟ ଭାବରେ ମଞ୍ଜୁଳିକା ପ୍ରତି ଥିବା ତା’ର ଘୃଣା, ହେୟଭାବ ହ୍ରାସ ପାଇଗଲା । ତା’ର ଧାରଣା ହୋଇଥିଲା ମଞ୍ଜୁଳିକା ଯଦି ବଡ଼ଲୋକ ଘରେ ଜନ୍ମ ନ ହୋଇ ବରଜୁ ବଡ଼ବାପାଙ୍କ ଭଳି ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ ଥାଆନ୍ତା, ତା’ହେଲେ ସେ ହୁଏ ତ’ ମିନିଅପା ଭଳି ମମତାମୟୀ ନାରୀ ହୋଇପାରି ଥାଆନ୍ତା ।

 

ଖରସ୍ରୋତା ଶାଖାନଦୀ ବନ୍ଧ ନିର୍ମାଣ ଆନ୍ଦୋଳନର ଅଗ୍ନିରେ ଝାସ ଦେଇ ମଞ୍ଜୁଳିକା, ମିନିଅପା–ଏ ସମସ୍ତଙ୍କ କଥା ପାଶୋରି ପକାଇଥିଲା ବିଶ୍ଵଜିତ୍‍ । ପ୍ରଣତିର ପ୍ରଣୟ ନିବେଦନ ପରେ ପୁଣି ସେ କଥା ଗୋଟି ଗୋଟି ତା’ର ମନେ ପଡ଼ିଲା ।

 

ପ୍ରଣତିକୁ ସେ ସ୍ପଷ୍ଟଭାବରେ ବୁଝାଇଥିଲା, ମଞ୍ଜୁଳିକାର ମନର ସଂକୀର୍ଣ୍ଣତା ଯୋଗୁ ତା’ର କୈଶୋର ଜୀବନ ବିଷାକ୍ତ ହୋଇଯାଇଛି, ଆଉ କୌଣସି ନାରୀ ପାଇଁ ତା’ର ତାରୁଣ୍ୟ କଳଙ୍କିତ ହେବ–ଏକଥା ତା’ ପକ୍ଷରେ ଅସହ୍ୟ ।

 

ପ୍ରଣତି ଉତ୍ତର ଦେଇଥିଲା, ତମ ଜୀବନର ବିଷପାନ କରି ମୁଁ ନୀଳକଣ୍ଠୀ ହେବି ବିଶ୍ଵଜିତ୍‍ ! ମତେ ପାଦରେ ଦୂରକୁ ଠେଲି ଦିଅ ନାହିଁ । ନାରୀ ଜୀବନରେ ଜଣିଏ ପୁରୁଷକୁ ଭଲ ପାଏ–ମୋ ଜୀବନରେ ତୁମେ ସେଇ ବହୁବାଞ୍ଚିତ ପୁରୁଷ ।

 

ନିଜର ସ୍ଥିତି, ଅବସ୍ଥିତି ସବୁ କଥା ଚିନ୍ତାକରି ବିଶ୍ଵଜିତ୍‍ ବୁଝି ପାରିନଥିଲା, କିପରି ତା’ଭଳି ଏକ କାଳ ବୈଶାଖୀର ଝଡ଼ ସହିତ ପାଦ ମିଳାଇ ଚାଲିବ ପ୍ରଣତି । ସେ ତାକୁ ନିରୁତ୍ସାହିତ କରିବା ପାଇଁ ନିଜର ଦୈନ୍ୟ, ସୃଷ୍ଟିଛଡ଼ା ଆଦର୍ଶ ଏବଂ ତାକୁ ବିବାହ କଲେ ଜୀବନର ସୀମାହୀନ ଦୁଃଖ, ଯନ୍ତ୍ରଣାର କାଳ୍ପନିକ ଚିତ୍ରସବୁ ଗୋଟି ଗୋଟି କରି ପ୍ରକାଶ କରିଥିଲା ।

 

ପ୍ରଣତି କିନ୍ତୁ ଅଟଳ, ଅଚଳ । ନିଜ ପ୍ରତିଜ୍ଞାରେ ଅବିଚଳିତ । ତା’ର ସେ ସ୍ନେହ, ପ୍ରେମ, କଷ୍ଟ ସହିବାର ଇଚ୍ଛା, ତ୍ୟାଗ କରିବାର ଶପଥ ପାଖରେ ବିଶ୍ଵଜିତର ଅମାନିଆ, ଅବୁଝା ମନ ବି ପୋଷା ମାନିଲା ।

 

ତା’ପରେ ପ୍ରଣତି ଆସିଲା ତା’ ଝଡ଼-ବିକ୍ଷୁବ୍ଧ ଉଦାସ ଜୀବନରେ ମଧୁ ବସନ୍ତର ମଳୟ ଭଳି । ଗୋଟିଏ ଝିଅ ଏତେ ଶାନ୍ତ, ଏତେ ସ୍ନିଗ୍ଧ, ଏତେ ମଧୁର ହୋଇପାରେ–ଅନୁଭୂତିର ମୂଲ୍ୟ ଦେଇ ପ୍ରଥମ ସେ କଥା ବୁଝିଲା ବିଶ୍ଵଜିତ୍‍ ।

 

ଅମୃତର ସ୍ପର୍ଶ ଦେଇ ପ୍ରଣତି ତାକୁ କଲା ସଞ୍ଜୀବିତ । ବିଶ୍ଵଜିତ୍‍ ତାରୁଣ୍ୟର ନିଦ୍ରାଭଙ୍ଗ ହେଲା । ତା’ ଦୁରନ୍ତ ମନର ପାହାଚେ ପାହାଚେ ପାଦ ରଖି ପ୍ରଣତି ଆସିଲା ତା’ ଦେହର ଅତି ନିକଟକୁ । ବିଶ୍ଵଜିତ୍‍ର ଶୋଣିତ ଗ୍ରନ୍ଥିରେ ନିକ୍ଵଣିତ ହେଲା ଆଦିମ ସଂଗୀତର ସେଇ ନୂପୁର ନିକ୍ଵଣ-। ଜୀବନରେ ଏତେ ସୁଖ, ଏତେ ଆନନ୍ଦ ପାଇ ବିଶ୍ଵଜିତ୍‍ ମୁହ୍ୟମାନ ହେଲା । ଆନନ୍ଦର ଆତିଶଯ୍ୟରେ ମଣିଷ ଯେ ଯନ୍ତ୍ରଣା ଅନୁଭବ କରେ, ବିଶ୍ଵଜିତର ତାହା ପ୍ରଥମ ଅନୁଭୂତି ।

 

ପ୍ରଣତିକୁ ସେ ବୁଝାଇଥିଲା; ଏତେ ଆନନ୍ଦ, ଏତେ ସୁଖ ମୁଁ ସହି ପାରିବି ନାହିଁ । ସ୍ନେହ, ପ୍ରେମ, ଶୁଭେଚ୍ଛା ଦେଇ ତମେ ମୋର ସମଗ୍ର ସତ୍ତାକୁ ଗ୍ରାସ କରିଛ । ଶ୍ଵାସରୁଦ୍ଧ ହୋଇ ଆସୁଛି । ତମେ ମତେ ଏ ବନ୍ଧନରୁ ମୁକ୍ତି ଦିଅ ।

 

ଆଖିର ଲୁହରେ ଭାସିଯାଇଥିଲା ପ୍ରଣତିର ମୁହଁ । ସେ କହିଥିଲା ତମକୁ ବାଦ ଦେଲେ ମୋ ଜୀବନରେ ଆଉ କିଛି ଅବଶିଷ୍ଟ ନାହିଁ । ତମେ ମତେ ଯଦି ଦୂରକୁ ଠେଲିଦିଅ–ତେବେ ବୈଦେହୀଙ୍କ ଭଳି ମୁଁ ଏ ଧରିତ୍ରୀକୁ ଆଶ୍ରୟ ମାଗିବି–ତା’ର ସେ ବିଦୀର୍ଣ୍ଣ ବୁକୁହିଁ ହେବ ମୋର ଆଶ୍ରୟସ୍ଥଳ ।

 

ବିଶ୍ଵଜିତର ଜୀବନରେ ସେସବୁ ଅବିସ୍ମରଣୀୟ ବର୍ଣ୍ଣିଳ ଦିନ । ସେ ଦିନ ସବୁ କିନ୍ତୁ ବେଶିଦିନ ସ୍ଥାୟୀ ହେଲା ନାହିଁ । କେଉଁ କାଳପୁରୁଷର ଅଭିଶାପ ଫଳରେ ବିଶ୍ଵଜିତର ଭାଗ୍ୟ ଆକାଶରେ ଜମିଆସିଲା ସ୍ତର ସ୍ତର କୃଷ୍ଣମେଘ ।

 

ବିବାହ ଦିନ ଯେତେ ପାଖ ହୋଇ ଆସିଲା, ବିଶ୍ଵଜିତ୍‍ ଲକ୍ଷ୍ୟ କଲା, ପ୍ରଣତିର ମୁହଁରେ ବିଷର୍ଣ୍ଣତାର ଛାୟା ସେତେ ପ୍ରଗାଢ଼ ହେଉଛି ।

 

ସେ ବିଷର୍ଣ୍ଣତାର କାରଣ ଦିନେ ଜିଜ୍ଞାସା କଲା, ବିଶ୍ଵଜିତ୍‍ ।

 

ନିଜ ବାମହାତ ପାପୁଲିକୁ ବିଶ୍ଵଜିତ୍‍ ହାତକୁ ତୋଳି ଦେଇ ପ୍ରଣତି କହିଲା, ମୋ ହାତରେଖା ଟିକିଏ ଦେଖିଲ !

 

ଭାଗ୍ୟରେଖା !

 

ବିସ୍ମୟରେ ବିଶ୍ଵଜିତ୍‍ ପ୍ରଶ୍ନକଲା, ହଠାତ୍‍ ହାତରେଖା କଥା କାହିଁକି ? ଏହା ସହିତ ତମ ମନଦୁଃଖର ସଂପର୍କ କ’ଣ ଥାଇପାରେ !

 

ମୁହଁ ତଳକୁ କରି ପ୍ରଣତି କହିଲା, “ଭାରତର ଜଣେ ବିଖ୍ୟାତ ଜ୍ୟେତିଷ କହିଛନ୍ତି, ମୋ ହାତ ରେଖାରେ କୁଆଡ଼େ ଦୁଇଜଣ ସ୍ଵାମୀ…”

 

ଉଚ୍ଚଶିକ୍ଷିତା ପ୍ରଣତି ଜ୍ୟୋତିଷ କଥା ବିଶ୍ଵାସ କରୁଛି !

 

ଲଘୁ ପରିହାସରେ କଥାଟାକୁ ଉଡ଼ାଇ ଦେବାପାଇଁ ମନ ଭରି ହସିଥିଲା ବିଶ୍ଵଜିତ୍‍ । କିନ୍ତୁ ପ୍ରଣତି ସହଜରେ ଭୁଲିଯିବା ଝିଅ ନୁହେଁ । ବିଶ୍ଵଜିତକୁ ହରାଇବାର ଆଶଙ୍କାରେ ସେ କାନ୍ଦି କାନ୍ଦି ଅଜସ୍ର ଚିଠିକୁ ଓଦା କରିଥିଲା ।

 

ତା’ର କିଛିଦିନ ପରେ ପ୍ରଣତି ଆସି ଅଳିକଲା, ତମେ ଏ ବାମପନ୍ଥୀ ରାଜନୀତି ଛାଡ଼ ବିଶ୍ଵଜିତ୍‍ ! ସରକାରୀ ରାଜନୈତିକ ଦଳରେ ଯୋଗଦିଅ । ଏ ଶୂନ୍ୟ ଆଦର୍ଶବାଦ ପଛରେ ଧାଅଁ ନାଇଁ ।

 

ବିଶ୍ଵଜିତ୍‍ର ଦୃଷ୍ଟର ପ୍ରଦୀପରୁ ହଠାତ୍‍ ଆଲୋକ ନିର୍ବାପିତ ହୋଇଗଲା । ସେ ଚକିତ କଣ୍ଠରେ ପ୍ରଶ୍ନ କଲା, ଜନସେବାର ଆଦର୍ଶରୁ ତମେ ମତେ ବିଚ୍ୟୁତ କରିବାକୁ ଚାହଁ ?”

 

“ମୁଁ ନୁହେଁ–ତମେ ସରକାରୀ ରାଜନୈତିକଦଳରେ ଯୋଗଦେଇ ଏମ୍‍ ଏଲ୍‍. ଏ. ହୁଅ, ମନ୍ତ୍ରୀ ହେବାକୁ ଚେଷ୍ଟାକର, ଏହା ମୋର ଅଭିଭାବକମାନଙ୍କର ଇଚ୍ଛା । ମନ୍ତ୍ରୀମାନେ କଅଣ ଜନସେବା କରୁନାହାନ୍ତି ?” ପ୍ରଣତି ଓଲଟା ପ୍ରଶ୍ନ କରିବସିଲା ।

 

ସରକାରୀ ରାଜନୈତିକ ଦଳରେ ଯୋଗଦେଲେ ଶାସନ କରି ହୁଏ–ନିଃସ୍ଵାର୍ଥପର ସେବା କରି ହୁଏ ନାଇଁ–ଏ କଥା ପ୍ରଣତିକୁ ସହଜରେ ବୁଝାଇ ପାରି ନ ଥିଲା ବିଶ୍ଵଜିତ୍‍ । କିନ୍ତୁ ବିବାହ ପୂର୍ବରୁ ଆଦର୍ଶବାଦର ଅନିଶ୍ଚିତ ପଥ ଛାଡ଼ି ସୁବିଧାବାଦର ନିଶ୍ଚିତ ନିର୍ଭୟସ୍ଥଳ ଯେ ପ୍ରଣତି ବାଛି ନେବାକୁ ଚାହୁଁଛି, ଏ କଥା ବୁଝିବାରେ ବି ତା’ର ବିଳମ୍ଵ ହୋଇ ନ ଥିଲା ।

 

ଆଦର୍ଶବାଦର ଅହଙ୍କାର ତା’ର ଏଥିରେ କ୍ଷୁର୍ଣ୍ଣ ହୋଇଥିଲା । ପ୍ରଣତିଠାରୁ ଏପରି ଦାବୀ ସେ କେବେ ଆଶା କରି ନଥିଲା । ଯନ୍ତ୍ରଣାକାତର କମ୍ପିତ କଣ୍ଠରେ ସେ କହିଥିଲା, “ଆଦର୍ଶବାଦକୁ ଛାଡ଼ି ସୁବିଧାବାଦର ପଥ ଅନୁସରଣ କରିଥିଲେ ମଞ୍ଜୁଳିକାକୁ ବି ମୁଁ ବିବାହ କରିପାରିଥାନ୍ତି, କଅଣପାଇଁ ତମ ଉପରେ ଏତେ ବିଶ୍ଵାସ ମୁଁ ସ୍ଥାପନ କରିଥିଲି ?”

 

ପ୍ରଣତିର ମୁଣ୍ତ ଉପରେ ଆକାଶ ଛିଡ଼ିପଡ଼ିଲା ।

 

ଟିକକ କଥାରେ ମଞ୍ଜୁଳିକାର ଉଦାହରଣ ! ତେବେ ଏବେ ସୁଦ୍ଧା କଅଣ ମଞ୍ଜୁଳିକାକୁ ଭୁଲି ପାରିନାହାନ୍ତି ବିଶ୍ଵଜିତ୍‍ । ତାଙ୍କର ସହପାଠିନୀ, ସହକର୍ମିଣୀଙ୍କ କଥା କଅଣ ସତ୍ୟ ! ତାଙ୍କ ମନଭିତରେ ମଞ୍ଜୁଳିକା ଏବେ ବି କଅଣ ଆସନ ଦଖଲ କରି ବସିଛି, ସେ କେବଳ ନିମିତ୍ତ ମାତ୍ର !

 

ନାରୀ ମନରେ ଥରେ ଦୁର୍ବଳତାର ରନ୍ଧ୍ର ଦେଇ ସନ୍ଦେହ ପ୍ରବେଶ କଲେ, କାୟା ବିସ୍ତାର କରି ସେ ସନ୍ଦେହ ମନର ସମସ୍ତ ସୁକୁମାର ପ୍ରବୃତ୍ତିକୁ ନଷ୍ଟ କରିଦିଏ ।

 

ସନ୍ଦେହର ବିଷରେ ଜର୍ଜ୍ଜରିତ ହୋଇ ପ୍ରଣତି ବିଶ୍ଵଜିତ୍‍ଠାରୁ ସମସ୍ତ ସମ୍ପର୍କ ତୁଟାଇଦେଲା-। ତା’ର କିଛିଦିନ ପରେ ବିଶ୍ଵଜିତ୍‍ ପାଇଲା ପ୍ରଣତିର ପ୍ରତ୍ୟାଖ୍ୟାନ ପତ୍ର ।

 

ପ୍ରଣତି ଲେଖିଥିଲା, “ତୁମଠାରୁ ମୋ ମନର ସମସ୍ତ ବନ୍ଧନ ତୁଟି ଯାଇଛି । ତୁମର ଆଦର୍ଶ ସହିତ ପାଦ ମିଳାଇ ମୁଁ ଚାଲି ପାରିବିନାହିଁ । ନିଜର ସରଳତା ଯୋଗୁ ମୋ କୁମାରୀ ଜୀବନର ପ୍ରଥମ ପ୍ରଣୟ ଅର୍ଘ୍ୟ ତମଭଳି ଆଦର୍ଶବାଦୀ ତରୁଣ ପାଖରେ ଅଜାଡ଼ି ଦେଇ ମୁଁ ଭୁଲ୍‍ କରିଛି । ତୁମକୁ ସୁଖୀ କରିବାକୁ ମୋ ମନରେ ତିଳେହେଲେ ଇଚ୍ଛା ନାହିଁ, ଉତ୍ସାହ ନାହିଁ । ଜ୍ୟୋତିଷ ଠିକ୍‍ କହିଥିଲେ, ମୋ ଭାଗ୍ୟରେ ଦୁଇଜଣ ସ୍ଵାମୀ । ଦ୍ଵିତୀୟ ପୁରୁଷ ଜଣକୁ ବିବାହ କରି ମୁଁ ସୁଖୀ ହେବି । ଏହା ଈଶ୍ଵରଙ୍କ ଇଚ୍ଛା । ତମେ ଈଶ୍ଵରଙ୍କ ଏ ଇଚ୍ଛାରେ ବାଧା ଦେବାକୁ ଚେଷ୍ଟା କରନାଇଁ । ପ୍ରହେଳିକା ଭଳି ଦିନ କେତୋଟି ମଧ୍ୟରେ ବିଶ୍ଵଜିତ୍‍ର ଜୀବନରେ ଏ ସବୁ ଘଟଣା, ଦୁର୍ଘଟଣା ଘଟିଗଲା । ବେଗବତୀ ସେଇ ସ୍ରୋତରେ ଭାସମାନ କୁଟାଖଣ୍ତ ଭଳି ସେ ତଡ଼ି ହୋଇଗଲା ।

 

ଏତେ ପାଠ ପଢ଼ି ସତରେ କଅଣ କାଳଜ୍ୟୋତିଷଙ୍କ କଥା ବିଶ୍ଵାସ କରିଥିଲା ପ୍ରଣତି ? ସତରେ କଅଣ ସେ ସନ୍ଦେହ କରୁଥିଲା ଯେ, ନିଜକୁ ନିଃଶେଷ କରି ତାକୁ ଦେଲାପରେ ବି ମଞ୍ଜୁଳିକା ପାଇଁ ତା’ ମନରେ କୌଣସି ଦୁର୍ବଳତା ଥାଇପାରେ ?

 

ପ୍ରଣତି ଦ୍ଵିତୀୟ ସ୍ଵାମୀଙ୍କୁ ବିବାହ କରିବ–ଏହା ଈଶ୍ଵରଙ୍କ ଇଚ୍ଛା । ତାହା ପୁଣି କୌଣସି ଆଦର୍ଶ ପାଇଁ ନୁହେଁ, ଦୈହିକ ସୁଖ ପାଇଁ !

 

ଆକାଶର ସନ୍ଧ୍ୟା ତାରାପରି ଭୀରୁ ଉଜ୍ଜ୍ଵଳ, ବଣମଲ୍ଲିକା ଭଳି ଶାନ୍ତ ସୁରଭିତ, ସରଳା ନିରୀହା ଝିଅଟି ପ୍ରଣତି ! ତା’ ମନରେ ଏତେ ସନ୍ଦେହ, ଅବିଶ୍ଵାସ ଆଉ ଅନ୍ତହୀନ ସୁଖ କାମନାର ବିଷ ଭରି ଦେଲା କିଏ ?

 

ମାୟାବିନୀ ରାତ୍ରିର ମାୟା କାଟି ମେରୁଦଣ୍ତ ସଳଖ କରି ଠିଆ ହେଲା ବିଶ୍ଵଜିତ୍‍ । ଲୋହିତ ସୂର୍ଯ୍ୟର ଆଲୋକରେ ବିପ୍ଳବର ଶ୍ଳୋକ ଆବୃତ୍ତି କରି ପୁଣି ସେ ଜଳିଉଠିବ, ଜଳିଉଠିବ ବୋଲି ମନେ ମନେ ଶପଥ କଲା । ନାରୀର ପଣତ ତଳ ଛାଡ଼ି ଉନ୍ମାଦନାର ଜନସମୁଦ୍ରରେ ଲମ୍ଫ ଦେବାପାଇଁ ସେ ଯୋଜନା କଲା ।

 

ଖରସୋତା ଶାଖାନଦୀ ବନ୍ଧ ନିର୍ମାଣ ଆନ୍ଦୋଳନ ଅସଂପୂର୍ଣ୍ଣ ରହିଛି । ବର୍ଷାଦିନ ଆସିଯିବ । ଜଳର ତାଣ୍ତବ ନୃତ୍ୟରେ ଉଚ୍ଛନ୍ନ ହେବ ଦେଢ଼ଶହ ଗ୍ରାମର ଧନ ଜୀବନ, ମାଇଲ୍‍ ମାଇଲ୍‍ ବ୍ୟାପି ଫସଲ କ୍ଷେତ ।

 

ଏଇ କେତେଦିନ ହେଲା ଆନ୍ଦୋଳନ ଶିଥିଳ ହୋଇ ପଡ଼ିଥିଲା । ତାକୁ ପୁଣି ତେଜେଇ ଦେବାକୁ ହେବ । ବିଶ୍ଵଜିତ୍‍ ମନରେ ଉତ୍ସାହ ଭରି ବାହାରିଲା ।

 

କିନ୍ତୁ ଏ କ’ଣ ?

 

ସମସ୍ତେ ତା’ ମୁହଁକୁ ଚାହିଁ ଦାନ୍ତ ଚିପି ଚିପି ହସୁଛନ୍ତି କାହିଁକି ? ଯେଉଁମାନେ ତା’ର ବଜ୍ର-ଗମ୍ଭୀର କଣ୍ଠସ୍ଵର ଶୁଣି ଦିନେ ପତଙ୍ଗଭଳି ଅଗ୍ନିରେ ଝାସ ଦେବାପାଇଁ ଆଗଭର ହେଉଥିଲେ, ସେମାନେ ତା’ କଥା ଶୁଣି ମୁହଁ ବୁଲାଇ ଚାଲିଯାଉଛନ୍ତି କାହିଁକି ?

 

ପ୍ରଣତିର କୁତ୍ସିତ ପ୍ରଚାର ପଚା ଶବର ଦୁର୍ଗନ୍ଧ ଭଳି ଚାରିଆଡ଼େ ପ୍ରସରି ଯାଇଛି । ମଞ୍ଜୁଳିକାକୁ ବିବାହ କରିବାପାଇଁ ସେ ପ୍ରଣତିଭଳି ନିରୀହା ଝିଅସହ ପ୍ରତାରଣା କରିଛି ବୋଲି ଲୋକଙ୍କ ଭିତରେ ଟୁପ୍‍ଟାପ୍‍ କଥାବାର୍ତ୍ତା ଚାଲିଛି । ମଞ୍ଜୁଳିକା ସହ ବିଶ୍ଵଜିତ୍‍ର ସମ୍ପର୍କକୁ ଯେତେବେଳେ ସ୍ଵୟଂ ତା’ର ପ୍ରଣୟିନୀ ପ୍ରଣତି ସନ୍ଦେହ କରୁଛି, କିଏ ତାକୁ ଅବିଶ୍ଵାସ କରିବ ?

 

ପ୍ରତାପ କେଶରୀଙ୍କ ଉପରେ ଚାପ ପକାଇ ମଞ୍ଜୁଳିକାକୁ ବିବାହ କରିବ ବୋଲି ସେ ବିପ୍ଳବର ଭେକ ଧରିଥିଲା । ମଞ୍ଜୁଳିକାକୁ ବିବାହ କରିବ ବୋଲି ସେ ପ୍ରଣତିସହ ବିଶ୍ଵାସଘାତକତା କରି ଜୀବନ ନଷ୍ଟ କରିଦେଲା । କେଉଁ ଭରସାରେ ତା’ଉପରେ ବିଶ୍ଵାସ ରଖି ଲୋକେ ପୋଲିସର ଲାଠି, ଗୁଳି ମୁହଁକୁ ଲମ୍ଫଦେବେ ?

 

ପ୍ରଣତିର ମିଥ୍ୟା ପ୍ରଚାରକୁ ନିଜର ସୁବିଧା ପାଇଁ ପ୍ରତାପ କେଶରୀଙ୍କ ଲୋକେ ମଧ୍ୟ ସତ୍ୟ ବୋଲି ପ୍ରଚାର କଲେ । ଆଉ ସେ ଅପପ୍ରଚାରକୁ ମିଛ ବୋଲି କିଏ ଭାବିବ ? ଫଳରେ ଲାଠି ଗୁଳି ଯେଉଁ ଜନ ଆନ୍ଦୋଳନକୁ ଦବାଇ ଦେଇପାରି ନଥିଲା, ବିଶ୍ଵଜିତ୍‍ ବିରୁଦ୍ଧରେ ପ୍ରଣତିର ଅନୁଯୋଗଭରା ଅପପ୍ରଚାର ଯୋଗୁ ଆନ୍ଦୋଳନ ପିଲାଙ୍କ ଧୂଲିଘର ଭଳି ଭୁଷଡ଼ି ପଡ଼ିଲା ।

 

ବିଶ୍ଵଜିତ୍‍ ପ୍ରତିବାଦ କଲା । ବୁଝାଇବାକୁ ଚେଷ୍ଟା କଲା, ମଞ୍ଜୁଳିକା ତା’ର କେହି ନୁହେଁ । ପ୍ରଣତି ସହ ମୁହୂର୍ତ୍ତକ ପାଇଁ ସୁଦ୍ଧା ସେ ଲୁଚକାଳି ଖେଳିନାଇଁ…

 

ବିଶ୍ଵଜିତ୍‍ କଥା କେହି ବିଶ୍ଵାସ କଲେ ନାହିଁ । ଯେଉଁ ଝିଅ ତାକୁ ବିବାହ କରିବ ବୋଲି ପାଗଳିନୀ ହୋଇ ଉଠିଥିଲା, ନିଜର ଦେହ ମନ ପୂଜାଫୁଲ ଭଳି ଉତ୍ସର୍ଗ କରି ଦେଇଥିଲା, ସେ ଝିଅ ତା’ ବିରୁଦ୍ଧରେ ମିଛ କହିପାରେ ! ନା–ନା, ପ୍ରତାରଣା ପାଇଁ ବିଶ୍ଵଜିତର ଏ ନୂଆ ଫନ୍ଦି, ପ୍ରଚାର କୌଶଳ !

 

ଲାଞ୍ଚିତ, ପ୍ରତ୍ୟାଖ୍ୟାତ, ପରାଜିତ ପୌରୁଷର କଳଙ୍କ ଟୀକା ମସ୍ତକରେ ପିନ୍ଧି ହତାଶା, ବ୍ୟର୍ଥତାରେ ଫେରି ଆସିଲା ବିଶ୍ଵଜିତ୍‍ । ଜୀବନରେ ଅନେକ ଘାତ, ପ୍ରତିଘାତ ସେ ସହିଛି । କିନ୍ତୁ ପ୍ରଣତିର ପ୍ରତ୍ୟାଖ୍ୟାନ ସହି ସେ ଆଉ ମୁଣ୍ତ ଟେକି ଉଠିପାରିଲା ନାହିଁ । ତା’ର ଲକ୍ଷ୍ୟ ଟଙ୍କାର ବ୍ୟାଙ୍କ୍‍ ବ୍ୟାଲାନ୍ସ ନଥିଲା, ନଥିଲା ବି ଉଚ୍ଚ ସରକାରୀ ପଦ ପଦବୀର ନିର୍ଭୟ ଆଶ୍ରୟସ୍ଥଳ । ଥିଲା ତା’ର ଅନେକ ବଳିଷ୍ଠ ବ୍ୟକ୍ତିତ୍ଵ, ଉଜ୍ଜ୍ଵଳ ଚରିତ୍ର । ପ୍ରଣତିର ପ୍ରଣୟ ଓ ପ୍ରତ୍ୟାଖାନ ତା’ର ସେ ବ୍ୟକ୍ତିତ୍ଵ ଓ ଚରିତ୍ରକୁ କଳଙ୍କର କାଳିମାରେ କଲା କଳଙ୍କିତ । ସତ୍‍ ଉପାୟରେ ବଞ୍ଚିବାର ସମସ୍ତ ପଥ ତା’ର ରୁଦ୍ଧ ହୋଇଗଲା ।

 

ବିଶ୍ଵଜିତ୍‍ ଆଜି ଅନେକ ନଷ୍ଟସ୍ଵପ୍ନ ଆଉ ବ୍ୟର୍ଥ ଆଶାର ଏକ ବିରାଟ ଭଗ୍ନସ୍ତୁପ !

 

ଖରସ୍ରୋତା ଶାଖାନଦୀରେ ବନ୍ଧ ବାନ୍ଧି ଲୋକଙ୍କୁ ମରଣ ମୁହଁରୁ ବଞ୍ଚାଇବା ଚେଷ୍ଟା ତା’ର ବ୍ୟର୍ଥ ହେଲା । ସେଥିପାଇଁ ତା’ର ଶୋଚନା ନାହିଁ । ଏ ନଦୀର ବନ୍ୟା ଜଳ ଆସିବ ଯିବ । ଏ ଲୋକେ ଥିଲେ, ରହିବେ । କିନ୍ତୁ ପ୍ରଣତିର ଅପହୃତ ପ୍ରଣୟ ବନ୍ୟାରେ ତା’ ଜୀବନର ସମସ୍ତ ସୁଖ ଶାନ୍ତିର ଫସଲ ଚିରଦିନ ପାଇଁ ନଷ୍ଟ ହୋଇଗଲା, ଧ୍ଵଂସ ପାଇଗଲା । ବିଶ୍ଵଜିତ୍‍ ଭାବିଲା, ନାରୀ ପାଖରେ ନଦୀର ଧ୍ଵଂସକାରୀ ଶକ୍ତି କି ସାମାନ୍ୟ !

 

ଆଉ ଈଶ୍ଵର… !

 

ମିନିଅପା ମଦ୍ୟପ ସ୍ଵାମୀଙ୍କୁ ଈଶ୍ଵର ବୋଲି ମାନିନେଇ ନିଜେ ଶାଶୁଘରେ ଦୁଃଖ କଷ୍ଟ ସହିବାର ଶକ୍ତି ସଂଗ୍ରହ କରୁଥିଲା, ଆଉ ତା’ ଜୀବନକୁ ଯନ୍ତ୍ରଣାରେ କୃଶବିଦ୍ଧ କରି ଈଶ୍ଵରଙ୍କ ଇଚ୍ଛା ନାମରେ ହିଁ ସୁଖଲାଗି ପ୍ରଣତି ଅନ୍ୟ ଜଣେ ପୁରୁଷକୁ ପାଇବାର ଆପ୍ରାଣ ଉଦ୍ୟମ କରୁଛି ।

 

ବିଶ୍ଵଜିତର ମନେହେଲା, ଈଶ୍ଵର ଭାରି ଭଦ୍ର ଏବଂ ସହିଷ୍ଣୁ । ପ୍ରତାରଣା କଲାବେଳେ ସମସ୍ତେ ତାଙ୍କ ନାମ ବିନା ଦ୍ଵିଧାରେ ଉଚ୍ଚାରଣ କରନ୍ତି । ପୁଞ୍ଜିପତି ସମାଜକୁ ଶୋଷଣ କରି ତାଙ୍କର ନାମରେ ଦେଉଳ ତୋଳେ, ଧର୍ମଶାଳା ଗଢ଼େ । ନାରୀ ବ୍ୟଭିଚାରକୁ ଶୁଦ୍ଧ ପୂତ କରିବା ପାଇଁ ତାଙ୍କପାଇଁ ପୁଜାରିଣୀ ସାଜେ, ତାଙ୍କ ନାମ କଥା କଥାକେ ଉଚ୍ଚାରଣ କରେ । ଈଶ୍ଵର କାହାରି କଥାର ପ୍ରତିବାଦ କରନ୍ତି ନାହିଁ ।

 

ଜୀବନରେ ପ୍ରଥମଥର ପାଇଁ ବିଶ୍ଵଜିତ୍‍ ମସ୍ତକ କେଜାଣି କାହିଁକି ଈଶ୍ଵରଙ୍କ ପାଖରେ ଅବନତ ହୋଇଆସିଲା ।

 

ତା’ର କାରଣ, ହୁଏତ ଆଦିପୁରୁଷ ଆଡ଼ାମ୍‍ ହିଁ ଥିଲା ଦେବଶିଶୁ । ଆଦି ନାରୀ ଇଭ୍‍ର ପ୍ରରୋଚନାରେ ପ୍ରଲୋଭିତ ହୋଇ ସେ ନିଷିଦ୍ଧ ଆପଲ ଭକ୍ଷଣ କଲା ପରେ ପୁରୁଷ ହେଲା ସ୍ଵର୍ଗଚ୍ୟୁତ, ଭୂପତିତ ।

 

ଆଡ଼ାମର ବଂଶଧର ସେହି ସ୍ଵର୍ଗଚ୍ୟୁତ ପୁରୁଷ ସମ୍ରାଟର ସିଂହାସନ ଛାଡ଼ି ଯତ୍ରଣା ଅରଣ୍ୟରେ ନିର୍ବାସିତ ଜୀବନ ଯାପନ କରୁଛି । ଆଉ ତା’ର ଏ ପତନ, ସ୍ଵର୍ଗଚ୍ୟୁତ ଓ ଶେଷହୀନ ଦୁଃଖର ଏକମାତ୍ର କାରଣ ହେଉଛି ନାରୀ…ଇଭ୍‍…ପ୍ରଣତି !!

 

Unknown

ଜଣେ ସୌଖୀନ ବିପ୍ଳବୀର ଡାୟରୀ

॥ ଏକ ॥

 

ଇତୁଭାଇ ! ବିପ୍ଳବୀ ହେଲେ କଅଣ ଲାଭ, ସେକଥା ଜାଣିବା ଆଗରୁ ମୁଁ ବିପ୍ଳବୀ ହୋଇ ଯାଇଥିଲି । ଏହା ପଛରେ ବିଦ୍ୟାମାନ ଥିଲା ତମର ପ୍ରେରଣା । ଗୀତା, ଉପନିଷଦ ନ ପଢ଼ି ମୁଁ ଯେପରି ହିନ୍ଦୁ, ‘ଦାସକାପିଟାଲ’ ନପଢ଼ି ମୁଁ ଥିଲି ସେହିପରି ମାର୍କସ୍‍ବାଦୀ । ମୁଁ କାହିଁକି ବିପ୍ମବୀ ହେବି ବୋଲି ଯେତେବେଳେ ପଚାରିଲି, ତମେ ଚାରିଆଡ଼କୁ ସତର୍କ ଦୃଷ୍ଟିରେ, ଚାହିଁ ଖୁବ୍‍ ଗୋଟିଏ ଗୋପନୀୟ କଥା କହିବା ପରି ନିମ୍ନ ଅଥଚ ସ୍ପଷ୍ଟକଣ୍ଠରେ ଉତ୍ତର ଦେଇଥିଲ, ଈଶ୍ଵରଙ୍କ ଅସ୍ତିତ୍ଵ ନ ଜାଣି ମଣିଷ ଆଗ ଭକ୍ତ ହୁଏ । ତା’ ପରେ ଈଶ୍ଵରଙ୍କ ବିଷୟରେ ପ୍ରଶ୍ନ କରେ । ତମେ ଆଗ ବିପ୍ଳବୀ ହୁଅ, ପରେ ନୀତିକଥା ବୁଝିବ ।

 

ବିପ୍ଳବୀ ହେବା ଯେ ଖୁବ୍‍ ଏକ ବୌଦ୍ଧିକ ଆଭିଜାତ୍ୟର କଥା, ଏକଥା ତମେ ମୋତେ ପ୍ରଥମେ ବୁଝାଇଥିଲ । ସକାଳଓଳି ଆଇନ୍‍ କଲେଜରୁ ପାଠପଢ଼ା ସାରି ଉପରଓଳି ମୁଁ ହଠାତ୍‍ ବିପ୍ଳବୀ ହୋଇଗଲି । ମତେ ଯେଉଁଦିନ ପାର୍ଟି ସଭ୍ୟ କାର୍ଡ଼ ମିଳିଲା, ତମେ ମୋତେ ‘କମ୍ରେଡ଼୍‍’ ବୋଲି ସମ୍ଵୋଧନ କରି ନିବିଡ଼ଭାବରେ ଆଲିଙ୍ଗନ କରିଥିଲ । ବଚ୍ଚୁଭାଇ ଦୋକାନରେ ଲାଗ ଲାଗ୍‍ ଦୁଇକପ୍‍ ଗରମ ଚାହା ମଧ୍ୟ ପିଆଇଥିଲ । ଗୁରୁମନ୍ତ୍ର ଦେବାଭଳି ନୀଚ ଗଳାରେ ମୋ’ କାନରେ କହିଥିଲ, “ତମ ଶୋଇବା ଘରେ ଗୋଟିଏ ଈଶ୍ଵର ଆଉ ଲାଲ୍‍ ଗୋଲାପର ଛବି ଅଛି । ସେ ଛବି ଦୁଇଟା ଉଠାଇଦେବ ।”

 

ସେ ଛବି ଦୁଇଟା ଉଠାଇ ଦେଇ କାହାର ଛବି ରଖିବି, ସେକଥା ତମେ ମତେ କହି ନଥିଲ । କିନ୍ତୁ ମୁଁ ଆପେ ଆପେ ଷ୍ଟାଲିନ୍‍ ଆଉ ମାଓ–ସେ–ତୁଙ୍ଗଙ୍କ ଫଟୋ ଟାଙ୍ଗିଥିଲି । ପ୍ରକାଶ କରି ନ ଥିଲେ ବି ତମେ ମନେ ମନେ ଅପର୍ଯ୍ୟାପ୍ତ ଭାବରେ ଖୁସି ହୋଇଥିବା କଥା ମୁଁ ଲକ୍ଷ୍ୟ କରିଥିଲି । ସେ ହେଉଛି, ୧୯୫୧ ମସିହା କଥା । କମ୍ରେଡ଼୍‍ କୃଶ୍ଚେଭ ସେତେବେଳେ ଷ୍ଟାଲିନ୍‍ଙ୍କୁ ନାରକୀୟ ପାପ କଥା ପ୍ରକାଶ କରି ନଥିଲେ; କିମ୍ଵା ଚୀନର ମୁକ୍ତିବାହିନୀ ପବିତ୍ର ଭାରତବର୍ଷର ସୀମାନ୍ତ ଆକ୍ରମଣ କରି ନଥିଲେ ।

 

ଇତୁଭାଇ, ବିପ୍ଳବୀ ହେବାପରେ ମୋର ଆଉ ଯାହା କ୍ଷତି ହେଉନା କାହିଁକି, ଗୋଟିଏ କଥା ଲାଭ ହୋଇଥିଲା । ଆଗରୁ ମୋର ଯେଉଁ ସାଙ୍ଗମାନେ ‘ଭୋପା’ ‘ମୋଟା ବୁଦ୍ଧିଆ’ କହି ମୋ ମୁଣ୍ତରେ ଥୋପି ମାରୁଥିଲେ, ବିପ୍ଳବୀ ହେବା ପରେ ମତେ ଏକ ଇଣ୍ଟେଲେକଚୁଆଲ୍‍ ରାକ୍ଷସ ବୋଲି ସେମାନେ ମନେ ମନେ ଭୟ କରିବାକୁ ଲାଗିଲେ । ସୁଲଭ ମୂଲ୍ୟରେ ଫରେନ୍‍ ପବ୍ଳିସିଂ ହାଉସର ଅନେକ ମୋଟା ମୋଟା ବହି କିଣି ମୁଁ ମୋ ଟେବୁଲ ଉପରେ ରଖିଥିଲି । ସିଲ୍‍କ ଗେଞ୍ଜି ଆଉ ଅଣ୍ତର ଓୟାର ଉପେର ମୁଁ ଶସ୍ତା ଧଳା ପାଇଜାମା ଆଉ ଫଟା ହାୱାଇନ୍‍ ପିନ୍ଧୁଥିଲି । ଅନେକ ସମୟରେ ପିୟର୍ସ ସାବୁନରେ ମୁଣ୍ତଧୋଇ ଆଉ ତେଲ ଲଗାଏ ନାହିଁ । ଝାମ୍ପୁରା ଝାମ୍ପୁରା ନୁଖୁରା କେଶରେ ମୁଁ କୁଆଡ଼େ ବିପ୍ଳବୀ ବିପ୍ଳବୀ ଜଣାଯାଏ !

 

ବିପ୍ଳବୀ ହେବାପରେ ମୋ ଭିତରେ କୌଣସି ମୌଳିକ ପରିବର୍ତ୍ତନ ହେଉ କି ନ ହେଉ, ଅନେକ ରୁଚିଗତ ସଂସ୍କାର ଘଟିଥିଲା । ଅଣ୍ତା, ଦୁଧ ଛାଡ଼ିଦେଇ ମୁଁ ଅନେକ ଦିନ ଧରି ଚା’, କଫି ଖାଇ କଟାଇଥିଲି । ଭୋକ–ରାକ୍ଷସକୁ ହତ୍ୟା କରିବାପାଇଁ ଅତ୍ୟଧିକ ଚାହାପାନ କୁଆଡ଼େ ମେଗାଟନ୍‍ ବୋମା ଭଳି କାମକରେ । ହିଟଲର୍‍ର ଜର୍ମାନୀରେ ବାମପନ୍ଥୀ ବିପ୍ଳବୀମାନେ କୁଆଡ଼େ ଅନେକଦିନ ଧରି ଚାହା ପିଇ ପ୍ରାଣଧାରଣ କରିଥିଲେ । କିନ୍ତୁ ମୋ ଭଳି ସୌଖୀନ ବିପ୍ଳବୀର ପେଟରେ କ୍ରମାଗତ ଉଷ୍ମ ଚାହା ବିପ୍ଳବର ଭ୍ରୂଣ ନ କରି ସୃଷ୍ଟି କରିଥିଲା ଗାଷ୍ଟିକ୍‍ ଅଲସର୍‍ !

 

ଇତୁଭାଇ ! ମୋର ସେ ଯତ୍ରଣା–କାତର ଦିନଗୁଡ଼ିକରେ ତମ ସେବା, ସୌଜନ୍ୟ କଥା ମୁଁ ପାସୋରି ପାରିବି ନାଇଁ । ପାର୍ଟିରେ ମୁଁ ଏତେଦିନ ଧରି ରହି ପାରିଥିଲି ଅନ୍ୟ କୌଣସି କଥା ପାଇଁ ନୁହେଁ; ତମରି ଆକର୍ଷଣ ପାଇଁ । ତମେ ହିଁ ଥିଲ ମୋର ଦୀକ୍ଷାଗୁରୁ, କମ୍ରେଡ଼୍‍, ସୁହୃଦ–ସବୁ କିଛି ।

 

ଇତୁଭାଇ ! ସେଦିନ କଥା ବି ମୋର ମନେ ଅଛି । ମୁଁ ମୋ ପଢ଼ାଘରେ ଚୁପ୍‍ ହୋଇ ବସିଥିଲି ଅନ୍ଧାରରେ, ବିଜୁଳିବତୀ ନ ଜାଳି, ଯଦିଓ ସନ୍ଧ୍ୟା ହୋଇ ଯାଇଥିଲା ତମେ ସବୁଦିନ ଭଳି ବ୍ୟସ୍ତ–ବିବ୍ରତ ଭାବରେ ଆସିଲ । ମୁଁ ନ କହିଲେ ବି ଚେୟାର ଉପରେ ବସିଲ । ଆଉ ମୁହଁରେ ଜବରଦସ୍ତ ହସ ଫୁଟାଇ ପଚାରିଲ, ତମେ ଆଉ ପାର୍ଟି ଅଫିସ୍‍ ଆଡ଼େ ଯାଉନ କାହିଁକି, ବୁଲୁ ! ଭୋକିଲା ପଟୁଆର ହେଲା, ତମର ସାକ୍ଷାତ ବି ମିଳିଲା ନାଇଁ !

 

ଅନ୍ୟ ଦିନ ହୋଇଥିଲେ ମୁଁ କୌଣସି ଯୁକ୍ତିସଂଗତ ମିଥ୍ୟା କଥା କହି ଗୋଟାଏ କିଛି କୈଫିୟତ ଦେଇଥାନ୍ତି । କିନ୍ତୁ କେଜାଣି କାହିଁକି ପାର୍ଟିରେ ଯୋଗଦେବା ପରଠାରୁ ପ୍ରଥମଥର ପାଇଁ ମୋର ସତ୍ୟ କହିବାକୁ ସେଦିନ ଇଚ୍ଛା ହେଲା । ମୁଁ କହିଲି, “ମୋର ଜଣେ ସଙ୍ଗିନୀ ଦୁଇମାସ ହେଲା ମୋର ହୃଦୟକୁ ଧାର ନେଇ ଆଉ ଫେରାଉ ନାହାନ୍ତି । ହୃଦୟଶୂନ୍ୟ ଭାବରେ ମୁଁ ଆଉ ବିପ୍ଳବ କରିବି କଅଣ, ଇତୁଭାଇ !”

 

କକ୍ଷରେ ସନ୍ଧ୍ୟାର ଅନ୍ଧକାର ଖୁନ୍ଦି ହୋଇ ରହିଥିଲା । ତମେ ବି ସୁଇଚ୍‍ ଟିପି ବିଜୁଳିବତୀ ଜାଳି ନଥିଲ । କିନ୍ତୁ ମୁଁ ସେଇ ଅନ୍ଧକାରରେ ଲକ୍ଷ୍ୟ କଲି, ପେକିଂ ମସ୍କୋ ଆକ୍ରମଣ କରିଛି ବୋଲି ଶୁଣିଥିଲେ ଯେତିକି ଆଶ୍ଚର୍ଯ୍ୟ ହୋଇ ନଥାନ୍ତ, ମୋ କଥା ଶୁଣି ତାଠୁଁ ତମେ ବେଶି ବିସ୍ମିତ ହୋଇ ଉଠିଲ । ତମ ଆଖିର ସେ ଉଜ୍ଜ୍ଵଳ ଡୋଳା ଦୁଇଟିରେ ବିସ୍ମୟର ବିଦ୍ୟୁତ୍‍ ଝଲସି ଉଠି ସ୍ଥିର ହୋଇଗଲା !

 

ମୋଠୁଁ ଏଭଳି ପ୍ରଶ୍ନ ହୁଏତ ତମର ଅପ୍ରତ୍ୟାଶିତ ଥିଲା । ତେଣୁ ତମଠାରେ ସେ ବିସ୍ମୟ–ବିବ୍ରତ ଭାବପାଇଁ ମୁଁ ଉଦ୍‍ବିଗ୍ନ ହୋଇ ନଥିଲି । ଗଲାବେଳେ ତମେ କହିଗଲ, “ବୁଲୁ ! ସଙ୍ଗିନୀ ତମର ହୃଦୟଟା ଫେରାଇ ଦେବାପାଇଁ ବୋଧହୁଏ ଧାର ନେଇନାହାନ୍ତି, ସମ୍ଭବତଃ ତମର ନିର୍ବୋଧ ହୃଦୟଟା ସବୁଦିନ ପାଇଁ ଚୋରୀ ହୋଇଗଲା ! କିନ୍ତୁ ଏ ଚୋରୀ ପାଇଁ ବୁର୍ଜ୍ଜୁୟା ସରକାରର ପୋଲିସକୁ ଖବର ଦେଇ ପାର୍ଟିକୁ ଆଉ ଅପଦସ୍ଥ କରନାଇଁ ।”

 

ତା’ର ଦୁଇଦିନ ପରେ ଶୁଣିଲି, ତମେ କୁଆଡ଼େ ପ୍ରଚାର କରୁଛ ମୁଁ ବିପ୍ଳବ ସହିତ ବିଶ୍ଵାସଘାତକତା କରିଛି । ମୁଁ କୁଆଡ଼େ ପ୍ରତିକ୍ରିୟାଶୀଳ ବୁର୍ଜୁୟା ଶ୍ରେଣୀର ଦଲାଲ୍‍ । ବିପ୍ଳବୀର ବୃହନ୍ନଳା ବେଶରେ ମୁଁ କୁଆଡ଼େ ପାର୍ଟିରେ ଗୁପ୍ତଚର କାମ କରୁଛି ।

 

ଶୁଣା କଥା ମୁଁ ବିଶ୍ଵାସ କରିନାହିଁ; କାରଣ ତମକୁ ମୁଁ ଜାଣେ । ତମେ ଦରିଦ୍ର ହୋଇପାର, ହୃଦୟହୀନ ନୁହଁ । ତମର ତ୍ୟାଗ, ପାର୍ଟିର ନୀତି ପ୍ରତି ଗଭୀର ନିଷ୍ଠା, ମତେ କେବଳ ମୁଗ୍ଧ କରିନାହିଁ ଚକିତ କରିଛି ।

 

କିନ୍ତୁ ସେ ବର୍ଷ ପରେ ତମେ ଆଉ ପାର୍ଟି ସଭ୍ୟ କାର୍ଡ଼ ରିନିଉ କରିବାକୁ ମୋ ପାଖକୁ ଆସିନାହଁ । କାହିଁକି ? କାରଣ ମୁଁ ଏକ ଝିଅକୁ ପ୍ରେମ କରୁଥିଲି ବୋଲି !

 

ଇତୁଭାଇ ! ତମେ ଜଣେ ‘ଦାସ୍‍ କାପିଟାଲ’ ମୁଁ ପଢ଼ି ନାହିଁ । କାରଣ କାର୍ଟର ବ୍ରାଉନ୍‍, ପ୍ୟାରିସିସନ୍‍ ପଢ଼ିବାରେ ମୋର ସମୟତକ ଅକାରଣରେ ଖର୍ଚ୍ଚ ହୋଇଯାଇଛି । କିନ୍ତୁ ସେସବୁ ପୁସ୍ତକର ପ୍ରତିଟି ଧାଡ଼ି ତମର ମୁଖସ୍ଥ । ଆଚ୍ଛା, ତମେ କହିଲ ଦେଖି, ମାର୍କସ୍‍ କଅଣ ତାଙ୍କ ରାଜନୈତିକ ଦର୍ଶନରେ କେଉଁଠି ଲେଖିଛନ୍ତି, ନିଜ ହୃଦୟର ଆବେଦନଠାରୁ ଦଳର ଶୃଙ୍ଖଳା ବେଶି ବଡ଼ !

 

॥ ଦୁଇ ॥

 

ମଲ୍ଲିକା ! ପ୍ରଥମ ସାକ୍ଷାତରେ ତମେ ମତେ କହିଥିଲ ବାର୍‍–ଆଟ–ଲ ପାଶ୍‍ କରି ଲଣ୍ତନରୁ ଫେରନ୍ତି ପଥରେ ବିମାନରେ ଆସୁ ଆସୁ ତମେ କୁଆଡ଼େ ମୋ ପ୍ରେମରେ ପଡ଼ିଗଲ । ବିମାନରେ ତମେ ଯେଉଁ ଇଂରେଜୀ ସମ୍ଵାଦପତ୍ର ପଢ଼ୁଥିଲ, ସେ କାଗଜରେ ମୋର ଫଟୋ ଓ ମୋ ବୈପ୍ଳବିକ ଜୀବନର ସଂକ୍ଷିପ୍ତ ପରିଚୟ ବାହାରିଥିଲା । ଓଡ଼ିଶାର ଲୋକ ହୋଇ ବମ୍ଵେରୁ ପ୍ରକାଶ ପାଉଥିବା ଦୈନିକ ଇଂରେଜୀ କାଗଜରେ ମୋର ପ୍ରଶଂସା ପ୍ରକାଶ ପାଇଥିଲା, ଏହା କୁଆଡ଼େ ତମପାଇଁ ପରମ ଆଶ୍ଚର୍ଯ୍ୟର କଥା ଥିଲା । ସେହି ଆଶ୍ଚର୍ଯ୍ୟ–ବୋଧ ମଧ୍ୟରୁ ଜନ୍ମ ହୋଇଥିଲା ତମର ପ୍ରଣୟ ।

 

ତମ କଥା ଶୁଣି ମୁଁ ପ୍ରଥମେ ବିଶ୍ଵାସ କରି ନଥିଲି । ଭାବିଥିଲି, ତମେ ମିଛ କହୁଛ । କାରଣ, ମୁଁ ସାଧାରଣ ଜଣେ ଓକିଲ, ଆଉ ବାରିଷ୍ଟର । ମାର୍କସବାଦୀ ଦର୍ଶନ ଦୃଷ୍ଟିରୁ ତମେ ବୁର୍ଜୁୟା, ମୁଁ ପ୍ରୋଲିଟରିଏଟ୍‍। ଆମ ଭିତରେ ସଂଘର୍ଷ ସମ୍ଭବ, ପ୍ରଣୟ କିପରି ହୋଇପାରେ !

 

ମୋ କାନ ମୋଡ଼ିଦେଇ ତମେ କହିଥିଲ; “ବୁଲୁ ! ନାରୀ ସବୁଦିନେ ପ୍ରୋଲିଟରିଏଟ୍‍, ପୁରୁଷ ବୁର୍ଜୁୟା । ଓକିଲ–ବାରିଷ୍ଟର ସମ୍ପର୍କ ଏଥିରେ କୌଣସି ପରିବର୍ତ୍ତନ ଆଣି ନ ପାରେ । ଏତେଦିନ ପାର୍ଟିରେ ରହି ତମେ ଏତିକି ବୁଝିପାରୁ ନାହଁ କାହିଁକି?”

 

ତା’ପରେ ସେ କଥା ମୁଁ ନିଜେ ବୁଝିବା ଆଗରୁ ତମେ ମତେ ଦେହ ଦେଇ, ମନ ଦେଇ, ସ୍ନେହ ଦେଇ ଭଲ ପାଇବା ଦେଇ ତାହା ବୁଝାଇଲ ।

 

ମଲ୍ଲିକା ! ଇତୁଭାଇଙ୍କ ଅନୁକମ୍ପାରୁ ମୁଁ ଥିଲି ଜଣେ ସୌଖୀନ ବିପ୍ଳବୀ ! ତମର ସହୃଦୟତାରୁ ତା’ପରେ ମୁଁ ହେଲି ଭାବପ୍ରବଣ ପ୍ରେମିକ ।

 

କିନ୍ତୁ ମୁଁ ଯେଉଁଦିନ ତମ ସହ ବିବାହ ପ୍ରସ୍ତାବ କଲି, ତମେ ହଠାତ୍‍ ଭୂତ ଦେଖିବା ଭଳି ଚମକି ଉଠିଲ ! କହିଲ, “ନାରୀ ଯାହାକୁ ପ୍ରେମ କରିବ, ତାକୁ ପୁଣି ବିବାହ କରିବ, ଏକଥା ମାର୍କସ୍‍ କେଉଁଠି ଲେଖିଛନ୍ତି ?”

 

ତମର ଏଭଳି ପ୍ରଶ୍ନ କରିବା ଅନ୍ୟାୟ । କାରଣ ମାର୍କସୀୟ ଦର୍ଶନର ଗହ୍ଵନ ଅରଣ୍ୟରେ ମୋର ଚାଷ ଅତି ଅଳ୍ପ ବୋଲି ତମଠାରୁ ମୁଁ କେବେ ଗୋପନ ରଖି ନଥିଲି ।

 

ତମ କଥା ଶୁଣି ମୋ ଆଖି ଲୁହରେ ଛଳ ଛଳ ହୋଇଉଠିଲା । ତମେ ସ୍ନେହମୟୀ ଜନନୀ ଭଳି ପାଖକୁ ଆସି ଶାଢ଼ୀ କାନିରେ ମୋ ଲୁହ ପୋଛି ଦେଇ ପଚାରିଲ, “ବୁଲୁ ! ବିଧବା ଗ୍ରାମ୍ୟ ଝିଅ ଭଳି ତମେ କାନ୍ଦୁଛ କାହିଁକି ? ତମକୁ ବିବାହ ନ କରି ମୁଁ ଅନ୍ୟତ୍ର ବିବାହ କଲେ ସୁଖୀ ହେବି । ଏଥିରେ ତମର କାନ୍ଦିବାର କଅଣ ଅଛି ?”

 

ଆଖିରୁ ଲୁହ ପୋଛିଦେଇ ପୁରୁଷ ଭଳି କ୍ରୋଧ ଜର୍ଜ୍ଜରିତ କଣ୍ଠରେ ମୁଁ ଉତ୍ତର ଦେଲି, “ତମର ଯେଉଁ ଦେହ ମନକୁ ମୁଁ ଏତେଦିନ ଧରି ବ୍ୟବହାର କରିଛି, ତମେ ତାକୁ ଆଉ ଜଣକୁ ଲାଞ୍ଚ ଦେଇ ସୁଖୀ ହେବ ! ପୁରୁଷ ହୋଇ ମୁଁ ତାହା ସହ୍ୟ କରିବି କିପରି ?”

 

ମୋ କଥା ଶୁଣି ତମେ ଓଠ ଚାପି ଆଖିର କୋଣରେ ହସିଲ । କହିଲ, “ପାର୍ଟିରେ ଏତେଦିନ ରହିବା ପରେ ବି ତମେ ବୁର୍ଜୁୟା ହୋଇ ରହିଛ, ବିପ୍ଳବୀ ହୋଇପାରି ନାହଁ । କାରଣ, ମାଲିକାନା ମନୋବୃତ୍ତି ଏପର୍ଯ୍ୟନ୍ତ ତୁମଠାରୁ ଯାଇନାହିଁ । ତମେ ପୁଞ୍ଜି, ଭୂମି, କଳ, କାରଖାନା ସବୁ ଉପରୁ ବ୍ୟକ୍ତିଗତ ମାଲିକାନା ଉଠାଇବାକୁ ଚାହଁ–ଅଥଚ ନାରୀର ଦେହ ମନ ଉପରୁ ସେଇ ଅଧିକାର ଊଣା ହୋଇଗଲେ କ୍ତୋଧରେ ଅସ୍ଥିର ହେଉଛ ?”

 

ମଲ୍ଲିକା ! ତମର ଯୁକ୍ତି ଶୁଣି ମୋର କଣ୍ଠରୋଧ ହୋଇ ଆସିଥିଲା । ନାମ ତମର ମଲ୍ଲିକା ହଲେ ବି ତମେ ଲଣ୍ତନର ତାଫୋଡିଲ୍‍ । ଭାରତୀୟ ସଂସ୍କୃତି, ନୈତିକତାବୋଧ ଉପରେ ତମର ଚରମ ଅନାସ୍ଥା । ତମକୁ ମୁଁ କେମିତି ବୁଝାଇଥାଆନ୍ତି ଯେ, ଯୁକ୍ତି ଦେଇ ମୁଣ୍ତକୁ ମନାଇ ଦେଇହୁଏ, ମନକୁ ବୁଝାଇ ଦିଆଯାଇ ପାରେନା !

 

ତମକୁ ଲାଭ କରିବାର ଇଚ୍ଛା ପଛରେ ମୋର ଯେ ଅଧିକାର କରିବାର ମନୋବୃତ୍ତି ଥିଲା, ମୁଁ ମାନୁଛି । ଅର୍ଥନୈତିକ ବିପ୍ଳବ ପାଇଁ ମୁଁ ସକଳ ବସ୍ତୁର ସମାଜୀକରଣ ଇଚ୍ଛା କରିପାରେ; କିନ୍ତୁ ନିଜର ସୁଖ ଶାନ୍ତି ପାଇଁ ମୁଁ ଚାହେଁ ଗୋଟିଏ ଜିନିଷର ମନୋପୋଲି–ଏକଚାଟିଆ ଅଧିକାର…ସେ ହେଉଛି ମୋ ପ୍ରଣୟିନୀର ଦେହ ମନ !

 

ମଲ୍ଲିକା ! ମୋ ପୌରୁଷର କୃତିତ୍ଵ ବିଜ୍ଞାପିତ କରିବା ପାଇଁ ତମ ଆଗରେ ଅନ୍ୟ ଝିଅମାନଙ୍କ ସହିତ ମୋର ସମ୍ପର୍କ ଥିବା କଥା ଅନେକ କହିଛି । ସେଥି ମଧ୍ୟରୁ ଅଧିକାଂଶ କାଳ୍ପନିକ, କେତେକ ଅତିରଞ୍ଜିତ । ତମେ ଜଣିଏ ଝିଅ, ଯାହାକୁ ସର୍ବସ୍ଵ ଦେଇ ବୁର୍ଜ୍ଜୁୟା ପୁରୁଷରୁ ମୁଁ ସର୍ବହରା ପ୍ରେମିକରେ ପରିଣତ ହୋଇଛି । ତେଣୁ ତମେ ମତେ ବିବାହ କରିବ ନାହିଁ ବୋଲି ଜାଣିବା ପରେ ମୋର କଣ୍ଠନଳୀରେ ମୁଁ ଅନୁଭବ କରୁଛି, ଅସହ୍ୟ ଯନ୍ତ୍ରଣା ।

 

ତମକୁ ମୁଁ ପ୍ରଶ୍ନ କହିଥିଲି, ମୋ ସହିତ ତମର ସମ୍ପର୍କ ବାହାରେ ଅନେକ ଜାଣନ୍ତି । ତବେ ଅନ୍ୟକୁ ବିବାହ କଲେ, ସେ କଅଣ ତମକୁ ଏଥିପାଇଁ କ୍ଷମା କରିବ ?

 

ମୋ କଥା ଶୁଣି ବନ୍ୟଝରଣା ଭଳି ତମେ ଝର ଝର ହୋଇ ହସି ଉଠିଥିଲ । କହିଥିଲ, “ସ୍ଵାଧୀନତା ପରେ ପ୍ରକୃତରେ ଯଦି କେହି କିଛି ସ୍ଵାଧୀନତା ପାଇଛି, ତାହାହେଲେ ସେ ହେଉଛି ଶିକ୍ଷିତା, ସୁନ୍ଦରୀ ନାରୀ…ଶ୍ରମିକ ନୁହେଁ, କୃଷକ ନୁହେଁ । ନିଜ ଦେହ ମନକୁ ବ୍ୟବହାର କରିବାର ସ୍ଵାଧୀନତା ତା’ର ଅପର୍ଯ୍ୟାପ୍ତ । ଆମ ରାଷ୍ଟ୍ର କେବଳ ଧର୍ମନିରପେଷ ନୁହେଁ; ଚରିତ୍ର-ନିରପେକ୍ଷ ମଧ୍ୟ-। ନାରୀ ନଷ୍ଟଚରିତ୍ରା ହେଲେ ତାକୁ ଚାକିରୀ ମିଳିବ ନାହିଁ, ବିଶ୍ଵବିଦ୍ୟାଳୟ ଡ଼ିଗ୍ରୀ ମିଳିବ ନାହିଁ, ଏକଥା କୌଣସି ଆଇନରେ ନାହିଁ । ପୁରୁଷଗଢ଼ା ସମାଜର ଆଇନ ସେଥିପାଇଁ ଧୂଳିଘର ଭଳି ଭାଙ୍ଗିପଡ଼ୁଛି । ତେଣୁ ଚରିତ୍ରର ଭୟ ଦେଖାଇ ତମେ ମତେ ଶୋଷଣ କରିପାରିବ ନାହିଁ ।”

 

କଥା କହିଲାବେଳେ ତମ ଆଖିରେ ଅଗ୍ନିକଣା ମୁଁ ଦେଖିନାହିଁ; କିନ୍ତୁ ମୋ ଆଖିର ଦୃଷ୍ଟି ଜଳକା ହୋଇଯାଇଥିବା ମୁଁ ଅନୁଭବ କରିଛି ।

 

ମୁଁ ଜାଣେ, ତମେ ମତେ ଭଲ ପାଅନାହିଁ । ମତେ ସୁଖୀ କରିବାକୁ ଚାହିଁନାହିଁ । ତଥାପି ତମକୁ ମୁଁ ଚାହିଁଥିଲି । ନିଃଶ୍ଵାସ ନେବାପାଇଁ ଯେପରି ନିର୍ମଳବାୟୁ ଦରକାର, ଶାନ୍ତିରେ ବଞ୍ଚିବାପାଇଁ ତମେ ମୋର ଠିକ୍‍ ସେମିତି ଦରକାର ଥିଲ ।

 

ତମର ନାସ୍ତିବାଚକ ଜିଦରେ ଆହତ ହୋଇ ମୁଁ ଫେରି ଆସୁଥିଲି । ତମେ ହଠାତ୍‍ ପଛରୁ ଡାକିଲ । କହିଲ, “ବୁଲୁ, ମୁଁ ତୁମକୁ କେବେ ଭଲ ପାଉଥିଲି ବୋଲି ଭାବନାହିଁ । ସେ କଥା କହିଲେ ପ୍ରକୃତ ତଥ୍ୟର ଅତିରଞ୍ଜନ ହେବ । ବିଶ୍ଵାସ କର, ମୁଁ ତମକୁ କେବଳ ସିଡ଼ିଉସ କରୁଥିଲି…

 

କାର୍ଟର ବ୍ରାଉନ୍‍ ବହିରେ ‘ସିଡ଼ିଉସ’ ଶଦ୍ଦ ମୁଁ ଅନେକଥର ପଢ଼ିଛି । ସେ ଶଦ୍ଦର ତାତ୍ପର୍ଯ୍ୟ ବୁଝିବା ପାଇଁ “ଦାସ୍‍ କାପିଟାଲ୍‍” ପଢ଼ିବା କିଛି ଦରକାର ନଥିଲା । ‘ସିଡ଼ିଉସ’ ଶଦ୍ଦର ଓଡ଼ିଆ ଅନୁବାଦ ଅଶ୍ଳୀଳ ଶୁଣାଯିବ ବୋଲି ତମେ ତାକୁ ଇଂରେଜୀରେ କହିଥିଲ ନା !

 

ମଲ୍ଲିକା, ତମ ପାଖରୁ ଫେରିଲା ପରେ ତମକୁ ହରାଇବାର ଦୁଃଖରେ ମୁଁ ଅନେକଥର ନିର୍ଜ୍ଜନରେ କାନ୍ଦିଛି । ତମକୁ ଜବରଦସ୍ତ ବାହା ହେବି ବୋଲି ପରିକଳ୍ପନା କରିଛି । କିନ୍ତୁ ପରେ ବୁଝିଛି, ଏହା ସମ୍ଭବ ନୁହେଁ, ଉଚିତ ମଧ୍ୟ ନୁହେଁ ।

 

ମୁଁ ଜାଣେ; ଦୁଇଜଣ ନାରୀ ପୁରୁଷ ନିଜ ଅଜ୍ଞତାରେ, ବିନା ସମ୍ମତିରେ ଯଦି ବେଦିରେ ବସି ବାହା ହୋଇଥାନ୍ତି, ତେବେ ସେଥିମଧ୍ୟରୁ ଜଣେ କେହି ଅନ୍ୟଠାରୁ ଉପଯୁକ୍ତ କାରଣ ନ ଜଣାଇ ଠକି ଦେବାକୁ ବସିଲେ, ଆଇନରେ ଶାସ୍ତିର ବ୍ୟବସ୍ଥା ଅଛି । କିନ୍ତୁ ତମ ମୋ ଭଳି ଦୁଇଜଣ ନାରୀପୁରୁଷ ନିଜ ଇଚ୍ଛାରେ, ନିଜ ଦାୟିତ୍ଵରେ ଦେହମନ ବିନିମୟରେ ପ୍ରେମ କରୁଥିଲେ ସୁଦ୍ଧା ଜଣେ ନିଜର ସ୍ଵାର୍ଥ ପାଇଁ ଅନ୍ୟ ଜଣକୁ ଠକିଦେଲେ ଠକୁଥିବା ଲୋକପାଇଁ ଆଇନରେ କୌଣସି ଶାସ୍ତିର ବିଧାନ ନାହିଁ !

 

ଆମ ସମାଜର ଆଇନ ଶତଛିଦ୍ର କଳସୀଭଳି । ସେଇ ଛିଦ୍ର ପଥର ସୁଯୋଗ ନେଇ ତମେ ମତେ ସିଡ଼ିଉସ୍‍ କରି ଆଉ ଜଣକୁ ବିବାହ କରି ସୁଖୀ ହୋଇପାର । ଆଉ ମୁଁ ନିର୍ବୋଧ ପ୍ରେମିକ, ତମ ସ୍ମୃତିର ଫୁଲରେ ଏଣେ କେବଳ ମାଳା ଗୁନ୍ଥୁଥିବି !

 

ମଲ୍ଲିକା, ତମେ କ’ଣ ଭାବୁଛ ନାରୀର ଚରିତ୍ର ବହ୍ନିଦଗ୍ଧ ଶୁଦ୍ଧ ସୁବର୍ଣ୍ଣ ଭଳି, ଯାହା ବହୁ ପୁରୁଷଙ୍କ ସ୍ପର୍ଶର ଉତ୍ତାପରେ ଉତ୍ତପ୍ତ ହେଲେ ବେଶି ବେଶି ଉଜ୍ଜ୍ଵଳ ହୁଏ, କେବେହେଲେ କଳା ପଡ଼େନାହିଁ !

 

॥ ତିନି ॥

 

ତମେ ଲେଖିଛ, ଏଥିମଧ୍ୟରେ ପାର୍ଟି ଅଫିସରେ ବିପ୍ଳବ ଘଟି ଯାଇଛି । ପାର୍ଟିମଧ୍ୟରେ ଥିବା ଉଗ୍ର ବିପ୍ଳବୀମାନେ ପାର୍ଟିର ଦକ୍ଷିଣପନ୍ଥୀମାନଙ୍କଠାରୁ ଅଲଗା ହୋଇଯାଇ ତମ ନେତୃତ୍ଵରେ ନୂଆ ସଙ୍ଗଠନ ଗଠନ କରିଛନ୍ତି । ଭାରତବର୍ଷରେ ବିପ୍ଳବକୁ ତ୍ଵରାନ୍ଵିତ କରିବା ପାଇଁ ତମେ ନେଇଛ ମୋଣିତ-ଶପଥ ।

ଇତୁଭାଇ ! ଚିଠିର ଶେଷରେ ମତେ ସମ୍ଵୋଧନ କରି ଲେଖିଛ, ଚୀନ୍‍ ପରେ ପାକିସ୍ଥାନ ଆକ୍ରମଣ ଭାରତବର୍ଷର ମୃତ୍ତିକାକୁ ବିପ୍ଳବ ପାଇଁ ଉର୍ବର କରିଦେଇଛି । ପାକିସ୍ଥାନ ଯେ ଏ ଯୁଦ୍ଧରେ ପରାସ୍ତ ହେବ, ଏଥିରେ ତମର ସନ୍ଦେହ ନାହିଁ । କିନ୍ତୁ ଯୁଦ୍ଧ ପରବର୍ତ୍ତୀ ଭାରତବର୍ଷରେ ଯେଉଁ ଅର୍ଥନୈତିକ ଦୂରବସ୍ଥା ସୃଷ୍ଟି ହେବ, ତା’ର ଦୃଶ୍ୟ ତମ ଦୃଷ୍ଟିର ବାଇନୋକୁଲାରରେ କୁଆଡ଼େ ଅତି ସ୍ପଷ୍ଟ ଦେଖାଯାଉଛି । ତମ ମତରେ ଅସନ୍ତୋଷ ହେଲା ବିପ୍ଳବର ଭିଟାମିନ୍‍ । ଅର୍ଥନୈତିକ ଅଧୋଗତି ଫଳରେ ଲୋକମାନଙ୍କ ମନରେ ଅସନ୍ତୋଷ ପ୍ରବଳ ହେଲାବେଳେ ଆମକୁ ବିପ୍ଳବର ଚାରାଗଛକୁ ସେମାନଙ୍କ ମନରେ ରୋପଣ କରିବା ପାଇଁ ତମେ ମତେ ଆହ୍ଵାନ କରିଛ ।

ଇତୁଭାଇ ! ତମ ଚିଠିପଢ଼ି ମୁଁ ଥ’ ହୋଇ ବସିଗଲି । ତମେ ଜାଣ ଦୁଇବର୍ଷ ହେଲା ମୁଁ ପାର୍ଟି ସଭ୍ୟ କାର୍ଡ ରିନିଉ କରି ନାହିଁ । ପାର୍ଟି ସଭ୍ୟ ହୋଇ କମ୍ରେଡ଼ ହେବା ପରେ ପୃଥିବୀକୁ ଭିନ୍ନ ଦୃଷ୍ଟିରେ ଦେଖିବା ପାଇଁ ଯେଉଁ ଚଷମା ପିନ୍ଧୁଥିଲି, ତାକୁ ମଧ୍ୟ ଏଥିମଧ୍ୟରେ ଓହ୍ଲାଇ ରଖି ଦେଇଛି ସତ କହିବାକୁ ଗଲେ, ତମ ଭଳି ମୁଁ କେବେ ସିରିଅସ୍‍ ପଲିଟିସିଆନ୍‍ ନୁହେଁ । ମୁଁ ଜଣେ ସୌଖିନ ବିପ୍ଳବୀ । ତମ ଭଳି ପାର୍ଟିର ଚାଷୀ, ଶ୍ରମିକ କିମ୍ଵା ଭୋଟ୍‍ ଫ୍ରଣ୍ଟରେ ମୁଁ କେବେ କାମ କରି ଲାଠି ଖାଇନାହିଁ; ଜେଲ୍‍ ଯାଇନାହିଁ । ପାର୍ଟିର ଚାନ୍ଦା ଆଉ ସ୍ଲୋଗାନ୍‍ ଫ୍ରଣ୍ଟରେ ତମେ ମତେ ସବୁବେଳେ ରଖି ଆସିଛ । ପାର୍ଟି ପାଇଁ ଚାନ୍ଦା ଆଦାୟ କରିବା, ଶୋଭାଯାତ୍ରା ଆଗରେ ବାହୁର ମାଂଶପେଶି ଫୁଲାଇ, ହାତ ହଲାଇ ସ୍ଳୋଗାନ୍‍ ଦେବା ମୋର ମୁଖ୍ୟ କାମ ହୋଇ ଆସିଛି । ତା’ ବଦଳରେ ତମେ ମୋପାଇଁ କେତୋଟି ତତ୍ତ୍ଵଗର୍ଭା ପ୍ରବନ୍ଧ ଲେଖି ବିଦେଶୀ ପତ୍ରିକାରେ ମୋ ନାମରେ ଛପାଇ ଦେଇଛ-। ଦୟା କରି ମୋ ମୁହଁରେ ଏକ ବିପ୍ଳବୀର ମୁଖା ପିନ୍ଧାଇ ଦେଇଛ ।

ସେ ସବୁ ମତେ ଦିନେ ଭାରି ଭଲ ଲାଗିଥିଲା । କିଶୋରୀ ଦେହରେ ପ୍ରଥମ ଯୌବନର ସ୍ପର୍ଶ ଲଗିଲେ ସେ ଯେପରି ଏକ ଅଜ୍ଞାତ ପୁଲକରେ ଉଲ୍ଲସିତା ହୁଏ, ମୁଁ ଠିକ୍‍ ହଠାତ୍‍ ବିପ୍ଳବୀ ହୋଇ ସେହିପରି ରୋମାଞ୍ଚିତ ହୋଇଥିଲି । କିନ୍ତୁ ବୟସ, ଅଭିଜ୍ଞତା ବଢ଼ିବା ସଙ୍ଗେ ସଙ୍ଗେ ସେ ଉତ୍ତେଜନା ମନରୁ ମୋର ଶୀତଳ ହୋଇ ଆସିଲାଣି ।

ଇତୁଭାଇ ! ମୁଁ ଆଉ ସେ ଲ’ କଲେଜର ଅନଭିଜ୍ଞ ଚପଳ ତରୁଣ ହୋଇ ନାହିଁ । ମୁଁ ଗୋଟିଏ ନାରୀର ପ୍ରେମ, ପ୍ରତାରଣା ସବୁ ସହି ବୟସ୍କ ହୋଇଛି । ନାରୀର ପ୍ରେମ ଓ ପ୍ରତାରଣାବିନା ପୁରୁଷ ଯେ ବୟଃପ୍ରାପ୍ତ ହୁଏନାହିଁ; ଏକଥା ତମେ ବିଶ୍ଵାସ କର ନାହିଁ । କାରଣ ପ୍ଲାଟୋଙ୍କଭଳି ତମର ଧାରଣା ପ୍ରେମ ଗୋଟିଏ ଭୟାବହ ମାନସିକ ରୋଗ । ତମେ ଭାବ ପୁରୁଷ ପାଇଁ ନାରୀର ଆବଶ୍ୟକତା ଏକାନ୍ତ ବାୟୋଲଜିକାଲ୍‍…କେବଳ ପାର୍ଟିର କମ୍ରେଡ଼ଙ୍କ ସଂଖ୍ୟା ବୃଦ୍ଧି କରିବାପାଇଁ ।

 

ମୁଁ କିନ୍ତୁ ଠିକ୍‍ କରି ଆଜି ଶିଖିଛି । ଏ ପୋଥିବାଇଗଣ କଥା ନୁହେଁ । ବିପ୍ଳବ ଲାଗି ଭାରତଭୂମିକୁ ଉର୍ବର କରିବାପାଇଁ ମାଓ ସେ ତୁଂ କିମ୍ଵା ଆୟୁବଖାଁଙ୍କ ଉପରେ ତମେ ନିର୍ଭର କରିବା ଉଚିତ ନୁହେଁ । ତାହା ହେଲେ ଚୋରାବାଲି ଉପରେ ତମେ ପ୍ରାସାଦ ଗଢ଼ିବାର ଭ୍ରମ କରିବସିବ ।

 

ଚୀନ୍‍ ପାକିସ୍ଥାନ ଆକ୍ରମଣ ଯେ ଭାରତବର୍ଷର ଅର୍ଥନୀତିକୁ କିଛି ପରିମାଣରେ ବିପର୍ଯ୍ୟସ୍ତ କରିବ, ଏ କଥା ମୁଁ ମାନୁଛି । କିନ୍ତୁ ତା’ ଫଳରେ ଲୋକଙ୍କ ମନରେ ଏପରି କିଛି ଅସମ୍ଭାଳ ଅସନ୍ତୋଷ ସୃଷ୍ଟି ହେବନାହିଁ, ଯାହାର ହିଂସାତ୍ମକ ବିପ୍ଳବ ପାଇଁ ଲୋକେ ଆଗେଇ ଆସିବେ । ବରଂ ଶତ୍ରୁକୁ ପରାଜିତ କରିପାରିଥିବାର ଆତ୍ମସନ୍ତୋଷରେ ଲୋକେ ଅଧିକ ଦୁଃଖ ସହିବା ପାଇଁ ଅନୁପ୍ରାଣିତ ହେବା ସମ୍ଭବ ।

 

ଇତୁଭାଇ ! ଭାରତବର୍ଷ ଏକ ଅଦ୍ଭୁତ ଦେଶ । ଇଂଲଣ୍ତରେ ବସି କାର୍ଲମାର୍କସ ବିପ୍ଳବର ଜାତକ ତିଆରି କଲାବେଳେ ଭାରତବର୍ଷର ରାଶି, ନକ୍ଷତ୍ର ଠିକ୍‍ ଭାବରେ ବୋଧହୁଏ ସେ ଅନୁଧ୍ୟାନ କରି ନ ଥିଲେ । ଅନ୍ୟ ଦେଶର ଲୋକେ ଉପାସ ରହିଲେ ସେମାନଙ୍କ ମନରେ ହିଂସାଭାବ ସୃଷ୍ଟି ହୋଇପାରେ, କିନ୍ତୁ ଏ ଦେଶର ଲୋକେ ଉପବାସକୁ ମନେ କରନ୍ତି ଧର୍ମ । ଓଷା ବ୍ରତରେ ଉପାସହିଁ ସେମାନଙ୍କର ପ୍ରଧାନ ଉପାସନା ।

 

ଇତୁ ଭାଇ ! ଏ ଦେଶରେ ତମ ପାର୍ଟିର ଭବିଷ୍ୟତ ନାହି ବୋଲି ମୁଁ କହୁନାହିଁ । ଏ ଦେଶରେ ଅସନ୍ତୋଷ ନିଶ୍ଚୟ ସୃଷ୍ଟି ହେବ । କିନ୍ତୁ ତାହା ଅର୍ଥନୈତିକ ଦୁରବସ୍ଥା ଯୋଗୁଁ ନୁହେଁ, ନୈତିକତାର ଅଧୋପତନ ଯୋଗୁ ।

 

ହିଂସାତ୍ମକ ବିପ୍ଳବର ସେ ଜୀବାଣୁ ସ୍ଵାଧୀନତା ନାମରେ ସ୍ଵେଚ୍ଛାଚାରରେ ବିଶ୍ଵାସ କରୁଥିବା ଏ ଦେଶର ଶିକ୍ଷିତା ନାରୀମାନେ ହିଁ ପ୍ରତି ପରିବାରରେ ବିଞ୍ଚିଦେବେ । ଇତୁଭାଇ ! ପ୍ରକୃତରେ ମଲ୍ଲିକାଭଳି ଝିଅମାନେହିଁ ଏ ଦେଶରେ ବିପ୍ଳବର ପତାକାକୁ କାନ୍ଧରେ ତୋଳି ମାର୍ଚ୍ଚ କରିଯିବେ । କାରଣ ପୁରୁଷ ଭୋକରେ ରହି ଚୁପ ରହିପାରେ; କିନ୍ତୁ ସେ ଯେତେବେଳେ ବୁଝେ ଯେ ପୂର୍ବବ୍ୟବହୃତ ଦେହମନ ନେଇ ସ୍ତ୍ରୀ ତା’ର ସନ୍ତାନର ଜନନୀ ହେବାକୁ ଆସିଛି !

 

ଇତୁଭାଇ ! ମୋ ଆଖି ଆଗରେ ନାଚିଯାଉଛି ମଲ୍ଲିକା ଭଳି ଝିଅ ପ୍ରତି ପରିବାରରେ ସୁଖର ସନ୍ଧାନରେ ଯେତେବେଳେ ପ୍ରବେଶ କରିବେ, ସେତେବେଳେ ପରିବାରର ଦୁର୍ଜ୍ଜୟ ଦୁର୍ଗ ଭାଙ୍ଗିଯିବ । ଗଢ଼ି ଉଠିବ ନାଇଟ୍‍ କ୍ଳବ୍‍, କଫିହାଉସ୍‍ । ବୁର୍ଜୁୟା ବିଳାସର ସେଇ ଅନ୍ତୁଡ଼ିଶାଳରେ ଜନ୍ମ ହେବ ନୂତନ ବିପ୍ଳବ… ।

 

ସରକାର ଚୀନ୍‍, ପାକିସ୍ଥାନର ସୈନ୍ୟଙ୍କୁ ହଟାଇ ଦେଇପାରନ୍ତି । କିନ୍ତୁ ମଲ୍ଲିକା ଏବଂ ସେମାନଙ୍କ ସମ୍ପ୍ରଦାୟର ଅଗ୍ରଗତିକୁ ସେ ଅଟକାଇ ପାରିବେ ନାହିଁ । ବିଶ୍ଵାସ କର, ତମ ପାର୍ଟିର ସେଇମାନେହିଁ ଅଣ୍ତରଗ୍ରାଉଣ୍ତ କର୍ମୀ । ମଲ୍ଲିକା ପାର୍ଟିର ଫେଲୋ ଟ୍ରାଭଲର୍‍ !

 

ଇତୁ ଭାଇ ! ତମେ ଯଦି କେବେ ମୋ ଶୟନକକ୍ଷକୁ ଆସିବ, ଦେଖିବ, ସେ ଘରକାନ୍ଥରେ ଈଶ୍ଵର କିମ୍ଵା ଲାଲ ଗୋଲାପର ଛବି ନାହିଁ । ଷ୍ଟାଲିନ ଓ ମାଓ–ସେ-ତୁଂଙ୍କ ଛବି ମଧ୍ୟ କେଉଁଦିନୁ ମୁଁ କାଢ଼ି ଦେଇଛି । ମୋ କାନ୍ଥରେ କେବଳ ଝୁଲୁଛି ଗୋଟାଏ ଶଙ୍ଖି ବିଲେଇ ଛବି, ଯେଉଁ ବିଲେଇକୁ ଯେତେ ଦୁଧ ଭାତ ଦେଇ ପୋଷିଲେ ବି ପରଘରର ଆମିଷ ଗନ୍ଧପାଇଲେ କେଉଁ ଖଞ୍ଜରେ ସେ ଘରଛାଡ଼ି ଚାଲିଯାଏ ଯେ… ।

 

ଉପନାୟକ

॥ ଏକ ॥

 

ଉପନ୍ୟାସର ଶହେ କୋଡ଼ିଏ ପୃଷ୍ଠା ଲେଖା ଶେଷ କରି ଔପନ୍ୟାସିକ ସୁଧାମୟ କାନ୍ଥ ଆଡ଼କୁ ଚାହିଁଲେ । କାନ୍ଥ ଘଣ୍ଟାର ଘଣ୍ଟାକଣ୍ଟା ‘ଏକ’ ପାଖରୁ ‘ଦୁଇ’ ପାଖକୁ ଅନେକ ଦୂର ଘୁଞ୍ଚି ଆସିଥିଲେ ସୁଦ୍ଧା ମିନିଟ କଣ୍ଟାଟା ନ’ ପାଖରେ ରହି ସ୍ଥିର ହୋଇ ଉଠୁଚି ।

 

ଆକାଶରେ ବୋଧହୁଏ ଚନ୍ଦ୍ରୋଦୟ ହୋଇଚି । କାରଣ ଝରକା ଆରପଟ ବଗିଚାର କିୟଦଂଶ ଫର୍ଚ୍ଚା ଦିଶୁଚି । ତିଥିଟା କଅଣ ବୋଲି ଅନୁମାନ କରିବାକୁ ଚେଷ୍ଟା କଲେ ସୁଧାମୟ ।

 

ନା–ଆଖିକି ନିଦଟା ଆଜି ଆଉ ଆସିବ ନାଇଁ । ଉପନ୍ୟାସର ପାର୍ଶ୍ଵଚରିତ୍ରଟା ସୁଧାମୟଙ୍କ ଦୁର୍ବଳ ହୃଦୟର ସୁବିଧା ନେଇ ଏଥିଭିତରେ ମୁଖ୍ୟଚରିତ୍ର ହୋଇଯିବାକୁ ବସିଲାଣି । କିଏ ଜାଣେ, ମୁଖ୍ୟଚରିତ୍ର ବ୍ରଜଲାଲକୁ ପଛରେ ପକାଇ ଏଇ ପାର୍ଶ୍ଵଚରିତ୍ର ମଣିଆ ପାଠକ ଚିତ୍ତର ସ୍ଵର୍ଣ୍ଣ ସିଂହାସନରେ ଆସନ ପାତି ନ ବସିବ ବୋଲି !

 

ଅଥଚ ଏଇ ମଣିଆ ପ୍ରଥମେ ଯେଉଁଦିନ ଆସି ବ୍ରଜଲାଲର ସ୍ଵର୍ଣ୍ଣ ଅଳଙ୍କାର ଦୋକାନ ଆଗରେ ଠିଆ ହେଲା, ସେଦିନ ସୁଧାମୟଙ୍କ ଲେଖନୀ କି କୁତ୍ସିତ ରେଖାରେ ଆଙ୍କି ନଥିଲା ସତେ ମଣିଆର ସେ ଚେହେରା !

 

ମୁଣ୍ତରେ ଝାମ୍ପୁରା ଝାମ୍ପୁରା ବାଳ । କାନରେ ଦୁଇଟା ରୋଲଗୋଲ୍ଡ଼ର କୁଣ୍ତଳୀ । ଅପରିଚ୍ଛନ୍ନ ପରିଧେୟରେ ବିକୃତ ତା’ର ରୂପ ।

 

ଭିକାରୀ ଭାବି ସୁଧାମୟଙ୍କ ଉପନ୍ୟାସର ପ୍ରଧାନ ଚରିତ୍ର ବ୍ରଜଲାଲ ଗୋଟିଏ ନୂଆପଇସା ପକାଇ ଦେଇଥିଲା ମଣିଆ ଉପରକୁ ।

 

ନୂଆପଇସାଟା ତଳେ ପଡ଼ିଯାଇଥିଲା । ତାକୁ ଗୋଟେଇ ନେଇ ବ୍ରଜଲାଲର ହାତକୁ ବଢ଼ାଇ ଦେଇଥିଲା ମଣିଆ । ଅବାକ୍‍ ଦୃଷ୍ଟିରେ ଚାହିଁ ବ୍ରଜଲାଲ ପ୍ରଶ୍ନ କରି ଉଠିଲା, ‘କଅଣ ଦରକାର ?’

 

ମଣିଆ କାନମୁଣ୍ତା କୁଣ୍ତାଇ କୁଣ୍ତାଇ କହିଥିଲା, ‘ଚାକିରୀ ଆଜ୍ଞା, ଗାଆଁରେ ମରୁଡ଼ି ପଡ଼ିଛି-।’

 

ଲୋକଟା ଭିକ ମାଗିବାକୁ ନୁହେଁ, ଚାକିରୀ ମାଗିବାକୁ ଆସିଛି ! ଭାରତ ସ୍ଵାଧୀନତା ପାଇଲା ପରେ ମଫସଲ ଲୋକଗୁଡାକ ମାଗିଖାଇବା ଛାଡ଼ି ଲାଗି ଖାଇବାକୁ କି ତତ୍ପର ହୋଇ ଉଠିଚନ୍ତି ସତେ ! ବ୍ରଜଲାଲ ମନେ ମନେ ଭାବୁଥିଲା, ଏବେ ରବିବାର ଦିନ ତିନିମହଲା କୋଠା ଛାତରୁ ତଳ ରାସ୍ତାକୁ ଅନାଇଲେ ଆଉ ଦେଶୀ ଭିକାରୀ ବେଶୀ ଦିଶୁ ନାହାନ୍ତି । ଭିକାରୀଗୁଡ଼ାକ ଏବେ ଆନ୍ଧ୍ର ପ୍ରଦେଶରୁ ଆସି ସହରରେ ବେଶୀ ଠୁଳ ହୋଇଛନ୍ତି । ଓଡ଼ିଶାର ଭିକାରୀଗୁଡ଼ାକ ରାଉରକେଲା, ହୀରାକୁଦ ଆଉ ପାରାଦ୍ଵୀପରେ ।

 

ଫୋନ୍ଟା ରିଂ ରିଂ କରି ବାଜିଉଠିଥିଲା ।

 

ଭାବନାକୁ ସ୍ଥଗିତ ରଖି ବ୍ରଜଲାଲ ଫୋନ୍‍ ରିସଭର୍‍ଟା କାନ ପାଖକୁ ଉଠାଇ ନେଇଥିଲା-। ବାମ ହାତରେ ଆଗକୁ ବାହାରି ପଡ଼ିଥିବା ମାଂସଳ ଉଦରଟାକୁ ଗେହ୍ଲା କଲାଭଳି ଆଉଁସୁ ଆଉଁସୁ ପାଟିକରି ଉଠିଥିଲା, “ହାଲୋ…ହାଲୋ…କଲିକତା ଷ୍ଟକ୍‍ ଏକ୍ସଚେଞ୍ଜ ! କ୍ୟା ସୋନା ଏକଶ୍‍ ଚଲ୍ଲିଶ ହୋଗିୟା ! ଆଚ୍ଛା ଆଚ୍ଛା, ଛୋଡ଼୍‍ ଦୋ…”

 

ତା’ପରେ ସପ ଉପରେ ପଡ଼ିଥିବା ମାଣ୍ତି ଉପରେ ହାମୁଡ଼େଇ ପଡ଼ି ସେ ପାଟିକରି ଉଠିଥିଲା, “ଗୁମାସ୍ତା ବାବୁ, ସୋନା ଏକ୍‍ଶ ଚଲ୍ଲିଶ ହୋଗିୟା ।”

 

ଏକ୍‍ଶ ପଇଁତ୍ରିଶରୁ ଏକ୍‍ଶ ଚାଳିଶ !

 

ମୁନାଫାର ଅଙ୍କଟା ବ୍ରଜଲାଲର ଆଖିରେ ସ୍ଵପ୍ନର ଇନ୍ଦ୍ରଧନୁ ସୃଷ୍ଟ କରିବାକୁ ଲାଗିଲା । ନିଜ ଅଜ୍ଞାତରେ ନିଜ ମନର ଆକାଶଟା କେତେବେଳେ ରଙ୍ଗିନ ହୋଇଉଠିଚି, ସେକଥା ଖିଆଲ ରଖି ପାରି ନ ଥିଲା ବ୍ରଜଲାଲ । ସେ କେବଳ ଭାବିବାକୁ ଲାଗିଲା, କି ସୌଭାଗ୍ୟ ନେଇ ଏ ହଳଦିଆ ଧାତୁଟା ପୃଥିବୀ ଭିତରକୁ ଆସିଥିଲା କେଜାଣି, ତା’ ସହିତ ସାରା ପୃଥିବୀ ଅର୍ଥନୀତିର ଚକ୍ରଟା ଘୁରିବାରେ ଲାଗିଛି ।

 

ସୁଧାମୟଙ୍କ ଉପନ୍ୟାସରେ ସାମାନ୍ୟ ଏକ ପାର୍ଶ୍ଵଚରିତ୍ରର ଭୂମିକା ରକ୍ଷା କରି ସେତେବେଳ ପର୍ଯ୍ୟନ୍ତ ମଧ୍ୟ ମଣିଆ ଦୋକାନ ଦୁଆର ମୁହଁରେ ଠିଆ ହୋଇଥିଲା । ବ୍ରଜଲାଲ ତୁଳାର ମାଣ୍ତି ଉପରେ ହାମୁଡ଼େଇ ପଡ଼ିବା ଦେଖି ସେ ପ୍ରଶ୍ନକଲା, “ମୋ ଚାକିରୀ କଥା ଆଜ୍ଞା ! ଗାଆଁରେ ମରୁଡ଼ି ପଡ଼ିଛି ଯେ, ଧାନ ଗଛଗୁଡ଼ାକ ସବୁ ଜଳିଗଲାଣି ।”

 

ତକିଆ ଉପରୁ ଉଠିପଡ଼ି ସୁଧାମୟଙ୍କ ଉପନ୍ୟାସର ପ୍ରଧାନ ନାୟକ ବ୍ରଜଲାଲ ପ୍ରଶ୍ନ କରି ଉଠିଲା, “କ୍ୟା ମରୋଡ଼ି ହୋଗିୟା ! ଅଗର ସୋନାଗୁଡ଼ାକ ତ ସେଇ କାଚ୍ଚା ସଡ଼କ ଉପର ଦେଇ ପ୍ରତି ବାହାଘର ତିଥିରେ ସାପ, ବେଙ୍ଗର ସେ ମଫସଲ ସାମ୍ରାଜ୍ୟକୁ ଧାଁ ଦଉଡ଼ ଲଗାଇଚି ! ମଫସଲରେ ଆଜି କାଲି ବହୁତ ଟଙ୍କା । ସୋନା ଏକ୍‍ଶ ପଇଁନ୍ତ୍ରିଶରୁ ଏକ୍‍ଶ ଚଲ୍ଲିଶ ହୋଗିୟା।”

 

ତା’ପରେ ବ୍ରଜଲାଲ ତା’ର ବର୍ତ୍ତୁଳାକାର ଆଖି ଡୋଳା ଦୁଇଟା ଏପରି ଭାବରେ ଘୁରାଇବାକୁ ଲାଗିଲା ଯେ, ମନେହେଲା ସତେ ଯେପରି ସ୍ଵର୍ଣ୍ଣ ନାମକ ସେହି ମହିମାମୟୀ ଦେବୀ ନିଜ ଶାଢ଼ୀର ହଳଦିଆ ପଣତଟା ଉଡ଼ାଇ ଚୌଖାନି ସ୍ଵର୍ଣ୍ଣାଳଙ୍କାର ଦୋକାନରୁ ମଫସଲ ରାସ୍ତାରେ କିପରି ଗତିକରି ଯାଉଛନ୍ତି, ତାହା ସେ ଦେଖିବାକୁ ଚେଷ୍ଟା କରୁଚି !

 

ମଣିଆ ହତାଶ କଣ୍ଠରେ କହିଲା, ‘ଚାକିରୀ ଆଜ୍ଞା !

 

ବ୍ରଜଲାଲ ହସି ହସି କହିଲା, କି କି କାମ ତମେ କରିପାରିବ ?

 

ମରୁଡ଼ି ନିଆଁ ଧାସରେ ଶ୍ୟାମଳ ଧାନକ୍ଷେତ ଯାହାର ଧୁସର ହୋଇଯାଇଚି, ସେ କି କାମ ଅବା କରି ନ ପାରେ !

 

ମସଲା ବାଟିବା, ପାଣି ବୋହିବା, ଛୁଆ କାଖେଇବାଠାରୁ ଆରମ୍ଭ କରି ଗୋଡ଼ ଘସିଦେବା ପର୍ଯ୍ୟନ୍ତ ସବୁ କାମ କରିପାରିବ ବୋଲି ମଣିଆ ନିଃସଙ୍କୋଚରେ କହିଥିଲା ସେଦିନ । ଏଭଳି କରିବା ପାଇଁ ଏବେ ଭୀଷଣ ଲୋକ ଅଭାବ । ତେଣୁ ଏଡ଼େ ସହଜରେ ଏପରି ଗୋଟାଏ ଚାକର ପାଇଯିବା ଦେଖି ହସର କେତୋଟି ଚପଳ ଢେଉ ବ୍ରଜଲାଲ ଓଠ ଉପକୂଳରେ ଧକ୍କା ଖାଇବାକୁ ଲାଗିଲା । ଆଖିରେ ନାଚିଲା ତା’ର ପ୍ରଥମ ସ୍ତ୍ରୀର ତିନୋଟି ପିଲାଙ୍କ କଥା ଯେଉଁମାନେ ନୂଆ ମାଆର ଅତ୍ୟାଚାରରେ ହନ୍ତସନ୍ତ ହେଉଚନ୍ତି । ଲୋକଟା ଯଦି ସେମାନଙ୍କର ଯତ୍ନ ନିଏ !

 

ବ୍ରଜଲାଲ ରାଜି ହୋଇଯାଇଥିଲା । ଖାଇ ପିଇ ମାସିକ ଦରମା ସାତଟଙ୍କା । ଏତେ କମ୍‍ ଟଙ୍କାରେ ଚାକରଟିଏ ମିଳିଯିବା କିଛି ସହଜ କଥା ନୁହେଁ !

 

ତେଣୁ ଏହିପରି ଭାବରେ ବ୍ରଜଲାଲର ପ୍ରଥମ ସ୍ତ୍ରୀର ସନ୍ତାନ କେତୋଟିକୁ ନିଜ ଦାୟିତ୍ଵରେ ରଖି ତାକୁ ମୁଖ୍ୟଚରିତ୍ର ଭୂମିକାରେ ଅଂଶ ଗ୍ରହଣ କରିବାକୁ ସୁବିଧା ଦେବା ଲାଗି ସୁଧାମୟ ମଣିଆକୁ ଆଣିଥିଲେ ନିଜ ଉପନ୍ୟାସର ପୃଷ୍ଠା ଭିତରକୁ ।

 

ମରୁଡ଼ି ପ୍ରପୀଡ଼ିତ ମଫସଲ ଗାଁର ଚାଷୀ ସନ୍ତାନ ମଣିଆ, ଯାହାର ଶିକ୍ଷା ନାହିଁ, ତାହାଠାରେ ସଭ୍ୟତାର ସ୍ପର୍ଶ ଲାଗି ନାହିଁ; ଜୀବନରେ କୌଣସି ଉଚ୍ଚ ଆକାଂକ୍ଷା କିମ୍ଵା ସୁଖଭୋଗର ଲାଳସା ନାହିଁ । ସହର ଜୀବନର ପୃଷ୍ଠଭୂମିରେ ଲିଖିତ ସୁଧାମୟଙ୍କ ଉପନ୍ୟାସରେ ତା’ର କି ଭୂମିକା ଅବା ଆଶା କରାଯାଇ ପାରେ !

 

ପ୍ରଥମେ ପ୍ରଥମେ ମଣିଆ ପିଠିରେ ବ୍ରଜଲାଲର ଛୋଟ ଛୁଆ ତିନିଟାଙ୍କୁ ଲଦି ସୁଧାମୟ ବେଶ୍‍ ଆଠଟି ପରିଚ୍ଛେଦ ଅତିକ୍ରମ କରି ଆସିଥିଲେ । କିନ୍ତୁ ନବମ ପରିଚ୍ଛେଦରେ ହଠାତ୍‍ ତାଙ୍କର ଧ୍ୟାନ ଭଙ୍ଗ ହେଲା । ସେ ଚମକି ଉଠି ଦେଖିଲେ, ସନ୍ଧ୍ୟାବେଳେ ଯେତେବେଳେ ବ୍ରଜଲାଲ ଗିନ୍ନିର ଚିକିତ୍ସା କରିବା ପାଇଁ ଡାକ୍ତର ନୀଳାମ୍ଵର ଘର ଭିତରକୁ ପ୍ରବେଶ କଲେ, ମଫସଲର ସେ ମାଇଚିଆ ଟୋକାଟା କାନ ଡ଼େରି ଠିଆହେଇଚି । ଆଖି ଦୁଇଟାରେ ତା’ର ସତର୍କତାର ଚିହ୍ନ ସୁସ୍ପଷ୍ଟ ।

 

ମଣିଆର ଆଖିରେ ଶିକାରୀର ସତର୍କତା ଦେଖି ସୁଧାମୟ ଚମକି ଉଠିଥିଲେ ସେଦିନ । ତାଙ୍କ ମନର ଦୁର୍ବଳତାର ସୁଯୋଗ ନେଇ ମଫସଲ ଅଞ୍ଚଳର ଏକ ମାଇଚିଆ ଟୋକା ଉପନ୍ୟାସରେ ଏକ ବିଶିଷ୍ଟ ଭୂମିକା ଉପରକୁ ଯେ ଲମ୍ଫ ଦେବାକୁ ବସିଲାଣି, ସେଇ କଥା ଲକ୍ଷ୍ୟ କରି ସେ ଶଙ୍କିତ ହୋଇ ପଡ଼ିଥିଲେ । ମନେ ମନେ କହି ଉଠିଥିଲେ, ‘ସାତଟା ଟଙ୍କାର ଚାକର ତୁ ମଣିଆ ! ବ୍ରଜଲାଲ ଭଳି ଓଡ଼ିଶାର ବିଶିଷ୍ଟ ସ୍ଵର୍ଣ୍ଣ ବ୍ୟବସାୟୀର ଗୃହ ଅଭ୍ୟନ୍ତରରେ ପ୍ରବେଶ କରିବା ତୋର ଦରକାର କଅଣ ? ନୀଳାମ୍ଵର ଡାକ୍ତର ଯଦି ବ୍ରଜଲାଲ ଗିନ୍ନି ଚନ୍ଦ୍ରଲେଖାର କକ୍ଷ ଭିତରକୁ ଯାଇଚି, ତାହାହେଲେ ତୁ ବ୍ରଜଲାଲର ପ୍ରଥମ ସ୍ତ୍ରୀର ଗୋଟିଏ ପିଲାକୁ କାନ୍ଧରେ ପକାଇ ବାହାରକୁ ବୁଲାଇ ନେ ।’

 

ସୁଧାମୟଙ୍କ କଳ୍ପନାର ଏରୁଣ୍ତି ବନ୍ଧ ପାଖରେ ଠିଆହୋଇ ଛୁଆ ତିନିଟାଙ୍କ ଆଡ଼କୁ ଚାହିଁଲା ମଣିଆ । ଲକ୍ଷ୍ୟକଲା, ଛୁଆ ତିନିଟା ନିଘୋଡ଼ ନିଦରେ ଶୋଇଛନ୍ତି । ସେମାନଙ୍କୁ ଅଧା ନିଦରୁ ଉଠାଇଲେ, ଏପରି କାନ୍ଦଣାର ରାହା ଧରିବେ ଯେ, ସହଜରେ ସେମାନଙ୍କୁ ବୁଝାଇ ହେବନାହିଁ । ମଣିଆ ଛୁଆ ତିନିଟାଙ୍କ ଆଡ଼ୁ ଦୃଷ୍ଟି ଫେରାଇ ତନ୍ଦ୍ରଲେଖା ଗୃହକକ୍ଷ ଆଡ଼କୁ ଗତି କରିବାକୁ ଲାଗିଲା ।

 

(ନିଃସହାୟ ଭାବରେ ଔପନ୍ୟାସିକ ସୁଧାମୟ ଅନୁଭବ କଲେ, ତାଙ୍କ କଳ୍ପାନର ଏରୁଣ୍ତି ବନ୍ଧ ଡେଇଁ ମଫସଲର ସେ ଅପରିଚ୍ଛନ୍ନ ଲୋକଟା ମନର ଦରଜା ପାଖରେ ଯାଇ ପହଞ୍ଚିଲା ।)

 

କବାଟ ଦରଆଉଜା କରି ଚନ୍ଦ୍ରଲେଖା ଆଉ ଡାକ୍ତର ନୀଳାମ୍ଵର କଥାବାର୍ତ୍ତା ହେଉଥିଲେ ନିମ୍ନ ସ୍ଵରରେ–

 

‘କେତେଦିନ ଆଉ ବିଶୁଦ୍ଧ ଜଳକୁ ଔଷଧ ବୋଲି କହି ଇଞ୍ଜେକ୍ସନ ଦେଉଥିବ ଡାକ୍ତର ।’ ଚନ୍ଦ୍ରଲେଖାଙ୍କ କଣ୍ଠ ।

 

‘ଯେତେଦିନ ତମ ଦେହରେ ଯୌବନର ଏ ସ୍ଵର୍ଣ୍ଣାଭା ଥିବ, ଅନ୍ତତଃ ସେତେଦିନ ରୋଗର ନାମ କହି ମତେ ଏଠିକି ଆସିବାକୁ ହେବ ଚନ୍ଦ୍ରଲେଖା !’ ଡାକ୍ତରଙ୍କ କଣ୍ଠରେ ଆବେଗର ଉଚ୍ଛ୍ଵାସ ।

 

‘ତମେ ତ ମୋ ଦେହରେ ଯୌବନର ଏ ସ୍ଵର୍ଣ୍ଣାଭା ଦେଖୁଚ ଡାକ୍ତର, କିନ୍ତୁ ଯାହାକୁ ବାହା ହୋଇ ମୁଁ ସ୍ଵାମୀ ବୋଲି ଗ୍ରହଣ କଲି, ସୁନାର ରଙ୍ଗ ଛଡ଼ା ଏ ଦେହର ରଙ୍ଗ ତ ଦିନେ ହେଲେ ସେ ଦେଖିଲେ, ନାହିଁ’–ଚନ୍ଦ୍ରଲେଖାଙ୍କ କଣ୍ଠରେ ଏଥର ଅଶେଷ ଅବଶୋଷର ସ୍ଵାକ୍ଷର ।

 

‘ବ୍ରଜଲାଲ ତ ରାତି ବାରଟା ପୂର୍ବରୁ କେବେ ଫେରୁନାଇଁ ଲେଖା ! ତମେ ଆଜି ସନ୍ଧ୍ୟାରେ ଆସ, ସିନେମା ଦେଖିଯିବା । ତମର ଏ ମଫସଲିଆ ଚାକରକୁ ମତେ ଭାରି ଡର ଲାଗୁଚି’–ଡାକ୍ତରଙ୍କ କଣ୍ଠରେ ଭୟର ଜଡ଼ତା ।

 

(ଉପନ୍ୟାସର ଏହି ଅଂଶତକ ଲେଖିମାରି ସୁଧାମୟ ଚେୟାର ଉପରେ କିଛି ସମୟ ଗୁମ୍‍ମାରି ବସି ରହିଥିଲେ । ଅନୁଭବ କରି ଦେଖିଥିଲେ, ଡାକ୍ତର ଚନ୍ଦ୍ରଲେଖାଙ୍କ କଥୋପକଥନ ଶୁଣି ମରୁଡ଼ି ପ୍ରପୀଡ଼ିତ ସେଇ କୃଷ୍ଣକାୟ ଭୃତ୍ୟଟାର ମୁହଁରେ ବିନ୍ଦୁ ବିନ୍ଦୁ ଝାଳ ଜମି ଆସିଛି । ଆଖିରେ ଫୁଟି ଉଠିଚି ଏକ ଉଜ୍ଜଳ-ଦୃଷ୍ଟି । ଶିକାରଛଡ଼ା ବ୍ୟାଘ୍ରଟିଏ ଭଳି ସେ ଫେରି ଆସିଚି, ତା’ର ରହିବା ଘରକୁ ।)

 

ସନ୍ଧ୍ୟାବେଳେ ଚନ୍ଦ୍ରଲେଖା କହିଲେ, “ମୁଁ ସିନେମା ଯାଉଛି ମଣିଆ ତୁ ଘର ଛାଡ଼ି କୁଆଡ଼େ ଯିବୁ ନାହିଁ ।”

 

ମଣିଆ ଗମ୍ଭୀର କଣ୍ଠରେ କହିଲା, “ଆପଣ ସିନେମା ଯାଇ ପାରିବେ ନାଇଁ ମାଆ !”

 

ଟଙ୍କାରିତ ଧନୁ ଭଳି ଭ୍ରୂଲତା କୁଞ୍ଚିତ କରି ଅବାକ୍‍ କଣ୍ଠରେ ଚନ୍ଦ୍ରଲେଖା ପଚାରିଲେ, “କାହିଁକି ?”

 

ମଣିଆ ପୂର୍ବପରି ଦୃଢ଼ କଣ୍ଠରେ କହିଲା, “ଡାକ୍ତର ସାଙ୍ଗରେ ଆପଣ ସିନେମା ଯାଇପାରିବେ ନାଇଁ । ବାବୁ ଆସନ୍ତୁ, ତାଙ୍କ ସାଙ୍ଗରେ ଯିବେ ।”

 

“ମଣିଆ !” –ଧମକ ଦେବାଭଳି ଚିତ୍କାର କରିଉଠିଲେ ଚନ୍ଦ୍ରଲେଖା । ତା’ପରେ ରାଗ ତମତମ ହୋଇ ପଦାକୁ ଯିବାକୁ ବାହାରିଲେ ।

 

ମଣିଆ ନିର୍ଲିପ୍ତ କଣ୍ଠରେ କହିଲା, “ଯଦି ମୋ କଥା ନ ରଖନ୍ତି, ତେବେ ମୁଁ ସେ ପାଣି ଔଷଧ କଥା ବାବୁଙ୍କୁ କହିଦେବି ।”

 

ମଣିଆ କଥା ଶୁଣି ଚମକିଉଠିଲେ ଚନ୍ଦ୍ରଲେଖା ।

 

ଆଖିରୁ ତାଙ୍କର ଦୃଷ୍ଟିର ପ୍ରଦୀପ ନିଭିଗଲା ଭଳି ତାଙ୍କୁ ବୋଧହେଲା । ସେ କଣ୍ଠ ପ୍ରକମ୍ପିତ କରି କହିଲେ, ‘ତୁ ଏ କଅଣ କହୁଚୁ ମଣିଆ ! ଜାଣିଚୁ, ତୁ ଏ ଘରର ସାମାନ୍ୟ ଚାକର ।’

 

ମଣିଆ ମୃଦୁ ମୃଦୁ ହସିଲା । କାଳିଆ ମୁହଁକୁ ତା’ର ହସଟା ଭାରି ଚମତ୍କାର ମାନୁଥିଲା । ସେଇ ହସ ଜରିଆରେ ସେ ଯେପରି ଜଣାଇ ଦେଇ ସାରିଥିଲା, ସେ ଜାଣେ ଯେ ସେ ଏ ଗୃହର ଭୃତ୍ୟ । ସେକଥା ବାରମ୍ଵାର ମନେ ପକାଇ ଦେଇ କିଛି ଲାଭ ନାହିଁ ।

 

ଚନ୍ଦ୍ରଲେଖା ଆଉ ବାହାରକୁ ଗଲେ ନାହିଁ ।

 

ଡାକ୍ତରଙ୍କୁ ଫୋନରେ ଜଣାଇ ଦେଲେ, ‘ମୁଣ୍ତ ବିନ୍ଧୁଛି । ବାହାରକୁ ଯାଇ ହେବ ନାଇଁ ।’

 

ତା’ ଆରଦିନ ମଣିଆ ଶୁଣିଲା, ଚନ୍ଦ୍ରଲେଖା କହୁଛନ୍ତି, “ମୋ ବେକର ସୁନାହାରଟା ନାହିଁ-।”

 

ବ୍ରଜଲାଲ ପଚାରିଲା, “ଏଗାର ଭରିର ସେ ଖାଣ୍ଟି ସୋନାର ହାରଟା ଗଲା କୁଆଡ଼େ ? ସୋନା ଭରି ଏକ୍‍ଶ ଚଲ୍ଲିଶ !”

 

ଚନ୍ଦ୍ରଲେଖା ଚିତ୍କାର କଲାଭଳି କହିଲେ, “ଚୋରି ଚୋରି ! ପୋଲିସକୁ ଖବର ଦିଅ ।”

 

ମଣିଆ କହିଲା, “ହାରଟା ମୋ ପୁଟୁଳା ଭିତରେ ଅଛି ।”

 

ବ୍ରଜଲାଲ କୄଦ୍ଧ କଣ୍ଠରେ ପଚାରିଲା, “ହାରଟା ତୋ ପୁଟୁଳାକୁ ଗଲା କେମିତି ?”

 

ମଣିଆ ହସି ହସି କହିଲା, “ମୁଁ ଶୋଇଥିଲାବେଳେ ମାଆ ମୋ ପୁଟୁଳା ଉଣ୍ତାଳୁଥିଲେ । ବୋଧହୁଏ ମନେ ନାହିଁ, ହାରଟା ସେ ପୁଟୁଳା ଭିତରେ ରଖି ଦେଇଚନ୍ତି ।”

 

ସୁନା ରଙ୍ଗ ଭଳି ଚନ୍ଦ୍ରଲେଖାଙ୍କ ମୁହଁର ସ୍ଵାଭାବିକ ରଙ୍ଗଟା ହଠାତ୍‍ ପିତ୍ତଳ ଭଳି ଫିକା ହୋଇଗଲା ।

 

ତା’ ଆରଦିନ ଚନ୍ଦ୍ର ଲେଖା କହିଲେ, “ମୋର ଗୋଟାଏ ଚାକରାଣୀ ଦରକାର । ଏ ମଫସଲି ଲୋକଟାକୁ ବାହାର କରିଦିଅ । ଏ ପିଲାଙ୍କର ଯତ୍ନ ନେଉ ନାହିଁ ।”

 

ଛୁଆଗୁଡ଼ାଙ୍କ ପ୍ରତି ବିମାତାର ଏ ଆଦର୍ଶ ମାତୃସ୍ନେହ ହଠାତ୍‍ ଆବିଷ୍କାର କରି ବ୍ରଜଲାଲ ଆଚମ୍ଵିତ ହେଲା । କହିଲା, “ତମେ ଅର୍ଥଶାସ୍ତ୍ରର ସାଧାରଣ ନିୟମ ମଧ୍ୟ ଆଦୌ ଜାଣ ନାହିଁ ଚନ୍ଦ୍ର ଲେଖା ! ମାସିକ ସାତଟଙ୍କା ଦରମାରେ ଚାକରାଣୀଟିଏ ତ ଦୂରର କଥା, ଗୋଟିଏ ଡାହାଳ କୁକୁର ସୁଦ୍ଧା ମିଳିବ ନାହିଁ । ଏ ମଣିଆଟା ଅଧେ ପୁରୁଷ, ଆଉ ଅଧେ ନାରୀ । ମାଇଚିଆଟା । ତାଠୁଁ ଭଲ ଚାକରଟାଏ ଆଉ ମିଳିବ କେଉଁଠୁ ?”

 

ଚନ୍ଦ୍ରଲେଖା ବ୍ରଜଲାଲ ମୁହଁକୁ ଚାହିଁରହିଲେ । ତେଇଶି ବର୍ଷର ନାରୀ ! ଜୀବନରେ ସେ ଯେତିକି ଅଭିଜ୍ଞତା ସଞ୍ଚୟ କରିଛନ୍ତି, ତା’ର ମାପକାଠିରେ ସେ ମାପି ଦେଖିଛନ୍ତି ବ୍ରଜଲାଲକୁ । ପୃଥିବୀରେ ଅର୍ଥନୀତି ଛଡ଼ା ଆଉ କିଛି ନୀତି ଅଛି ବୋଲି ସେ ବୁଝେ ନାହିଁ । ଫୁଲ କହିଲେ ସେ ବୁଝେ, ‘ଫୁଲକୋବି’; ନୀତି କହିଲେ, ସେ ବୁଝେ ‘ଅର୍ଥନୀତି’ !

 

ବେଳେବେଳେ ଚନ୍ଦ୍ରଲେଖା ଦୟା କରନ୍ତି ନିଜ ସ୍ଵାମୀକୁ, ଆଉ ବେଳେବେଳେ ଭୟ ମଧ୍ୟ କରନ୍ତି । ସୁନା ଲୋଭରେ ବ୍ରଜଲାଲକୁ ବିବାହ କରିଥିବା ଯୋଗୁଁ ବେଳେବେଳେ ତାଙ୍କ ମନ ଖରାପ ହୁଏ ଯେମିତି, ତାଙ୍କ ପ୍ରତି ସ୍ଵାମୀର ଅସ୍ଵାଭାବିକ ନିର୍ଲିପ୍ତତା ଦେଖି ସମୟେ ସମୟେ ଉଲ୍ଲସିତ ହୁଅନ୍ତି ସେ ସେମିତି ।

 

କିନ୍ତୁ ମଫସଲର ଏ ମାଇଚିଆ ଚାକରଟା ଆସିଲାଦିନୁ ସେ କିପରି ଏକ ବନ୍ଦୀ ବିହଗୀର ଦୁଃଖରେ ଅସହାୟା ହୋଇ ଉଠିଛନ୍ତି । ତାଙ୍କର ଧାରଣା ହୋଇଛି, ସେ ଯେପରି ନିଜ ଚାକର ହାତରେ ବନ୍ଦିନୀ !

 

ସେ ମୁକ୍ତି ଚାହାନ୍ତି ।

 

କିନ୍ତୁ ସେ ଜାଣନ୍ତି, ମାସିକ ସାତଟଙ୍କା ବେତନରେ ଥିବା ବିଶ୍ଵସ୍ତ ଭୃତ୍ୟକୁ ବ୍ରଜଲାଲ କେବେ ତଡ଼ିବ ନାହିଁ ।

 

ତେବେ ?

 

ଚନ୍ଦ୍ରଲେଖାଙ୍କ ମୁହଁର ରେଖାଗୁଡ଼ିକ କୁଞ୍ଚିତ ହୋଇଆସେ ।

 

ବ୍ରଜଲାଲ ଦୃଷ୍ଟିର ଅନ୍ତରାଳରେ ସେ ନିଜର ଯେଉଁ ପରିଚୟକୁ ଗୋପନ କରି ଆସିଥିଲେ, ଚାକର ଆଖିରେ ତାହା ଧରା ପଡ଼ିଯାଇଛି ।

 

ଚନ୍ଦ୍ରଲେଖା ଉପାୟ ଚିନ୍ତାକଲେ ।

 

ନୀଳାମ୍ଵର ମଣିଆ ଭୟରେ ଆଉ ଘରକୁ ଆସୁନାହାନ୍ତି ।

 

ତା’ ଆରଦିନ ମଣିଆ ଶୁଣିଲା, ମାଆ କହୁଛନ୍ତି, ମଣିଆ ଶୁଣିଲା, ମାଆ କହୁଛନ୍ତି, “ତୁ ତ ଅନେକଦିନୁ ଗାଁକୁ ଯାଇନୁ ମଣି ! ପିଲାଛୁଆଙ୍କୁ ଦେଖି ନ ଥିବୁ । ମରୁଡ଼ିରେ ସେମାନେ ଖାଉଥିବେ କଅଣ ? ନେ, ମୁଁ ଟଙ୍କା ଶହେଟା ଦଉଚି ଘରକୁ ଯାଆ ।”

 

ମଣିଆ ମାଆଙ୍କ ମୁହଁକୁ ଚାହିଁଲା ।

 

କହିଲା, “ତମେ ମତେ ତଡ଼ି ଦଉଚ ମାଆ ! ମୋର ଟଙ୍କା ଦରକାର ନାହିଁ, ମୁଁ ଗାଆଁକୁ ଯିବି ନାହିଁ । ଏ ଛୁଆ ତିନିଟାଙ୍କ ମାୟା ମତେ ଏମିତି ଲାଗି ଗଲାଣି ଯେ, ମୁଁ ତାଙ୍କୁ ଛାଡ଼ି କୁଆଡ଼େ ରହିପାରିବି ନାଇଁ । ମାଆଛେଉଣ୍ତ ପିଲା ତିନିଟାଙ୍କୁ ଦେଖୁନ, ମତେ ଦେଖିଲେ କେମିତି କୁରୁକୁରୁ ହୋଇ ହସୁଛନ୍ତି !”

 

ତା’ ଲୁଗା କୁଞ୍ଚକୁ ଧରି କୁରୁକୁରୁ ହୋଇ ହସୁଥିବା ଛୁଆ ତିନିଟାଙ୍କୁ ତା’ପରେ କୋଳକୁ ନେଇ ଗେଲ କଲା ମଣିଆ । ଗେଲ କରିବାର ଢଙ୍ଗଟା ତା’ର ଠିକ୍‍ ସ୍ତ୍ରୀ ଲୋକଙ୍କ ଭଳି ।

 

ଅବ୍ୟକ୍ତ, ଅସହ୍ୟ ରାଗରେ ଅସ୍ଥିର ହୋଇ ଚନ୍ଦ୍ରଲେଖା ଫେରିଗଲେ ନିଜ ଶୋଇବା ଘରକୁ । ମନେ ମନେ ଦାନ୍ତ କଡ଼ମଡ଼ କରି କହିଉଠିଲେ, “ମାଇଚିଆଟା !”

 

ଏଇଠି ଉପନ୍ୟାସର ଶହେ କୋଡ଼ିଏ ପୃଷ୍ଠା ଶେଷ ହୋଇଛି ।

 

ସୁଧାମୟ ଚାହିଁ ରହିଛନ୍ତି କାନ୍ଥର ଘଣ୍ଟାକୁ ।

 

କାନ୍ଥଘଣ୍ଟାରେ ସାଡ଼େ ଦୁଇ ବାଜିଲାଣି । ରାତ୍ରି ଦୀର୍ଘରୁ ଦୀର୍ଘତର ହେଉଛି ।

 

ନିଜ ପାଣ୍ତୁଲିପିକୁ ସୁଧାମୟ ଚାହିଁ ରହିଛନ୍ତି ଅସହାୟ ଦୃଷ୍ଟିରେ । ତାଙ୍କର ପରିକଳ୍ପିତ ଉପନ୍ୟାସର କଥାବସ୍ତୁ ବର୍ତ୍ତମାନ ସଙ୍କଟର ଏକ ମଝି ଛକରେ ପହଞ୍ଚିଛି । ଉପନ୍ୟାସର ପ୍ରଧାନ ଚରିତ୍ର ବଜଲାଲ । ଚନ୍ଦ୍ରଲେଖା ଆଉ ଡ଼ାକ୍ତର ନୀଳାମ୍ଵର ନିଃସହାୟ ଦୃଷ୍ଟିରେ ସତେ ଯେମିତି ପ୍ରଶ୍ନ କରୁଛନ୍ତି, ‘ମଫସଲର ଏ ମାଇଚିଆ ଟୋକାଟା କ୍ରମେ କ୍ରମେ ପ୍ରଧାନ ହୋଇ ଉଠୁଛି, ସୁଧାମୟବାବୁ-! ପାଠକମାନଙ୍କର ସମସ୍ତ ସହାନୁଭୂତି କ୍ରମେ କ୍ରମେ ପାହାଡ଼ ଉପରର ବର୍ଷାଧାରା ଭଳି ତଳକୁ ଗଡ଼ି ମଣିଆ ଉପରେ ଠୁଳ ହେଉଛି । ଆମେ କଅଣ କେବଳ ପାଠକମାନଙ୍କ ବିରକ୍ତି ଅଶ୍ରଦ୍ଧା ନେଇ ଉପନ୍ୟାସରେ ପାର୍ଶ୍ଵଚରିତ୍ର ହୋଇ ରହିଯିବୁ ?’

 

ସୁଧାମୟ ନିଜେ ଆତଙ୍କର ଶିହରି ଉଠିଲେ । ମଣିଆକୁ ସେ ଯେପରି ଭାବରେ ଚିତ୍ରଣ କଲେଣି, ତା’ ଅତ୍ୟାଚାରରୁ ଉପନ୍ୟାସର ପ୍ରଧାନ ଚରିତ୍ରଗୁଡ଼ିକୁ ରକ୍ଷା କରିବା କଷ୍ଟକର ବ୍ୟାପାର ।

 

ସୁଧାମୟ କଥାଟା ଚିନ୍ତାକରି ନିଜେ ମଧ୍ୟ ବିସ୍ମିତ ହୁଅନ୍ତି । ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ଏ ମଫସଲି ଲୋକଟାର ମନ ଭିତରେ ଏତେ ସ୍ନେହ, ପ୍ରଭୁଭକ୍ତି, ଆଉ ବାଛ ବିଚାର କରିବାର ଶକ୍ତି କେଉଁଠି ଲୁଚି ରହିଥିଲା ? ଟଙ୍କା ପାଇଁ, ନିଜକୁ ବଞ୍ଚାଇବା ପାଇଁ ଯେଉଁ ଲୋକଟା ନିକୁଟି ହୋଇ ଚାକିରୀ କରିବାକୁ ଆସିଥିଲା, ବ୍ରଜଲାଲର ପ୍ରଥମ ସ୍ତ୍ରୀର ନିଆଶ୍ରୀ ପିଲା ତିନିଟାଙ୍କ ପ୍ରତି ତା’ର ଏତେ ମାୟା ମମତା ଆସିଲା କୁଆଡ଼ୁ ?

 

ନା–ନା, ସୁଧାମୟ ନିଶ୍ଚୟ ମଣିଆକୁ ଉପନ୍ୟାସରୁ ବିଦାୟ କରିଦେବେ । ତା’ ଛଡ଼ା ଉପାୟ ନାହିଁ ।

 

କିନ୍ତୁ କିପରି ?

 

ବ୍ରଜଲାଲର ଚରିତ୍ରକୁ ସେ ଯେପରି ଚିତ୍ରଣ କରିଛନ୍ତି, ସେଥିରେ ମଣିଆକୁ ବ୍ରଜଲାଲ ତଡ଼ିପାରିବ ନାହିଁ । ଚନ୍ଦ୍ରଲେଖାଙ୍କ ଚାରିତ୍ରିକ ଦୁର୍ବଳତାକୁ ମଣିଆ ଯେପରି ଉଦ୍‍ଘାଟନ କରିପାରିଛି, ସେଥିରେ ଧମକ, ଲାଞ୍ଚ କିମ୍ଵା ପ୍ରଲୋଭନ ଦେଖାଇ ଚନ୍ଦ୍ରଲେଖା ତାକୁ ନିଜ ବାଟରୁ ହଟାଇ ଦେଇ ପାରିବେ ନାହିଁ । ଆଉ ମଣିଆ ଯଦି ବ୍ରଜଲାଲଙ୍କ ପରିବାର ଭିତରେ ରହେ, ଡାକ୍ତର ନୀଳାମ୍ଵର ଆଉ କଦାପି ତାଙ୍କ ଘରକୁ ଆସି ପାରିବେ ନାହିଁ । ତାହାହେଲେ କେଉଁ ରାସ୍ତା ଦେଇ ଉପନ୍ୟାସର କଥାବସ୍ତୁକୁ ଆଗକୁ ନେବେ ?

 

ସୁଧାମୟ ନିର୍ବୋଧ ଦୃଷ୍ଟିରେ ନିଜ ମନର ଅଭ୍ୟନ୍ତରକୁ ଚାହିଁଲେ । ଦେଖିଲେ, ଉପନ୍ୟାସ ଘଟଣାବସ୍ତୁର ଶୋଭାଯାତ୍ରାକୁ ଦୁଇ ହାତ ମେଲାଇ ମଣିଆ ଅଧବାଟରେ ଅଟକାଇ ରଖିଛି । ସୁଧାମୟ ମନେ ମନେ ଚିତ୍କାର କରି ଉଠିଲେ, ‘ମଣିଆ, ଏଥର ତୋତେ ମୋ ଉପନ୍ୟାସର ମୁଖ୍ୟଚରିତ୍ରମାନଙ୍କୁ ବାଟ ଛାଡ଼ି ଦେବାକୁ ହେବ । ଆଉ ତୁ ଯଦି ନିଜ ଇଚ୍ଛାରେ ବାଟ ନ ଛାଡ଼ୁ, ମୁଁ ତୋତେ ହତ୍ୟା କରିବି ।’

 

କିନ୍ତୁ କିଏ ହତ୍ୟା କରିବ ମଣିଆକୁ ?

 

ବ୍ରଜଲାଲ !

 

ସୁଧାମୟ ହସିଲେ । ଭାବିଲେ, ମୁନାଫା ଛଡ଼ା ଯାହା ଆଖିକୁ ନିଦ ଆସେ ନାହିଁ, ମଣିଆ ଭଳି ସ୍ଵଳ୍ପବେତନଭୋଗୀ କର୍ମ-ତତ୍ପର ଭୃତ୍ୟକୁ ସେ କଦାପି ହତ୍ୟା କରି ପାରେନା ।

 

ଆଉ ଚନ୍ଦ୍ରଲେଖା । …ନୀଳାମ୍ଵର ।

 

ସୁଧାମୟଙ୍କ ମୁହଁରେ ବିଦ୍ରୂପର ଏକ ବକ୍ରରେଖା ଆଙ୍କି ହୋଇଗଲା । ସେ ଭାବିଲେ, ବ୍ରଜଲାଲକୁ ସେମାନଙ୍କୁ ଦୁର୍ବଳତା କଥା କହିଦେଲେ, ସେ ଦୁହିଁଙ୍କର ଜୀବନ୍ତ ମୃତ୍ୟୁ ହେବ । ସେମାନେ ମଣିଆକୁ ହତ୍ୟା କରିବାକୁ ସାହସ ପାଇବେ କେଉଁଠୁ ?

 

ସୁଧାମୟ ନିଜ ମୁଖ୍ୟ ଚରିତ୍ରଗୁଡ଼ିକ ଉପରେ ମନେ ମନେ ଭାରି ବିରକ୍ତ ହୋଇଗଲେ । ତାଙ୍କର ମନେହେଲା, ତାଙ୍କର ସବୁ ପ୍ରଧାନ ଚରିତ୍ରଗୁଡ଼ିକ ଦୁର୍ବଳ ବ୍ୟକ୍ତି । ସେମାନେ ନିଜ ଭୂମିକା ପାଇଁ ଅଯୋଗ୍ୟ, ଅକ୍ଷମ । ନିଜ ହାତରେ ହିଁ କେବଳ ମଣିଆ ନିଜକୁ ହତ୍ୟା କରିପାରେ । ନିଜ ମନ ଭିତରେ ଦୁର୍ବଳତା, ପ୍ରଲୋଭନ ହିଁ ନିଜକୁ ବେଶୀ ସହଜରେ ନିହତ କରିପାରେ ।

 

ମଣିଆ ମଣିଷ । ପ୍ରଲୋଭନ ଆଉ ଦୁର୍ବଳତାର ଊର୍ଦ୍ଧ୍ଵରେ ସେ ନୁହେଁ ।

 

ଚରିତ୍ର ବିଶ୍ଳେଷଣର ଅନ୍ତଦୃଷ୍ଟି ନେଇ ସୁଧାମୟ ମଣିଆ ଆଡ଼କୁ ଚାହିଁଲେ । ଆହା ! ବିଚରା ମଫସଲର ନିରୀହ ଲୋକଟା ନିଜ ମନ ଭିତରର ଦୁର୍ବଳତାର ନିଆଁରେ ନିଜେ ପୋଡ଼ି ହୋଇଯାଇ ଅଙ୍ଗାର ହୋଇଗଲା ।

 

ସୁଧାମୟ କଲମ ତୋଳି ଧରିଲେ ।

 

ଚନ୍ଦ୍ରଲେଖା ପଲଙ୍କ ଉପରେ ଶୋଇଛନ୍ତି । ଶୁକ୍ଳ ଚତୁର୍ଦ୍ଦଶୀର ମାଧବୀ ଜ୍ୟୋତ୍ସ୍ନା ସାରା ଆକାଶକୁ ଉଜ୍ଜ୍ଵଳ କରି ରଖିଛି । ନିଜ ଗ୍ରୀବାଦେଶରେ ଯନ୍ତ୍ରଣା ଅନୁଭବ କଲେ ଚନ୍ଦ୍ରଲେଖା । ବେଳେବେଳେ ସେ ଏମିତି ଯନ୍ତ୍ରଣାରେ ଛଟପଟ ହୁଅନ୍ତି ।

 

ପିଲା ତିନିଟା ଶୋଇ ଯାଇଛନ୍ତି । ସେମାନଙ୍କୁ କୋଳରେ ଶୁଆଇ ମଣିଆ ଶୋଇ ଯାଇଥିଲା ।

 

ଚନ୍ଦ୍ରଲେଖା ଡାକିଲେ, “ମଣିଆ ।”

 

ମଣିଆ ଉଠି ଠିଆହେଲା ।

 

“ପିଠିର ମଝି ହାଡ଼ଟା ଭାରି ବିନ୍ଧୁଛି, ଟିକିଏ ଚିପି ଦିଅନ୍ତୁ ନାଇଁ । ଡାକ୍ତର ଆସୁ ନାହାନ୍ତି ଯେ ।” ଚନ୍ଦ୍ରଲେଖା ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ ।

 

ମଣିଆ ପାଖକୁ ଗଲା । କହିଲା, “ଚିପିଦେବି ?”

 

‘ହଁ–ହଁ–’ ବୋଲି ଏକାବେଳେକେ ଦୁଇ ଥର କହିଲେ ଚନ୍ଦ୍ରଲେଖା ।

 

ମଣିଆ ତାଙ୍କ ପାଖରେ ବସିଲା ।

 

କରମୋଡ଼ି ଶୋଇଲେ ଚନ୍ଦ୍ରଲେଖା । ପିଠି ଉପରୁ ଶାଢ଼ୀଟାକୁ ଘୁଞ୍ଚାଇଦେଲେ ସେ ।

 

ନଗ୍ନ, ନିଟୋଳ, ସୁନେଲି ପିଠି । ମଝି ଶିରାଟା କେବଳ ଗୋଟାଏ ସରୁ ଗାର ଭଳି ଦିଶୁଚି ।

 

ମଣିଆ ବ୍ରଜଲାଲ ଗିନ୍ନିଙ୍କ ସେ କୋମଳ ସୁନ୍ଦର ପିଠିଟାକୁ ଛୁଇଁବ, କି ନାହିଁ ବୋଲି ମନେ ମନେ ଭାବୁଥିଲା । ଚନ୍ଦ୍ରଲେଖା ଯନ୍ତ୍ରଣା କାତର କଣ୍ଠରେ ଅସ୍ପଷ୍ଟ ଧ୍ଵନି କଲେ । ଆଉ କିଛି ନ ଭାବି ମଣିଆ ପିଠିଟା ତାଙ୍କର ଚିପି ଦେବାକୁ ଲାଗିଲା ।

 

ଚନ୍ଦ୍ରଲେଖା ନିଜ ଶ୍ଵାସ ପ୍ରଶ୍ଵାସର ଗତି ମନ୍ଥର କରି ଅନୁଭବ କଲେ, ମଣିଆର ଦୁଇ ନାସାରନ୍ଧ୍ରରେ ଏକ ପ୍ରବଳ ଝଡ଼ର ଝଙ୍କାର ଉଠୁଚି । ହସଟା ତାଙ୍କର ପେଟର ଅନ୍ତନାଡ଼ ଦୁହିଁ ମୁହଁ ଉପରକୁ ଉଠି ଆସୁଥିଲା । ସେ ତାକୁ ବହୁ କଷ୍ଟରେ ସମ୍ଵରଣ କରିନେଲେ ।

 

କହିଲେ, “ଆଲୁଅଟାରେ ଆଖି ଦୁଇଟା ମୋର ଝାପ୍ସା ହୋଇଯାଉଛି ମଣିଆ, ବତୀଟା ଟିପି ଦେ…”

 

ମଣିଆ ଯେପରି ଯନ୍ତ୍ରଚାଳିତ ଏକ କଳର ଅଂଶବିଶେଷ ! ସେ ଉଠିଯାଇ ଆଲୁଅଟା ଲିଭାଇଦେଲା ।

 

ଚନ୍ଦ୍ରଲେଖା ଏଥର ଅଧିକ ଯନ୍ତ୍ରଣାରେ ଛଟପଟ ହେଲେ । ଏ ଯନ୍ତ୍ରଣାର ଯେପରି ଶେଷ ନାହିଁ, ବିରତି ନାହିଁ !

 

ମଣିଆ ପୁଣି ତାଙ୍କ ପିଠି ଚିପି ଦେବାକୁ ବସିଲା । କିନ୍ତୁ ଅନ୍ଧକାରରେ ଚନ୍ଦ୍ରଲେଖା କେତେବେଳେ ଚିତ୍‍ ହୋଇ ଶୋଇଛନ୍ତି, ସେ ଜାଣି ପାରି ନାହିଁ । କିଛି ସମୟ ପରେ ସେ ଅନୁଭବ କଲା, ସତେ ଯେମିତି ଗୋଟାଏ ସୁନାରଙ୍ଗୀ ନାଗସାପ ତା ବେକ ପିଠି, ଦେହ ଚାରିପଟ ଯାକ ଗୁଡ଼େଇ ହୋଇ ଯାଉଛି; ଆଉଁ ତା’ର ଦଂଶନ ଜ୍ଵଳାରେ ତା’ର ସାରା ଦେହଟା ଚେତନା ହରାଇ ବସୁଛି !

 

ରାତି ପ୍ରାୟ ଗୋଟାଏ ବେଳକୁ ବ୍ରଜଲାଲ ଫେରିଲା ଘରକୁ । ମୁଣ୍ତଟା ତା’ର ଆଜି ଗୋଳମାଳ ହୋଇଯାଇଛି । କଲିକତା ଷ୍ଟକ୍‍ ଏକ୍ସଚେଞ୍ଜରେ ଆଜି ତୁମୁଳ କାଣ୍ତ କାରଖାନା । ଫୋନ୍‍ ଆସିଥିଲା, ସୁନାର ଦର ଦ୍ରୁତବେଗରେ କମିବାକୁ ଲାଗିଛି । ସରକାର ବୈଦେଶିକ ମୁଦ୍ରା ନିୟନ୍ତ୍ରଣ ପାଇଁ ନିଜ ପାଖରେ ସୁନା ଗଚ୍ଛିତ ରଖିବାକୁ ଚାହାନ୍ତି । ସୁନା ଆଉ ଘରୋଇ କାରବାରରେ ବ୍ୟବହୁତ ହେବ ନାହିଁ । ଦେଶର ଅର୍ଥନୀତିରେ ଭୀଷଣ ଓଲଟପାଲଟ ।

 

ବ୍ରଜଲାଲର ଗଚ୍ଛିତ ସୁନାଗୁଡ଼ାକ ଘଡ଼ିକ ଭିତରେ ଯେମିତି ପିତ୍ତଳ ପାଲଟି ଯାଇଛି !

 

ବ୍ରଜଲାଲ ଦୁଃଖରେ ମ୍ରୀୟମାଣ ।

 

ସୁନାଦରର ପତନ ସହିତ ତା’ ନିଜର ସୁବର୍ଣ୍ଣ ଭବିଷ୍ୟତଟା ମଧ୍ୟ ଯେପରି ପତନର ଅନ୍ଧକାରରେ ଆଚ୍ଛନ୍ନ ହୋଇଆସୁଛି !

 

ବ୍ରଜଲାଲ ଘର ଭିତରେ ପ୍ରବେଶ କଲା ।

 

ଚାରିଆଡ଼ ଶୂନ୍‍ଶାନ୍‍ । ଆଲୁଅ ମଧ୍ୟ ଜଳୁ ନାହିଁ । ସୁନା ଦରର ହ୍ରାସ ସମ୍ଵାଦ ପାଇ ଦୁଃଖର ଅନ୍ଧକାରଟା ତା’ ନିଜ ଘରେ ମଧ୍ୟ ଯେପରି ଧସେଇ ପଶିଛି !

 

ବ୍ରଜଲାଲ ସେଇ ନିଶୂନ ଘରର ଚଟାଣ ଉପରେ ଠିଆ ହୋଇ ଚାହିଁଲା । ଆଖିରେ ଭାସି ଉଠିଲା ତା’ର ବିଚିତ୍ର ଏକ ଦୃଶ୍ୟ ।

 

ଶୁକ୍ଳ ଚତୁର୍ଦ୍ଦଶୀର ଶୁଭ୍ର ଜ୍ୟୋତ୍ସ୍ନାରେ ଚନ୍ଦ୍ରଲେଖାଙ୍କ ଶୟନ କକ୍ଷରେ ଏକ ଅପୂର୍ବ ଦୃଶ୍ୟର ଅବତାରଣା ଘଟିଛି ।

 

ଚନ୍ଦ୍ରଲେଖାଙ୍କ ନଗ୍ନ ସୁନେଲି ଦେହଟା ଉପରେ ଏକ ମୃତ ଅଜଗର ଭଳି ପଡ଼ ରହିଛି, କୃଷ୍ଣକାୟ ମଣିଆର ଦେହଟା ।

 

ସେ ଅପୂର୍ବ, ଅକଳ୍ପନୀୟ ଦୃଶ୍ୟଟା ଦେଖି ରୋମାଞ୍ଚିତ ହୋଇଉଠିଲା ବ୍ରଜଲାଲର ସାରା ଦେହଟା । ଅର୍ଥ ସଞ୍ଚୟ ଛଡ଼ା ଜୀବନରେ ଯେ ଆଉ ଗୋଟାଏ ଦିଗ ଅଛି, ସେକଥା ବ୍ରଜଲାଲ ଆଜି ପ୍ରଥମ ଥର ପାଇଁ ଅନୁଭବ କଲା । ସେ ଅନୁଭବର ସ୍ଵାଦରେ ବ୍ରଜଲାଲର ମନଟା ରହି ରହି ପ୍ରକମ୍ପିତ ହେବାକୁ ଲାଗିଲା ।

 

ତା’ର ଧାରଣା ହେଲା, ଚନ୍ଦ୍ରଲେଖାଙ୍କ ନଗ୍ନ ଦେହଟା ହେଉଛି ତା’ର ବହୁ କଷ୍ଟ–ସଞ୍ଚିତ ସୁବର୍ଣ୍ଣ ସ୍ତୁପ, ଆଉ ମଣିଆର ନିଷ୍ପନ୍ଦ ଦେହଟା ତା’ ନିଜର ବିକୃତ, ବିକଳାଙ୍ଗ, ଅତୃପ୍ତ ଇଚ୍ଛା । ସୁନାର ମୂଲ୍ୟ ହ୍ରାସ ହେବା ପରେ ସେଇ କୃଷ୍ଣକାୟ ଅତୃପ୍ତ ଇଚ୍ଛାର କରୁଣ ମୃତ୍ୟୁ ଘଟିଛି ।

 

ଏ ମୃତ୍ୟୁ ଅନିବାର୍ଯ୍ୟ, ଅବଶ୍ୟମ୍ଭାବୀ ।

 

ଔପନ୍ୟାସିକ ସୁଧାମୟଙ୍କ ଆଗରେ ଆଉ କିଛି ଦ୍ଵିତୀୟ ପଥ ନ ଥିଲା ।

 

ଲଳିତ ଲବଙ୍ଗ ଲତା

 

ଅନ୍ଧକାର ହୋଇ ଆସୁଚି । ଘନ ନୀଳ ଅନ୍ଧକାର । ଆଗେ ଅନ୍ଧକାରଟା ଭୟ ଦେଖାଉଥିଲା । ଏବେ ସାନ୍ତ୍ଵନା ଦେଉଚି, ଆଶ୍ଵାସନା ଆଣୁଚି ମନରେ । ଅଥଚ ଏଇ ରେଣୁ ରେଣୁ ଅନ୍ଧକାରରେ ସନ୍ତରଣ କରି ଅତୀତର ସେଇ ସ୍ମୃତିର ମହାଦେଶକୁ ଫେରିଯିବା ପାଇଁ ମନରେ କି ଗଭୀର ଆକୁଳତା !

 

ଚାରିଆଡ଼େ ମହାସମୁଦ୍ରର ଉଚ୍ଛଳ ଜଳୋଚ୍ଛ୍ଵାସ ।

 

ଦିଗହୀନ ଉତ୍ତାଳ ଜଳତରଙ୍ଗ । ଉପରେ ଅନ୍ତହୀନ ଅନ୍ତରୀକ୍ଷ । ରାତ୍ରିର ଆକାଶରେ ଏକାକିନୀ ତାରା କେତୋଟି ସମୁଦ୍ର ଜଳର ଆଇନାରେ ନିଜ ମୁହଁ ଦେଖୁଛନ୍ତି । ଆଉ ଏହି ସଂକ୍ଷିପ୍ତ ଭୂଖଣ୍ତରେ ଯେଉଁ କେତୋଟି ସାମୁଦ୍ରିକ ବନସ୍ପତି ନିରାଶ୍ରୟ ଭାବରେ ମୁଣ୍ତଟେକି ଠିଆ ହୋଇଛନ୍ତି; ସେମାନଙ୍କ ମୁଣ୍ତ ଉପରେ ଅଜାଡ଼ି ହୋଇ ପଡ଼ୁଛି, ବେଳେବେଳେ ବତୀଘର ଆଲୋକ ।

 

ସ୍ଵର୍ଣ୍ଣଭୂମି, ଦେବଭୂମି ଭାରତର ମାଇଲ ମାଇଲ ଦୂରରେ ମହାସମୁଦ୍ରର ବକ୍ଷ ଉପରେ ଏ କ୍ଷୁଦ୍ର ଭୂଖଣ୍ତ କିପରି ଗଠିତ ହେଲା, ସେକଥା ଭୂଗୋଳର ଅଗୋଚର । କିନ୍ତୁ ଏଇ ନିର୍ବାସିତ ଦ୍ଵୀପର ଅପରାଧୀ ମଣିଷଙ୍କୁ ନେଇ କିପରି ଜନବସତି ଗଢ଼ିଉଠିଲା, ସେକଥା ଭାରତ ସରକାରଙ୍କ ଘରୋଇ ବିଭାଗ ବେଶ୍‍ ଜାଣନ୍ତି । ମାରାତ୍ମକ ଅପରାଧୀମାନଙ୍କୁ ଏଇ ନିର୍ବାସିତ ନିର୍ଜନ ଦ୍ଵୀପକୁ ପ୍ରେରଣ କରି ଦେବଭୂମି ଭାରତବର୍ଷକୁ ଅପରାଧୀଶୂନ୍ୟ କରିବାର ଯୋଜନା…ଅନେକ ଦିନୁ ପ୍ରଚଳିତ ।

 

ନିରପରାଧ ମହାଦେଶ ଭାରତବର୍ଷରୁ ଯେଉଁଦିନ ଲଳିତ ଜାହାଜର ଡକ୍‍ ଉପରେ ଠିଆହୋଇ ଏ ନିର୍ବାସିତ ଦ୍ଵୀପକୁ ଆସିଥିଲା, ସେଦିନର ସ୍ମୃତି ବେଶ୍‍ ସଜୀବ ହୋଇ ରହିଛି ତା’ ମନରେ ।

 

ବ୍ୟାବହାରିକ ଅର୍ଥରେ ଅପରାଧ କହିଲେ ଯାହା ବୁଝାଯାଏ, ଲଳିତ ସେ ଦୃଷ୍ଟିରୁ ଠିକ୍‍ ମାରାତ୍ମକ ଅପରାଧୀ ନୁହେଁ । ସ୍ଵଦେଶରୁ ନିର୍ବାସିତ ହେବାର ଦଣ୍ତାଦେଶ ତେଣୁ ତାକୁ ହୋଇ ନ ଥିଲା । ସେଥିପାଇଁ ନିର୍ବାସନ ଦଣ୍ତରେ ଦଣ୍ତିତ ହୋଇଥିବା ଅପରାଧୀଙ୍କୁ ନେଇ ଜାହାଜ ଯେତେବେଳେ ବନ୍ଦର ଛାଡ଼ିଲା, ବହୁ ସାଧ୍ୟ ସାଧନା ଫଳରେ ଗୋପନରେ ଲଳିତ ଜାହାଜ ଡକ୍‍ ଉପରକୁ ଉଠି ଆସିଥିଲା । ମଝି ସମୁଦ୍ରରେ ଜାହାଜର କ୍ୟାପ୍ଟେନ ଦେଖିଲେ, ଡକ୍‍ ଉପରେ ଏକ ଶୀର୍ଣ୍ଣ, ଦୀର୍ଘକାୟ ଲୋକ ଠିଆହୋଇ ଚକିତ ଦୃଷ୍ଟିରେ ନୀଳ ସମୁଦ୍ରକୁ ନିରୀକ୍ଷଣ କରୁଛି ।

 

ଅବାକ୍‍ ହେଲେ କ୍ୟାପଟେନ୍‍ ।

 

କୄଦ୍ଧ କଣ୍ଠରେ ସେ ପ୍ରଶ୍ନ କଲେ, “ତୁ ଏଠାକୁ ଆସିଲୁ କେମିତି କିଏ ତୁ ? କହ, ନ ହେଲେ ସମୁଦ୍ର ଭିତରକୁ ପେଲିଦେବି।”

 

ଲଳିତ ଅବିଚଳିତ ହୋଇ ରହିଥିଲା । କ୍ୟାପ୍ଟେନଙ୍କ କଥା ଶୁଣି ଉତ୍ତର ଦେଇଥିଲା, “ମୁଁ ଗୋଟାଏ ପାଗଳ । ନିର୍ବାସିତ ଦ୍ଵୀପକୁ ଯାଉଛି ତୀର୍ଥ କରି ।”

 

କ୍ୟାପ୍ଟେନ୍‍ ରାଗ ଓ ବିରକ୍ତିରେ ଅସ୍ଥିର ହୋଇ ଅନେକ ଅସଭ୍ୟ ଭାଷାରେ ଗାଳି ଦେଇଥିଲେ ଲଳିତକୁ; କିନ୍ତୁ ଦୟାକରି ସମୁଦ୍ର ଭିତରକୁ ତାକୁ ପେଲି ଦେଇ ନଥିଲେ । ଚୋର ଡକାଏତଙ୍କ ନିର୍ବାସିତ ଦ୍ଵୀପକୁ ଯେ ତୀର୍ଥ କରି ବାହାରିଛି, ତାକୁ ସମୁଦ୍ର ମଝିକୁ ପେଲିଦେଲେ କି ମହତ୍‍ ଉଦ୍ଦେଶ୍ୟ ସାଧଦିତ ହୋଇଥାଆନ୍ତା ଅବା !

 

ଝାଉଁ, ନାରିକେଳ ଅରଣ୍ୟ ପରିବେଷ୍ଟିତ ଏଇ କ୍ଷୁଦ୍ର ନିର୍ବାସିଚ ଦ୍ଵୀପକୁ ପଳାଇ ଆସି ସ୍ଵସ୍ତିର ନିଶ୍ଵାସ ମାରିଥିଲା ଲଳିତ । ଉପଦ୍ଵୀପର ଅପରାଧୀ ଅଧିବାସୀମାନେ ତାକୁ ଆଦର ଅଭ୍ୟର୍ଥନା ଜଣାଇଥିଲେ । କାରଣ ଅପରାଧୀମାନଙ୍କ ଏହି ନିର୍ଜନ ଉପଦ୍ଵୀପରେ ସେ ହେଉଛି ଏକମାତ୍ର ନିରଅପରାଧ ଲୋକ, ଯେ କି ଜୀବନର ସତ୍ୟ ସନ୍ଧାନ କରିବା ପାଇଁ, ଭଗବାନଙ୍କୁ ପାଇବା ଲାଗି ଏଠାକୁ ଆସିଥିଲା ।

 

ଲଳିତର ଆଉ ଏକ ବିଶେଷ ଗୁଣ ମୁଗ୍ଧ କରିଥିଲା ଏ ଦ୍ଵୀପର ଅଧିବାସୀଙ୍କୁ । ତାହା ହେଲା, ଲଳିତର ଶିଳ୍ପୀ ପ୍ରତିଭା । ନିର୍ଜନ ସମୁଦ୍ର ଉପକୂଳରେ ବସି ସୁନ୍ଦର ସୁନ୍ଦର ଛବି ଆଙ୍କେ ଲଳିତ । ଦେଖିଲେ ଆଖି ଆଖି ରହେ; ବିସ୍ମୟ ଆନନ୍ଦରେ ହୃଦୟ ଭରିଉଠେ । ଅଧିବାସୀମାନଙ୍କ ମନରେ ପ୍ରଶ୍ନଉଠେ, ଏଭଳି ପ୍ରତିଭାଶାଳୀ ଶିଳ୍ପୀ କଳା ସଂସ୍କୃତିର ଦେଶ ଭାରତବର୍ଷ ଛାଡ଼ି, ଏ ନିର୍ଜନ ଦ୍ଵୀପକୁ ପଳାଇ ଆସିଲା କାହିଁକି ?

 

ଲଳିତ ଏଇ ଦ୍ଵୀପର ପ୍ରାଣରେ ନୂତନ ଭାବାବେଗର ଚଞ୍ଚଳତା ସୃଷ୍ଟି କରୁଛି । ଦଣ୍ତଭୋଗ କରୁଥିବା ଅପରାଧୀମାନଙ୍କ ମନରେ ସେ ସୃଷ୍ଟି କରିଛି ବଞ୍ଚିବାର ଏକ ନୂତନ ସୌନ୍ଦର୍ଯ୍ୟବୋଧ ।

 

ଖାଇ ପିଇ, ସମୁଦ୍ରରେ ମାଛ ଧରି, ସାମାନ୍ୟ କଥାରେ ନିଜ ନିଜ ମଧ୍ୟରେ କଳହ କରି ଜୀବନ କଟାଇବା ଯେଉଁମାନଙ୍କ ଜୀବନର ଥିଲା ଏକ ଗତାନୁଗତିକ ଧାରା, ଲଳିତ ଆସିବା ପରେ ସେମାନେ ସେଥିରେ ପରିବର୍ତ୍ତନ ଲକ୍ଷ୍ୟକଲେ । ଭାରତ ସରକାର ପଠାଉଥିବା ରେଶନ୍‍ ଖାଦ୍ୟ ଉପରେ ନିର୍ଭର ନ କରି ସେମାନେ ନିଜେ ପରିଶ୍ରମ କରି ଖାଦ୍ୟ ଉତ୍ପାଦନରେ ଲାଗିପଡ଼ିଲେ । ରାତ୍ରିରେ ଭଗବାନଙ୍କୁ ପାଇବା ପାଇଁ ଆରମ୍ଭ କଲେ ଭଜନ, କୀର୍ତ୍ତନ, ପୂଜା, ଆରାଧନା । ବିସ୍ମୃତ ହୋଇଗଲେ ସେମାନେ ନିଜର ଅନ୍ଧକାରାଚ୍ଛନ୍ନ ଅତୀତର ସ୍ମୃତି ।

 

ନିଜ ପରିଶ୍ରମରେ ନିଜେ ବଞ୍ଚିବା, ନିଜର ସମସ୍ତ ଅସ୍ତିତ୍ଵକୁ ଭଗବାନଙ୍କ ପାଖରେ ସମର୍ପଣ କରିଦେବା ଲାଗି ଉଦ୍ୟମ କରିବା ଭିତରେ ସେମାନେ ଜୀବନର ଏକ ନୂତନ ଅର୍ଥ ଉପଲବ୍ଧି କଲେ । ଫଳରେ ଯେଉଁ ନିର୍ବାସନ ଦଣ୍ତ ସେମାନଙ୍କୁ ନର୍କର ଯନ୍ତ୍ରଣା ଭଳି ବୋଧ ହେଉଥିଲା, ତାହା ସ୍ଵର୍ଗୀୟ ସୁଖରେ ପରିଣତ ହୋଇଗଲା ।

 

ଲଳିତ ଅନୁଭବ କଲା, ତା’ର ସ୍ଵପ୍ନର ମହାଦେଶକୁ ସେ ଫେରି ଆସିଛି । ଏଠାରେ ବନ୍ଧନ ନାହିଁ । ଏଠାରେ ଯନ୍ତ୍ରଣା ନାହିଁ। ଜୀବନ ଏଠାରେ ଦିଗହୀନ ପାରାବାର ଭଳି ମୁକ୍ତନାହିଁ । ଏଠାରେ ଯନ୍ତ୍ରଣା ନାହିଁ । ଜୀବନ ଏଠାରେ ଦିଗହୀନ ପାରାବାର ଭଳି ମୁକ୍ତ; ହୃଦୟ ଏଠାରେ ସାମୁଦ୍ରିକ ବାୟୁ ଭଳି ନିର୍ମଳ ।

 

ଲଳିତ ଅନ୍ଧକାରରେ ବସି ମନେ ମନେ ଭାବୁଥିଲା । ଅନ୍ଧକାରଟା ଆଜି ତା’ର ତୀକ୍ଷ୍ଣ ଦାନ୍ତ ମେଲାଇ ଭୟ ଦେଖାଉ ନାହିଁ; କିମ୍ଵା ସମାଜ ତାକୁ ଉଦ୍‍ଭ୍ରାନ୍ତ ବୋଲି ପରିହାସ କରୁ ନାହିଁ ।

 

ଲଳିତ ସମୁଦ୍ରବେଳାର ସେଇ କୋମଳ ରେଣୁଶଯ୍ୟାରେ ବସି ଉନ୍ମତ୍ତ ସମୁଦ୍ର ଆଡ଼କୁ ଚାହିଁ ରହିଥିଲା । ଏ ସମୁଦ୍ରର ବହୁ ଦୂରରେ ତା’ର ସ୍ଵର୍ଣ୍ଣଭୂମି ଭାରତବର୍ଷ । ଆଉ ତା’ର ସେଇ ଜନ୍ମଭୂମିରେ କେତେ ଆତ୍ମୀୟ, ପରମାତ୍ମୀୟ !

 

ସ୍ମୃତିର ସିଡ଼ିରେ ପାଦ ରଖି ଅତୀତର ଅନେକ ଘଟଣା ତା’ର ମନ ଭିତରକୁ ଅବତରଣ କରି ଆସୁଥିଲେ । ଘଟଣା ଘୋଡ଼ା ସବାର୍‍ମାନଙ୍କ ପଦଶଦ୍ଦରେ ମନର ମରୁଭୂମି ତା’ର ଶଦ୍ଦାୟିତ ହୋଇ ଉଠୁଥିଲା ।

 

ଅତୀତ…ହେ ପ୍ରିୟ ମଧୁର ଅତୀତ !

 

ଲଳିତର କଣ୍ଠ ରୁଦ୍ଧଦ ହେଲା । ନିଜର ଶ୍ଵାସନଳୀରେ ସେ ଅନୁଭବ କଲା ଅସହ୍ୟ ଯନ୍ତ୍ରଣା ।

 

ଲବଙ୍ଗର ସ୍ଵର

 

[ଏକଦା ବିଖ୍ୟାତ ଜମିଦାର ପରିବାରର ଏକମାତ୍ର ଲାବଣ୍ୟମୟୀ ଅଲିଅଳୀ କନ୍ୟା ଲବଙ୍ଗ । ସୁନା ଗିନାରେ ଖାଇ ରୂପା ଥାଳିଆରେ ସେ ହାତ ଧୁଏ । ପାଟିରୁ କଥା ନ ବାହରୁଣୁ ହୁକୁମ ତାମିଲ କରିବା ପାଇଁ ଚାହିଁ ବସିଥାଆନ୍ତି ଅସୁମାରି ଚାକର, ଚାକରାଣୀ । ଅଭାବ ଅସୁବିଧା ତା’ପାଇଁ ଅଭିଧାନର ଶଦ୍ଦ ମାତ୍ର ।]

 

ଧନୀଘରର ସେଇ ରାଜକୁମାରୀର କିଶୋରୀ ତନୁରେ ଦିନେ ଲାଗିଲା ମଳୟର ମଦିର ସ୍ପର୍ଶ । ଲବଙ୍ଗର ତନୁ ସୁଷମାରେ ସଚକିତ ହେଲେ କେତେ କାହିଁ ଚଲାବାଟର ଦୂରଦେଶୀ ପାନ୍ଥ । ମନ ଉପବନରେ ଶୁଣାଗଲା ତା’ର ସଂଖ୍ୟାହୀନ ମଧୁ ଲୋଭୀ ଭ୍ରମରଙ୍କର କଳଗୁଞ୍ଜନ । କେତେ ଧନୀ ସୌଦାଗର କେତେ ମାନୀ ଦୁର୍ଯ୍ୟୋଧନ ଆସିଲେ ଲବଙ୍ଗର ପ୍ରଣୟ ଭିକ୍ଷା କରି । କିନ୍ତୁ ଲବଙ୍ଗ…!]

 

ଆଜୀବନ କୁମାରୀ ରହିବି, ପୁରୁଷ ହାତର କ୍ରୀଡ଼ା ପୁତ୍ତଳିକା ହେବି ନାଇଁ, ଏଇ ତ ଥିଲା ମୋର ଶପଥ !

 

ବୟସ ସେତେବେଳେ ମୋର ଅତି ଅଳ୍ପ । ପୃଥିବୀଟା ମୋ ଆଖିରେ ଦିଶୁଥିଲା ଏକ ସ୍ଵପ୍ନର ଚିତ୍ରପଟ ଭଳି । ଜୀବନର ସେଇ କଅଁଳ ଗାଧୁଆବେଳେ ହଠତ୍‍ ଦେଖାଦେଲେ ଶିଳ୍ପୀ ଲଳିତ-

 

ଜୀବନ ବୀଣାର ସୂକ୍ଷ୍ମ ତନ୍ତ୍ରୀରେ ସୃଷ୍ଟି ହେଲା ନୂତନ ଝଙ୍କାର । ପଣ ଟଳିଗଲା । ମନ ଢଳିଗଲା । ମୁଁ ହେଲି ଶିଳ୍ପୀ ଲଳିତଙ୍କର ପ୍ରଣୟିନୀ ।

 

କେତେ ବା ସେତେବେଳେ ମୋର ବୟସ !

 

ବିବାହ ପରେ ପୁଅ ଝିଅ ହେଲେ ସେମାନଙ୍କର ନାମ କଅଣ ଦିଆଯିବ, ସେକଥା ଆମେ ଦୁହେଁ ସ୍ଥିର କରିଥିଲୁ । କିନ୍ତୁ ସନ୍ତାନ ସୃଷ୍ଟିର ଯେଉଁ ଜୈବିକ ପ୍ରକ୍ରିୟା, ସେ ବିଷୟରେ ଧାରଣା ଆମର ଅତି ରହସ୍ୟମୟ ।

 

ଏଇ ବୟସର ସ୍ଵଳ୍ପତା ଦୃଷ୍ଟିରୁ ଲଳିତଙ୍କର ଆର୍ଥିକ ଦିଗ ପ୍ରତି ସେଦିନ ମୁଁ ଦୃଷ୍ଟି ଦେଇ ପାରି ନ ଥିଲି । ଲଳିତ ହିଁ ଥିଲେ ସେଦିନ ମୋ ପାଇଁ ସର୍ବସ୍ଵ ।

 

କିନ୍ତୁ ସଂସାର ବିଷୟରେ ଜ୍ଞାନ ମୋର ଯେଉଁଦିନ ପରିପକ୍ଵ ହେଲା….

 

ସେଦିନ ମୁଁ ଅନୁଭବ କଲି, ଭଲ ପାଇବାର ଚୋରାବାଲି ଉପରେ ଠିଆହୋଇ ମୁଁ ମୋର ସର୍ବନାଶ କରିଛି । ଲଳିତ ଦୀନ, ଦୁଃସ୍ଥ । ଆର୍ଥିକ ସଙ୍ଗତି କହିଲେ କିଛି ନାହିଁ ତାଙ୍କର ।

 

ସେଦିନ ଭାରି ରାଗ ହୋଇଥିଲା ମୋର ଲଳିତଙ୍କ ଉପରେ । ମୁଁ ସିନା ସଂସାର ବିଷୟରେ ଅନଭିଜ୍ଞା ଥିଲି, କିନ୍ତୁ ବୟସ, ଶିକ୍ଷା ଦୀକ୍ଷାଦୃଷ୍ଟିରୁ ସେ ତ’ ଥିଲେ ଅଭିଜ୍ଞ । କେଉଁ ସାହସରେ, କେଉଁ ଭରସାରେ ସେ ଚାହୁଁଥିଲେ ଧନୀ ଘରର ଏକମାତ୍ର ଅଲିଅଳ କନ୍ୟାର ପ୍ରଣୟ-!

 

ପ୍ରଥମେ ଲଳିତଙ୍କ ଉପରେ ମୋର ଯେଉ ରାଗଟା ସୃଷ୍ଟି ହୋଇଥିଲା, ତାହା କ୍ରମେ ଘୃଣାରେ ପରିଣତ ହୋଇଗଲା । ଯାହାଙ୍କୁ ଦିନେ ହୃଦୟ ଦେଇ ଭଲ ପାଇଥିଲି, ତାଙ୍କୁ ହଠାତ୍‍ ମନ ଦେଇ ଘୃଣା କରି ବସିଲି ।

 

ଭଲ ପାଇବା ସାଙ୍ଗରେ ଘୃଣାଟା ବୋଧହୁଏ ହାତ ଧରାଧରି ହୋଇ ଚାଲେ । ପୃଥିବୀରେ ଏମିତି ଖୁବ୍‍ କମ୍‍ ପ୍ରେମିକା ଥିବେ, ଯିଏ ପୁରୁଷକୁ ଭଲ ପାଇବା ସଙ୍ଗେ ସଙ୍ଗେ ଘୃଣା କରି ନ ଶିଖିଛି ।

 

ଗୋଟିଏ ଘଟଣାରେ ସେ ଘୃଣାଟା ମୋ ମନରେ ଜମାଟ ବାନ୍ଧିଗଲା । ଘଟଣାଟା ଏବେ ବି ମନରେ ମୋର ଅଲିଭା ରହିଛି ।

 

ମୋ ନିଜର ଏକ ପ୍ରତିକୃତି ଆଙ୍କିବା ପାଇଁ ମୁଁ କହିଥିଲି ଲଳିତଙ୍କୁ । ଆମ ଘରେ ଯେତେ ଦାମିକା ଶାଢ଼ୀ ଥିଲା, ତା’ ଭିତରୁ ବାଛି ବାଛି ବେଶି ମୂଲ୍ୟବାନ ଶାଢ଼ୀଟା ମୁଁ ପିନ୍ଧିଥିଲି । ଦେହରେ ପିନ୍ଧିଥିଲି, ମୂଲ୍ୟବାନ ସୁନାର ଗହଣା ।

 

ମୁଗ୍ଧ ଦୃଷ୍ଟିରେ ଚାହିଁ ଲଳିତ ମୋର ଛବି ଆଙ୍କୁଥିଲେ, କିନ୍ତୁ ଶେଷରେ ଛବିଟାକୁ ଦେଖି ମୁଁ ଚମକି ଉଠିଲି ।

 

ଛବିଟି ମୋର ଦିଶୁଚି ଏକ ନିରାଶ୍ରୟା, ସେବିକା ନାରୀର ଛବି ଭଳି । ମୋ ମଣିପୁରୀ ହାର, ବଳୟ, କଙ୍କଣ–କୌଣସି ଗୋଟିଏ ହେଲେ ଗହଣାର ଆଭରଣ ନାହିଁ ମୋ ଛବିରେ । ଶାଢ଼ୀଟା ମଧ୍ୟ ସାଧାରଣ । ମୋ ପିନ୍ଧା ଶାଢ଼ୀ ସହିତ ତା’ର କୌଣସି ତୁଳନା କରାଯାଇ ପାରେନା ।

 

ଆହତ କଣ୍ଠରେ ମୁଁ ପ୍ରଶ୍ନ କରିଥିଲି, ତମେ ଏ କି ଛବି ଆଙ୍କିଲ ଲଳିତ ! ଏ ଯେ ଏକ ଦରିଦ୍ର କିରାଣୀ କନ୍ୟାର ଛବି ! ତାହାହେଲେ ମୁଁ ଏତେ ଗହଣା ଶାଢ଼ୀ ପିନ୍ଧି ଆସିଥିଲି କାହିଁକି ?

 

ମୋ କଥା ଶୁଣି ହସିଥିଲେ ସେ ।

 

ଉତ୍ତର ଦେଇଥିଲେ, ଏଇ ହେଉଛି ମୋ ମନ ମାନସୀର ଛବି ଲବଙ୍ଗ ! ତମର ଏ ସାଜସଜ୍ଜା, ଆଭିଜାତ୍ୟ, ତମର ନିଜସ୍ଵ । କିନ୍ତୁ ଗରିବ ଶିଳ୍ପୀ କୁଟୀରର ବଧୂକୁ ଏ ବେଶ କ’ଣ ସାଜିବ-?

 

ତାଙ୍କ ହାତଅଙ୍କା ମୋର ସେ ଛବିଟା ଦେଖି ମୁଁ ଅନୁମାନ କରି ପାରିଲି, ମୋତେ ସେ କେଉଁପରି ଭାବରେ ପାଇବାକୁ ଚାହାନ୍ତି । ଭଲ ପାଇବା ନାମରେ ସେ ମୋତେ କିପରି ତିଳ ତିଳ କରି ହତ୍ୟା କରିବାକୁ ଚାହାନ୍ତି, ମୁଁ ବେଶ୍‍ ବୁଝିପାରିଲି ।

 

ମୋର ଦୃଢ଼ ଧାରଣା ହେଲା, ଭଲ ପାଇବା ନାମରେ ସେ ମୋତେ ଆଜୀବନ ଦୁଃଖ କଷ୍ଟରେ ରଖିବା ପାଇଁ ଏକ ଷଡ଼ଯନ୍ତ୍ର କରୁଛନ୍ତି ।

 

ଦୁଃଖ ଲଜ୍ଜା ଓ ଅପମାନରେ ସେଦିନ ମନ ମୋର ଭରି ଉଠିଥିଲା ।

 

ତା’ପରେ ଲଳିତ ମୋତେ ଅନେକ ଚିଠି ଲେଖିଛନ୍ତି । ଶିଳ୍ପୀ ଜୀବନର ମଧୁର ସ୍ଵପ୍ନର ଛବି ଆଙ୍କିଛନ୍ତି ମନରେ । ମୁଁ କୌଣସି ଚିଠିର ଉତ୍ତର ଦେଇ ନାହିଁ ।

 

ଜଣେ ଗରିବ ଶିଳ୍ପୀକୁ ପ୍ରେମ କରିହୁଏ, କିନ୍ତୁ ବିବାହ କରିହୁଏ ନାହିଁ ।

 

ଲଳିତ ଅବଶେଷରେ ମୋତେ ଧମକ ଦେଇଥିଲେ ଯେ, ମୁଁ ଯଦି ତାଙ୍କୁ ବିବାହ ନ କିରେ, ସେ ଆତ୍ମହତ୍ୟା କରିବେ । ମୁଁ ମଧ୍ୟ ଏଇଭଳି ଅନେକ ଥର ତାଙ୍କୁ ଆତ୍ମହତ୍ୟାର ଧମକ ଦେଇ ସୁଖରେ ଜୀବନ ଧାରଣ କରିଛି । ତେଣୁ ତାଙ୍କର ସେ ଆତ୍ମହତ୍ୟା ଧମକ ମୋତେ ଅପ୍ରାକୃତିକ ମନେ ହୋଇଥିଲା । ପରିବାରର ଅନିଷ୍ଟ, ପାଠପଢ଼ାର ଆଳ ଦେଖାଇ ମୁଁ ବିବାହ କଥାକୁ ସବୁବେଳେ ଏଡ଼ାଇ ଯିବାକୁ ଚାହୁଁଥିଲି । ମୋର ଧାରଣା ହୋଇଥିଲା, ଯେହେତୁ ମୋ ପ୍ରେମ ତାଙ୍କର ସମସ୍ତ ସତ୍ତାକୁ ଗ୍ରାସ କରି ଯାଇଛି, ସେ ମୋତେ ଆଜୀବନ ଚାହିଁ ରହିବେ । ସେ ମୋତେ ପାଇବେ ନାଇଁ ସତ, ମୁଁ କିନ୍ତୁ ତାଙ୍କୁ ହରାଇବି ନାଇଁ !

 

କାରଣ ସେଦିନ ତାଙ୍କୁ ହରାଇବାରେ ଥିଲା ମୋର ଅସୀମ ବ୍ୟଥା; ମାତ୍ର ତାଙ୍କୁ ପାଇବା ଲାଗି ଥିଲା ପ୍ରବଳ ଅନିଚ୍ଛା !

 

କିନ୍ତୁ ହଠାତ୍‍ ଦିନେ ମୁଁ ଆବିଷ୍କାର କଲି ଯେ, ମୋର ଘୃଣା ବିରକ୍ତି ଓ ପ୍ରତ୍ୟାଖ୍ୟାନ ଫଳରେ ଶିଳ୍ପୀ ଲଳିତଙ୍କ ମନର ଯେଉଁ ପ୍ରାନ୍ତରଟା ଧୂସର ହୋଇ ଉଠିଥିଲା, ସେଇ ମନର ଧୂସର ପ୍ରାନ୍ତର ଅଜସ୍ର ରକ୍ତ ଗୋଲାପର ଆଭାରେ ଲୋହିତ ହୋଇ ଉଠିଚି ।

 

ସେଦିନ ବହୁ କଷ୍ଟରେ ମୁଁ ବୁଝିଲି, ପୁରୁଷର ମନ ଅତି ବିଚିତ୍ର । ସେଠାରେ ଶୂନ୍ୟତାର ସ୍ଥାନ ନାହିଁ ।

 

ଲତାର ନିଜ କଥା

 

ଗୋଟିଏ ନାରୀର ପ୍ରାତ୍ୟାଖ୍ୟାନ ସହ୍ୟ କରିଥିବା ବିଫଳ ପ୍ରେମିକକୁ ଆଉ ଜଣେ ଝିଅ ଭଲ ପାଇବା ଉଚିତ କି ଅନୁଚିତ, ସେ ବିଷୟରେ ଭାବି ସିଦ୍ଧାନ୍ତ କରିବା ଆଗରୁ ଶିଳ୍ପୀ ଲଳିତଙ୍କୁ ମୁଁ ଭଲପାଇ ବସିଥିଲି । ଯେହେତୁ ଭଲ ପାଇବାର କୌଣସି ନୀତି-ନିୟମ ନାହିଁ, ସେ ଦୃଷ୍ଟିରୁ ନ୍ୟାୟ ନୈତିକତା ଦିଗରୁ ମୁଁ ମୋ ଭଲ ପାଇବାକୁ କେବେ ବିଚାର କରି ନାହିଁ ।

 

ମୋର ସଙ୍ଗୀତ ସାଧନା ପ୍ରତି ଲଲିତଙ୍କର ଥିଲା ଅପରିସୀମ ଶ୍ରଦ୍ଧା । ଆଉ ଲଳିତଙ୍କର କଳାକୃତି ପାଇଁ ମୋର ଥିଲା ଶେଷହୀନ ଆଗ୍ରହ ।

 

ଦୁହିଙ୍କର ପ୍ରତିଭା ପ୍ରତି ଆଦର ଦୃଷ୍ଟିରୁ ଆମେ ଉଭୟେ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇଥିଲୁ । ଏଇ ଆକର୍ଷଣ ଆମ ଦୁହିଁଙ୍କୁ ନିକଟତର କରିଥିଲା ।

 

ମଧ୍ୟବିତ୍ତ ପରିବାରର କନ୍ୟା ମୁଁ । ଗରିବ ଘରର ସନ୍ତାନ ସେ । ସମ୍ପଦ ଅର୍ଜନ କରିବାର ଅକ୍ଷମତା ଯୋଗୁ ନୁହେଁ, ଧନ ପ୍ରତି ଏକ ଗଭୀର ବିତୃଷ୍ଣା ଯୋଗୁଁ ଲଳିତ ଲବଙ୍ଗର ପ୍ରେମ ହରାଇଥିଲେ । ଆମେ କିନ୍ତୁ ଆମ ଦୁଇଜଣଙ୍କ ପ୍ରତିଭାକୁ ଭିତ୍ତି କରି ଗଢ଼ି ଉଠିଥିବା ପ୍ରେମ ଦୃଷ୍ଟିରୁ, ଲଳିତଙ୍କର ଦାରିଦ୍ର୍ୟ ପ୍ରତି ମୁଁ କେବେ ଧ୍ୟାନ ଦେଇ ନ ଥିଲି । ତାଙ୍କର ଶିଳ୍ପୀ ପ୍ରତିଭାହିଁ ମୋ ପକ୍ଷରେ ସର୍ବସ୍ଵ ।

 

ଭଲ ପାଇବାର ରଙ୍ଗିନ ସ୍ଵପ୍ନରେ ମନର ଆକାଶ ମୋର ଉଜ୍ଜ୍ଵଳ ହୋଇ ଉଠିଲା । ଆମେ ସିଦ୍ଧାନ୍ତ କରିଥିଲୁ, ବିବାହ ବନ୍ଧନରେ ଆମେ ଦୁହେଁ ଆବଦ୍ଧ ହେବୁ ।

 

ବିବାହ ପୂର୍ବରୁ ଲଲତ ଯିଦ୍‍ କରିଥିଲେ, “ମୁଁ ତମର ଗୋଟିଏ ଛବି ଆଙ୍କିବି, ଲତା ! ମୋ ମନର ସମସ୍ତ ରଙ୍ଗ ଦେଇ ସେ ଛବିକୁ ମୁଁ ସୁନ୍ଦର କରି ତୋଳିବି ।”

 

ନିଜର ଭାବୀ ସ୍ଵାମୀଙ୍କ ଆଗରେ ଛବିର ମଡ଼େଲ ହୋଇ ବସିବାରେ ମୋର କୌଣସି ଲଜ୍ଜା ନ ଥିଲା । ନିଜର ଉଚ୍ଛଳ ଯୌବନକୁ ଅଭିସାରିକା ଭଳି ତୋଳିଧରି ଲଳିତଙ୍କ ଆଗରେ ମୁଁ ବସିଥିଲି ।

 

ହାତରେ ତୁଳୀ ନେଇ ମୋ ମୁହଁକୁ ଅନେକ ସମୟ ଧରି ଚାହିଁ ରହିଥିଲେ ଲଳିତ । ଶତ, ସହସ୍ର ଥର ସେ ମୋ ମୁହଁକୁ ଦେଖିଛନ୍ତି । ମୋ ମୁହଁର ଶୁଭ୍ର କୋମଳ ତ୍ଵଚ୍ଚା ଉପରେ ଅଜସ୍ର ଥର ସେ ନିଜ ସ୍ପର୍ଶର ସ୍ଵାକ୍ଷର ରଖିଛନ୍ତି । ଛବି ଆଙ୍କିବା ପାଇଁ ତା’ହେଲେ ମୋ ମୁହଁକୁ ସେ ଏତେଥର ଚାହୁଁଛନ୍ତି କାହିଁକି ? ଆଜି ପର୍ଯ୍ୟନ୍ତ କ’ଣ ତାଙ୍କ ମାନସ ଦୃଷ୍ଟିରେ ମୋ ମୁହଁର ଚିତ୍ର ଅଙ୍କିତ ହୋଇ ନାହିଁ ?

 

ଅଭିମାନର ନାକପୁଡ଼ା ମୋର ଥରି ଉଠୁଥିଲା ।

 

କିଛି ସମୟ ମୋ ମୁହଁକୁ ଚାହିଁ ରହିଲା ପରେ ନୟନ ମୁଦ୍ରିତ କରି ସେ ଭାବିବାକୁ ଲାଗିଲେ । ତା’ପରେ ଆରମ୍ଭ ହେଲା ତାଙ୍କର ରେଖାଙ୍କନ…ତୁଳୀ ଚାଳନା ।

 

କିଛି ସମୟ ପରେ କାନଭାସ୍‍ ପଟ୍ଟଟି ଉପରେ ଫୁଟି ଉଠିଲା ଏକ ନାରୀ ସଙ୍ଗୀତ ଶିଳ୍ପୀର ଛବି ।

 

କିନ୍ତୁ ଏ କ’ଣ ମୋ ନିଜ ଛବି ?

ପ୍ରଥମେ ମୁଁ ବିଶ୍ଵାସ କରି ପାରିଲି ନାହିଁ ନିଜ ଆଖିକୁ । ଛବିଟିରେ କେବଳ ନାରୀର କଣ୍ଟନଳୀଠାରୁ ମୁହଁର ଛବି ଫୁଟି ଉଠିଛି । ବିଳମ୍ଵିତ ରାଗରେ ଖେୟାଲ ଗାଉଥିବା ସଙ୍ଗୀତଶିଳ୍ପୀର କଣ୍ଠନଳୀର ଛବି…ବେକର ପ୍ରତି ଶିରା ଉପଶିରା ମଧ୍ୟ ଛବିରେ ଫୁଟି ଉଠିଛି, ଅର୍ଦ୍ଧ ଉନ୍ମକ୍ତ ମୁଖଗହ୍ଵର ଯୋଗୁଁ । ସଙ୍ଗୀତଶିଳ୍ପୀ ସତେ ଯେପରି ଅସହ୍ୟ ଯନ୍ତ୍ରଣା ସହ୍ୟ କରି ଏକ ନୂତନ ସ୍ଵରକୁ ଏଇ ଅର୍ଦ୍ଧ ଉନ୍ମକ୍ତ ମୁଖଗହ୍ଵର ବାଟେ ଜନ୍ନ ଦେଉଛି !

ଖୁବ୍‍ ନିରୀକ୍ଷଣ କରି ଝିଅଟିର ଆଖିପତା, ଭ୍ରୁଲତା ଓ ନାସିକା କୁଞ୍ଚନକୁ ଲକ୍ଷ୍ୟ ନ କଲେ ସେ ଝିଅ ଛବିଟି ମୋର ବୋଲି କେହି କହିପାରିବ ନାହିଁ ।

ମୁଁ କଅଣ ମୋର ଏଇଭଳି ଏକ ଛବି ଚାହିଁଥିଲି ? ଏଇଥିପାଇଁ କଅଣ ଏତେ କଷ୍ଟରେ ମୁଁ ଆଖିରେ ଟାଣିଥିଲି କଜ୍ଜଳର ଗାର ସୀମନ୍ତରେ କୁଙ୍କୁମର ଟିପା ! ଏଇଭଳି ଏକ ଛବି ଦେଖିବା ପାଇଁ କଅଣ ଏତେ ଆଗ୍ରହରେ କୁମାରୀ-ଲଜ୍ଜା ତ୍ୟାଗ କରି ମୁଁ ମୋ ରୂପସମ୍ଭାର ତୋଳି ଧରିଥିଲି ତାଙ୍କ ଆଖି ଆଗରେ !

ଆଖିପତା ଦୁଇଟି ମୋର ବେଦନାରେ ଆର୍ଦ୍ର ହୋଇ ଉଠିଥିଲା । ଦୁରନ୍ତ ଅଭିମାନରେ ରୁଦ୍ଧ ହୋଇ ଆସିଥିଲା ମୋର କଣ୍ଠ ମୁହଁରେ ନ କହିଲେ ସୁଦ୍ଧା ମନେ ମନେ ମୁଁ କହି ଉଠିଥିଲି, ଲଳିତ । ଆଖି ଥାଇ ସୁଦ୍ଧା ତମେ ଅନ୍ଧ । ସେଥିପାଇଁ ତମେ କେବଳ ସଙ୍ଗୀତର ସ୍ଵର ନିର୍ଗତ ହେଉଥିବା ମୋ କଣ୍ଠନଳୀ ଆଉ ଅର୍ଦ୍ଧଉନ୍ମୁକ୍ତ ମୁଖଗହ୍ଵର ଛଡ଼ା ଅନ୍ୟ କିଛି ଦେଖି ପାରିଲ ନାହିଁ । ମୋ ଦେହର ଲାସ୍ୟମୟୀ ଯୌବନ… !

ଯୌବନଠାରୁ ପ୍ରତିଭା ଯାହା ପାଖରେ ବଡ଼, ସେଭଳି ଏକ ସୃଷ୍ଟିଛଡ଼ା ସ୍ଵାମୀକୁ ନେଇ କଅଣ ସ୍ତ୍ରୀ ସୁଖୀ ହୋଇପାରେ !

ଲଳିତଙ୍କ ପ୍ରଣୟ ପ୍ରତି ସେଦିନ ମୋ ମନରେ ପ୍ରଥମ ସନ୍ଦେହର ସୂତ୍ରପାତ ହେଲା । ସେହି ସନ୍ଦେହ କାୟାବିସ୍ତାର କରି କିପରି ମୋର ସମସ୍ତ ଦେହ ମନକୁ ଗ୍ରାସ କରିଗଲା, ମୁଁ ନିଜେ ଜାଣି ପାରିଲି ନାହିଁ ।

 

ଲଳିତଙ୍କ ସହିତ ମୋର ଭବିଷ୍ୟତ ସାଂସାରିକ ଜୀବନ କଥା କଳ୍ପନା କରି ମୁଁ ଶଙ୍କିତ ହୋଇଉଠିଲି ।

 

କିଛିଦିନ ପରେ ସମ୍ଵାଦ ପାଇଲି, ଲଳିତ କଲିକତା ଆର୍ଟ କଲେଜର ଅଧ୍ୟାପକ ରୂପେ ନିୟକ୍ତି ପାଇଛନ୍ତି । କିନ୍ତୁ ସେ ତାଙ୍କ ଚିଠିରେ କେବେହେଲେ ଥରେ ସୁଦ୍ଧା ସେ ସମ୍ଵାଦ ମୋତେ ଦେଲେ ନାହିଁ । ଉତ୍କଣ୍ଠିତ କଣ୍ଠରେ ଥରେ ମୁଁ ତାଙ୍କୁ ପ୍ରଶ୍ନକଲି, ‘ଆର୍ଟ କଲେଜରେ ଯୋଗଦେବା କଥା ତମର କଅଣ ହେଲା ?’

 

ଏକ ଭୀଷଣ ବିସ୍ଫୋରଣର ସମ୍ମୁଖୀନ ହେବା ଭଳି ଚମକ ଉଠି ଲଳିତ କହିଲେ, “ତମେ କଅଣ ମୋର ଚାକିରୀ କରିବା ଚାହିଁ ?”

 

କଣ୍ଠ କୋମଳ କରି ମୁଁ ଉତ୍ତର ଦେଇଥିଲି, “ମୁଁ ନୁହେଁ–ଘରେ ବାପା, ବୋଉ, ଅନ୍ୟାନ୍ୟ ଶୁଭାକାଂକ୍ଷୀମାନେ ତାହା ଚାହାନ୍ତି । ଝଅ ସୁଖରେ ରହୁ ବୋଲି ବାପା, ମାଆ, ବନ୍ଧୁ, ପରିଜନ ଯଦି କାମନା କରନ୍ତି, ତା’ କଅଣ ଅନ୍ୟାୟ ? ତମେ କିଅଣ ସେମାନଙ୍କର ସେଇ ଆଶା ପୂରଣକରିବ ନାହିଁ ?”

 

ସେଦିନ, ସେତିକିବେଳେ ମୁଁ ଦେଖିଥିଲି, ଲଳିତଙ୍କ ଆଖିରେ ଅଗ୍ନିର ଦୀପ୍ତି । ଆହତ କଣ୍ଠରେ ସେ କହିଥିଲେ, “କଳା ମୋର ସାଧନାର ବସ୍ତୁ, ଲତା ! ଅଧ୍ୟାପନାର ବିଷୟ ନୁହେଁ । ଜୀବନ ଧାରଣର କୁଚ୍ଛ୍ର ସାଧନା ପାଇଁ ମୋର କଳାକୁ ମୁଁ ଜୀବିକା କରି ପାରିବି ନାହିଁ । କଳା କଳାକାର ଜୀବନର ଏକ ତପସ୍ୟା । ସାଂସାରିକ ଅର୍ଥରେ ଯାହାକୁ ସମ୍ଭୋଗବିଳାସ ବୋଲି କହନ୍ତି, କଳାକାରର ସ୍ତ୍ରୀ ହୋଇ ତମେ କଅଣ ତାହା ତ୍ୟାଗ କରି ପାରିବ ନାହିଁ ?”

 

ଏଭଳି ନିଷ୍ଠୁର ଉକ୍ତିର କଅଣ ଅବା ଉତ୍ତର ମୁଁ ଦେଇ ପାରି ଥାଆନ୍ତି ? କଣ୍ଠରେ ମୋର ଭାଷା ନ ଥିଲା । ନିଜ ମନର ଆବେଗକୁ ସମ୍ଭାଳି ନ ପାରି ଝର ଝର ହୋଇ ମୁଁ କାନ୍ଦି ଉଠିଥିଲି । ଆଶ୍ଚର୍ଯ୍ୟ ! ମୋ ଆଖିର ଲୁହ ମଧ୍ୟ ଲଳିତଙ୍କ ଆଖିକୁ ସଂକ୍ରମିତ ହୋଇଗଲା ।

 

ତା’ ପରଠୁଁ ଶିଳ୍ପୀ ଲଳିତଙ୍କ ଜୀବନରେ ଅଦ୍ଭୁତ ପରିବର୍ତ୍ତନ । ନିଜ ଶିଳ୍ପର ଧାରା ତାଙ୍କର ବଦଳିଗଲା । ସୃଜନଶୀଳ ଛବି ବଦଳରେ ସେ ଆଙ୍କିବାକୁ ଲାଗିଲେ ସମାଜର ଧ୍ଵଂସମୁଖୀ ଚିତ୍ର । କେତେବେଳେ ସେ ଛବି ନଗ୍ନ ତ, ଆଉ କେତେବେଳେ ବିଭତ୍ସ !

 

ଦିନେ ମୁଁ ତାଙ୍କୁ କରୁଣ କଣ୍ଠରେ ପ୍ରଶ୍ନକଲି, ସୁନାଟି ପରା ! ତମେ ଏ ଭଳି ଛବି ଅଙ୍କା ଛାଡ଼ । ସତ୍ୟ, ଶିବ, ସୁନ୍ଦର ଯଦି ହୁଏ କଳାର ଧର୍ମ, ତମର ଏ ଅସାମାଜିକ ଛବି ଅଙ୍କନ କାହାପାଇଁ-!

 

ଉପହାସ କଲାଭଳି ମୁଖ ବିକୃତ କରି ସେ ଚିତ୍କାର କରିଉଠିଲେ, “ସଜନଶୀଳ କଳା ସାଧନ କରି ସମାଜର ନୈତିକମାନ ଉନ୍ନତ କରିବାକୁ ମୁଁ ବହୁ ଚେଷ୍ଟା କରିଛି ଲତା ! ଅଜସ୍ର କଳାପ୍ରେମୀ ଜନତାର ମନକୁ ମୁଁ ଆମୋଦିତ କରିଛି । କିନ୍ତୁ ତା’ ବଦଳରେ ଏ ସମାଜ ମତେ ଦେଇଛି କଅଣ ? କେବଳ ଘୃଣା, ଅପମାନ ! ଛବି ଆଙ୍କି ଏତେ ଲୋକଙ୍କ ମୁହଁରେ ତ ହସ ଫୁଟାଇଲି, ମୋ ଆଖିରୁ ଲୁହ ପୋଛିଦେବା ପାଇଁ କେହି ଜଣେହେଲେ ତ ଧନ, ଆଭିଜାତ୍ୟର ମାୟା ଛାଡ଼ି ମୋ ପାଖରେ ଠିଆ ହେଲା ନାଇଁ ! ଅର୍ଥ ହିଁ ଯଦି ସମାଜର ସର୍ବସ୍ଵ, ତେବେ ଏ ବଣିକ-ସମାଜ ଧ୍ଵଂସ ହେଉ, ଲତା ! ସେଇ ବଣିକ-ସମାଜର ଧ୍ଵଂସ ସ୍ତୂପ ଉପରେ ମୁଁ ଏକ କଳାପୂର୍ଣ୍ଣ ସମାଜର ସ୍ଵପ୍ନ ଦେଖୁଚି । ମୋ ହାତର ତୁଳୀ ସେଇ ନୂତନ ସମାଜର ମୂଳଦୁଆ ପକାଇବା ପାଇଁ ଶାଣିତ ଅସ୍ତ୍ର ହୋଇ ଝଲସି ଉଠୁଚି…”

 

ଲଳିତଙ୍କ କଣ୍ଠରେ ସେଦିନ ବିଦ୍ରୋହର ଝଙ୍କାର ।

 

ସେ ବିଦ୍ରୋହର ଘୋଷଣା କେବଳ ପ୍ରଚଳିତ ସମାଜ ବିରୁଦ୍ଧରେ ନୁହେଁ, ସେ ବିଦ୍ରୋହ ଘୋଷଣା ମୋର ସ୍ନେହ, ପ୍ରେମ, ସୁନେଲି ଭବିଷ୍ୟତ ବିରୁଦ୍ଧରେ ।

 

ଆଉଦିନେ ମୁଁ ଆଖି ଖୋଲି ଦେଖିଲି, ଏକଦା ଯେଉଁମାନେ ଶିଳ୍ପୀ ଲଳିତଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଥିଲେ, ସେମାନେ ହଠାତ୍‍ ତାଙ୍କ ନିନ୍ଦାରେ ମୁଖର ହୋଇ ଉଠିଛନ୍ତି । ଏଭଳି ସମାଜ ବିରୋଧୀ ଛବି, କାର୍ଟୁନ ଆଙ୍କୁଥିବା ଯୋଗୁଁ ପତ୍ର-ପତ୍ରିକା ତାଙ୍କୁ ପାଗଳ ବୋଲି ମନ୍ତବ୍ୟ କରିଛନ୍ତି ।

 

ଲଳିତ ପାଗଳ !

 

ଶିଳ୍ପୀ ଲଳିତ ଉନ୍ମାଦ !

 

ଦିନେ ତାଙ୍କର ପ୍ରଶଂସା ଶୁଣି ତାଙ୍କ ପ୍ରଣୟ ପାଇଁ ମୁଁ ପାଗଳିନୀ ହୋଇ ଉଠିଥିଲି । ଆଜି ତାଙ୍କର ନିନ୍ଦା ଶୁଣି ଅନୁତାପର ଅଗ୍ନିରେ ମୁଁ ଦଗ୍ଧୀଭୂତ ହେବାକୁ ଲାଗିଲି ।

 

ଶୁଣିଥିଲି ଶିଳ୍ପୀ, କଳାକାର ମାତ୍ରେଇ ପାଗଳ । କିନ୍ତୁ ନିଜ ଅନୁଭୂତିର ମୂଲ୍ୟ ଦେଇ ବୁଝିଲି, କେବଳ ଶିଳ୍ପୀ ନୁହନ୍ତି, ମୋ ଭବିଷ୍ୟତର କର୍ଣ୍ଣଧାର, ସ୍ଵାମୀ ଲଳିତ ଏକ ବଦ୍ଧ ପାଗଳ !

 

ବଦ୍ଧ ପାଗଳ ହୋଇ ନ ଥିଲେ ଚୋର, ଚଣ୍ତାଳଙ୍କ ନିର୍ଜନ ନିଷିଦ୍ଧ ଦ୍ଵୀପକୁ ଆପେ ଆପେ ନିର୍ବାସିତ ହୋଇ ତୀର୍ଥଯନ୍ତ୍ରା କରିବାକୁ ସେ ଯାଇଥାଆନ୍ତେ ବା କାହିଁକି ?

 

ଲଳିତର ସ୍ଵଗୋତୋକ୍ତି

 

ଦରିଦ୍ର ଘରେ ଜନ୍ମ ହେଲେ ସୁଦ୍ଧା ଧନପାଇଁ ମୁଁ କେବେ ମନ ବଳାଉ ନଥିଲି । କାରଣ ଧନଲାଭ କାମନାର ଅନ୍ତ ନାହିଁ । ମୁଁ ଜାଣିଥିଲି, ଅଳ୍ପରେ ସନ୍ତୁଷ୍ଟ ହେଲେ ସୁଖ ମିଳେ । ବେଶି ଲୋଭ, ପ୍ରଲୋଭନର ପରିଣାମ ଅସରନ୍ତି ଦୁଃଖ ଯନ୍ତ୍ରଣା ।

 

ଇଚ୍ଛା କରିଥିଲେ ଧନର ଅଭାବ ହୋଇ ନଥାନ୍ତା ମୋତେ । କଳାକୁ ପଣ୍ୟ କରିଲେ, ମୁଁ ଜଣେ ଲକ୍ଷପତି ହୋଇ ପାରିଥାଆନ୍ତି । ତାହାହେଲେ ମତେ ସରକାରଙ୍କ ପଞ୍ଚବାର୍ଷିକ ଯୋଜନା ପ୍ରଚାର ପାଇଁ ପ୍ରାଚୀର-ପତ୍ରର ଛବି ଆଙ୍କିବାକୁ ହୋଇଥାଆନ୍ତା । ଅଥବା କୌଣସି କୌଣସି ମହାନୁଭବ ଶେଠ୍‍, ମାରୁଆଡ଼ିଙ୍କ ତୈଳଛବି ଅଙ୍କନ କରିବାକୁ ପଡ଼ିଥାଆନ୍ତା । ତେବେ ଯାଇଁ ମୋ ପାଖକୁ ଆସିଥାଆନ୍ତା ପ୍ରଚୁର ଅର୍ଥ, ଆଉ ଆଭିଜାତ ପରିବାରର ଅଲିଅଳ ଲାବଣ୍ୟମୟୀ ରାଜକନ୍ୟା ଲବଙ୍ଗ… ।

 

ଲବଙ୍ଗ ମୋତେ ଭଲ ପାଉଥିଲା–କିନ୍ତୁ ଗୋଟିଏ ସର୍ତ୍ତରେ । ସର୍ତ୍ତ ହେଲା, ତାକୁ ବିବାହ କରିବାକୁ ହେଲେ ମୁଁ ତା’ର ଉପଯୁକ୍ତ ହେବି ।

 

ଯେଉଁ ପ୍ରେମରେ ସର୍ତ୍ତ ଥାଏ, ସେ ପ୍ରେମରେ ଆନ୍ତରିକତା ଥାଏ ବୋଲି ମୋର ବିଶ୍ଵାସ ହେଲା ନାହିଁ । ସେଥିପାଇଁ ଅତି ନିଷ୍ଠୁର ଭାବରେ ଲବଙ୍ଗର ପ୍ରଣୟକୁ ମୁଁ ତ୍ୟାଗ କରି ଆସିଲି ।

 

ନିଜ ମନରେ ଗଭୀର ପ୍ରତ୍ୟୟ ଥିଲା, ମୁଁ ଯଦି ନିଜ ସୁଖ ସ୍ଵାଚ୍ଛନ୍ଦ୍ୟକୁ ବଳି ଦେଇ କଳାର ସାଧନା କରି ସହସ୍ର ମୁହଁରେ ହସ ଫୁଟାଉଛି, ତେବେ ଜଣେ କେହିହେଲେ ନାରୀ ମୋପାଇଁ ନିଜ ସୁଖ, ସମ୍ଭୋଗକୁ ବଳି ଦେଇ ମୋ ମୁହଁରେ ହସ ଫୁଟାଇବାକୁ ନିଶ୍ଚୟ ଆଗେଇ ଆସିବ । ସଙ୍ଗୀତ ଶିଳ୍ପୀ ଲତା ଦେଇଥିଲା ମତେ ସେ ବିଶ୍ଵାସ । ଲତାକୁ ନେଇ ଗଢ଼ିଥିଲି ମୁଁ ମୋର ଏକ ବିଚିତ୍ର ସୁପ୍ନର ପୃଥିବୀ । କିନ୍ତୁ ସେ ସ୍ଵପ୍ନ ମୋର ସ୍ଥାୟୀ ହେଲା ନାହିଁ । ମୁଁ ଦିନେ ଆବିଷ୍କାର କଲି, ଲତା ମନର ଗହନ ଅରଣ୍ୟରେ ସୁଖ ସମ୍ଭୋଗର ଅଜସ୍ର ଫୁଲ ଫୁଟିଉଠିଚି । ସ୍ଵାମୀର ପ୍ରତିଭା ନେଇ ସେ ସନ୍ତୁଷ୍ଟ ନୁହେଁ, ସେ ଚାହେଁ ସ୍ଵାମୀର ପ୍ରତିପତ୍ତି । ସ୍ଵମୀର ସମ୍ପତ୍ତି ପ୍ରତିପତ୍ତି କାମନା ତା’ର ନିଜପାଇଁ ନୁହେ–ତା’ର ନିଜ ସମାଜ ପାଇଁ । କାରଣ ସେ ନିଜେ ଜଣେ ସାମାଜିକ ଜୀବ ।

 

ସେଦିନ ବିଶ୍ଵାମିତ୍ରଙ୍କ ତପ ଭଙ୍ଗପାଇଁ ଜଣେ ଉର୍ବଶୀ ନଗ୍ନ ନୃତ୍ୟର ତଣ୍ତବ ରଚନା କରିଥିଲେ; ମୋର ମନେହେଲା, ଆଜିର ସମାଜରେ ଶିଳ୍ପୀ ସନ୍ୟାସୀର ସାଧନା ଭଙ୍ଗ କରିବା ପାଇଁ କିନ୍ତୁ ବହୁ ରମଣୀଙ୍କ ଭିଡ଼ ।

 

କାରଣ ନାରୀ କେବଳ ପୁରୁଷଠାରୁ ସନ୍ତାନ ଚାହେଁନା–ସେ ଚାହେଁ, ଅର୍ଥନୈତିକ ନିରାପତ୍ତା । ସେଥିପାଇଁ କେବଳ ପୁରୁଷର ପ୍ରେମ ନୁହେଁ, ସେ ଚାହେଁ ପୁରୁଷର ଦାସତ୍ଵ !

 

ଲବଙ୍ଗ ମୋ ମନରେ ସମାଜ ପ୍ରତି ଘୃଣା ଆଣି ଦେଇଥିଲା ।

 

ଲତା ଆଣିଦେଲା, ସମଗ୍ର ନାରୀ ଜାତିପାଇଁ ମୋ ମନରେ ବିତୃଷ୍ଣା ।

 

ସେଦିନ ମୋ ତୁଳୀରୁ ଝରୁଥିଲା ରଙ୍ଗ, ଏବେ କିନ୍ତୁ ସେଇ ତୁଳୀରୁ ଝରିବାକୁ ଲାଗିଲା ରକ୍ତ !

 

ମୁଁ ଚାହିଁଲି ଏପରି ଏକ ଦେଶ, ଯେଉଁଠି ଧନର ଲାଳସା ନ ଥିବ, ସାମାଜିକତାର ବନ୍ଧନ ନ ଥିବ, ନ ଥିବେ ମଧ୍ୟ ସେଠାରେ କେହି ନାରୀ…।

 

ସେତିକିବେଳେ ମୁଁ ଶୁଣିଲି ସେଇ ନିର୍ଜନ, ନିର୍ବାସିତ ଦ୍ଵୀପର ନାମ ।

 

ମୋ ମନର ସ୍ଵପ୍ନ ପୁଣି ରୁପ ପରିଗ୍ରହ କଲା ।

 

ଉପସଂହାର

 

ଝଡ଼ର ଝଙ୍କାର ଶାନ୍ତ ହୋଇ ଆସିଥିଲା ।

 

ବିକ୍ଷୁବ୍ଧ ସମୁଦ୍ର ବକ୍ଷରେ ଆସିଥିଲା ଏକ ଗଭୀର ପ୍ରଶାନ୍ତ । ଆକାଶ ଛାତିରେ ଚକ୍କର ମାରି ଉଡ଼ି ବୁଲୁଥିଲେ କେତେଟା ସାମୁଦ୍ରିକ ପକ୍ଷୀ ।

 

ମାଛମରା ଜାଲ ଖଣ୍ତିକ ଧରି ନାଆ ମେଲି ଦେଇଥିଲା ଶଙ୍କର ନିର୍ବାସିତ ଦ୍ଵୀପର ଜଣେ ପ୍ରାଚୀନ ଅଧିବାସୀ । ଜାଲଟା ଆଜି ଖାଲି । ମାଛଗୁଡ଼ାକ ସମୁଦ୍ରର ଅତଳ ଗହ୍ଵରକୁ ପଳାଇଛନ୍ତି ।

 

ମଝି ନାଆରେ ବସି ଛବି ଆଙ୍କୁଥିଲା ଲଳିତ ।

 

ଲଳିତ ଶଙ୍କରର ଅନ୍ତରଙ୍ଗ ବନ୍ଧୁ ।

 

ମାଛ ନ ପଡ଼ିବାରୁ ରାଗରେ ଜାଲଟାକୁ ଟାଣି ଆଣି ଶଙ୍କର କହିଲା, “ମଝି ସମୁଦ୍ରରେ କାହାର ଛବି ଆଙ୍କୁଛ, ଲଳିତ ଭାଇ !”

 

ଲଳିତ ସଂକ୍ଷେପରେ ଉତ୍ତର ଦେଲା, “ଈଶ୍ଵରଙ୍କର !”

 

ଈଶ୍ଵରଙ୍କ ଛବି !

 

ଚମକି ଉଠି ଶଙ୍କର କହିଲା, “କାଇଁ ମଣିଷଙ୍କ ଛବି ଆଙ୍କୁନ ! ଈଶ୍ଵରଙ୍କ ଛବି ଆଙ୍କିବା କଅଣ ସହଜ ?”

 

ଲଳିତ ହସିଲା । କହିଲା, “ମଣିଷର ଛବି ଯେତେ ଭଲକରି ଆଙ୍କିଲେ ବି ତା’ର ମନକୁ ତାହା ଯାଏ ନାହିଁ । କାରଣ ମଣିଷର ଛବି ଗୋଟିଏ ଏବଂ ନିର୍ଦ୍ଦିଷ୍ଟ । କିନ୍ତୁ ଈଶ୍ଵରଙ୍କ ଛବିର ନିର୍ଦ୍ଦିଷ୍ଟ କିଛି ରୂପ ନାହିଁ । ମାଛର ଛବିଟିଏ ଆଙ୍କିଲେ ବି ତାହା ଈଶ୍ଵରଙ୍କ ଛବି ହୋଇପାରେ; ମାଙ୍କଡ଼ର ଚିତ୍ର ଆଙ୍କିଲେ ବି ତାହା ଈଶ୍ଵରଙ୍କ ପ୍ରତିକୃତି ହେବା ସମ୍ଭବ । ତାଙ୍କୁ ଶାଳଗ୍ରାମ ରୂପେ ପୂଜିଲେ ସେ ଯେପରି ପୂଜା ଗ୍ରହଣ କରନ୍ତି, ତାଙ୍କୁ ଅକର୍ମଶିଳା ରୂପେ ଚିତ୍ରଣ କଲେ ବି ସେଥିରେ ତାଙ୍କର ପୂର୍ଣ୍ଣ ରୂପ ଫୁଟିଉଠେ ।”

 

ଶଙ୍କର ଲଳିତର କଥା କିଛି ବୁଝି ପାରିଲା ନାହିଁ । ନିର୍ବୋଧ କଣ୍ଠରେ ସେ ପ୍ରଶ୍ନକଲା, “ଈଶ୍ଵର କେତେ ବଡ଼…ତମେ କଅଣ ତାଙ୍କର ଛବି ଆଙ୍କିପାରିବ ?”

 

ଲଳିତ ନିଲିପ୍ତ ଭାବରେ ଉତ୍ତର ଦେଲା, “ଈଶ୍ଵରଙ୍କର ନିର୍ଦ୍ଦିଷ୍ଟ ରୂପ ନାହିଁ, ସେ ଅନିର୍ଦ୍ଦିଷ୍ଟ, ଅରୂପ । ଆଉ ଅରୂପକୁ ରୂପ ଦେବା ଶିଳ୍ପୀର ଧର୍ମ ! ସେଇ ସାଧନା ଭିତରେ ଯଦି ଭଗବାନ–ଆମେ ଯାହାକୁ ଜୀବନର ଅନ୍ତିମ ସତ୍ୟ ବୋଲି କହୁଛୁ–ସେ ମିଳିଗଲେ, ତେବେ ତାଠୁଁ ବଳି ଆନନ୍ଦର କଥା ଆଉ କଅଣ ଅଛି ?”

 

ବହୁ ଅପରାଧରେ ଅଭିଯୁକ୍ତ ଆସାମୀ ଶଙ୍କର ତଥାପି ଏ ତତ୍ତ୍ଵ କିଛି ବୁଝିଲା ନାଇଁ । ସେ ପ୍ରଶ୍ନକଲା, “ତମେ ଘରେ ନିଜେ ଆତ୍ମୀୟମାନଙ୍କ ଉପରୁ ବିଶ୍ଵାସ ହରାଇ, ଏ ଈଶ୍ଵରଙ୍କ ଉପରେ ଏତେ ବିଶ୍ଵାସ ସ୍ଥାପନ କଲ କାହିଁକି”

 

ଏଥର ଦୃଷ୍ଟି ତୋଳି ଚାହିଁଲା ଲଳିତ ସେ କହିଲା, “ମଣିଷ ବିଶ୍ଵାସ ଘାତକତା କରିପାରେ । କରଣ, ତା’ର ସମାଜ ଅଛି, ପରିବାର ବର୍ଗ ଅଛନ୍ତି ମାତ୍ର ବିଶ୍ଵାସରେ ଈଶ୍ଵର କେବେ ବିଷ ଦିଥନ୍ତି ନାଇଁ, ଯେହେତୁ ତାଙ୍କର ସମାଜ ନାହିଁ, କି ପରିବାର ନାହିଁ !”

 

ଶଙ୍କର ଲକିତର କଥା ହୁଏତ ଭଲକରି ଶୁଣିଥାଆନ୍ତା । କିନ୍ତୁ ଏଇ ସମୟରେ ଅଚାନକ ଏକ ଝଡ଼ର ବିଗୁଲ ବାଜିଉଠିଲା । ଟଳ ଟଳ ହେଉଥିବା ନୌକାଟା ଥରିଉଠିଲା ଜଳ ଉପରେ ।

 

ଶଙ୍କର ଭୟରେ କହିଲା, ନୌକାଟା ଯଦି ମଝି ସମୁଦ୍ରରେ ବୁଡ଼ିଯାଏ ?

 

ନିଜ ସ୍ମୃତିର ସମୁଦ୍ରରେ ଅବଗାହନ କରି ଅତୀତର ଫସିଲ୍‍ ସଂଗ୍ରହ କରୁଥିଲା ଲଳିତ । ଶଙ୍କରର କଥା ଶୁଣି ସେ କହିଲା, ନୌକା ବୁଡ଼ିଗଲେ ବ୍ୟସ୍ତ ହେବାର କିଛି ନାହିଁ । ପ୍ରଥମେ ସାରା ବ୍ରହ୍ମାଣ୍ତ ଥିଲା ଜଳମୟ । ପରେ ସେହିଜଳ ମଧ୍ୟରୁ ସ୍ଥଳର ଉଦ୍ଭବ ହୋଇଛି । ଆଉ ଆମେ ଯଦି ନୌକାଡୁବି ଫଳରେ ଜଳମଗ୍ନ ହେଉ, ତେବେ…!

 

ଲଳିତ କଣ୍ଠରୁ କଥା ସରି ନାହିଁ, ପ୍ରବଳ ଝଡ଼ର ଝଂକାରରେ ଚତୁର୍ଦ୍ଦିଗ ଭରିଗଲା । ସୁଉ ସୁଉ ପବନ, ଘୁଉ ଘୁଉ ତରଙ୍ଗ ଗର୍ଜ୍ଜନ । ଆହୁଲା ମାରି ଶଙ୍କର ହାତର ମାଂସପେଶି ଗୁଡ଼ାକ ଫୁଲି ଉଠୁଥାଏ । ଲଳିତ ଦେଖୁଥାଏ, ଚାରିଆଡ଼େ ଅନ୍ଧକାର ଘେରି ଆସୁଛି । ଘୋର, ଘନଘୋର ଅନ୍ଧକାର

 

ସମୁଦ୍ରର ଜଳେଚ୍ଛ୍ଵାସ ସହିତ ହାତ ମିଳାଇବା ପାଇଁ ନୀଳ ଆକାଶ ଯେଉଁଠି ନଇଁ ଆସୁଥିଲା, ଠିକ୍‍ ସେହିଠାରେ ଲଳିତ ଦେଖିଲା, ସମୁଦ୍ର ଆକାଶର ମଝିରେ ଝଲସି ଉଠୁଛି ଏକ ନାରୀ ଦେହ ।

 

କିଏ ସେ ନାରୀ ! ଲବଙ୍ଗ ବା ଲତା ?

 

ଲଳିତ ହାତରୁ ତୁଳୀ ଖସି ପଡ଼ିଲା ।

 

ଝଡ଼ର ବେଗ ସେତେବେଳକୁ ଶାନ୍ତହୋଇ ଆସୁଥାଏ ।

 

ଅତସୀ କୁସୁମ ମୀଳା

 

‘ପ୍ରବେଶ ନିଷେଧ ।’

 

‘ପ୍ରବେଶ ନିଷେଧ’ ହେଲା ଛୋଟ ଏକ ମେସ୍‍ର ନାମ । ଏଇ ନିଷେଧ ଆଦେଶକୁ ଅମାନ୍ୟ କରି ପ୍ରଥମେ ଏଠାକୁ ଆସିଥିଲା ଅତସୀ । ଅତସୀ ରାଉତରାୟ । ସ୍ଥାନୀୟ ଉଚ୍ଚ ଇଂରାଜି ବାଳିକା ବିଦ୍ୟାଳୟର ଗଣିତ ଶିକ୍ଷୟିତ୍ରୀ ଅତସୀ ରାଉତରାୟ । ସାଙ୍ଗରେ ଚାକରାଣୀ ସୀତା ।

 

‘ପ୍ରବେଶ ନିଷେଧ’ ମେସ୍‍ର ପ୍ରଥମ ବିହଙ୍ଗୀ ଅତସୀ । ତା’ ପରେ ଆସିଲା କୁସୁମ ।

 

ଗଣିତ ପରେ ସାହିତ୍ୟ ।

 

ବାଳିକା ବିଦ୍ୟାଳୟର ସାହିତ୍ୟ ଶିକ୍ଷୟିତ୍ରୀ କୁସୁମ ଦାସ । ପ୍ରବେଶ ନିଷେଧ ମେସ୍‍ର କକ୍ଷରେ ପକ୍ଷୀର କାକଳି ଶୁଭିଲା । ମୃଦୁ ଗୁଞ୍ଜନ । ତା’ପରେ ଆଲୋଡ଼ନ–ପ୍ରକମ୍ପନ ।

 

ଦୁଇ ବାନ୍ଧବୀ ଅତସୀ, କୁସୁମ ।

 

ସ୍କୁଲର ପାଖାପାଖି ମେସ୍‍ଟି । ସ୍ଵାସ୍ଥ୍ୟକର ସ୍ଥାନ । ମେସ୍‍ ପଛପଟେ କୃଷ୍ଣଚୂଡ଼ା ଗଛ । ଗଛରେ ନଦି ହୁଏ ଅସୁମାରୀ କୃଷ୍ଣଚୂଡ଼ା ଫୁଲ ।

 

ରଙ୍ଗା କୃଷ୍ଣଚୂଡ଼ାର ଫୁଲ ପେନ୍ଥାକୁ ଚାହିଁ ଦୁଇ ସଙ୍ଗିନୀ ସ୍ଵପ୍ନର ଜାଲ ବୁଣନ୍ତି । କଳ୍ପନାର ତାଜମହଲ ତିଆରି କରନ୍ତି । ସମବୟସୀ, ବୟସ ବାଇଶି–ତେଇଶି ଭିତରେ । ମନର ଉଦ୍ୟାନରେ ବି ଦୁହିଁଙ୍କର ଅନେକ କୃଷ୍ଣଚୂଡ଼ା ଫୁଟେ ।

 

‘ପ୍ରବେଶ ନିଷେଧ’ ମେସ୍‍ର ଶେଷ ଅତିଥି ହେଲା ମାଳା । ସ୍କୁଲର ଇତିହାସ ଭୂଗୋଳ ଶିକ୍ଷୟିତ୍ରୀ । ଅତସୀ ଆଉ କୁସୁମଠାରୁ ମାଳା ହୁଏ ତ ଅଳ୍ପ କେତେବର୍ଷ ଛୋଟ–ଟିକିଏ ବେଶୀ ସୁନ୍ଦରୀ ।

 

ଗୋଟିଏ ବୃନ୍ତରେ ତିନୋଟି ଫୁଲ ।

 

ଗୋଟିଏ ମେସରେ ତିନି ସଙ୍ଗିନୀ–ଅତସୀ–କୁସୁମ–ମାଳା !

 

‘ପ୍ରବେଶ ନିଷେଧ’ ମେସ୍‍ ।

 

ମେସ୍‍ର ଗୃହକୁ ଲାଗି ଆଉ ଏକ ଶୂନ୍ୟଘର । ସେ ଘରଟିରେ ସବୁବେଳେ ତାଲା ଝୁଲୁଥାଏ । ଘରର ମାଲିକ ଘର ଭଡ଼ାଦେଇ ମଫସଲରେ ଥାଆନ୍ତି । କଦବା କ୍ଵଚିତ୍‍ ଭଡ଼ା ଆଦାୟ ପାଇଁ ସହରକୁ ଆସିଲେ ସେଇ ଗୃହରେ ରହନ୍ତି ।

 

ମେସ୍‍ର ପଛପଟେ ବିସ୍ତୀର୍ଣ୍ଣ ଏକ ପଡ଼ିଆ । ପଡ଼ିଆ ଭିତରେ ସେଇ କୃଷ୍ଣଚୂଡ଼ା ଗଛ ।

 

ଘରେ ବିଜୁଳି ଆଲୁଅ । କଳ ପାଣି ।

 

ସୁଇଚ୍‍ ଟିପିଲେ ଆଲୁଅ, ବୋତାମ ଟିପିଲେ ପାଣି ।

 

ମେସରେ ତିନି ସଙ୍ଗିନୀ ଅତସୀ, କୁସୁମ, ମାଳା ।

 

ତିନୋଟି ଦେହ, କିନ୍ତୁ ଗୋଟିଏ ମନ । ତିନୋଟି ଓଠର ହସରେ ଗୋଟିଏ ସଙ୍ଗୀତର ସ୍ଵର । ତିନି ଦେହ କିନ୍ତୁ ଏକ ପ୍ରାଣ, ଏକମନ ।

 

ତିନି ବାନ୍ଧବୀ–ଗୋଟିଏ ହାରର ତିନୋଟି ଫୁଲ ।

 

ସକାଳ ହେଲେ ପ୍ରଥମେ ନିଦ ଭାଙ୍ଗେ କୁସୁମର । ନିଦ ତା’ର ଭାରି ପାତଳ । ଆଲୁଅ ତା’ ଦେହ ଛୁଇଁଲେ ସେ ଜାଗି ଉଠେ । ଉଠି ଉଠାଇ ଦିଏ ସୀତାକୁ । ସୀତା ଉଠି ଷ୍ଟୋଭ୍‍ ଜଳାଏ । ଚା’ କରେ, ଜଳଖିଆ ପ୍ରସ୍ତୁତ କରେ, । ମେସିନ୍‍ ଭଳି କାମ କରି ଯିବାରେ ସୀତାର ଆନନ୍ଦ । ‘ପ୍ରବେଶ ନିଷେଧ’ ମେସ୍‍ର ସେ ହେଉଛି ଚାକରାଣୀ, ପାଚକିନୀ; ସବୁକିଛି ।

 

ସେଦିନ ରାତିରେ ସୁନିଦ୍ରା ହୋଇ ନଥିଲା ମାଳାର ।

 

ଅଳ୍ପ ରାତି ଥାଇ ସେ ଉଠି ପଡ଼ିଲା ।

 

ଦେଖିଲା ଅତସୀର ମୁଣ୍ତ ଉପରେ ଥୁଆ ହୋଇଛି ଗ୍ଳାସେ ମିଶ୍ରି ପାଣି । ସକାଳୁ ମିଶ୍ରି ପାଣି ପିଇବା ଅତସୀର ଅଭ୍ୟାସ ।

 

କୁସୁମର କିନ୍ତୁ ଆଜି ମିଶ୍ରି ପାଣି ପିଇବାକୁ ଭାରି ଲୋଭ ହେଲା । ସେ ଦେଖିଲା, ଅତସୀ ନିଘୋଡ଼ ନିଦରେ ଶୋଇଚି । ସେ ଆସ୍ତେକିନି ମିଶ୍ରି ପାଣି ଗ୍ଳାସଟା ଆଣି ପିଇ ଦେଲା । ତା’ପରେ ଖାଲି ପାଣି ଗ୍ଳାସଟାଏ ଆଣି ଥୋଇ ଦେଲା ଅତସୀର ମୁଣ୍ତ ଉପରେ ।

 

ପ୍ରାୟ ଦିନ ସାତଟାବେଳେ ଉଠିଲା ଅତସୀ । ମୁହଁ ହାତ ଧୋଇ ମିଶ୍ରି ପାଣି ଗ୍ଳାସ୍‍ଟା ଓଠରେ ଲଗାଇଲା ।

 

ଇସ୍‍, ମିଶ୍ରି ପାଣି କି ଖାରିଆ !

 

ବିରକ୍ତିରେ ବିକୃତ ହୋଇଗଲା ଅତସୀର ମୁହଁ ।

 

କୁସୁମ ଓଠ ଚିପି ଚିପି ହସୁଥିଲା ।

 

କୁସୁମର ଚାତୁରୀ ବୁଝି ପାରିଲା ଅତସୀ । କହିଲା, ଇସ୍‍, କାଲି କେତେ ମିଶ୍ର ପକାଇଥିଲି କେଜାଣି ଖୁବ୍‍ ମିଠା ହୋଇଛି ପାଣି । ପିଇବୁକି ଢ଼ୋକେ କୁସୁମ ?

 

କୁସୁମ ହସି ହସି ଲୋଟିଗଲା ।

 

ସେଦିନ ଉପରଓଳି ମାଳା ମେସ୍‍କୁ ଫେରି ଦେଖିଲା, ତା’ର ଇସ୍ତ୍ରୀ ହୋଇ ଆସିଥିବା ବନାରସୀ ଶାଢ଼ୀଟାକୁ ପିନ୍ଧି ଚାଲି ଯାଇଛି ଅତସୀ । ଅତସୀର ନୂଆ ସିଲକ୍‍ ବ୍ଳାଉଜଟା ପିନ୍ଧି ସେ ମଧ୍ୟ ସିନେମା ଦେଖି ବାହାରି ପଡ଼ିଲା ।

 

ଏଇ ହେଲା ‘ପ୍ରବେଶ ନିଷେଧ’ ମେସ୍‍ର ଦୈନନ୍ଦିନ ଜୀବନର କାହାଣୀ । ଗୋଟିଏ ବସାରେ ତିନୋଟି ବିହଙ୍ଗୀ । ତିନୋଟି ଓଠର ସ୍ଵରରେ ଗୋଟିଏ ଛନ୍ଦ । ତିନୋଟି ପ୍ରାଣରେ ଗୋଟିଏ ସଙ୍ଗୀତର ଝଂକାର ।

 

ତିନି ଦେହ ଏକ ପ୍ରାଣ ।

 

ତିନି ପ୍ରାଣୀ ଏକମନ !

 

ଅତସୀ, କୁସୁମ, ମାଳା ।

 

ବାଳିକା ବିଦ୍ୟାଳୟର ତିନିଜଣଯାକ ଶିକ୍ଷୟିତ୍ରୀ ।

 

କେବଳ ସେଥିପାଇଁ ନୁହେଁ, ତିନିଜଣଯାକର ମନର ମିଳନ ପାଇଁ ଆହୁରି ଗୋଟିଏ ପ୍ରଧାନ କାରଣ ଥିଲା, ତାହା ହେଲା ସେ ତିନିହେଁ ଥିଲେ ଅବିବାହିତା ।

 

ବୟସର ସାମାନ୍ୟ ତାରତମ୍ୟ ସେଥିପାଇଁ ସେମାନେ ଭୁଲି ଯାଇଥିଲେ ।

 

ଅତସୀ, କୁସୁମ ଦୁଇ ସଖୀ ବସି ଯଦି ଏକାନ୍ତରେ କିଛି ଚୁପ୍‍ ଚୁପ୍‍ କଣ୍ଠରେ ଗପ କରୁଥାନ୍ତି, ତାହାହେଲେ ସେ ଚୁପ୍‍ ଚୁପ୍‍ କଥା ଶୁଣିବା ପାଇଁ କାନଡ଼େରି ଠିଆ ହୁଏ ମାଳା–ଅବିବାହିତା ବୟସରେ ଅନ୍ୟର ଚୁପି ଚୁପି ଗୋପନ କଥା ଶୁଣିବା ପାଇଁ ମନରେ କେମିତି କେଜାଣି କାହିଁକି ଏକ ନିଶା ଲାଗେ । ଅନ୍ୟର କଥା ଲୁଚେଇ ଲୁଚେଇ ଶୁଣିବା, ଅନ୍ୟର ଚିଠି ଗୋପନରେ ଖୋଲି ପଢ଼ିବା, ଅନ୍ୟାୟ, ଅନୁଚିତ ଅଭଦ୍ରତା ବୋଲି ଜାଣିଲେ ବି ଅବିବାହିତ, ଅବିବାହିତା ବୟସରେ ଏଇ ଅନ୍ୟାୟ, ଅନୁଚିତ, ପ୍ରବଳ କାମ କରିବା ପାଇଁ କାହିଁକି କେଜାଣି ମନରେ ଜାଗେ ପ୍ରଲୋଭନ-

 

ସଚକିତ ହୋଇ କୁସୁମ ଦେଖେ, ଅତସୀ ସହିତ ସେ ହେଉଥିବା କଥାବାର୍ତ୍ତା ବାଆଁରେଇ ହୋଇ ଶୁଣୁଛି ସବୁ ମାଳା । କପଟ କ୍ରୋଧରେ ଅଧର ପ୍ରକମ୍ପିତ କରି କହେ, ଛି–ଛି–ଏସବୁ ବଡ଼ ଅନ୍ୟାୟ ମାଳା ! ବୟସରେ ତୁ ଆମଠୁଁ ୪ । ୫ ବର୍ଷ ସାନ । ଆମ ଦୁହିଁଙ୍କ ଗୋପନ କଥା ଶୁଣିବା ତୋର ଆଦୌ ଉଚିତ ନୁହେଁ–ପିଲାଲୋକ…ଏ ସବୁକଥା ଶୁଣିଲେ ମନ ତୋର ଉଚ୍ଚାଟ ହେବ ।

 

ସେ ସବୁ କଥା ନ ଶୁଣି ମଧ୍ୟ ଉଚ୍ଚାଟ ହୁଏ ମାଳାର ବିବର୍ଣ୍ଣ ମନ । ସେ କହେ, ତମେ କୁହ ଅତସୀ ଅପା ! ମୁଁ ସିନା ଇତିହାସ, ଭୂଗୋଳ ପଢ଼ାଇ ପଢ଼ାଇ ଜ୍ୟାମିତି ଭୁଲିଗଲିଣି–ତମର ତ ସବୁ ବେଶ୍‍ ମନ ଥିବ–

 

ମାଳାର କଥା ଶୁଣିବା ପାଇଁ ଆଗ୍ରହରେ ମୁହଁ ତୋଳି ଚାହେଁ ଅତସୀ ।

 

ମାଳା କହେ, ଉପପାଦ୍ୟ ନାମଟା ଭୁଲିଗଲିଣି । କିନ୍ତୁ ଉପପାଦ୍ୟର ସେ ସାମାନ୍ୟ କଥନଟା କିଛି କିଛି ମନେ ଅଛି–ଏକ ଭୂମି ଉପରେ ଅବସ୍ଥିତ ଦୁଇ ସମାନ୍ତର ସରଳରେଖା ମଧ୍ୟରେ ଥିବା ତ୍ରିଭୁଜ ଦୁଇଟିର କ୍ଷେତ୍ରଫଳ ସମାନ…ନା ? ତାହାହେଲେ ମୁଁ କୁସୁମଠାରୁ ଛୋଟ ହେଲି କେମିତି ? ଆମ ଦୁଇ ଜଣଙ୍କ କ୍ଷେତ୍ରଫଳ ସମାନ ନ ହୋଇ ଅଳ୍ପ ବେଶି ହେଲା କିପରି ?

 

ଅତସୀ କଥାଟାକୁ ମନେ ମନେ ଭାବିଲା ।

 

କହିଲା, ତାହାହେଲେ ଭୂମି ହେଲା କିଏ, ସମାନ୍ତର ସରଳ ରେଖା ଦୁଇଟି ହେଲା କିଏ-? ଉପପାଦ୍ୟଟାର ସାମାନ୍ୟ କଥନ ଯେତେବେଳେ କହିଲୁ, ବିଶେଷ କଥନ, ପ୍ରମାଣ ପୁଣି କରିବା ଉଚିତ ତ ?

 

ମାଳା କହିଲା, ଏତିକି ବୁଝି ପାରୁନା ଅତସୀ ଅପା ! ଭୂମି ହେଲା ଆମର ଏହି ଅବିବାହିତ ବୟସ…ସମାନ୍ତର ସରଳରେଖା ହେଲା ଆମ ସ୍କୁଲ ଆଉ ମେସ୍‍ର ଜୀବନ ରେଖା । ଏଇ ସମାନ୍ତର ସରଳରେଖା ଭିତରେ ରହି ଅବିବାହିତା ଜୀବନର ଗୋଟିଏ ଭୂମି ଉପରେ ଠିଆ ହେବା ପରେ ମଧ୍ୟ କ’ଣ ଆମ ଭିତରେ ସାନ, ବଡ଼ର ତଫାତ୍‍ କିଛି ଅଛି ?

 

ଲାଜରେ ଜଡ଼ସଡ଼ ହୋଇଗଲା କୁସୁମ ।

 

ମାଳାର ହାତ ଧରି ସେ ନିଜ ଛାତି ଉପରକୁ ଭିଡ଼ି ଆଣିଲା । କହିଲା, ସତରେ ମାଳା ! ଆମେ ସମସ୍ତେ ସମାନ…ବୟସ…ଅଭିଜ୍ଞତା…ପରିସ୍ଥିତି ସବୁ ଦୃଷ୍ଟିରୁ ଆମେ ଏକ ।

 

ତିନିଟା ଏକ ମିଶିଲେ ତିନି ନ ହୋଇ ଏକ୍‍ !

 

ଗଣିତ ଶାସ୍ତ୍ରରେ ଏତେବଡ଼ ଏକ ବ୍ୟତିକ୍ରମ ଆବିଷ୍କାର କରି ଉଚ୍ଚ ଇଂରାଜୀ ବାଳିକା ବିଦ୍ୟାଳୟର ଗଣିତ ଶିକ୍ଷୟିତ୍ରୀ ଅତସୀ ରାଉତରାୟ ଅବାକ୍‍ ହୋଇଗଲା ।

 

ସେଦିନ କୁସୁମ ହିଁ ବେଳାବେଳି ସ୍କୁଲରୁ ଫେରି ଆସିଲା । ଶେଷ ପିରିୟଡ଼୍‍ ଦୁଇଟା ତା’ର ଛୁଟି…କ୍ଳାସ୍‍ ନଥିଲା । ପଞ୍ଚମ ପିରିୟଡ଼ରୁ ମୁଣ୍ତଟା କାହିଁକି ବିନ୍ଧିବାକୁ ଆରମ୍ଭ କରିଥିଲା ଯେ…

 

ଟିକିଏ ବିଶ୍ରାମ ନେବ ବୋଲି ବେଳାବେଳି ଆଗରୁ ଚାଲି ଆସିଥିଲା କୁସୁମ । ଦିନାନ୍ତର ରଙ୍ଗ ଆକାଶରେ ସେତେବେଳେ ଯାଏ ବି ଧରି ରଖିଥିଲା ବିଚିତ୍ର ବର୍ଣ୍ଣବିଭବ ।

 

କୁସୁମ ଫେରି ଆସିଥିଲା ମେସକୁ । ଏକାକିନୀ । କ୍ଳାନ୍ତ । ଶ୍ରାନ୍ତ । ରୁଗ୍ଣ ଦେହରେ ।

 

ମାଳା ଆଉ ଅତସୀ ଫେରି ନ ଥିଲେ ।

 

ମେସ୍‍ ପାଖରେ ପହଞ୍ଚି କୁସୁମ ଡାକିଲା, ସୀତା…

 

ସୀତା ଦରଜା ଖୋଲିଲା । ଭିତରକୁ ପଶିଲା କୁସୁମ । ଦେଖିଲା ମେସକୁ ଲାଗି ଗୋଟିକିଆ ଥିବା ଘରଟିର ତାଲା ଖୋଲା ହୋଇଛି…

 

ସୀତାକୁ ଡାକି କୁସୁମ ପଚାରିଲା, ଘରବାଲା ଆଜି ଆସିଛି କିଲୋ ସୀତା ! ସେ ଏକୁଟିଆ ଘର ଦ୍ଵାରଟା ଖୋଲା ହୋଇଛି ଯେ…

 

ସୀତା କହିଲା, ଜାଣିନି ଦେଈ । ଶୋଇ ଯାଇଥିଲି । ଘରବାଲା ବୁଢ଼ା ଆସିଥିବ ହୁଏ ତ-। ଭଡ଼ା କ’ଣ ଆମର ମନିଅର୍ଡ଼ର କରି ପଠାଯାଇନି ଦେଇ !

 

ଭଡ଼ା ଘରବାଲା ଗ୍ରାମକୁ ମନିଅର୍ଡ଼ର କରି ପଠାଇବା ଦାୟିତ୍ଵ ଅତସୀର । କୁସୁମ ସେ କଥାକୁ କାନକୁ ନେଲା ନାହିଁ । କହିଲା, ସେ କଥା ବୁଝିବାକୁ ମୋରର ତର ନାହିଁ ସୀତା ! ମୁଣ୍ତଟା ବିନ୍ଧୁଛି । ଶେଯଟା ଟିକିଏ ଖଟିଆ ଉପରେ ବିଛେଇ ଦେଲୁ…

 

ସୀତା ବିଛେଇ ଦେଲା ଖଟିଆ ଉପରେ ବିଛଣା !

 

ଶୋଇଗଲା କୁସୁମ ।

 

ମନରେ ତା’ର ଆଜି ବେସୁରା ବୀଣାର ରାଗିଣୀ…

 

ଘର କଥା ମନେ ପଡ଼ୁଛି ।

 

ଘରେ ଭାଇ, ଭାଉଜ, ମାଆ…

 

ମାଳା ଆଉ ଅତସୀ ଆସିଲେ ପଛରେ । ପ୍ରଶ୍ନକଲେ, ଆମକୁ ଛାଡ଼ିଦେଇ ଏକୁଟିଆ ଚାଲି ଆସିଲୁ ଯେ ! ଦେହ କ’ଣ ହେଲା ?

 

ସ୍ଥିର କଣ୍ଠରେ କୁସୁମ କହିଲା, କିଛି ନାହିଁ–ଘରକଥା ମନେ ପଡ଼ୁଛି…ଭାଇ, ଭାଉଜ ମା’-!

 

ଅତସୀ କିହିଲା, ଘର କଥା ମନେ ପଡ଼ୁଛି । ଆଉ ଆମେ ହେଲୁ ପର ? ନାଇଁ–ତୋ ମନ କଥା ଏଥର ଜଣାଗଲା ଗୋ କୁସୁମ କୁମାରୀ !

 

ମାଳା କହିଲା, ଆମେ କ’ଣ ତମର ଭଉଣୀ ନୁହଁ କୁସୁମ ଅପା ! ଘର କଥା ମନେ ପକାଇ ଏଡ଼େ ସୁନ୍ଦର କଅଁଳ ଛନ ଛନ ମୁହଁଟାକୁ ଦୁଃଖର କାଳିମାରେ କୁହୁଳାଇ ପକାଇଛ !

 

ମାଳାର କଅଁଳ ହାତଟିକୁ କୋଳକୁ ତୋଳିନେଲା କୁସୁମ । ହାତ ପାପୁଲିରେ ତା’ର ବୋକ ଦେଇ କହିଲା, ଭଉଣୀ ନୁହେଁ ବୋଲି କେବେ ତତେ ମନା କରିଛି ମାଳା । ପେଟର ଭଉଣୀ କ’ଣ କେବେ ତୋଠୁଁ ବେଶି ଆପଣାର ହେବ ? ସ୍କୁଲରେ ମୁଣ୍ତଟା କାହିଁକି ବିନ୍ଧିଲା ଯେ… ।

 

କୁସୁମର କଥା ଶୁଣି ହସି ହସି ଲୋଟଣି ପାରା ଭଳି କୋଳରେ ଲୋଟି ପଡ଼ିଲା ମାଳା । ଅତସୀ, କୁସୁମ ଦୁହେଁ ସମସ୍ଵରରେ ମଧ୍ୟ ହସି ଉଠିଲେ ।

 

ତିନି ସଖିଙ୍କର ସେଇ ହସର ସମ୍ମିଳିତ କଣ୍ଠଧ୍ଵନି ‘ପ୍ରବେଶ ନିଷେଧ’ ମେସ୍‍ର ବାୟୁମଣ୍ତଳକୁ କ୍ଷଣକ ପାଇଁ ହେଲେ ବି ଉଚ୍ଚକିତ କରି ଦେଲା ।

 

କୃଷ୍ଣଚୂଡ଼ା ଗଛରେ ଏକୁଟିଆ କୋଇଲିଟିଏ ଡାକୁଚି ।

 

ପ୍ରାଚୀର ଆରପଟ ପଡ଼ିଆରେ ଡାକୁଚି କୁମ୍ଭାଟୁଆ–ଉଠ–ଉଠ ।

 

ଉଠିଲା ପ୍ରଥମେ ଅତସୀ ।

 

ଭୋଅରର ଫରଚା ଆଲୁଅ ଆସିବ ଆସିବ ବୋଲି ଗଛ ପତ୍ର ଫାଙ୍କ ଗୁଡ଼ାକ ଜକ୍‍ ଜକ୍‍ ଦିଶୁଚି ।

 

ଅତସୀ ଉଠି ସୁରେଇ ପାଣିରେ ମୁହଁଟା ଧୋଇନେଲା ପ୍ରଥମେ…ତା’ପରେ ଦେଖିଲା ସେଇ ଅନ୍ଧାର ମିଶା ଆଲୁଅ ଦେହରେ ଘରବାଲା ଘରଟା ଖୋଲା…ବାରଣ୍ତା ଉପରେ ଠିଆ ହୋଇଛନ୍ତି ସୁଦର୍ଶନ ଯୁବକ ଜଣେ…

 

ଅତସୀ ଡାକିଲା, ସୀତା ।

 

ଆଖି ମଳି ମଳି ସୀତା ଆସି ପାଖରେ ଠିଆ ହେଲା ।

 

ସେ କିଏ କି ସୀତା ? –ଅତସୀ କଣ୍ଠରେ ବିସ୍ମୟ ।

 

ସୀତା କହିଲା, ନୂଆ ଭଡ଼ାଟିଆ ବାବୁ–ଘରବାଲା ରଖିଚି ଆମ ଦ୍ଵାର ପଟୁ ସେ ଘର କବାଟରେ ତାଲା ପଡ଼ିବ ।

 

ରାସ୍ତାପାଖ ଦ୍ଵାର ଦେଇ ସେ ବାବୁ ଯିବା ଆସିବା କରିବେ…ମୋଟେ ମାସେ ଖଣ୍ତେ ଏ ବାବୁ ରହିବେ ଦେଇ ! ମାସକୁ ଗୋଟିଏ ବଖରା ଘରକୁ ପଚାଶ ଟଙ୍କା ଭଡ଼ା ଦେବେ…

 

କଥାଟା କହି ବିସ୍ମୟରେ ଭ୍ରୂଲତା କୁଞ୍ଚନ କଲା ସୀତା ।

 

ଶେଯରେ ଶୋଇ ସୀତାର କଥା ଶୁଣୁଥିଲା କୁସୁମ । ଭଡ଼ାଟିଆ ବାବୁଙ୍କ ନାମ ଶୁଣି ସେ ମଧ୍ୟ ଅଳସ ଛାଡ଼ି ଉଠି ଠିଆ ହେଲା । ସବାପଛରେ ଆସିଲା ମାଳା । ତିନି ସଖୀ ତିନିଜଣଙ୍କ ମୁହଁକୁ ଚାହିଁଲେ । ତିନିଜଣଙ୍କ ଆଖିରେ ବିସ୍ମୟ । ତିନିଜଣଙ୍କ ଆଖିରେ ଆନନ୍ଦ ।

 

ନୂଆ ଭଡ଼ାଟିଆ ବାବୁ କିଏ ?

 

ବେଶ୍‍ ଟୋକାଟିଏ, ଭଲ ଦିଶୁଛନ୍ତି ତ ?

 

ତିନି ସଖୀ ପୁଣି ଏକାବେଳକେ ମୁହଁକୁ କଲେ ତଳକୁ । ଦୃଷ୍ଟି ନଇଁଲା ପାଦତଳର ମାଟି ଉପରକୁ ।

 

‘ପ୍ରବେଶ ନିଷେଧ’ ମେସ୍‍ର ଆର ପଟେ ପ୍ରବେଶ ଅଧିକାର ଅନୁମତି ଭିକ୍ଷା କରି ଆର ଘର କୋଠରୀରେ ଠିଆ ହୋଇଛନ୍ତି ଜଣେ ତରୁଣ ।

 

ତିନି ତରୁଣୀ ସଖୀ ଦ୍ଵନ୍ଦ୍ଵରେ ପଡ଼ିଛନ୍ତି–ଦେବେ କି ସେ ସେଥିପାଇଁ ଅନୁମତି !

 

ଆକାଶରେ ସିନ୍ଦୁରା ଫିଟି ଆସୁଚି ।

 

ଭୋଅରର ଆଲୁଅ ଆସୁଚି ଭିତରକୁ ।

 

ଇସ୍‍, ସେ ଆଲୁଅ କେଡ଼େ ମିଠା !

 

ସେଦିନ ଅତସୀ, କୁସୁମ, ମାଳା ମେସ୍‍କୁ ଫେରି ଦେଖିଲେ ଦ୍ଵାର ଆଉଜା ହୋଇଚି । ଭିତରେ ନାହିଁ ସୀତା ।

 

ବିରକ୍ତ ହୋଇ ଅତସୀ ଡାକିଲା, ସୀତା–ସୀତା ।

 

ସେ ଗୋଟିକିଆ ଘର ପଟୁ ଉତ୍ତର ଆସିଲା–ଯାଉଚି ଦେଇ ।

 

ସୀତା ତା’ ହେଲେ ସେ ଭଡ଼ାଟିଆ ବାବୁଙ୍କ ଘର ପଟେ ଅଛି । କାହିଁକି ଯାଇଥିଲା ସୀତା ତେଣିକି ?

 

ସୀତାକୁ କୈଫିୟତ୍‍ ମାଗିଲା ଅତସୀ ।

 

ସୀତା ହସିଲା ।

 

କହିଲା, ବାବୁଟି ଭାରି ସାଧରଣ ଭଦର ଲୋକ ଦେଇ ! ବଡ଼ଲୋକ ଘରର ପିଲା । କ’ଣ କମ୍ପାନୀ କାମରେ ମାସେ ଆସିଛନ୍ତି କଟକ ।

 

ଧମକ ଦେଇ କୁସୁମ କହିଲା, କାହିଁ କି ତାଙ୍କ ଘରକୁ ଯାଇଥିଲୁ ବୋଲି ପଚରା ଯାଉଚି, ତୁ ବାବୁଙ୍କ ଭଲ ଗୁଣ ବିଷୟରେ କ’ଣ ବକ୍ତୃତା କରୁଛୁ ?

 

ସୀତା କହିଲା, କିଛି ନାହିଁ ଦେଈ । ବାବୁଙ୍କୁ ଚୂଲିରେ ନିଆଁ ଲଗେଇ ଆସୁ ନ ଥିଲା…ଫୁଙ୍କି ଫୁଙ୍କି ଘରଯାକ ନିଆଁ କରିଥିଲେ । ଯାଇଥିଲି ଟିକିଏ ନିଆଁ ଧରେଇ ଦେଇ ଆସିବାକୁ…

 

ସୀତା ଏତିକି କହି ଅପରାଧିନୀଟି ଭଳି ଚାଲିଗଲା । ତା’ର ଯିବାର ଗତିକୁ ଲକ୍ଷ୍ୟ କରି ହସି ଉଠିଲେ ମାଳା ଆଉ କୁସୁମ ।

ଅତସୀ ମନ୍ତବ୍ୟ କଲା, ଘରବାଲା ଲୋକଟାର ସ୍ଥାନ କାଳ ପାତ୍ର ଜ୍ଞାନ ବୋଲି ଗୋଟାଏ ପଦାର୍ଥ କିଛି ନାହିଁ । ଗୁଡ଼ାଏ ଭଡ଼ା ପାଇବ ବୋଲି ଏ ମହିଳା ମେସ୍‍ ଭିତରେ ଗୋଟାଏ ପୁରୁଷକୁ ଆଣି ରଖିଲାଣି…ଛି…ଛି…

ମାଳା ପ୍ରଥମେ ଦେଖିଲା ଭଦ୍ରଲୋକଙ୍କୁ ତା’ ଆରଦିନ ଖରାବେଳେ । ଦେହ ଅସୁସ୍ଥ ଥିଲା ବୋଲି ସେ ସ୍କୁଲକୁ ଯାଇ ନ ଥିଲା । ଭଦ୍ରଲୋକ ବାରଣ୍ତାରେ ବୁଲୁଥିଲେ । ବାରଣ୍ତାରେ ଠିଆ ହେଲେ ମାଳାର ଶୋଇବା ଘର ଝରକାବାଟେ ସବୁ ଦିଶେ ।

ମାଳା ଶୋଇଥିଲା ।

ଲୁଗାପଟା ବୋଧହୁଏ ଅସଂଯତ ହୋଇ ଯାଇଥିଲା ଅନେକ ପରିମାଣରେ । ଭଦ୍ରଲୋକ ବାରଣ୍ତା ଉପରେ ଠିଆ ହୋଇ ଝରକା ବାଟେ ଚାହିଁ ରହିଥିଲେ ମାଳାକୁ…

ମାଳାର ଦେହ–ସମ୍ପଦ ତାଙ୍କ ଆଖିରେ ଅସୀମ ଆଗ୍ରହର ଉତ୍ତେଜନା ସମ୍ଭବତ ସୃଷ୍ଟି କରିଥିଲା । ମାଳା ଘଟଣାଟା ଅନୁମାନ କରି ବିରକ୍ତି ଓ ରାଗରେ ଜର୍ଜରିତ ହୋଇ ପଡ଼ିଲା ।

ଛି…ଛି…

ଏଭଳି ଲୋକଙ୍କୁ କେବେହେଲେ ଭଦ୍ରଲୋକ କହି ହୁଏ ନାହିଁ । ଅତସୀ ଠିକ୍‍ କହୁଥିଲା-। ଭଡ଼ା ଲୋଭରେ ଘରବାଲା ଗୋଟାଏ ଅଭଦ୍ର ଲୋକକୁ ହିଁ ଆଣି ଏ ମହିଳା ମେସ୍‍ ପାଖରେ ରଖିଛି !

 

ଖଟ ଉପରୁ ଉଠିଯାଇ ସଶଦ୍ଦରେ ଝରକାଟା ବନ୍ଦ କରିଦେଲା ମାଳା । ଝରକାଟା ବନ୍ଦ କରିଦେଲା ବେଳେ ସେ ଲକ୍ଷ୍ୟ କଲା, ଭଦ୍ରଲୋକଙ୍କ ମୁହଁରେ ହସର ଏକ ବକ୍ରରେଖା ଆଙ୍କି ହୋଇଗଲା ।

 

ମାଳାର ଏ ପ୍ରତିବାଦକୁ ବୋଧହୁଏ ଭଦ୍ରଲୋକ ଅତି ଲଘୁ ଭାବରେ ଗ୍ରହଣ କରି ଉପହାସ କଲେ !

 

ଝରକାଟା ବନ୍ଦ କରି ମାଳା ପୁଣି ନିଜ ବିଛଣା ଉପରେ ଶୋଇଲା । ଭାବିଲା, ଓଃ, ଲୋକଟାର କି ଔଦ୍ଧତ୍ୟ ! ଝରକାବାଟେ ଏଢ଼େ ଏଡ଼େ ଆଖିଟା ମାନ କରି…

 

ଭଦ୍ରଲୋକ ଉପରେ ସତକୁ ସତ ରୀତିମତ ବିରକ୍ତ ହୋଇ ଉଠିଥିଲା ମାଳା ।

 

କିନ୍ତୁ ସନ୍ଧ୍ୟାବେଳେ ସୀତାଠାରୁ ଯେତେବେଳେ ସେ ଶୁଣିଲା, ଭଦ୍ରଲୋକ ନିଜ ବ୍ୟବହାର ପାଇଁ ତା’ ପାଖରୁ କ୍ଷମା ଚାହିଁଛନ୍ତି, କରୁଣାରେ ଓଦା ହୋଇଗଲା ମାଳାର ମନ ।

 

ସେ ଚୁପ୍‍ ଚୁପ୍‍ ପଚାରିଲା, ବାବୁ ଆଉ କ’ଣ ପଚାରୁଥିଲେ ସୀତା ?

 

ସୀତା ଜିଭ ପାଖରେ ହସଟାକୁ ଅଟକାଇ ରଖି ଗମ୍ଭୀର ଭାବରେ କହିଲା, ଆଉ କହିବେ କ’ଣ ! ଭାରି ଦୁଃଖ କରି କହୁଥିଲେ, ମୋର ଭାରି ଅଭଦ୍ରତା ହୋଇ ଯାଇଚି ସୀତା । ଦେଈକୁ କହିବୁ ମତେ କ୍ଷମା କରିବେ ।

 

କ୍ଷମା !

 

ମାଳାର ବୁକୁତଳେ ଏକ ମୃଦୁ ଆଲୋଡ଼ନ ସୃଷ୍ଟି ହେଲା ସୀତାର କଥା ଶୁଣି । ସେ ମନେ ମନେ ହସିଲା । ଖୁସି ହେଲା । ଖରାବେଳେ ଭଦ୍ରଲୋକଙ୍କ ଉପରେ ତା’ର ଯେଉଁ ଧାରଣା ଥିଲା, ସେ ଧାରଣାଟା ତା’ର ହଠାତ୍‍ ଓଲଟ ପାଲଟ ହୋଇଗଲା ।

 

ସ୍କୁଲରୁ ଫେରି ଗାଧୋଇବା କୁସୁମର ଏକ ପ୍ରାଚୀନ କୁଅଭ୍ୟାସ । ସଂଧ୍ୟାବେଳେ ଥରେ ନ ଗାଧୋଇଲେ ତାକୁ କେମିତି ଦେହସାରା ଜ୍ଵର ଜ୍ଵର ଲାଗେ ।

 

ସେଦିନ ବି କୂଅରୁ ପାଣି ଢାଳି ଗାଧୋଉଥିଲା କୁସୁମ । ଭିତରେ ମାଳା, ଅତସୀ ବସି ଗପ କରୁଥିଲେ । ରୋଷେଇ ଘରେ କାଠରେ ନିଆଁ ଧରାଉଥିଲା ସୀତା ।

 

ଗାଧୋଇ ସାରି ଲୁଗା ବଦଳିବାକୁ ଯାଉଚି, କୁସୁମ ହଠାତ୍‍ ଲକ୍ଷ୍ୟକଲା ବାରଣ୍ତା ଉପରେ ଅନ୍ୟମନସ୍କ ଭାବରେ ଠିଆ ହେବାର ଛଳନା କରି ସେ ଭଦ୍ରଲୋକ ତା’ର ସ୍ନାନଭିଜା ଦେହଟିକୁ ଚାହିଁ ହସୁଛନ୍ତି ।

 

ଲୋକଟା କି ଭୀଷଣ ଭାବରେ ଇତର !

 

ରାଗରେ ଜଳିଗଲା ଏକବାରେ କୁସୁମ । ମୁହଁରେ ଏପରି ଭାବରେ ଏକ ବିରକ୍ତିସୂଚକ ଭଙ୍ଗୀ ସୃଷ୍ଟି କଲା, ଭଦ୍ରଲୋକ ବାରଣ୍ତା ଛାଡ଼ି ଘର ଭିତରକୁ ପଳାଇବାକୁ ବାଟ ପାଇଲେ ନାହିଁ ।

 

ତା’ ଆରଦିନ ଖରାବେଳେ ସୀତା କହିଲା, ସେ ଘର ବାବୁ କହୁଥିଲେ, ତମେ କୁଆଡ଼େ ଆମ ତିନିଜଣ ଦେଈଙ୍କ ଭିତରେ ବେଶି ସୁନ୍ଦରୀ ।

 

କୃତ୍ରିମ କ୍ରୋଧରେ ମୁଖ ବିକୃତ କରି କୁସୁମ କହିଲା, ଚୁପ୍‍ । ତୋ’ରି ବାବୁଙ୍କ ପ୍ରଶଂସା ଶୁଣିଲେ ମୋ ପେଟ ପୂରିବ ?

 

ସୀତା ଚୁପ୍‍ ହୋଇଗଲା ।

 

କିନ୍ତୁ ମନେ ମନେ ବସି ସୀତାର କଥାକୁ ଗୁଣି ହେବାକୁ ଲାଗିଲା କୁସୁମ । ବାବୁ କହୁଥିଲେ ସେ ଭାରି ସୁନ୍ଦର । ଭଦ୍ରଲୋକଙ୍କର ତାହା ହେଲେ ଦିବ୍ୟ ଦୃଷ୍ଟି ଅଛି । ବେଶ ମଜା ଲୋକ ତ !

 

ଭଦ୍ରଲୋକଙ୍କ ଉପରେ କେଜାଣି କେମିତି ଏକ ଅଜଣା ମାୟା ଆସିଲା କୁସୁମର ମନରେ । ଆହା, ବିଚାରା ନିଃସଙ୍ଗ ଭଦ୍ରଲୋକ !

 

ତା’ ଆରଦିନ ଚାରିଟାବେଳେ ମାଳାକୁ ସୀତା କହିଲା, ଅଜୟବାବୁଙ୍କ ଦେହ ଅସୁସ୍ଥ । ଜ୍ଵରରେ କମ୍ପୁଛନ୍ତି । ମୁଁ ଟିକିଏ ଯାଉଛି ଦେଈ । ଅତସୀ ଦେଈ ଖୋଜିଲେ କହି ଦେବେ…

 

ମାଳା ବିସ୍ମୟରେ ପଚାରିଲା, କେଉଁ ଅଜୟବାବୁଙ୍କ କଥା କହୁଛୁ କି ସୀତା !

 

ଓଠ ଚିପି ହସି ହସି ସୀତା କହିଲା, ସେଇ ଯେଉଁ ଭଡ଼ାଟିଆ ଭଦ୍ରଲୋକ ମ ! ଯାହାଙ୍କ କଥା କହୁ ନ ଥିଲି…

 

ସୀତା ଓଠର ଚାପା ହସଟା ମାଳାର ଓଠକୁ ସଂକ୍ରମିତ ହୋଇ ଆସିଲା । ଓଃ, ସେଇ ଭଦ୍ରଲୋକ । ଅସୁସ୍ଥ ହୋଇ ପଡ଼ିଲେ ? କ’ଣ ହୋଇଥିଲା ?

 

ସୀତା କହିଲା, ସେ କଥା କେମିତି କହିବି । ଯାଉଛି ଦେଈ । ଖୋଜିଲେ କହିଦେବ…

 

ସୀତା ଚାଲିଗଲା ।

 

ମାଳା ମନଟା କେଜାଣି କାହିଁକି ଦୁଃଖରେ ମ୍ଳାନ ହୋଇଗଲା ।

 

ସେଦିନ ରାତିରେ ଝରକାଟା ପୁଣି ଖୋଲି ଦେଲା ମାଳା । ତା’ର କେମିତି ଧାରଣା ହେଉଥିଲା, ସେ ଭଦ୍ରଲୋକ ହୁଏ ତ’ ବାରଣ୍ତା ଉପରେ ଆସି ଅନାଇବେ ତା’ ଆଡ଼କୁ ସେ ଝରକା ବାଟେ । ନିଜ ଦେହର କିଛି ଅଂଶରୁ ଲୁଗା ମଧ୍ୟ କାଢ଼ି ଦେଲା ମାଳା । ଭଦ୍ରଲୋକ ଯଦି ତା’ ଦେହର କିଛି ଲୁଗା ନ ଥିବା ଅଂଶ ଦେଖି ଖୁସି ହେଉଛନ୍ତି, ହୁଅନ୍ତୁ । ତାଙ୍କର ସେ ନିରୀହ ଆନନ୍ଦରେ ବାଧା ଦେବ କାହିଁକି ମାଳା ?

 

କିନ୍ତୁ କାହିଁ, ଭଦ୍ରଲୋକ ବାରଣ୍ତା ଉପରକୁ ଆଜି ଆସିଲେ ନାହିଁ ତ ! ଦେହର ଅସୁସ୍ଥତା ତାଙ୍କର କ’ଣ ଏଡ଼େ ସଂଘାତିକ !

 

ଭୟରେ କେଜାଣି କାହିଁକି ଚମକି ଉଠିଲା ମାଳା ।

 

ତା’ପରେ ଲୁଗାପଟା ସଜାଡ଼ିନେଇ ଚିତ୍‍ ହୋଇ ଶୋଇ ଭାବିବାକୁ ଲାଗିଲା ।

 

ସେଦିନ ସଂଧ୍ୟାବେଳେ କୁସୁମ ମଧ୍ୟ କାମନା କରୁଥିଲା, ସେ ଭଦ୍ରଲୋକ ବାରଣ୍ତା ଉପରକୁ ଆସି ତା ଆଡ଼କୁ ଚାହନ୍ତେ କି !

 

ଭଦ୍ରଲୋକ ତାକୁ ସମସ୍ତଙ୍କଠୁ ବଳି ସୁନ୍ଦରୀ ବୋଲି କହୁଥିଲେ । ଏଭଳି ତାକୁ ଆଉ ତ କେହି କେବେ କହି ନାହାନ୍ତି । ଭଦ୍ରଲୋକଙ୍କ ସୌନ୍ଦର୍ଯ୍ୟବୋଧଟା ତା’ ହେଲେ ଖୁବ୍‍ ଗଭୀର ।

 

ମନେ ମନେ ହସିଲା କୁସୁମ ।

 

ମାଳା କହିଲା, ଏତେ ବେଳଯାଏ ଗାଧୋଉଛ କ’ଣ କୁସୁମ ଅପା ! ଏତେ ଡେରି ତ ତମର କେବେ ହୁଏ ନାଇଁ ।

 

ମାଳାର କଥା ଭଲ ଲାଗିଲା ନାହିଁ କୁସୁମକୁ । ମାଳା ବୋଧହୁଏ ତାକୁ ଈର୍ଷା କରୁଛି । ବର୍ତ୍ତମାନ ସେ ଭଦ୍ରଲୋକଙ୍କର ବାରଣ୍ତାକୁ ଆସିବାର ବେଳ । ତାକୁ ଏଠାରୁ ତଡ଼ି ଦେବାକୁ ଚାହୁଁଛି କାହିଁକି ମାଳା !

 

ଗାଧୁଆ ଶେଷ କରି ଚାଲି ଆସିଲା କୁସୁମ । କିନ୍ତୁ ମାଳାର କଥା ତା’ର ମନେ ରହିଲା ।

 

ତା’ ଆରଦିନ ମାଳା କହିଲା, ମୋ ଲୁଗାଟା ମଇଳାହୋଇ ଯାଇଛି କୁସୁମ ଅପା । ତମ ଲୁଗାଟା ଟିକିଏ ଦେବ ?

 

କୁସୁମ ମୁହଁ କୁହୁଳେଇ କହିଲା, ଶାଢ଼ୀପିନ୍ଧି ଚେହେରା ଦେଖାଇବାକୁ ଏତେ ଝୁଙ୍କ୍‍ କାହିଁକି ମାଳା ! ଲୁଗା ମଇଳା ହେଲେ ବି ଲୋକେ ଚିହ୍ନିବେ…

 

ମାଳା କଥାଟା ଶୁଣି ସ୍ତମ୍ଭିତ ହୋଇଗଲା ।

 

ଏ କ’ଣ କହୁଛି କୁସୁମ !

 

ଆଉ କିଛି ନ କହି ସେ ଧୀରେ ଧୀରେ ବାହାରିଗଲା ।

 

ଏମିତି ।

 

ସବୁରି ଅଜାଣତରେ ପ୍ରବେଶ ନିଷେଧ ମେସ୍‍ର ସମସ୍ତ ନିଷେଧାଜ୍ଞାକୁ ଅବଜ୍ଞା କରି ଈର୍ଷା, ହିଂସାର ଏହି କାଳକୂଟ ବିଷ ପ୍ରବେଶ କଲା ତିନି ସଖିଙ୍କ ମନର ଅଭ୍ୟନ୍ତରରେ ।

 

ନୂତନ ଆଗନ୍ତୁକ ଅଜୟବାବୁଙ୍କ ଆବିର୍ଭାବ ଫଳରେ ତିନି ସଖୀଙ୍କ ମନ ତିନିଜଣଙ୍କଠାରୁ ଅଲଗା ହୋଇଗଲା । କିଏ ନିଜକୁ ବେଶି ସଜାଇ, ବେଶି ଲୋଭନୀୟ କରି ତାଙ୍କର ଦୃଷ୍ଟି ଆକର୍ଷଣ କରି ପାରିବ, ଏଥିପାଇଁ ଚାଲିଲା ଗୋପନ ପ୍ରତିଦ୍ଵନ୍ଦିତା ।

 

ପ୍ରତିଦ୍ଵନ୍ଦିତା ମାନେ ହିଁ ପାରସ୍ପରିକ ଈର୍ଷା ।

 

ଅଜୟବାବୁ କାହାକୁ ବେଶି ଭଲ ପାଉଛନ୍ତି, ସେଥିନେଇ ପ୍ରବେଶ ନିଷେଧ ମେସ୍‍ର ତିନି ସଖୀଙ୍କ ମନରେ ଆଗ୍ରହ, କୌତୁହଳ, ଉତ୍ତେଜନା ।

 

ଅଥଚ କେହି ଦିନେହେଲେ ଭଦ୍ରଲୋକଙ୍କ ସହିତ କଥାବାର୍ତ୍ତା କରି ନାହାନ୍ତି !

 

ସୀତା ହିଁ ହେଉଛି ଗୋପନ ସମ୍ପର୍କ ସ୍ଥାପନର ଯୋଗସୂତ୍ର । ତିନି ସଖୀଙ୍କୁ ସେ ଦିନ ଅଜୟ ବାବୁଙ୍କଠାରୁ ସମ୍ଵାଦ-ସ୍ଵତନ୍ତ୍ର ଭାବରେ । କେହି ଜାଣିପାରନ୍ତି ନାହିଁ କାହାରି କଥା । କେବଳ ସନ୍ଦେହରେ ମନ କୁହୁଳେ । ହୃଦୟ ହୁଏ ଭାରାକ୍ରାନ୍ତ ।

 

ଅତସୀ ଦିନେ ସୀତାକୁ ପଚାରିଲା, ତୁ ସେ ଭଦ୍ରଲୋକଙ୍କର ଏତେ କାମ କରୁଛୁ,କଅଣ ଦେଉଛନ୍ତି ସେ ତତେ ?

 

ସୀତା କୁଣ୍ଠିତ କଣ୍ଠରେ କହିଲା, ଟ ୧୦ ଦେଇଛନ୍ତି । ଗଲାଦିନ ଆଉ ୧୦ ଦେବେ ବୋଲି କହିଛନ୍ତି, କାନକୁ ହଳେ ସୁନା ଦୁଲ୍‍ କରିବି ବୋଲି…

 

ଅତସୀ କଟାକ୍ଷ କରି କହିଲା, ଲାଞ୍ଚ ନେଉଛୁ ସୀତା ! ପୁରୁଷ ଲୋକଙ୍କ ଠାରୁ ଲାଞ୍ଚନେବା ଭାରି ବିପଦ । ଭାବିଚିନ୍ତି ଯାହା କରୁଥିବୁ…

 

ସୀତା ଏଥର ଲଜ୍ଜିତ ଭାବରେ ବେଶି ପରିମାଣରେ ହସିଲା ।

 

ପୁରୁଷ ମନକୁ ଆକର୍ଷଣ କରିବା ପାଇଁ ଯେଉଁ ପ୍ରବୃତ୍ତି, ନାରୀ ପକ୍ଷରେ ତାହା ଏକାନ୍ତ ଭାବରେ ଆଦିମ ।

 

ଅତସୀ, କୁସୁମ, ମାଳା ଅନ୍ତରଙ୍ଗ ସଖୀ ହେଲେ ବି ନାରୀ । ଅଜୟବାବୁ ପୁରୁଷ–ନା…ନା…ସୁପୁରୁଷ !

 

ଅଜୟବାବୁଙ୍କ ପାଇଁ ଅତସୀର ଆଗ୍ରହଟା ଅତି ଭାବରେ ମାନସିକ । ନିଜ ମନର ରହସ୍ୟ ସେ ସୀତା ଆଗରେ ମଧ୍ୟ ପ୍ରକାଶ କରିବାକୁ ଚାହେଁ ନାଇଁ । ଅଜୟବାବୁ ତାକୁ ବାରଣ୍ତା ଉପରକୁ ଆସି ଚାହିଁ ଦେଖନ୍ତୁ, ଏକଥା ମଧ୍ୟ ତା’ର ଅଭିଳାଷ ନୁହେଁ ।

 

ସେ ନାରୀ–ତରୁଣୀ । ତା’ର ଆକର୍ଷଣୀ ଶକ୍ତି ଅଛି । ତେଣୁ ସେ ଅଜୟବାବୁଙ୍କ ମନକୁ ନିଶ୍ଚୟ ଆକୃଷ୍ଟ କରି ପାରିବ–ଏହାହିଁ ହେଲା ତା’ର ଧାରଣା ।

 

ରାତିରେ ଶୋଇଥିବାବେଳେ ସେ ଭାବେ, ଅଜୟବାବୁ ନିଶ୍ଚୟ ତା’ କଥା ଭାବୁଥିବେ । ତା’ କଥା ଭାବି ଭାବି ଅସ୍ଥିର ହେଉଥିବେ । ତାକୁ ପାଇବା ପାଇଁ କାମନା କରୁଥିବେ । ବିଚାରା ନିର୍ବୋଧ ! ବାମନ ହୋଇ ଚାନ୍ଦକୁ ହାତ ବଢ଼ାଉଛନ୍ତି ?

 

ପୁଣି ହଠାତ୍‍ ଅତସୀର ମନେପଡ଼େ, ଅଜୟବାବୁ ମଧ୍ୟ ମାଳା ଆଉ କୁସୁମର କଥା ବି ତ ଭାବୁଥାଇ ପାରନ୍ତି !

 

ଏଇ କଥାଟା ଚିନ୍ତା କଲା ପରେ ଅତସୀ କୁସୁମ ଆଉ ମାଳା ଉଭୟଙ୍କ ଉପରେ ବିରକ୍ତ ହୋଇଯାଏ । ଏ ଦୁଇ ଜଣଙ୍କୁ ସେ ଆଣି ଏଠାରେ ସ୍ଥାନ ଦେଇଥିବାରୁ ମନରେ ଅନୁତାପ କରେ । ଏ ଦୁଇଜଣ ନ ଥିଲେ ହୁଏ ତ ଅଜୟବାବୁ ଆକାଶରେ କେବଳ ଗୋଟିଏ ଚନ୍ଦ୍ର ଦେଖନ୍ତେ…ତାକୁଇ ନେଇ ମନେ ମନେ କବିତା ରଚନା କରନ୍ତେ…କିନ୍ତୁ ବର୍ତ୍ତମାନ ଗୋଟିଏ ଆକାଶରେ ତିନୋଟି ଚନ୍ଦ୍ର-!

 

ମାଳା ଆଉ କୁସୁମକୁ ମନ ଖୋଲି କିଛି ନ କହିଲେ ବି ମନ ଭିତରେ ଆଉ ଭଲ ପାଇପାରେ ନାହିଁ ଅତସୀ । ସଖୀ ବଦଳରେ ସେ ଦୁହେଁ ତା’ର ମନେ ହୁଅନ୍ତି ଦୁଇ ପ୍ରତିଦ୍ଵନ୍ଦିନୀ ଭଳି-

 

ନାରୀ ଚାହେଁ ଯେ କେହି ପୁରୁଷ ତାକୁଇ ପ୍ରଶଂସା କରୁ, ତାକୁହିଁ ଭଲ ପାଉ–ଅନ୍ୟ କାହାରି ପ୍ରତି ସେ ପ୍ରଶଂସା, ସେ ସ୍ନେହ ବାଣ୍ଟି ହୋଇ ନ ଯାଉ !

 

ସେଦିନ ସ୍କୁଲ ଫେରନ୍ତି କୁସୁମ ସୀତାକୁ ଡାକି କହିଲା, ତୋ ବାବୁ ପରା ଫୁଲକୁ ଭଲ ପାଆନ୍ତି ସୀତା ! ତାଙ୍କୁ ଏ ଗୋଲାପ ଫୁଲଟି ଦେବୁ । କହିବୁ ମୁଁ ତାଙ୍କ ପାଇଁ ଏଇଟି ସ୍କୁଲ ବଗିଚାରୁ ଆଣିଚି…

 

କିଛି ସମୟ ପରେ ମାଳା କହିଲା, ବାବୁଙ୍କୁ କହିବୁ ସେଦିନ ସେ ମୋ ଆଡ଼କୁ ଚାହିଁଥିଲେ ବୋଲି ମୁଁ ମନରେ ମୋଟେ କିଛି ଭାବିନାହିଁ । ଝରକାଟା ସେଦିନୁ ବି ସେମିତି ଖୋଲା ଅଛି ।

 

ଦୁଇ ଦେଈଙ୍କ ମନର ରହସ୍ୟ ବୁଝିପାରି ସୀତା ମନେ ମନେ ଖୁବ୍‍ ହସିଲା । ବୁଝିଲା, ଦୁହେଁଯାକ ବିଚାରି ପାଗଳିନୀ ହୋଇ ଉଠିଲେଣି । ମନର ଭାରସାମ୍ୟ ଠିକ୍‍ ରଖିବା ସେଥିପାଇଁ ଦୁଇଜଣଙ୍କ ପକ୍ଷରେ ସମ୍ଭବ ହେଉନାହିଁ ।

 

ଅତସୀ ଦେଈ ଗୁମ୍‍ମାରି ରହିଛନ୍ତି ।

 

ସେ ସ୍ଵଭାବତଃ ଗମ୍ଭୀର । ମନର ଫୁଲ ମନରେ ଫୁଟି ତାଙ୍କର ମଉଳିଯିବ ପଛେ, ବାହାର ଲୋକେ ତା’ର ସୁବାସର ଗନ୍ଧ ପାଇବେ ନାହିଁ ।

 

ଅଜୟବାବୁଙ୍କ ପାଖରୁ ଫେରି ସୀତା କହିଲା, ବାବୁ ଆମର ଅଭିଆଡ଼ମ ଦେଈ ! ଆଜି କଥାରୁ ସବୁ ବୁଝି ପାରିଲି । ତମ କଥା ପଚାରୁଥିଲେ । କହୁଥିଲେ, ସାନ ଦେଈଟି ତୋର ଭାରି ଭଲ । ମନଟି ଯେମିତି ରୁପଟି ବି ସେମିତି । ଆର ଦୁଇଟା ଖୁଣ୍ଟିରେ ବନ୍ଧା ହୋଇ ବୁଢ଼ୀ ହେଲେଣି ।

 

ନିଜର ପ୍ରଶଂସା ଆଉ ଅନ୍ୟର ନିନ୍ଦା ଶୁଣିଲେ ନାରୀ ମନରେ ବିଚିତ୍ର ଏବଂ ଆନନ୍ଦର ଉତ୍ତେଜନା ସୃଷ୍ଟିହୁଏ । ସେଇ ଉତ୍ତେଜନାରେ ମାଳା ଅଧୀରା ହୋଇଉଠିଲା ।

 

ସୀତା କହିଲା, ଦେଇ, ଟଙ୍କା ଦଶଟା ଦିଅନ୍ତ ନାଇଁ । ଦୁଲ ହଳେ ଗଢ଼ିବି ବୋଲି ବସିଚି ଯେ…

 

ସାଙ୍ଗେ ସାଙ୍ଗେ ଟଙ୍କା ଦଶଟା ଆଣି ସୀତା ହାତରେ ଗୁଞ୍ଜି ଦେଲା ମାଳା । ଏତେ ବଡ଼ ଶୁଭ ଖବର ଆଣିଥିଲା ସୀତା, ଦଶଟା ଟଙ୍କା ବକ୍ସିସ୍‍ କ’ଣ ବେଶି ହୋଇଗଲା !

 

ସୀତାକୁ ଚୁପ୍‍ ଚୁପ୍‍ ଡାକି କୁସୁମ ପଚାରିଲା, କଅଣ କହୁଥିଲେ ତୋ ବାବୁ ?

 

ସୀତା କହିଲା, ସବୁବେଳେ ତ ଖାଲି ତମରି କଥା ଦେଈ । ତମର ପ୍ରଶଂସାରେ ବାବୁ ଖାଲି ପାଗଳ ହୋଇଗଲେଣି । ତମେ ତାଙ୍କୁ ବାହା ହେବ ଦେଈ ?

 

ଧେତ୍‍ । …କୃତ୍ରିମ କ୍ରୋଧରେ ଧମକ ଦେଲା କୁସୁମ । କହିଲା, ତୋ ବାବୁର ତ’ ଖୁବ୍‍ ସାହସ ହୋଇଗଲାଣି !

 

ସୀତା ଜାଣେ ଏ ଧମକ ପଛରେ କେତେ ଆନ୍ତରିକତା ଅଛି କୁସୁମ ଦେଈର । ସେ ଧମକ ପାଇ ଡରିଲା ନାହିଁ । କହିଲା, ସୁନା ଦୁଲ୍‍ ହଳେ ଗଢ଼ିବି ଯେ ଟଙ୍କା ପନ୍ଦରଟା ନିଅଣ୍ଟ ପଡ଼ୁଛି…

 

ତିନିଟା ପାଞ୍ଚଟଙ୍କିଆ ନୋଟ୍‍ ସୀତା ହାତକୁ ବଢ଼ାଇ ଦେଇ କୁସୁମ କହିଲା, ଯାଆ ତୁ ଏଠୁ । ମତେ ବିରକ୍ତ କର ନାହିଁ…

 

ହସି ହସି ସୀତା ବାହାରିଗଲା ପଦାକୁ ।

 

ମେଘ ଆକାଶ ଢାଙ୍କି ରଖିଚି । କେତେବେଳେ ମୂଷଳ ଧାରାରେ ପାଣି ଗାଳି ପକାଇବ କେହି କହିପାରିବେ ନାହିଁ । ଚାରିଆଡ଼େ ଏକ ଛାୟାଚ୍ଛନ୍ନ ଭାବ…

 

ପ୍ରବେଶ ନିଷେଧ ମେସ୍‍ର ବାତାବରଣ ଠିକ୍‍ ସେହିପରି…ତିନି ସଖୀଯାକ ଗମ୍ଭୀର । କେହି କାହାରିକୁ ଭଲ କରି ମନ ଖୋଲି କଥା କହୁ ନାହାନ୍ତି । ସମସ୍ତଙ୍କ ଭିତରେ ସମସ୍ତଙ୍କ ପାଇଁ ଈର୍ଷା…

 

ଅଥଚ ଦିନ କେତୋଟି ତଳେ ତିନୋଟି ଯାକ ଝିଅ ଥିଲେ ଗୋଟିଏ ନଦୀର ତିନୋଟି ଧାର–ଗୋଟିଏ ବୃନ୍ତର ତିନୋଟି ଫୁଲ !

 

କିଏ ସେହି ନିଷ୍ଠୁର ତରୁଣ, ଯିଏ ଏ ମେସ୍‍ର ତିନି ସଖୀଙ୍କ ମନକୁ କୀଟଦ୍ରଂଷ୍ଟ କରି ଦେଇଛି !

 

ସୀତା ତିନିଜଣଙ୍କ ମୁହଁକୁ ଚାହେଁ । ହସେ ଦାନ୍ତ ଚିପି ଚିପି । ଆହା, ବିଚାରୀ !

 

‘ପ୍ରବେଶ ନିଷେଧ’ ମେସରେ ହସର ଜୁଆର ଭଟ୍ଟା ପଡ଼ି ଯାଇଚି । ମତଭେଦ, ଈର୍ଷା, ହିଂସାର ଏକ ଜ୍ଵଳନ୍ତ ଶିଖା ସତେ ଯେମିତି ସେହି ମହିଳା ଶିକ୍ଷୟିତ୍ରୀ ନିବାସର ସମସ୍ତ ମାଧୁର୍ଯ୍ୟ, ସୁକୁମାର ସୌନ୍ଦର୍ଯ୍ୟକୁ ଜାଳି ପାଉଁଶ କରିଦେଇଛି !

 

ଆକାଶରେ ଦିନାନ୍ତର ରଙ୍ଗ ।

 

ଅବଶ, କ୍ଳାନ୍ତ, ଶ୍ରାନ୍ତ ତନୁ ଘେନି ଫେରିଲେ ସେଇ ନୀଡ଼କୁ ତିନୋଟି ବିହଙ୍ଗୀ–ଅତସୀ, କୁସୁମ, ମାଳା ।

 

ମେସ୍‍ ଭିତରେ ପ୍ରବେଶ କରି ଦେଖିଲେ, ସୀତା ନାହିଁ ।

 

କୁଆଡ଼େ ଯାଇଛି ସୀତା !

 

ଅତସୀ ଉଙ୍କିମାରି ସେ ଭଦ୍ରଲୋକଙ୍କ ଘର ଦେଖିଲା । ସେଠାରେ ମଧ୍ୟ ଘର ଦ୍ଵାର ମୁହଁରେ ଝୁଲୁଛି ଗୋଟାଏ ତାଲା ।

 

ସମ୍ଭବତଃ ଅଜୟବାବୁଙ୍କ ସହ ବଜାରକୁ ଯାଇଛି ସୀତା ।

 

ସଂଧ୍ୟା ହେଲା ।

 

ଅନ୍ଧକାର ଘେରିଆସିଲା ‘ପ୍ରବେଶ ନିଷେଧ’ ମେସ୍‍ର ଚାରିଆଡ଼େ । କାହିଁ ଫେରିଲା ନାହିଁ ତ ସୀତା !

 

ଅସ୍ଥିର ହେଲା ଅତସୀ ।

 

କିଛି ସମୟ ପରେ କବାଟ ଜଂଜିର କିଏ ଝଣ ଝଣ କଲା । ସୀତା ଆସିଲା ବୋଲି ଆଗ୍ରହରେ କବାଟ ଖୋଲିଦେଲା ଅତସୀ ।

 

କିନ୍ତୁ ଏ’ ଯେ ପୋଲିସ ଅଫିସର ।

ପୋଲିସ ଅଫିସର ଜଣକ ପଚାରିଲେ, ବ୍ୟସ୍ତ କରୁଛି ବୋଲି କିଛି ଭାବିବେ ନାହିଁ । ଅଜୟବାବୁ ବୋଲି ଏଠାରେ ଯେଉଁ ଭଦ୍ରଲୋକ ଥିଲେ, ସେ ବର୍ତ୍ତମାନ କେଉଁଠି କହି ପାରିବେ ?

ଅତସୀ କହିଲା, ଆଜି ସକାଳେ ଥିଲେ–ବର୍ତ୍ତମାନ ଆଉ ନାହାନ୍ତି । ତାଲା ଝୁଲୁଛି । ହୁଏ ତ ବଜାର ଆଡ଼େ…

ପୋଲିସ ଅଫିସର ଜଣକ ହସିଲେ । କହିଲେ, ତା’ହେଲେ ଲୋକଟା, ଆମ ଆଖିରେ ଧୂଳି ଦେଇ ଖସିଗଲା…

ଅବାକ୍‍ କଣ୍ଠରେ ଅତସୀ କହିଲା, ଧୂଳି ଦେଲା ମାନେ ?

ପୋଲିସ ଅଫିସର ଜଣକ କହିଲେ, ଲୋକଟା ବିରୁଦ୍ଧରେ ଅନେକ ଜଘନ୍ୟ ଦଫାରେ ଅପରାଧ……ପ୍ରଧାନ ହେଲା ଦାସୀ ବ୍ୟବସାୟରେ ଲୋକଟା ଏଜେଣ୍ଟ୍‍ କାମ କରେ……

ଦାସୀ ବ୍ୟବସାୟ !

ସ୍ତ୍ରୀ ଲୋକଙ୍କୁ ଶିଖେଇ ନେଇ ବିନ୍ତ୍ରି କରେ ଅଜୟ ।

ଭୂତ ଦେଖିଲା ଭଳି ଚମକି ଉଠିଲା ଅତସୀ । କଥାଟା ଶୁଣି ମାଳା ଆଉ କୁସୁମ ମଧ୍ୟ ଭୟରେ ଶିହରି ଉଠିଲେ । ଲୋକଟା କି ସାଂଘାତିକ !

ପୋଲିସ ଅଫିସର ଜଣକ ଚାଲିଯାଉଥିଲେ ।

ଅତସୀ କହିଲା, ଆଉ ଗୋଟାଏ ସଂବାଦ ଶୁଣିଯିବେ ? ଆମ ଚାକରାଣୀଟା କାହିଁ ଦେଖାଯାଉ ନାଇଁ । ସେ ଲୋକଟା ସହିତ ତା’ର ଭଲ ସଂପର୍କ ଥିଲା–

ପୋଲିସ ଅଫିସର ଜଣକ ବିସ୍ମୟରେ ପ୍ରଥମେ ଉତ୍ତେଜିତ ହୋଇ ଉଠୁଥିଲେ । ପରେ ନିଜକୁ ସମ୍ଭାଳି ନେଇ ହସିଲେ । କହିଲେ, ଚାକରାଣୀ ଆଶା ଛାଡ଼ନ୍ତୁ–ତାକୁ ଆଜି ସେ ନିଶ୍ଚୟ କଲିକତା ପଠାଇ ଦେଇଥିବ; ତଥାପି ମୁଁ ଚେଷ୍ଟାକରି ଦେଖିବି । ଚାକରାଣୀଟାର ନାମଟା କଅଣ କହିଲେ ?

ସୀତା–କୁସୁମ କହିଲା ପଛରୁ ।

ପୋଲିସ ଅଫିସର ପରିହାସରେ କହିଲେ, ନାମଟା ଟିପି ନ ରଖିଲେ ବି ମନେ ରହିବ-! ସତୀ ଶିରୋମଣି ସୀତା-

ସମସ୍ତେ ହସିଉଠିଲେ ।

ସକାଳ ହେଲା ।

ମେଘର ଅନ୍ଧକାର କଟିଗଲା । ଝଡ଼ଟା ବିଶେଷ କ୍ଷତି ନ କରି ଠିକ୍‍ ମୁଣ୍ତ ଉପର ଦେଇ ଅତିକ୍ରମ କରିଗଲା । ଲୋକଟାର ଆକର୍ଷଣର ରାହୁଗ୍ରାସର ମୁକ୍ତ ହୋଇ ତିନି ସଖୀଯାକ ନିଦଭାଙ୍ଗି ଉଠିଲେ ।

ଝରକାଟ ବନ୍ଦ କରି ଦେଇଥିଲା ମାଳା । ତା’ର ମନର ଝରକାଟା ଅନେକ ଦିନ ହେଲା ଖୋଲା କି ନା ! ସେଇ ଝରକାବାଟେ ଅନେକ ଆସି ତା ମନକୁ ମଳିନ କରିଦେଇଥିଲା ।

‘ପ୍ରବେଶ ନିଷେଧ’ ମେସରେ ପଡ଼ିଲା ସକାଳର ସୂର୍ଯ୍ୟାଲୋକ । ସେଇ ସୁର୍ଯ୍ୟାଲୋକରେ ଅତସୀ ଚାହିଁଲା କୁସୁମର ମୁହଁକୁ । କୁସୁମ ଅନାଇଲା ମାଳା ଆଡ଼େ । ତିନିଜଣଙ୍କ ମୁହଁରେ ଚପଳ ଛନ୍ଦରେ ନୃତ୍ୟକରି ଉଠିଲା ହସର ବିଜୁଳି ।

ସେଇ ହସରେ ପୁଣି ‘ପ୍ରବେଶ ନିଷେଧ’ ମେସ୍‍ କଲ୍ଲୋଳିତ ହୋଇ ଉଠିଲା ।

ଅତସୀ କହିଲା–କୁସୁମ, ଏତେ ହସୁଛୁ କାହିଁକି ?

ମାଳାକୁ ଚାହିଁ କୁସୁମ କହିଲା–ଏଇ ଅତସୀ କୁସୁମର ମାଳାକୁ ଯେଉଁ ପାଷାଣ୍ତ ଛିନ୍ନ କରିବାକୁ ଚେଷ୍ଟା କରୁଥିଲା, ତାକୁ ପରମେଶ୍ଵର କ୍ଷମା କରିବା ଉଚିତ, ନୁହେଁ ?

ମାଳା ବି ହସି ଉଠିଲା, ଅତସୀ ମଧ୍ୟ । ତିନି ସଖୀଙ୍କ ହସର ସେଇ ସମ୍ମିଳିତ କଣ୍ଠସ୍ଵର ଶୁଣି ସ୍ତମ୍ଭିତ ହୋଇଗଲା ସକାଳର ସମୀରଣ !

Image